ଡ. ସମନ୍ୱୟ ନନ୍ଦ
ଦେଖିବାକୁ ଗଲେ ଅଯୋଧ୍ୟା ପ୍ରସଙ୍ଗରେ ସୁପ୍ରିମକୋର୍ଟର ରାୟ ଆସିବା ପରେ ବାମପନ୍ଥୀ ଐତିହାସିକ ମାନଙ୍କର ମିଥ୍ୟା ପ୍ରମାଣିତ ହୋଇ ଯାଇଥିଲା । ହେଲେ ବର୍ତମାନ ରାମ ମନ୍ଦିର ନିର୍ମାଣ ପାଇଁ ଶ୍ରୀରାମ ଜନ୍ମଭୂମି ପରିସରର ସମତଳୀକରଣ କାମ ଚାଲିଥିବା ବେଳେ ଏହି ପ୍ରକ୍ରିୟାରେ ସେଠାରୁ ଯାହା ମନ୍ଦିରର ଭଗ୍ନାବଶେଷ ମିଳୁଛି ସେଥିରୁ ବାମପନ୍ଥୀ ଐତିହାସିକ ମାନେ କେତେ ମିଥ୍ୟା କହି ଆସୁଥିଲେ ତାହା ପୁଣି ଥରେ ପ୍ରମାଣିତ ହୋଇ ଯାଇଛି ।
ଶ୍ରୀରାମ ଜନ୍ମଭୂମି ପରିସରରେ ଭବ୍ୟ ରାମ ମନ୍ଦିର ନିର୍ମାଣ ପାଇଁ ସମତଳୀକରଣ କାମ ଚାଲିିଛି ଓ ସେଠାରୁ ପ୍ରତ୍ନତାତ୍ୱିକ ମୂର୍ତି, ସ୍ତମ୍ଭ ଓ ଶିବ ଲିଙ୍ଗ ଆଦି ମିଳୁଛି । ଏଥିରୁ ପୁୁଣି ଥରେ ପ୍ରମାଣିତ ହୋଇ ଯାଇଛି େ ଯ ବାବରୀ ଢାଂଚା ମନ୍ଦିରକୁ ଧ୍ୱସ୍ତ କରି ସେଠାରେ ଠିଆ କରା ଯାଇଥିଲା । କିନ୍ତୁ ବାମପନ୍ଥୀ ଐତିହାସିକ ମାନେ ଲଗାତାର ଭାବେ ୮୦ ଦଶକରୁ କୋର୍ଟ ଭିତରେ ଓ କୋର୍ଟ ବାହାରେ ବାରମ୍ବାର ମିଥ୍ୟା କହି ଆସୁଥିଲେ । କୌଣସି ସାକ୍ଷ୍ୟ ପ୍ରମାଣ ନ ଥାଇ ଏହି ତଥାକଥିତ ଐତିହାସିକ ମାନେ ମାମଲାକୁ ଲମ୍ବା କରିବାରେ ଲାଗିଥିଲେ । ସେମାନେ ଲଗାତାର ଭାରତର ଜନମାନସକୁ ଭ୍ରମିତ କରି ଆସୁଥିଲେ । ଦୀର୍ଘ ସମୟ ଧରି ଏହି ମାମଲାକୁ ସମାଧାନ କରାଇ ନ ଦେବାର ତାଙ୍କର ଜିଦ ଦ୍ୱାରା ସେମାନେ ଭାରତରେ ବୈମନସ୍ୟ ଭାବନାକୁ ବଢାଉଥିଲେ ।
ମାର୍କ୍ସବାଦୀ ବିଚାରଧାରାରେ ଦୀକ୍ଷିତ ଇରଫାନ ହବିବ, ରୋମିଲା ଥାପର ଭଳି ଐତିହାସିକ ମାନଙ୍କର ଅଯୋଧ୍ୟା ପ୍ରସଙ୍ଗରେ କିପରି ଭୂମିକା ଥିଲା ତାହା ବୁଝିବାକୁ ହେଲେ ଭାରତୀୟ ପ୍ରତ୍ନତାତ୍ୱିକ ସର୍ବେକ୍ଷଣର (ଉତର) ଜୋନର ପୂର୍ବତନ ମୁଖ୍ୟ ଡ. କେ.