The Independence:Al-Shabbab-militants-in-Africa

 ସୌମେନ୍ଦ୍ର ଜେନା

ଆଫ୍ରିକା ମହାଦେଶ ପାଇଁ ମୁସଲିମ ସନ୍ତ୍ରାସବାଦ ଚିନ୍ତାର ବିଷୟ ହୋଇ ରହିଛି । ଭିନ୍ନ ଭିନ୍ନ ରାଷ୍ଟ୍ରରେ ଅଲ୍‌-ଶବାବ ସନ୍ତ୍ରାସବାଦୀ ରକ୍ତମୁଖା ହୋଇ ଗଣହତ୍ୟା ଘଟାଇ ଚାଲିଛନ୍ତି । ଏହିକ୍ରମରେ ସୋମାଲିଆର ରାଜଧାନୀ ମୋଗାଡିସୁ ସହରରେ ୧୯ଅଗଷ୍ଟ ୨୦୨୨ର ବିଳମ୍ବିତ ରାତ୍ରିରେ ଆତଙ୍କବାଦୀମାନେ ସାତ ତାରକା ବିଶିଷ୍ଟ ହାୟାତ ହୋଟେଲ ଉପରେ ଆକ୍ରମଣ କରିବା ଯୋଗୁ ପ୍ରାୟ ୪୦ଜଣ ବ୍ୟକ୍ତିଙ୍କର ମୃତ୍ୟୁ ହେବା ସହ ୭୦ଜଣ ଆହତ ହୋଇଥିବା ଜଣାପଡିଛି । ଏହି ଆକ୍ରମଣ ପୂର୍ବରୁ ହୋଟେଲ ବାହାରେ ଥିବା ଦୁଇଟି କାର୍‌ରେ ବିସ୍ଫୋରଣ କରାଯାଇଥିଲା । ଏହାପରେ ଆତଙ୍କବାଦୀମାନେ ହୋଟେଲ ଭିତରେ ପ୍ରବେଶକରି ଗୁଳିଚାଳନା ଆରମ୍ଭ କରିଥିଲେ । ଏହା ପୂର୍ବରୁ ଗତ ଜୁଲାଇ ୨୮ତାରିଖରେ ସୋମାଲିଆର ଭିନ୍ନ ଭିନ୍ନ ସ୍ଥାନରେ ବୋମା ବିସ୍ଫୋରଣ ଯୋଗୁ ପ୍ରାୟ ୧୯ଜଣ ଲୋକଙ୍କର ମୃତ୍ୟୁ ହୋଇଥିଲା ।

