ଭାରତରେ କୋଭିଡ- ୧୯ ରୋଗୀଙ୍କ ସଂଖ୍ୟା ବଢୁଛି ।ଏହାର କୌଣସି ର୍ନିଦ୍ଦିଷ୍ଟ ଚିକିତ୍ସା ନାହିଁ । କେବଳ ସଚେତନତା ଦ୍ୱାରା ହିଁ ଏହାକୁ ରୋକାଯାଇ ପାରିବ । ଘରେ ରୁହନ୍ତୁ, ସୁରକ୍ଷିତ ରୁହନ୍ତୁ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଜନସାଧାରଣଙ୍କୁ ଅନୁରୋଧ କରିଛନ୍ତି । କେବଳ ଘରେ ରହିଲେ ହିଁ ଆମେ ଏ ଯୁଦ୍ଧ ଜିତିପାରିବା ବୋଲି ମୁଖ୍ୟମନ୍ତ୍ରୀ ପ୍ରକାଶ କରିଛନ୍ତି ।
କରୋନା ଭାଇରସ ସଂକ୍ରମଣକୁ ରୋକିବା ପାଇଁ ଜନସାଧାରଣଙ୍କ ସୁରକ୍ଷା ପାଇଁ ରାଜ୍ୟ ସରକାର କିଛି ନିଷ୍ପତି ଗ୍ରହଣ କରିଛନ୍ତି । ଏହି ନିଷ୍ପତି ଅନୁଯାୟୀ ବିଭିନ୍ନ ଅତ୍ୟନ୍ତ ଜରୁରୀ କାର୍ଯ୍ୟ ବ୍ୟତୀତ ବାକି ସମସ୍ତ କାର୍ଯ୍ୟ ସଂପୂର୍ଣ୍ଣ ଭାବେ ବନ୍ଦ ରହିବ । କେବଳ ଅତ୍ୟାବଶ୍ୟକ ସାମଗ୍ରୀ ସଂଗ୍ରହ ପାଇଁ ଜନସାଧାରଣ ବାହାରକୁ ଯାଇ ପାରିବେ ।
ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ସାଢେ ଚାରି କୋଟି ଓଡିଶାବାସୀ ମୋର ପରିବାର । ପ୍ରତିଟି ଓଡିଶାବାସୀଙ୍କ ଜୀବନ ମୋ ପାଇଁ ମୂଲ୍ୟବାନ । ସରକାରଙ୍କ ନିଷ୍ପତିରେ ଆପଣମାନେ ସହଯୋଗ କରନ୍ତୁ । ନିଜର, ନିଜ ପରିବାର ଓ ବନ୍ଧୁମାନଙ୍କ ମଙ୍ଗଳ ପାଇଁ ଘରେ ରହିବାକୁ ମୁଖ୍ୟମନ୍ତ୍ରୀ ଅନୁରୋଧ କରିଛନ୍ତି ।
ଲୋକଙ୍କ ସ୍ୱାର୍ଥ ପାଇଁ ସରକାର କରିଥିବା ଏହି କଟକଣାକୁ ଯିଏ ଭାଙ୍ଗିବାକୁ ଚେଷ୍ଟା କରିବ ତା ବିରୋଧରେ କଠୋର ପଦକ୍ଷେପ ନେବାକୁ ସେ ପୋଲିସକୁ ନିର୍ଦ୍ଦେଶ ଦେଇଥିବା ସୂଚନା ଦେଇଛନ୍ତି ।