ରାଜ୍ୟ ମୁଖିଆଙ୍କୁ ଘାରିଛି ପ୍ରଥମ ହେବାର ନିଶା । ସବୁଥିରେ ଆମେ ପ୍ରଥମ ହେବା । ତେଲେଙ୍ଗାନା, ମହାରାଷ୍ଟ୍ର ସରକାର ଲକଡାଉନ ବଢାଇବା ସପକ୍ଷରେ କେନ୍ଦ୍ର ସରକାରଙ୍କୁ ପ୍ରସ୍ତାବ ପ୍ରଥମ ଲକଡାଉନର ଅବଧି ସରିବା ପୂର୍ବରୁ ଆଗୁଆ ଦେଇଥିଲେ । ହେଲେ ଓଡିଶା ସରକାର ସିଧାସଳଖ ଲକଡାଉନ ଅବଧି ସରିବା ନପୂର୍ବରୁ ଲକଡାଉନ ବଢାଇବାର ଘୋଷଣା କଲେ । ସାରା ଦେଶରେ ପ୍ରଥମ ହେଲେ । ତାପରେ ସାରା ଦେଶରେ ଲକଡାଉନ ବଢିଲା ଯାହା ନିଶ୍ଚିନ୍ତ ହେବାର ଥିଲା । ବୁଦ୍ଧିଥିଲା ବୋଲି ସିନା ବାହାବା ମିଳିଲା ।
ସ୍ୱତନ୍ତ୍ର କୋଭିଡ ହସ୍ପିଟାଲ ସ୍ଥାପନାରେ ଓଡିଶା ଦେଶରେ ପ୍ରଥମ ବୋଲି କରୋନା ମୁଖପାତ୍ର ଘୋଷଣା କଲେ । ଭଲ କଥା । ରାଜ୍ୟ ପାଇଁ ଗୌରବର ବିଷୟ । ଦେଶରେ ଆଉ କୌଣସି ରାଜ୍ୟ ଘରୋଇ ଡାକ୍ତରଖାନା ସହିତ ଚୁକ୍ତିକରି ସରକାରୀ ଅର୍ଥକୁ ସେମାନଙ୍କୁ ଦେଇ ଏପରି ସ୍ୱତନ୍ତ୍ର କୋଭିଡ ହସ୍ପିଟାଲ ସ୍ଥାପନା କରିନାହାନ୍ତି । ସେମାନେ ନିଜର ସରକାରୀ ଡାକ୍ତରଖାନାର କ୍ଷମତାକୁ ବଢାଇଛନ୍ତି । ଖାଲି ସେତିକି ନୁହେଁ ଅନଲାଇନ ପଂଜିକରଣ, ଟୋଲ ଫ୍ରି ନମ୍ବର ଜାରି କରିବା, କେନ୍ଦ୍ର ସରକାରଙ୍କର ଯୋଜନାକୁ ଆଗୁଆ ଘୋଷଣା କରିବାରେ ଆଦି ଅନେକରେ ଓଡିଶା ଦେଶରେ ପ୍ରଥମ ହୋଇଛି ବୋଲି ରାଜ୍ୟ ସରକାର ଘୋଷଣା କରିଛନ୍ତି ।
ହେଲେ କରୋନା ମୁକାବିଲାରେ ଏତେ ସଫଳତା ସାଥିରେ ଆଉ ଗୋଟିଏ ସଫଳତା ରାଜ୍ୟ ସରକାରଙ୍କ ଖାତାରେ ଯୋଡିହୋଇଯାଇଛି । ଯାହା କେବଳ ଦେଶରେ ପ୍ରଥମ ନୁହେଁ ଦେଶରେ ଏକମାତ୍ର ମଧ୍ୟ । କରୋନାରେ ତବଲିଗ ଜମାତ ସହିତ ସର୍ମ୍ପକିତ କେସକୁ ଲୁଚାଇବାରେ ଓଡିଶା ହେଉଛି ଦେଶର ଏକମାତ୍ର ଓ ପ୍ରଥମ ରାଜ୍ୟ । ସାରା ଦେଶରେ ଏପର୍ଯ୍ୟନ୍ତ ୧୪, ୩୭୮ଜଣ କରୋନା ରୋଗୀ ଚିହ୍ନଟ ହୋଇଥିବାବେଳେ ସେଥିରୁ ୪୨୯୧ ଜଣ ଅର୍ଥାତ ୩୦% ହେଉଛନ୍ତି ତବଲିଗ ଜମ୍ମାତ ସହିତ ସର୍ମ୍ପକିତ ଘଟଣା । ହେଲେ ସେହି ୪୨୯୧ରେ ଓଡିଶାର ତବଲିଗ ଜମ୍ମାତିଙ୍କ ପାଇଁ ହୋଇଥିବା କରୋନା ପଜିଟିଭର ତଥ୍ୟ ନାହିଁ କାରଣ ରାଜ୍ୟ ସରକାର ଏହି ତଥ୍ୟ ଲୁଚାଇଛନ୍ତି, ପ୍ରକାଶ କରିନାହାନ୍ତି । ତାମିଲନାଡୁରେ ୮୪%, ଦିଲ୍ଲୀରେ ୬୩%, ତେଲେଙ୍ଗାନାରେ ୭୯%, ଆନ୍ଧ୍ରପ୍ରଦେଶରେ ୬୧%, ଉତର ପ୍ରଦେଶରେ ୫୯% ସଂକ୍ରମିତ ତବଲିଗ ଜମାତର ସେହି ମରକଜ ପାଇଁ ହୋଇଛି ବୋଲି ସେମାନଙ୍କର ସରକାର ଘୋଷଣା କରିଥିଲାବେଳେ ଓଡିଶା ସରକାର କିନ୍ତୁ ଏହା ବିଷୟରେ ତଥ୍ୟ ଦେଉନାହାନ୍ତି । ରାଜ୍ୟ ସରକାର ତୁଷ୍ଟିକରଣ ଓ ଧର୍ମନିରପେକ୍ଷର ନୂଆ କିର୍ତିମାନ ସ୍ଥାପନା କରିଛନ୍ତି ବୋଲି କହିଲେ ଭୁଲ ହେବ ନାହିଁ ।