କାଶ୍ମୀର ପ୍ରସଙ୍ଗକୁ ନେଇ ଭାରତକୁ ଅଡ଼ୁଆରେ ପକାଇବାକୁ ସମସ୍ତ ପ୍ରକାର ପ୍ରୟାସ ଜାରୀ ରଖିଛି ପାକିସ୍ତାନ । ଏଭଳି ସ୍ଥିତିରେ ବର୍ତମାନ ଜାତିସଂଘରେ "ଗୁଡ୍ୱିଲ ଆମ୍ବାସଡର ଫର ପିସ୍' ଥିବା ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରାଙ୍କୁ ଏହି ପଦରୁ ହଟାଇବାକୁ ପାକିସ୍ତାନ ଚିଠି ଲେଖିଛି । "ଗୁଡ୍ୱିଲ ଆମ୍ବାସଡର ଫର ପିସ୍' ହୋଇ ପ୍ରିୟଙ୍କା ଏଭଳି କିଛି ବନ୍ତବ୍ୟ ଦେଇଛନ୍ତି ଯାହାକି ଅନୁଚିତ୍ ବୋଲି ପାକିସ୍ତାନ ତାର ଚିଠିରେ ଦର୍ଶାଇଛି ।
ଏହି ବିବୃତିରେ ପାକିସ୍ତାନ ପକ୍ଷରୁ କୁହାଯାଇଛି, ପ୍ରିୟଙ୍କା ଖୋଲାଖୋଲି ଭାରତୀୟ ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂହଙ୍କ ପରମାଣୁ ମନ୍ତବ୍ୟକୁ ସମର୍ଥନ ଜଣାଇଛନ୍ତି । ବିଭିନ୍ନ ପ୍ରସଙ୍ଗରେ ଭାରତର ମତକୁ ପ୍ରିୟଙ୍କା ସମର୍ଥନ ଜଣାଇଆସିଛନ୍ତି ବୋଲି ଏହି ଅଭିଯୋଗ ପତ୍ରରେ କୁହାଯାଇଛି ।
ଏସବୁ ଶାନ୍ତି ଏବଂ ଗୁଡ୍ୱିଲ ସମ୍ପର୍କିତ ନିୟମର ପରିପନ୍ଥୀ, ତେଣୁ ପ୍ରିୟଙ୍କା ଗୁଡ୍ୱିଲ ଆମ୍ବାସଡର ରହିବା ଉଚିତ୍ ନୁହେଁ । ଅନ୍ୟ ଦେଶକୁ ନେଇ ତାଙ୍କର ଘୃଣା ଏବଂ ମୋଦି ସରକାର ଅନ୍ତର୍ଜାତୀୟ ବ୍ୟବସ୍ଥା ଏବଂ ଜାତିସଂଘ ସୁରକ୍ଷା ପରିଷଦର ସଂକଳ୍ପକୁ ଉଲ୍ଲଂଘନ କରିବାକୁ ପ୍ରିୟଙ୍କାଙ୍କ ସମର୍ଥନ, ପରମାଣୁ ଯୁଦ୍ଧକୁ ତାଙ୍କ ସମର୍ଥନ ଏକ ଜାତିସଂଘ ପଦାଧିକାରୀଙ୍କ ପାଇଁ ପ୍ରଯୁଜ୍ୟ ନୁହେଁ ।
ପ୍ରିୟଙ୍କାଙ୍କୁ ଏହି ପଦବୀରୁ ତୁରନ୍ତ ହଟାନଗଲେ "ଗୁଡ୍ୱିଲ ଆମ୍ବାସଡର ଫର ପିସ୍' ବିଶ୍ୱସ୍ତରରେ ଏକ ହାସ୍ୟାସ୍ପଦ ପଦ ପାଲଟିଯିବ ବୋଲି ପାକିସ୍ତାନ ଅଭିଯୋଗ କରିଛି ।