ମୁମ୍ବାଇରେ ୨୬ ନଭେମ୍ବର ୨୦୦୮ରେ ତାଜ୍ ହୋଟେଲ ଉପରେ ହୋଇଥିବା ଆକ୍ରମଣ ଢଙ୍ଗରେ ହୋଟେଲ ହାୟାତ ଉପରେ ଆକ୍ରମଣ ହୋଇଥିଲା । ତାଜ୍ ହୋଟେଲ ଆକ୍ରମଣ ଘଟଣାରେ ୯ ଆତଙ୍କବାଦୀ ସମେତ ୧୮୦ଲୋକଙ୍କର ମୃତ୍ୟୁ ହୋଇଥିଲା । ୧୦ ଆତଙ୍କବାଦୀ ୧୦ଟି ଏକେ -୪୭, ୧୦ ପିସ୍ତଳ, ୮୦ ଗ୍ରେନେଡ, ୨୦୦୦ଗୁଳି, ୨୪ ମାଗାଜିନ୍‌, ୧୦ ମୋବାଇଲ ଫୋନ୍‌, ଟାଇମର୍ସ ଓ ବିସ୍ଫୋରକ ସହ ହୋଟେଲରେ ପ୍ରବେଶ କରିଥିଲେ । ସେମାନଙ୍କୁ ସଫା କରିବା ପାଇଁ ଦୁଇଦିନରୁ ଅଧିକ ସମୟ ଲାଗିଥିଲା । ଏବେ ହାୟାତ ହୋଟେଲର ଆକ୍ରମଣ ସହ ତାଜ୍ ହୋଟେଲ ଆକ୍ରମଣକୁ ଦେଖିଲେ ଉଭୟ ଘଟଣାରେ ଅନେକ ସମାନତା ଥିଲା ପରି ମନେହେବ । ଦୁଇଟିଯାକ ଆକ୍ରମଣ ଘଟଣାରେ ଆତ୍ମଘାତୀ ଆକ୍ରମଣକାରୀ ମରିବା ମାରିବାର ଲକ୍ଷ୍ୟ ନେଇ ଆସିଥିଲେ । ଦୁଇଟି ଯାକ ଘଟଣାରେ ଆତଙ୍କବାଦୀମାନେ ଷ୍ଟାର ହୋଟେଲକୁ ହିଁ ଟାର୍ଗେଟ କରିଥିଲେ । ଉଭୟ ଆକ୍ରମଣ ଶୁକ୍ରବାରିଆ ହୋଇଥିଲା । ଉଭୟ ଆକ୍ରମଣରେ ସୁରକ୍ଷାକର୍ମୀମାନଙ୍କୁ ଟାର୍ଗେଟ କରାଯାଇଥିଲା । ଆକ୍ରମଣ ସମୟରେ ହୋଟେଲ ହାୟାତଠାରେ ବରିଷ୍ଠ ପୁଲିସ ଅଧିକାରୀମାନଙ୍କର ସମ୍ମିଳନୀ ଚାଲିଥିଲା । ଦୁଇଟିଯାକ ଆକ୍ରମଣ ବେଳେ ପ୍ରଥମେ ବିସ୍ଫୋରଣ କରି ଲୋକମାନଙ୍କୁ ମୁଣ୍ଡଜାମିନ ରଖାଯାଇଥିଲା । ଦୁଇଟିଯାକ ଘଟଣାରେ ଆତଙ୍କବାଦୀମାନେ ଅନେକ ଅସ୍ତ୍ରଶସ୍ତ୍ର ସହ ଦୀର୍ଘ ସମୟ ସଂଘର୍ଷ ପାଇଁ ଯୋଜନା କରି ଆସିଥିଲେ । ଦୁଇଟି ଘଟଣାରେ ଆକ୍ରମଣକାରୀ ଆଖିବୁଜା ଗୁଳିଚାଳନାକରି ହୋଟେଲ ଭିତରେ ଲୋକମାନଙ୍କୁ ନିଜ ଅକ୍ତିଆରକୁ ନେଇଥିଲେ । ମୁମ୍ବାଇର ଆକ୍ରମଣ ପରି ସୋମାଲିଆ ଆକ୍ରମଣ ମଧ୍ୟ ବାହାର ନିର୍ଦ୍ଦେଶରେ ହୋଇଥିଲା । ଦୁଇଟିଯାକ ଘଟଣାରେ ପୂର୍ବପ୍ରସ୍ତୁତି ରହିଥିଲା । ମୁମ୍ବାଇ ଘଟଣା ପୂର୍ବରୁ ସନ୍ତ୍ରାସବାଦୀମାନେ ଆକ୍ରମଣର ପୂର୍ବାଭ୍ୟାସ ବା ରେକି କରିଥିଲେ । ହୋଟେଲ ହାୟାତ ଘଟଣାରେ ଆଖପାଖ ଅଞ୍ଚଳରେ ସମାନ ଢଙ୍ଗରେ ରେକି ହୋଇଥିବା ସମ୍ଭବ, ଯାହା ଅନୁସନ୍ଧାନ ପରେ ଜଣାପଡିପାରେ । ହାୟାତ ଘଟଣାରେ ୩୦ ଘଣ୍ଟା ଲାଗିଥିଲା ଆତଙ୍କବାଦୀଙ୍କୁ ନିପାତ ପାଇଁ ।

