ଜଟଣୀ, ୨୫ ମେ – ଜଟଣୀ ଅଂଚଳରେ ପୁଣି ଜମି ମାଫିଆଙ୍କ ଦୌରାତ୍ମ ବଢିବାରେ ଲାଗିଛି । କରୋନା ପାଇଁ ଦେଶବ୍ୟାପି ଲକଡାଉନ ଚାଲିଥିବାବେଳେ ଏହାର ସୁଯୋଗ ନେଇ ଜମି ମାଫିଆ ମାନେ ଏବେ ଅନ୍ୟ ଜମିକୁ କବଜା କରି ଜାଲରେ ବିକ୍ରି କରିବା ପାଇଁ ଯୋଜନା, ନିଜ ଜମିକୁ ରାସ୍ତା ନଥିବା କାରଣରୁ ଅନ୍ୟ ଜମିରେ ରାତିରେ ରାସ୍ତା ନିର୍ମାଣ କରିବା ଭଳି କାମ କରୁଥିବା ନଜର ଆସିଛି । ଏପ୍ରକାର ମାଫିଆରାଜ ବିରୋଧରେ ଜଟଣି ଥାନାରେ ୩ରୁ ଅଧିକ ଏଫଆଇଆର ରୁଜୁ ହୋଇସାରିଲାଣି ।
ଖୁଦୁପୁର ଗାଁରେ ସ୍ଥାପିତ ହୋଇଛି ଜାତୀୟ ସ୍ତରର ଆଇଆଇଟି ପ୍ରତିଷ୍ଠାନ । ସେବେଠାରୁ ସେଠାରେ ଜମି ଦଲାଲ ମାନେ ସକ୍ରିୟ ଅଛନ୍ତି ଓ ବେଶ କିଣା ବିକା ବି ଚାଲିଛି । ଖୁଦୁପୁର ଗାଁର ଜଣେ ଚାଷୀ, ରଶ୍ମିରଂଜନ ଛୋଟରାୟ ସେ ନିଜ ଜମିକୁ ଗଲାବେଳେ ଦେଖିବାକୁ ପାଇଲେ କି ତାଙ୍କ ଜମିରେ କିଏ ୨୦ ଫୁଟ ଚଉଡାର ମାଟି ପକେଇ ରାସ୍ତା ନିର୍ମାଣ କରିସାରିଛି । ଏହା ନିଶ୍ଚୟ କେଉଁ ଜମି ମାଫିଆଙ୍କ କାମ ଜାଣି ସେ ଏ ପ୍ରସଙ୍ଗରେ ଜଟଣି ଥାନାରେ ଅଭିଯୋଗ କରିଲେ । ପରେ ସେ ନିଜେ ନିଜ ହାତରୁ ଅର୍ଥ ଖର୍ଚ୍ଚ କରି ସେହି ରାସ୍ତାକୁ ଖୋଳିଲେ । ସେହି ଜମିରେ ପଥର ଗୋଡି ପଡିବା ଫଳରେ ସେଠାରେ ଆଉ ଚାଷ କାମ କରିବା ସମ୍ଭବ ନୁହେଁ ବୋଲି ସେ ଅଭିଯୋଗ କରିଛନ୍ତି । ଖାଲି ଖୁଦୁପୁର ନୁହେଁ ଆହୁରି ଅନେକ ସ୍ଥାନରେ ବି ସେମିତି ହେଉଥିବାର ସମାନ ଅଭିଯୋଗ ଆସିଛି ।
ପୋଲିସର ନିରବତା ଏଠି ସନ୍ଦେହ ସୃଷ୍ଟି କରୁଛି । ଜଟଣୀ ଅଂଚଳରେ ଜମି ମାଫିଆଙ୍କ ଦୌରାତ୍ମ ବହୁତ ବଢିଗଲାଣି । ମନ ଇଛା ଯାହା ଜମି ପାଉଛନ୍ତି ସେଥିରେ ରାସ୍ତା ନିର୍ମାଣ କରି ତାକୁ କବଜା କରିବା ପାଇଁ ଚାହୁଁଛନ୍ତି । ଚାଷୀ ଯେତେବେଳେ ଚାଷ କରିବାକୁ ଯାଉଛି ଦେଖୁଛି ତା ଜମିରେ କିଏ ରାସ୍ତା କରିସାରିଲାଣି ତ ବାଲି ପଥର ପକାଇ ସାରିଲାଣି । ବଡ ଅସହ୍ୟ ହେଲାଣି ଜଟଣିରେ ଜମି ମାଫିଆଙ୍କ ଦୌରାତ୍ମ । ଲକଡାଉନ ବେଳେ ସବୁଆଡେ ବନ୍ଦ ବାନ୍ଦ ଥିବା ବେଳେ ଜମି ମାଫିଆମାନେ କେମିତି ରାସ୍ତା ନିର୍ମାଣ କଲେ, ତାହା ପୁଣି ଅନ୍ୟ ଜମିରେ, ଜମି ମାଲିକଙ୍କୁ ନଜଣାଇ । ଆଗରୁ ଏମିତି ଅନେକ ଥର ଏହି ଅଂଚଳରେ ଏପରି ଘଟଣା ଘଟିଛି । ଯଦି କିଏ ପ୍ରତିବାଦ କଲା ତାହେଲେ ଜମି ମାଲିକଙ୍କୁ ନାଲିଆଖି ଜୁଲମ ବି ସହିବାକୁ ପଡିଛି । ବିଚରା ଗରିବ ଚାଷୀଙ୍କୁ ଧମକ ଚମକ ଦେଖାଇ ଜମି ହଡପ କରାଯିବାର ଏହା ଏକ ମାଧ୍ୟମ । ଜଟଣି ପୋଲିସ ଏହି ଘଟଣାକୁ ଗମ୍ଭିରତାର ସହିତ ନେଇ ଜମି ମାଫିଆମାନଙ୍କ ଦୌରାତ୍ମରୁ ରକ୍ଷା କରିବାକୁ ଅଂଚଳବାସୀ ଦାବି କରିଛନ୍ତି ।