ନିକଟରେ କେନ୍ଦ୍ର ସରକାର ଘୋଷଣା କରିଥିବା ୧୭ଟି ଆକର୍ଷଣୀୟ ପର୍ଯ୍ୟଟନ କ୍ଷେତ୍ର ମଧ୍ୟରେ ଓଡିଶାର କୌଣସି ପର୍ଯ୍ୟଟନସ୍ଥଳୀ ସ୍ଥାନ ନପାଇବାକୁ ନେଇ କେନ୍ଦ୍ର ପର୍ଯ୍ୟଟନ ରାଷ୍ଟ୍ରମନ୍ତ୍ରୀ ପ୍ରହଲ୍ଲାଦ ସିଂହ ପଟେଲଙ୍କୁ ଚିଠି ଲେଖିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।
ଓଡିଶାର ୫ଟି ପର୍ଯ୍ୟଟନସ୍ଥଳୀ ସମ୍ପର୍କରେ କେନ୍ଦ୍ର ପର୍ଯ୍ୟଟନ ରାଷ୍ଟ୍ରମନ୍ତ୍ରୀଙ୍କୁ ଚିଠି ଲେଖିବା ସହ ସେହି ପର୍ଯ୍ୟଟନସ୍ଥଳୀ ଗୁଡିକର ଗୁରୁତ୍ୱ ବିଷୟରେ ଚିଠିରେ ଉଲ୍ଲେଖ କରିଛନ୍ତି । ଏହି ସ୍ଥାନ ଗୁଡିକ ହେଲା କୋଣାର୍କ ସୂର୍ଯ୍ୟ ମନ୍ଦିର ,ଚିଲିକା ହ୍ରଦ , ଭିତରକନିକା ଜାତୀୟ ଉଦ୍ୟାନ , ଶିମିଳିପାଳ ଜାତୀୟ ଉଦ୍ୟାନ ଏବଂ ରତ୍ନଗିରି - ଲଳିତଗିରି - ଉଦୟଗିରି କମ୍ପଲେକ୍ସ । ଏହି ୫ଟି ପର୍ଯ୍ୟଟନସ୍ଥଳୀ ମଧ୍ୟରୁ ଅତି କମ୍ ରେ୨ଟି ପର୍ଯ୍ୟଟନସ୍ଥଳୀକୁ ସ୍ଥାନ ଦେବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦାବି କରିଛନ୍ତି ।
ଉକ୍ତ ଚିଠିରେ ମୁଖ୍ୟମନ୍ତ୍ରୀ ଉଲ୍ଲେଖ କରିଛନ୍ତି ଯେ ପର୍ଯ୍ୟଟକ ମାନଙ୍କୁ ଆକର୍ଷିତ କରିବା ପାଇଁ ରାଜ୍ୟ ସରକାର ପର୍ଯ୍ୟଟନସ୍ଥଳୀ ଗୁଡିକୁ ବିଶେଷ ଗୁରୁତ୍ୱ ଦେବା ସହ ବହୁ ବିକାଶମୂଳକ କାର୍ଯ୍ୟ ହାତକୁ ନେଉଛନ୍ତି । ଓଡିଶାର କଳା, ସଂସ୍କୃତି, ଐତିହ୍ୟ ପର୍ଯ୍ୟଟକ ମାନଙ୍କୁ ଓଡିଶା ଆସିବାକୁ ଆକର୍ଷିତ କରେ ।