ପୁଣି ମନେପଡୁଛି ସେଇ ନବେ ମସିହାର ଏକ ହୃଦୟ ବିଦାରକ ଘଟଣା। ମୁଁ ଥିଲି ଜଗତସିଂହପୁରରେ। ଏ ରାମ ଓ ଶରତ ଜଣେ ୨୦ ବର୍ଷର ଆଉ ଜଣେ ୨୨। ମୋର ସେତେବେଳେ ଏଇ ବୟସ ହେବ।
ଅଯୋଧ୍ୟାର ରାମ ଜନ୍ମସ୍ଥାନ ମୁକ୍ତି ପାଇଁ ପ୍ରଥମ ଥର କରସେବକମାନେ ଅଯୋଧ୍ୟା ଯାଉଥାନ୍ତି। ସଙ୍ଘ କରସେବକମାନଙ୍କର ଯିବା ଆସିବାରେ ସହଯୋଗ କରିଥିଲା। ଆମେ ନ ଯିବାର କାରଣ ହେଲା ଆମକୁ ଅନୁମତି ନ ଥିଲା। ଆମେ କେବଳ ପଠାଇବା କାମରେ ଥିଲୁ।
ଅକ୍ଟୋବର ମାସ ଶେଷ ସପ୍ତାହରେ ଏ କାର୍ଯ୍ୟ ଆରମ୍ଭ ହୋଇଥିଲା। କୋଲକାତାର ବଡ଼ବଜାରରେ ଲାଗୁଥିବା ଏକ ଶାଖାରୁ ଦୁଇ ଭାଇ ସେଦିନ ବାହାରିଥାନ୍ତି କରସେବକ ହିସାବରେ। କରସେବକମାନଙ୍କୁ ରେଳ ଷ୍ଟେସନରେ ଛାଡ଼ିବାକୁ ଆସିଥିଲେ ସେତେବେଳର ଦକ୍ଷିଣ ବଙ୍ଗ ପାନ୍ତ ପ୍ରଚାରକ ମାନନୀୟ ସୁନୀଲ ପଦ ଗୋସ୍ୱାମୀ। ସେ ବଡ଼ ବଜାରର ଏ ଦୁଇ ଜଣଙ୍କୁ ଦେଖିବା ମାତ୍ରେ ତାଙ୍କ ବାପାଙ୍କୁ ପଚାରିଲେ ଆପଣ ଦୁଇ ଜଣଙ୍କୁ ଅନୁମତି ଦେଇଛନ୍ତି ଯିବା ପାଇଁ ? ସେ କହିଲେ ବଡ଼ ରାମକୁ ଅନୁମତି ଦେଇଥିଲି କିନ୍ତୁ ସାନ ବି ବାହାରିଛି ଓ ସାନ ଭାଇର ପୁଅ ଦୁଇଟି ବି ବାହାରିଛନ୍ତି, ଯାଆନ୍ତୁ...
ସେତେବେଳେ ଟିଭି କାଁ ଭାଁ ଥିଲା। ଖବର ମିଳିବା ପାଇଁ ଏକ ମାତ୍ର ସାଧନ ଥିଲା ରେଡ଼ିଓ। ନ ହେଲେ ଦୂରଭାଷରେ ଘଟଣା ବୁଝିବାକୁ ପଡୁଥିଲା। ଯେଉଁଦିନ କରସେବକମାନଙ୍କୁ ଅନ୍ଧାଧୁନିଆ ଗୁଳିବର୍ଷା ହେଲା ଅନେକ କରସେବକ ଗୁଳିରେ ଟଳି ପଡୁଥିଲେ, ତାଙ୍କ ଭିତରେ ସର୍ବାଗ୍ରେ ଥିଲେ ରାମ କୋଠାରୀ ଓ ଶରତ କୋଠାରୀ ଭ୍ରାତୃ ଦ୍ୱୟ। କାରଣ ଏହି ଦୁଇ ଭାଇ ଗମ୍ବୁଜ ଉପରେ ଚଢ଼ିଯାଇ ଗେରୁଆ ପତାକା ଉଡ଼ାଇ ଦେଇଥିଲେ। ଭାବିଲେ ଆଶ୍ଚର୍ଯ୍ୟ ଲାଗେ, ଯେଉଁଠି ମୁଖ୍ୟମନ୍ତ୍ରୀ କହିଥିଲେ ଏକ ଭି ପରିନ୍ଦା ଘୁସନେ ନେହିଁ ଦୁଙ୍ଗା। ୩୦ ହଜାର ଯବାନ ଯେଉଁଠି ଜଗି ରହିଥିଲେ ସେଠାରେ ତାଙ୍କ ଆଖିରେ ଧୂଳି ଦେଇ ୫ ହଜାର କରସେବକ ଜୟ ଶ୍ରୀରାମ ନାରା ଦେଇ ଜନ୍ମଭୂମି ପରିସରକୁ ପଶିଯିବା ସହଜ କଥା ନ ଥିଲା।