କେ ମୋହମ୍ମଦଙ୍କ ବକ୍ତବ୍ୟକୁ ଦେଖିବାକୁ ପଡିବ । ସେ ମାଲାୟଲମ ଭାଷାରେ ଲିଖିତ ଆତ୍ମ ଜୀବନୀ ‘ନଜାନ ଏନ୍ନା ଭାରତୀୟନ’ ( ମୁଁ ଏକ ଭାରତୀୟ) ପୁସ୍ତକ ଲେଖିଛନ୍ତି । ୧୯୭୬-୭୭ରେ ଅଯୋଧ୍ୟାରେ ଖନନ ବେଳର ଟିମର ସଦସ୍ୟ ଥିଲେ । ସେ ଖନନ ବେଳେ ସେଠାରୁ ହିନ୍ଦୁ ମନ୍ଦିରର ଅଂଶ ବିଶେଷ ପାଇଥିଲେ । ମାତ୍ର ଯେତେବେଳେ ସେ ଏ ସମ୍ପର୍କରେ ମାର୍କସବାଦୀ ଐିତିହାସିକ ମାନଙ୍କୁ ଜଣାଇଲେ ସେତେବେଳେ ତାଙ୍କୁ ଚୁପ ରହିବାକୁ ଧମକ ଦିଆ ଯାଇଥିଲା । ସେ ତାଙ୍କର ଆତ୍ମ ଜୀବନୀରେ ପୂର୍ବତନ ଆଇସିଏଚଆର ମୁଖ୍ୟ ଇରଫାନ ହବିବ, ରୋମିଲା ଥାପର, ଡିଏନ ଝା, ବିପନ ଚନ୍ଦ୍ରା ଓ ଅନ୍ୟ ମାନେ କିପରି ଅଯୋଧ୍ୟା ମାମଲାର ସମାଧାନ ହେବାକୁ ଦେଇ ନ ଥିଲେ ଓ ମୁସଲମାନ ମାନଙ୍କୁ ଭ୍ରମିତ କରିଥିଲେ ତାର ବିବରଣୀ ଦେଇଛନ୍ତି ।
ଏହି ପ୍ରସଙ୍ଗର ସମାଧାନ ପାଇଁ ତତ୍କାଳୀନ ପ୍ରଧାନମନ୍ତ୍ରୀ ଚନ୍ଦ୍ର ଶେଖର ସବୁଠାରୁ ଗମ୍ଭୀର ପ୍ରୟାସ କରିଥିଲେ । ଏହି ମାମଲାକୁ କଥାବାର୍ତା ମାଧ୍ୟମରେ ସମାଧାନ କରିବା ପାଇଁ ସେ ଚେଷ୍ଟା କରିଥିଲେ ଓ ଉଭୟ ପକ୍ଷଙ୍କ ମଧ୍ୟରେ ଆଲୋଚନା ଆରମ୍ଭ କରାଇଥିଲେ । ତେବେ ସେତେବେଳେ ମଧ୍ୟ ମାର୍କସବାଦୀ ଐତିହାସିକ ମାନେ ଏହି ମାମଲାରେ ସମାଧାନ କରାଇ ଦେଇ ନ ଥିଲେ । ପ୍ରସିଦ୍ଧ ଲେଖକ ସୀତାରାମ ଗୋୟଲ ତାଙ୍କର ପୁସ୍ତକ ‘ହିନ୍ଦୁ ଟେମ୍ପଲସ ହ୍ୱାଟ ହେପେଣ୍ଡ ଟୁ ଦେମ’ ପୁସ୍ତକର ଅଯୋଧ୍ୟା ଡିବେଟ ଅଧ୍ୟାୟରେ ମାର୍କସବାଦୀ ଐତିହାସିକ ମାନେ କିପରି ଏହି ଗମ୍ଭୀର ପ୍ରୟାସକୁ ବିଫଳ କରିଥିଲେ ତାର ବିବରଣୀ ପ୍ରଦାନ କରିଛନ୍ତି ।
