ବଲିଉଡ୍ ସିଙ୍ଗର୍ ମିକା ସିଂହ ପାକିସ୍ତାନରେ ଏକ ବିବାହରେ ଯୋଗ ଦେଇ ଗୀତ ପରିବେଷଣ କରି ବିବାଦ ଘେରକୁ ଚାଲି ଆସିଛନ୍ତି । ଏହି କାରଣରୁ ମିକାଙ୍କ ଉପରେ ଅଲ୍ ଇଣ୍ଡିଆ ସିନେ ୱାର୍କସ୍ ଆସୋସିଏସନ୍ (ଏଆଇସିଡବ୍ଲୁଏ) ଓ ଫେଡେରେସନ୍ ଅଫ୍ ୱେଷ୍ଟର୍ଣ୍ଣ ଇଣ୍ଡିଆ ସିନେ ଏମ୍ପଲୋୟି (ଏଫଡବ୍ଲୁଆଇସିଇ) ବ୍ୟାନ୍ ଲଗାଇଛି । ଏହି ମାମଲାରେ ମିକା କ୍ଷମା ପ୍ରର୍ଥନା କରିବା ସହ ଏସମ୍ପକରେ ଏଫଡବ୍ଲୁଆଇସିଇ କୁ ଚିଠି ମଧ୍ୟ ଲେଖିଛନ୍ତି ।
ମିକା ଚିଠିରେ ଅନୁରୋଧ କରିଛନ୍ତି ଯେ ସମ୍ପୃକ୍ତ ଘଟଣାରେ କୌଣସି ନିଷ୍ପତି ନେବା ପୂର୍ବରୁ ତାଙ୍କ ପକ୍ଷ ମଧ୍ୟ ଶୁଣାଯାଉ । ମିକା ସୋସିଆଲ ମିଡିଆ ଆକାଉଂଟରେ ଏଫଡବ୍ଲୁଆଇସିଇର ଅଧ୍ୟକ୍ଷ ବିଏନ୍ ତିୱାରୀଙ୍କ ଭିଡିଓ ମଧ୍ୟ ସେୟାର କରିଛନ୍ତି । ଯେଉଁଥିରେ ତିୱାରୀ କହୁଛନ୍ତି ଯେ ସଂଗଠନକୁ ମିକାଙ୍କ ଚିଠି ମିଳିଛି । ଆଲୋଚନା ପାଇଁ ମିକାଙ୍କୁ ଡକାଯାଇଛି ।
ଏଫଡବ୍ଲୁଆଇସିଇର ଅଧ୍ୟକ୍ଷ ତାଙ୍କ ଭିଡିଓରେ କହିଛନ୍ତି ଯେ ମିକା ତାଙ୍କ ଚିଠି ମାଧ୍ୟମରେ କହିଛନ୍ତି ଯେ ସବୁ ନିଷ୍ପତି ମାନିବାକୁ ପ୍ରସ୍ତୁତ ଅଛନ୍ତି ।ଯଦି ସେ କିଛି ଭୁଲ୍ କରିଛନ୍ତି ଯେ ତେବେ ସମଗ୍ର ରାଷ୍ଟ୍ରକୁ କ୍ଷମା ମାଗିବାକୁ ପ୍ରସ୍ତୁତ । ଯେତେ ପର୍ଯ୍ୟନ୍ତ ମୋ ପକ୍ଷ ନଶୁଣିଛନ୍ତି ସେତେପର୍ଯ୍ୟନ୍ତ ତାଙ୍କ ଉପରେ କୌଣସି ପ୍ରତିବନ୍ଧକ ନଲଗାଇବାକୁ ସେ ଚିଠିରେ ଅନୁରୋଧ କରିଛନ୍ତି । ତିୱାରୀ କହିଛନ୍ତି ଯେ ସେ ଆସନ୍ତାକାଲି ମିକାଙ୍କୁ ଭେଟିବେ ।
ଭିଡିଓ ସେୟାର କରି ମିକା ଲେଖିଛନ୍ତି ଯେ ସେ ଏଫଡବ୍ଲୁଆଇସିଇ ଓ ଏହାର ଅଧ୍ୟକ୍ଷଙ୍କୁ ଧନ୍ୟବାଦ ଜଣାଉଛନ୍ତି । ସେ ନିଜ ସମାଜ ଓ ନିଜ ଦେଶର ଲୋକଙ୍କ ପାଇଁ ଭଲ କାମ କରିଚାଲିବେ ବୋଲି ଲେଖିବା ସହ ଶେଷରେ ଜୟହିନ୍ଦ ବୋଲି ଲେଖିଛନ୍ତି ।
ସୂଚନାଯୋଗ୍ୟ ଯେ କିଛି ଦିନ ପୂର୍ବେ ମିକା ସିଂହଙ୍କ ଏକ ଭିଡିଓ ଭାଇରାଲ ହୋଇଥିଲେ । ସେଥିରେ ସେ ପୂର୍ବତନ ପାକିସ୍ତାନ ରାଷ୍ଟ୍ରପତି ପରଭେଜ୍ ମୁଶାରଫ୍ ଙ୍କ ସମ୍ପର୍କୀୟଙ୍କ ବିବାହରେ ସଂଗୀତ ପରିବେଷଣ କରୁଥିଲେ । ବର୍ତମାନ ଭାରତ ଓ ପାକିସ୍ତାନ ମଧ୍ୟରେ ଚାଲିଥିବା ବିବାଦ ସମୟରେ ମିକାଙ୍କ ଏଭଳି ପଦକ୍ଷେପକୁ ବଲିଉଡ୍ ପ୍ରଶଂସକ ମାନେ ନାପସନ୍ଦ କରିବା ସହ ମିକାଙ୍କୁ ବ୍ୟାନ୍ କରିବାକୁ ଦାବି କରିଥିଲେ ।