ଆସନ୍ତା ଫେବୃଆରୀ ୭ ତାରିଖ ଠାରୁ ଭୁବନଶ୍ୱେର ଉପକଣ୍ଠସ୍ଥ ଧଉଳି ପାଦଦେଶରେ ଧଉଳି-କଳିଙ୍ଗ ମହୋତ୍ସବ ଆରମ୍ଭ ହେବ । ପର୍ଯ୍ୟଟନ ବିଭାଗ ଓ ଓଡିଶା ଡ୍ୟାନ୍ସ ଏକାଡେମୀର ମିଳିତ ସହଯୋଗରେ ଅନୁଷ୍ଠିତ ହେବାକୁ ଥିବା ଏହି କାର୍ଯ୍ୟକ୍ରମରେ ନୃତ୍ୟ ଶିଳ୍ପୀମାନେ ଭାରତୀୟ ଶାସ୍ତ୍ରୀୟ ନୃତ୍ୟ, ସଙ୍ଗୀତ, ଲୋକ ନୃତ୍ୟ ଏବଂ ଦେଶ ବିଦେଶର ସମର କଳା ପ୍ରଦର୍ଶିତ କରି ଶାନ୍ତି ଓ ମୈତ୍ରୀର ବାର୍ତା ପ୍ରେରଣ କରିବେ ବୋଲି ଏକ ସାମ୍ବାଦିକ ସମ୍ମିଳନୀରେ ଓଡିଶା ଡ୍ୟାନ୍ସ ଏକାଡେମୀ ପକ୍ଷରୁ ସୂଚନା ଦିଆଯାଇଛି ।
ସେହିପରି ପ୍ରତି ବର୍ଷ ପରି ଚଳିତ ବର୍ଷ ମଧ୍ୟ ଓଡିଶା ଡ୍ୟାନ୍ସ ଏକାଡେମୀ ତରଫରୁ ନୃତ୍ୟ ସଙ୍ଗୀତ କ୍ଷେତ୍ରରେ ପରିଚିତ ପାଇଥିବା କୃତବିଦ୍ୟ ବ୍ୟକ୍ତି ବିଶେଷ ମାନଙ୍କୁ ବୁଦ୍ଧ ସମ୍ମାନ ଓ ଗୁରୁ ଗଙ୍ଗାଧର ସ୍ମୃତି ସମ୍ମାନ, ପ୍ରଦାନ କରାଯିବ । ଚଳିତ ବର୍ଷ ନୃତ୍ୟ ଗୁରୁ ପଦ୍ମଶ୍ରୀ ମାୟାଧର ରାଉତଙ୍କୁ ବୁଦ୍ଧ ସମ୍ମାନରେ ସମ୍ମାନିତ କରାଯିବ । ଏହି ପୁରସ୍କାର ସହ ସମ୍ମାନ ସ୍ୱରୂପ ୧ ଲକ୍ଷ ଟଙ୍କା, ମାନପତ୍ର ଓ ଅଙ୍ଗବସ୍ତ୍ର ପ୍ରଦାନ କରାଯିବ । ଏହା ବ୍ୟତୀତ ଓଡିଶୀ ନୃତ୍ୟକୁ ଦେଶ ବିଦେଶରେ ପ୍ରଚାର ଓ ପ୍ରସାର କରିବାରେ ଗୁରୁ ଦାୟିତ୍ୱ ନିଭାଇଥିବା ୬ ଜଣଙ୍କୁ ଗୁରୁ ଗଙ୍ଗାଧର ସ୍ମୃତି ସମ୍ମାନରେ ସମ୍ମାନିତ କରାଯିବ । ଚଳିତ ବର୍ଷ ଗୁରୁ ଗଙ୍ଗାଧର ପ୍ରଧାନ ସ୍ମୃତି ସମ୍ମାନ ପାଉଥିବା ବ୍ୟକ୍ତି ବିଶେଷ ମାନେ ହେଲେ ଓଡିଶୀ ସଙ୍ଗୀତ ଗୁରୁ ଘନଶ୍ୟାମ ପଣ୍ଡା, ଓଡିଶୀ ନୃତ୍ୟାଙ୍ଗନା ଶ୍ରୀମତୀ ଆଲୋକା କାନୁନଗୋ, ଡ଼କ୍ଟ୍ର ଦେବୀ ମିଶ୍ର, ଡ଼କ୍ଟ୍ର ନିରଞ୍ଜନ ତ୍ରିପାଠୀ ଓ ଡକ୍ଟର ସ୍ୱାତି ତ୍ରିପାଠୀ ଏବଂ ଜଣାଶୁଣା ମଂଚ ଆଲୋକ ସମ୍ପାଦନାକାରୀ ଜୟଦେବ ଦାସ ।
ଫେବୃଆରୀ ୯ ତାରିଖ ୩ ଦିନ ପର୍ଯ୍ୟନ୍ତ ଚାଲିବାକୁ ଏହି ମହୋତ୍ସବରେ ରାଜ୍ୟ ତଥା ରାଜ୍ୟ ବାହାରର କଳାକାର ମାନେ ସେମାନଙ୍କ ନୃତ୍ୟ ଓ ସଂଗୀତ ପରାକାଷ୍ଠା ଦେଖାଇବେ । ଓଡିଶୀ ବ୍ୟତୀତ ଦର୍ଶକ ଛଉ , କଥକ , ମର୍ଦ୍ଦଳ ବାଦନ, କଲରିପାୟୁତୁ ଆଦି ଦେଖିପାରିବେ ।