ଏ ଖବର କୋଲକାତା କାର୍ଯ୍ୟାଳୟରେ ପହଞ୍ଚିଗଲା। ପ୍ରଥମେ ଘାୟଲ ବୋଲି କୁହାଯାଇଥିଲା, ପୁଣି କିଛି ସମୟ ପରେ ମୃତ୍ୟୁର ଖବର ଆସିଲା।
ଏବେ କଥା ଥିଲା ତାଙ୍କ ପରିବାରକୁ ଖବର ଦେବା। କିଏ ଯିବ ? କିଏ ଏ ଖବର ଘରକୁ ଯାଇ ତାଙ୍କ ବାପା ମାଆଙ୍କୁ ଜଣାଇବ ?? କେହି ରାଜି ହେଲେ ନାହିଁ, କାରଣ ଏହା ଏତେ ସହଜ କଥା ନ ଥିଲା। ଶେଷକୁ ନିଜେ ସୁନୀଲଦା ଗଲେ। ବଡ଼ ବଜାରରେ ବିନୟ ରାସ୍ତୋଗୀଙ୍କ ଘରେ ସଙ୍ଘ କାର୍ଯ୍ୟାଳୟ ଥିଲା। ସୁନୀଲ ଦା କୋଠାରୀ ପରିବାରକୁ ସିଧା ନ ଯାଇ ତାଙ୍କ ଘର ପାଖରେ ଥିବା ଏହି କାର୍ଯ୍ୟାଳୟକୁ ଯାଇ ହୀରାଲାଲ କୋଠାରୀଙ୍କୁ ସେଠାକୁ ଡକାଇଲେ। ତା ସହିତ ପାଞ୍ଚ ସାତ ବଡ଼ ଅନୁଭବୀ ସ୍ୱୟଂସେବକଙ୍କୁ ମଧ୍ୟ ଆଗରୁ ଡକାଇଥିଲେ। ହୀରାଲାଲ ଜୀ ସୁନୀଲ ଦା ଡାକିଛନ୍ତି ଶୁଣିବା ମାତ୍ରେ କାର୍ଯ୍ୟାଳୟକୁ ଆସିଗଲେ। ଏବେ କଥାବାର୍ତ୍ତା ଆରମ୍ଭ ହୋଇଗଲା। ପ୍ରସଙ୍ଗ ଥିଲା ପୁଅ ମାନଙ୍କ ଆଵସ୍ଥା। ଆଉ କ'ଣ କିଛି ନୂଆ ଖବର ଆସିଲା କି ଅଯୋଧ୍ୟାରୁ ? ସବୁ ମଙ୍ଗଳ କୁଶଳ ତ ?? ଏଇ ଅପେକ୍ଷା ଥିଲା ହୀରାଲାଲଙ୍କର। ସେ ଦେଖିଲେ ସବୁ ଗମ୍ଭୀର ହୋଇ ବସିଛନ୍ତି। କାହାରି ପାଟିରୁ ଭାଷା ନାହିଁ। ସୁନୀଲ ଦା କହିଲେ, ମୁଁ ବି କହି ପାରିବା ଅବସ୍ଥାରେ ନ ଥିଲି। ତଥାପି ନିଜକୁ ପ୍ରସ୍ତୁତ କରି କହିଲି, ମୁଲାୟମ ସିଂହ ସରକାର କରସେବକମାନଙ୍କ ଉପରେ ଗୁଳି ଚଳାଇଛି। ମୁଁ ଶୁଣୁଛି ରାମ ଓ ଶରତଙ୍କ ଉପରେ ଗୁଳି ବାଜିଛି, ଉଭୟେ ଘାୟଲ ଅଛନ୍ତି। ହୀରାଲାଲ ବସିଥିବା ଜାଗାରୁ ଉଠି ଆସିଲେ, ସୁନୀଲଦାଙ୍କ ହାତକୁ ଧରି ଚିତ୍କାର କରିବାକୁ ଲାଗିଲେ...
"ସୁନୀଲଦା ! ମୋ ପୁଅ ଦୁଇଟି ଚାଲିଗଲେ...।"
ଏ କରୁଣ ଚିତ୍କାର ଆଜି ବି ସୁନୀଲଦାଙ୍କ ହୃଦୟକୁ ଥରାଇ ଦିଏ।
ତା ପରେ ହୀରାଲାଲ ନିଜକୁ ଧୈର୍ଯ୍ୟ ଦେଇ କହୁଛନ୍ତି ସୁନୀଲଦା ! ମୋର ଦୁଇ ପୁଅଙ୍କ ବଳିଦାନ ହୋଇଗଲା..
