କେନ୍ଦ୍ରୀୟ ରେଳ ବଜେଟ ୨୦୧୯-୨୦ ଆର୍ଥିକ ବର୍ଷ ପାଇଁ ଓଡିଶାକୁ ମିଳିବ ୫୮୦୦ କୋଟିରୁ ଅଧିକ ଅର୍ଥ । କେନ୍ଦ୍ରରେ ମୋଦି ସରକାର କ୍ଷମତାକୁ ଆସିବା ପରେ କ୍ରମାଗତ ଭାବେ ରେଳ ବଜେଟରେ ଓଡିଶାକୁ ଅଧିକରୁ ଅଧିକ ଅର୍ଥ ମିଳିଛି । ପୁର୍ବରୁ କଂଗ୍ରେସ ନେତୃତ୍ୱାଧୀନ ୟୁପିଏ ସରକାର ସମୟରେ ରେଳ ବଜେଟରେ ଓଡିଶାକୁ କେବେବି ୧୦୦୦ କୋଟିରୁ ଅଧିକ ଅର୍ଥ ମିଳିନଥିଲା । ହେଲେ ମୋଦି ସରକାରଙ୍କ ଅମଳରେ ଏହା ୫୦୦୦ କୋଟି ପାରି ହୋଇ ୬୦୦୦କୋଟି ଛୁଇଁବାକୁ ଗଲାଣି । ଗତ ଆର୍ଥୀକ ବଜେଟରେ ଓଡିଶାକୁ ରେଳ ଅନୁଦାନ ୫୨୦୦ କୋଟି ମିଳିଥିବା ବେଳେ ଏଥର ତାଠାରୁ ଆହୁରି ଅଧିକ ୬୦୦ କୋଟି ମିଳିବାକୁ ଯାଉଛି ବୋଲି କହିଛି ବିଜେପି ।
ଚଳିତ ରେଳ ବଜେଟରେ ଓଡିଶାକୁ ରେକର୍ଡ ପରିମାଣର ଅର୍ଥ ପ୍ରଦାନ କରିଥିବାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଓଡିଶା ବାସୀଙ୍କ ତରଫରୁ ଧନ୍ୟବାଦ ବୋଲି ବିଜେପି ଉପସଭାପତି ସମୀର ମହାନ୍ତି କହିଛନ୍ତି ।
ଅନୁଗୁଳ-ସୁକିନ୍ଦା ରେଳ ପ୍ରକଳ୍ପରେ ନୁଆ ରେଳ ଲାଇନ ପାଇଁ ୨୫୦ କୋଟି ମିଳିବ ଯାହା ଗତ ବର୍ଷ ୨୦୦ କୋଟି ଥିଲା । ସେହିପରି ହରିଦାସପୁର-ପାରାଦ୍ୱୀପ ରେଳଲାଇନର ୮୨ କିମିର ନୂଆ ରେଳପଥ ପାଇଁ ୪୦୦ କୋଟି ମିଳିବ । ଗତବର୍ଷ ଏହା ୨୦୦ କୋଟି ଥିଲା । ଖୋର୍ଧାରୋଡ ବଲାଙ୍ଗିର ରେଳପଥ ନିର୍ମାଣ ପାଇଁ ୩୫୦ କୋଟି, ତାଳଚେର ବିମଳାଗଡ ରେଳଲାଇନ ପାଇଁ ୧୫୦କୋଟି ମିଳିବ । ଏହାଛଡା ରେଳ ଲାଇନ ଦୋହରିକରଣରେ ମଧ୍ୟ ପର୍ଯ୍ୟାପ୍ତ ପରିମାଣର ଅର୍ଥ ଓଡିଶା ପାଇବ । ସମ୍ବଲପୁର –ତାଳଚେର ରେଳପଥ ଦୋହରିକରଣ ପାଇଁ ୨୪୯ କୋଟି, ସମ୍ବଲପୁର –ଟିଟଲାଗଡ ରେଳପଥ ଦୋହରିକରଣ ପାଇଁ ୧୭୦ କୋଟି ଅନୁଦାନର ବ୍ୟବସ୍ଥା କରାଯାଇଛି ବୋଲି ଶ୍ରୀ ମହାନ୍ତି କହିଛନ୍ତି ।