୨୦୦୮ ଜୁଲାଇ ୨୬ରେ ଅହମଦାବାଦ ସହରରେ ମାତ୍ର ୭୦ ମିନିଟ୍ ମଧ୍ୟରେ ୨୦ରୁ ଅଧିକ ବୋମା ବିସ୍ଫୋରଣ ହୋଇଥିଲା। ଏଥିରେ ୫୬ ଜଣଙ୍କ ମୃତ୍ୟୁ ହୋଇଥିଲା ଏବଂ ୨୪୬ ଜଣ ଆହତ ହୋଇଥିଲେ ( Ahmedabad Series Bomb Blast, 2008 )।
ଏହି ବିସ୍ଫୋରଣ ମାମଲାର ଶୁଣାଣି ( Judgement of Ahmedabad Series Bomb Blast ) କରି ଗୁଜରାଟର ଏକ ସ୍ବତନ୍ତ୍ର କୋର୍ଟ ଫେବ୍ରୁଆରି ୮ରେ ୪୯ ଜଣଙ୍କୁ ଦୋଷୀସାବ୍ୟସ୍ତ କରିଥିଲେ ଏବଂ ୨୮ ଜଣଙ୍କୁ ମାମଲାରେ ଦୋଷମୁକ୍ତ କରିଥିଲେ। ଉକ୍ତ ୪୯ ଦୋଷୀଙ୍କ ମଧ୍ୟରୁ କୋର୍ଟ ଶୁକ୍ରବାର ଦିନ ୩୮ ଜଣଙ୍କୁ ମୃତ୍ୟୁଦଣ୍ଡରେ ଦଣ୍ଡିତ କରିଥିବାବେଳେ ଅନ୍ୟ ୧୧ ଜଣଙ୍କୁ ଆଜୀବନ ଜେଲ୍ଦଣ୍ଡ ମିଳିଛି।
ମାମଲାରେ ଉସ୍ମାନ୍ ଅଗରବତିୱାଲା ବ୍ୟତୀତ ଅନ୍ୟ ସମସ୍ତ ଦୋଷୀଙ୍କୁ ୨.୮୫ ଲକ୍ଷ ଟଙ୍କାର ଜରିମାନା କରାଯାଇଛି। ଅଗରବତିୱାଲାକୁ ୨୬ଟି ଭିନ୍ନ ଅପରାଧିକ ମାମଲାରେ ୨.୮୮ ଲକ୍ଷ ଜରିମାନା କରାଯାଇଛି। ୪୯ ଦୋଷୀଙ୍କ ବିରୋଧରେ ଦଣ୍ଡାଦେଶ ଶୁଣାଇବାକୁ ବିଚାରପତି ୨୪ ମିନିଟ୍ ୨୨ ସେକେଣ୍ଡ ନେଇଥିଲେ। ମାମଲାରେ ସମସ୍ତ ୪୯ ଦୋଷୀ ଅହମଦାବାଦ, ଜୟପୁର, ଗୟା, ତାଲୋଜା , ବେଙ୍ଗାଲୁରୁ ଏବଂ ଭୋପାଳର ବିଭିନ୍ନ ଜେଲ୍ରେ ଅଛନ୍ତି।
ହତ୍ୟା, ହତ୍ୟା ଉଦ୍ୟମ ମାମଲା, ଅପରାଧିକ ଷଡ଼ଯନ୍ତ୍ର, ଦେଶ ବିରୋଧରେ ଯୁଦ୍ଧ କଲାଭଳି ଉଦ୍ୟମ , ଦେଶଦ୍ରୋହ ଏବଂ ବେଆଇନ କାର୍ଯ୍ୟକଳାପରେ ସାମିଲ ଯୋଗୁଁ ଦୋଷୀମାନଙ୍କୁ ମୃତ୍ୟୁଦଣ୍ଡ ହୋଇଛି। ଏହି ଆତଙ୍କବାଦୀ ଆକ୍ରମଣରେ ପ୍ରଥମଥର ପାଇଁ ଦେଶରେ ହସ୍ପିଟାଲଗୁଡ଼ିକୁ ଟାର୍ଗେଟ୍ କରାଯାଇଥିଲା।
ଅହମଦାବାଦ ସିଭିଲ୍ ହସ୍ପିଟାଲ୍ର ( Civil Hospital Campus, Ahmedabad ) ଟ୍ରମା ସେଣ୍ଟର ବାହାରେ ଏକ ବିସ୍ଫୋରଣ ହୋଇଥିଲା ଏବଂ ସେଠାରେ ସର୍ବାଧିକ ୩୭ ଜଣଙ୍କ ମୃତ୍ୟୁ ହୋଇଥିଲା। ଏହି ବିସ୍ଫୋରଣ ପାଇଁ ଆଇଏମ୍ (ଇଣ୍ଡିଆନ୍ ମୁଜାହିଦ୍ଦିନ୍) ନିଜକୁ ଦାୟୀ କରିଥିଲା। ୨୦୦୨ ଗୁଜରାଟ ଦଙ୍ଗାର ପ୍ରତିଶୋଧ ପାଇଁ ଏହି ବିସ୍ଫୋରଣ ହୋଇଛି ବୋଲି ଆଇଏମ୍ କହିଥିଲା।
By Independence News