ଜାମ୍ମୁ କାଶ୍ମୀରରୁ ଧାରା 370 ଏବଂ 35A ହଟାଯିବା ଏବଂ ଲଦାଖ ଏବଂ ଜାମ୍ମୁ କାଶ୍ମୀରର କେନ୍ଦ୍ର ଶାସିତ ପ୍ରଦେଶ ଭାବେ ଗଠନ ହେବାର ଗୋଟିଏ ବର୍ଷ ପୂର୍ତି ଅବସରରେ ଭାରତୀୟ ଜନତା ପାର୍ଟି ଅଗଷ୍ଟ 5 ରେ ଦେଶରେ ଅନେକ କାର୍ଯ୍ୟକ୍ରମ କରିବାକୁ ଯାଉଛି। ଜାମ୍ମୁ କାଶ୍ମୀର ଏବଂ ଲଦାଖ ସମେତ ଦେଶର ବିଭିନ୍ନ ସ୍ଥାନରେ ଭର୍ଚୁଆଲ୍ ରାଲି ଏବଂ ସାମ୍ବାଦିକ ସମ୍ମିଳନୀ ମାଧ୍ୟମରେ ଧାରା 370 ହଟାଇବାର ବାର୍ଷିକୀ ପାଳନ କରାଯିବ। ସଂସଦରେ ଧାରା 370 ଉପରେ ଆଲୋଚନା ବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ଗୃହମନ୍ତ୍ରୀ ଅମିତ ଶାହାଙ୍କ ଭାଷଣର କପି ବଣ୍ଟନ କରିବାକୁ ମଧ୍ୟ ଦଳ ନିଷ୍ପତ୍ତି ନେଇଛି।
ବିଜେପି ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ ଏହି କାର୍ଯ୍ୟକ୍ରମ ଜୁଲାଇର ଶେଷ ସପ୍ତାହରୁ ଅଗଷ୍ଟ ଆରମ୍ଭ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ। ବିଜେପି ନେତାମାନେ ଦେଶର ବିଭିନ୍ନ ସହରରେ ଜୁଲାଇ 28 ରୁ ଅଗଷ୍ଟ 3 ପର୍ଯ୍ୟନ୍ତ ସାମ୍ବାଦିକ ସମ୍ମିଳନୀ ଏବଂ ଭର୍ଚୁଆଲ୍ ରାଲି କରିବେ । ଜାତୀୟ ନେତା ମାନେ ଅଗଷ୍ଟ 5 ରେ ଜାମ୍ମୁ କାଶ୍ମୀର ଏବଂ ଲଦାଖର ଅନେକ ସ୍ଥାନରେ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବେ। ଏହା ସହିତ ଗତ ଏକ ବର୍ଷ ମଧ୍ୟରେ ଜାମ୍ମୁ କାଶ୍ମୀର ଏବଂ ଲଦାଖ ପାଇଁ କେନ୍ଦ୍ର ସରକାର କରିଥିବା କାର୍ଯ୍ୟ ବିଷୟରେ ଲୋକଙ୍କୁ ଅବଗତ କରାଯିବ।