ଏହି ମାର୍କସବାଦୀ ଐତିହାସିକ ମାନେ ମୁସଲମାନ ମାନଙ୍କ ପକ୍ଷରୁ ଆଧିକାରିକ ଭାବେ ବିଶେଷଜ୍ଞ ଭାବେ କଥାବାର୍ତା କରିବାକୁ ଯାଇଥିଲେ । ସେମାନେ ଯେଉଁ ଆଧାରରେ ନିଜର ବିତର୍କ ଆରମ୍ଭ କରିଥିଲେ ସେଥିରେ ହିନ୍ଦୁ ମାନଙ୍କର ପକ୍ଷ ମଜବୂତ ଥିବା ଦେଖି କଥାବାର୍ତା ଅଧାରୁ ଛାଡି ଚାଲିଗଲେ । ଆଉ କଥାବାର୍ତା ପାଇଁ ଆସିଲେ ନାହିଁ । ସେହି ସମୟରେ ମୁସଲମାନ ପକ୍ଷ ଏହି ମାମଲାର ସମାଧାନ ପାଇଁ ରାଜି ଥିଲେ ହେଲେ ବାମପନ୍ଥୀ ଐତିହାସିକ ମାନେ ସେମାନଙ୍କୁ ଭ୍ରମିତ କରି ସମାଧାନ କରାଇବାକୁ ଦେଇ ନ ଥିଲେ । ଯଦି ବାମପନ୍ଥୀ ଐତିହାସିକ ମାନେ ସେତେବେଳେ ଏପରି କରି ନ ଥାନ୍ତେ ତେବେ ବୋଧ ହୁଏ ଏହି ପ୍ରସଙ୍ଗର ସମାଧାନ ବହୁ ପୂର୍ବରୁ ହୋଇ ସାରିଥାନ୍ତା ।
୨୦୧୦ ମସିହାରେ ଆଲାହାବାଦ ହାଇକୋର୍ଟର ରାୟ ପରେ ମଧ୍ୟ ଏପରି ଏକ ସୁଯୋଗ ଆସିଥିଲା ଯେଉଁ ସମୟରେ ଏହି ପ୍ରସଙ୍ଗର ସୌହାର୍ଦପୂର୍ଣ ବାତାବରଣରେ ସମାଧାନ କରା ଯାଇ ପାରିଥାନ୍ତା । ତେବେ ସେତେବେଳେ ମାର୍କସବାଦୀ ଐତିହାସିକ ଏହି ରାୟକୁ ସମାଲୋଚନା କରି ଏହାକୁ ରାଜନୈତିକ ରାୟ ବୋଲି କହିଥିଲେ । ଏଥିରୁ ଗୋଟିଏ କଥା ସ୍ପଷ୍ଟ ହୋଇ ଯାଏ ଯେ ମାର୍କ୍ସବାଦୀ ଐତିହାସିକ ମାନଙ୍କର କାହା ଉପରେ ବିଶ୍ୱାସ ନ ଥାଏ, ନ୍ୟାୟାଳୟ ଉପରେ ମଧ୍ୟ ନାହିଁ । ସେମାନେ ସେ ଯାଏ ନ୍ୟାୟାଳୟକୁ ଠିକ ବୋଲି ମାନନ୍ତି ଯେ ପର୍ଯ୍ୟନ୍ତ ନ୍ୟାୟାଳୟ ତାଙ୍କ ସପକ୍ଷରେ ରାୟ ଦିଏ, ନ ହେଲେ ନୁହେଁ ।
ବଡ ଆଶ୍ଚର୍ଯ୍ୟର କଥା ହେଲା ଯେ ଅଯୋଧ୍ୟା ପ୍ରସଙ୍ଗରେ ବାମପନ୍ଥୀ ଐତିହାସିକ ମାନେ କୋର୍ଟରେ ଓ କୋର୍ଟ ବାହାରେ ତାଙ୍କର ତର୍କ ବାରମ୍ବାର ବଦଳାଇଛନ୍ତି । ପ୍ରଥମେ ସେମାନେ କହୁଥିଲେ ଯେ ବାବରୀ ଢାଂଚା ଯେଉଁ ସ୍ଥାନରେ ତିଆରି ହୋଇଛି ସେଠାରେ କୌଣସି ମନ୍ଦିର ନ ଥିଲା । ଖାଲି ସ୍ଥାନରେ ଏହି ଢାଂଚା ଠିଆ ହୋଇଛି । ମାତ୍ରେ କୋର୍ଟଙ୍କ ନିର୍ଦେଶକ୍ରମେ ଯେତେବେଳେ ଖନନ ହେଲା ଓ ମନ୍ଦିରର ଭଗ୍ନାବଶେଷ ବାହାରିଲା ସେତେବେଳେ ସେମାନେ ତାଙ୍କର ପୂର୍ବବର୍ତୀ ତର୍କକୁ ଛାଡି ନୂଆ ତର୍କ ଗଢିବା ଆରମ୍ଭ କରିଦେଲେ । ସେମାନେ କହିଲେ ଯେ ସେହି ସ୍ଥାନଟି ବୌଦ୍ଧ- ଜୈନ ମାନଙ୍କର ସମ୍ପର୍କିତ ଥିଲା, ରାମ ମନ୍ଦିର ସେଠାରେ ନ ଥିଲା । ତେଣୁ ହିନ୍ଦୁ ପକ୍ଷ ଯେଉଁ ରାମ ମନ୍ଦିର ଥିବା କଥା କହୁଛନ୍ତି ତାହା ଭୁଲ । ଏଥିରୁ ସ୍ପଷ୍ଟ ଯେ ସେମାନେ ଏହି ମାମଲା ଅଧିକ ସମୟ କିପରି ଗଡୁ ଓ ସମାଧାନ ନ ହେଉ ସେ ନେଇ ସତତ ଚେଷ୍ଟିତ ଥିଲେ । ତେଣୁ ସେମାନେ ବିନା ତଥ୍ୟ ପ୍ରମାଣରେ ଏପରି କଥା ମାନ କହି ଭ୍ରମିତ କରିବାକୁ ପାରୁ ପର୍ଯ୍ୟନ୍ତ ଚେଷ୍ଟା କରି ଆସୁଥିଲେ ।
ଶ୍ରୀରାମଜନ୍ମଭୂମି ପରିସରରେ ମନ୍ଦିରର ଅବଶେଷ ମିଳିବା ପରେ କଣ ଏବେ ସେହି ମାର୍କ୍ସବାଦୀ ଐତିହାସିକ ମାନେ ଦେଶବାସୀଙ୍କୁ କ୍ଷମା ପ୍ରାର୍ଥନା କରିବା ଉଚିତ ନୁହେଁ । ଯେଉଁ ବିବାଦର ସମାଧାନ ସହଜରେ ହୋଇ ପାରିଥାନ୍ତା, ତାହା ହେବାକୁ ନ ଦେଇ ଦେଶରେ ବିଷାକ୍ତ ବାତାବରଣ ତିଆରି କରିବାର ଚେଷ୍ଟା ପାଇଁ ତାଙ୍କୁ ନିଶ୍ଚିତ ଭାବେ କ୍ଷମା ମାଗିବା ଉଚିତ । କିନ୍ତୁ ସେମାନେ କ୍ଷମା ମାଗିବେ ଏହା ଲାଗୁ ନାହିଁ । ତାଙ୍କୁ ପ୍ରଥମରୁ ଜଣା ଥିଲେ ଯେ ସେମାନେ ମିଛ କହୁଛନ୍ତି । କାରଣ ମାର୍କସବାଦୀ ମାନେ ଇତିହାସକୁ ଇତିହାସ ଭାବେ ନୁହେଁ ବରଂ ନିଜର ବିଚାରଧାରାର ଉପକରଣ ଭାବେ ସବୁବେଳେ ବ୍ୟବହାର କରି ଆସିଛନ୍ତି । ଏହି ଘଟଣା ପରେ ଏକ ଯକ୍ଷ ପ୍ରଶ୍ନ ସାମନାରେ ଅଛି ଯେ ଏଭଳି ସ୍ଥିତିରେ କଣ ମାର୍କସବାଦୀ ଐତିହାସିକ ମାନଙ୍କ ଦ୍ୱାରା ଲିଖିତ ଇତିହାସକୁ ଠିକ କରିବା ପାଇଁ ପଦକ୍ଷେପ ନିଆ ଯିବା ଉଚିତ ନୁହେଁ?