ରାମ ମନ୍ଦିର ହେବ ତ ?
ନ ହେଲେ ଏ ବଳିଦାନ ବ୍ୟର୍ଥ ହୋଇଯିବ..
ଏ କାହାଣୀ କହିଲେ ଲମ୍ବା ହେବ..
ମାଆଙ୍କୁ କେମିତି କହିଲେ...
ଗୋଟିଏ ମାତ୍ର ଭଉଣୀ ପୂର୍ଣ୍ଣିମା ତା'ର ଡିସେମ୍ବର ପ୍ରଥମ ସପ୍ତାହରେ ବାହାଘର ଥିଲା..
(ବାପା ମାଆଙ୍କ ଦେହାନ୍ତ ହୋଇଗଲାଣି। ଏକମାତ୍ର ଭଉଣୀ ପୂର୍ଣ୍ଣିମା ଜୀବିତ ଅଛି। ଏଠାରେ ଯିଏ ରାମ ଓ ଶରତଙ୍କ ଫଟୋ ଧରିଛନ୍ତି, ସିଏ ହେଲେ ପୂର୍ଣ୍ଣିମା।)
ଆଉ ଗୋଟିଏ ପ୍ରସଙ୍ଗ କହି କଥା ସାରୁଛି। ଠିକ୍ ଦୁଇ ବର୍ଷ ପରେ ପୁଣି ଥରେ କରସେବକମାନେ ସାରା ଦେଶରୁ ଯାଇ ଅଯୋଧ୍ୟାରେ ରାମ ମନ୍ଦିର ଉପରେ ହୋଇଥିବା ବିବାଦୀୟ ଢାଞ୍ଚାକୁ ଭାଙ୍ଗି ଦେଲେ। ସଙ୍ଘ ନିଷିଦ୍ଧ ହେଲା। ସଙ୍ଘରୁ ପ୍ରତିବନ୍ଧ ଉଠିବା ପରେ ଉତ୍ତର ପ୍ରଦେଶରେ ପ୍ରାନ୍ତ ପ୍ରଚାରକମାନଙ୍କର ବୈଠକ ହୋଇଥିଲା। ସମସ୍ତ ପ୍ରାନ୍ତ ପ୍ରଚାରକ ରାମ ଜନ୍ମଭୂମି ଦେଖିବାକୁ ଗଲେ। ଗାଇଡ଼ ସେମାନଙ୍କୁ ଢାଞ୍ଚା ଭାଙ୍ଗିବାର ବିବରଣୀ ଶୁଣାଉଥାନ୍ତି। ଯେତେବେଳେ ଗାଇଡ଼ କହିଲେ ଏଇଠି ରାମ କୋଠାରୀ ଓ ଶରତ କୋଠାରୀଙ୍କୁ ଗୁଳି ମରାଯାଇଥିଲା, ସେତେବେଳେ ହରିହରଦା ସେହି ମାଟିକୁ ଧରି ବସି ପଡ଼ିଲେ ଓ ଭୋ ଭୋ ହୋଇ କାନ୍ଦିବାକୁ ଲାଗିଲେ.. ତାଙ୍କୁ ଦେଖି ଅନ୍ୟ ପ୍ରାନ୍ତ ପ୍ରଚାରକମାନେ ମଧ୍ୟ ନିଜକୁ ସମ୍ଭାଳି ପାରି ନ ଥିଲେ...
ଏ କୋହ ସ୍ୱାଭାବିକ ଥିଲା..
କାରଣ ରାମ ଓ ଶରତ କେବଳ ହୀରାଲାଲଙ୍କର ନୁହଁ..
ସ୍ୱୟଂସେବକ ହେଉଛି ସଙ୍ଘ ପାଇଁ ପୁଅ ଠାରୁ ଅଧିକ..
ସେତିକିବେଳେ କେନ୍ଦ୍ରାପଡ଼ାର ଜଣେ ସ୍ୱୟଂସେବକ(ସଂଗ୍ରାମ କେଶରୀ ମହାପାତ୍ର)ଙ୍କ ପେଟରେ ଗୁଳି ବାଜିଥିଲା। ସେ ବିଷୟ ମୁଁ ରାଷ୍ଟ୍ରଦୀପରୁ ପିଢ଼ିଥିଲି। ଆପଣମାନେ ବି ପଢ଼ିବେ। ଏଇ ସମାନ ଭାବ ମଧ୍ୟ ଆପଣଙ୍କ ଭିତରେ ଆସିବ।
(ସୌଜନ୍ୟ - ନାରାୟଣ ନାୟକଙ୍କ ଫେସବୁକ ୱାଲରୁ)