ଇସଲାମିକ ସରିୟା ଅଦାଲତର ଏକ ସଂଗଠନ ୟୁନିଅନ ଅଫ୍ ଇସଲାମିକ କୋର୍ଟସ ଅଧିନରେ ଏକଦା ସୋମାଲିଆର ମୋଗାଡିସୁ ସହର ରହିଥିଲା । ଏହାର ମୁଖ୍ୟ ଥିଲା ସରିଫ ଶେଖ ଅହମ୍ମଦ । ଇଥିଓପିଆର ସେନାବାହିନୀ ୨୦୦୬ରେ ଏହି ଗୋଷ୍ଠୀକୁ ପରାସ୍ତ କରିବାପରେ ଅଲ-ଶବାବ ସଂଗଠନ ଜନ୍ମ ନେଇଥିଲା । ଏହି ସନ୍ତ୍ରାସବାଦୀ ସଂଗଠନ ଇସଲାମିକ କୋର୍ଟସର ଏକ ଶାଖା ଭାବେ ପରିଚିତ । ଏହା ସାଉଦି ଆରବର ୱାହବୀ ବା ମୈାଳବାଦୀ ବିଚାରକୁ ନେଇ କାର୍ଯ୍ୟକରୁଛି । ଏହି ଆତଙ୍କବାଦୀ ଗୋଷ୍ଠୀ ସୋମାଲିଆର ସରକାରଙ୍କୁ କ୍ଷମତାରୁ ହଟାଇବାକୁ ୨୦୧୭ରୁ ପ୍ରୟାସ କରି ଆସୁଛନ୍ତି । ୨୦୧୫ରେ ଏହି ଗୋଷ୍ଠୀର ଆକ୍ରମଣ କେନିଆର ଏକ ବିଶ୍ୱବିଦ୍ୟାଳୟ ଉପରେ ହୋଇଥିଲା । ସେହି ଘଟଣାରେ ୧୪୮ଜଣ ଛାତ୍ରଙ୍କ ମୃତ୍ୟୁ ହୋଇଥିଲା । ପରେ ୨୦୧୬ରେ ଏହି ଗୋଷ୍ଠୀ କେନିଆର ଏକ ସେନା ଶିବିର ଉପରେ ଆକ୍ରମଣ କରିଥିଲେ । ସେହି ଘଟଣାରେ ପ୍ରାୟ ୧୮୦ଜଣ ସୈନ୍ୟ ମୃତ୍ୟୁ ମୁଖରେ ପଡିଥିଲେ । ସେହିପରି ୨୦୧୭ରେ ମୋଗାଡିସୁ ସହରରେ ଭୟଙ୍କର ବୋମା ବିସ୍ଫୋରଣ ଏହି ଗୋଷ୍ଠୀ ପକ୍ଷରୁ ହୋଇଥିଲା, ଯେଉଁଥିରେ ପ୍ରାୟ ୫୦୦ଜଣ ଲୋକଙ୍କ ମୃତ୍ୟୁ ହୋଇଥିଲା ।

ଗତ ଜୁଲାଇ ୨୮ରେ ସୋମାଲିଆର ଦୁଇଟି ସହର ମାର୍କା ଏବଂ ଅଫଗୋୟରେ ଏହି ଗୋଷ୍ଠୀ ଆକ୍ରମଣ କରିଥିଲେ । ମାର୍କାରେ ଆତ୍ମଘାତୀ ବୋମା ଆକ୍ରମଣରେ ୧୩ଜଣ ଲୋକଙ୍କ ମୃତ୍ୟୁ ହୋଇଥିଲା, ୫ଜଣ ଆହତ ହୋଇଥିଲେ । ଦ୍ୱିତୀୟ ଘଟଣା ଅଫଗୋୟ ସହରରେ ଘଟିଥିଲା ଯେଉଁଥିରେ ଦୁଇଟି ଆକ୍ରମଣରେ ୭ ଲୋକଙ୍କ ମୃତ୍ୟୁ ହେବା ସହ ୧୮ ଆହତ ହୋଇଥିଲେ । ମାର୍କାର ପ୍ରଶାସନିକ କାର୍ଯ୍ୟାଳୟ ବାହାରେ ବୋମା ବିସ୍ଫୋରଣ ବେଳେ ମେୟର ଅବ୍‌ଦୁଲ୍ଲାହୀ ଅଲି ୱାଫୋଙ୍କୁ ଟାର୍ଗେଟ କରାଯାଇଥିଲା । ଆତ୍ମଘାତୀ ବିସ୍ଫୋରଣ ଭର୍ତ୍ତି ଏକ ଜ୍ୟାକେଟ ପିନ୍ଧି ଆସିଥିଲା । ପ୍ରଶାସନିକ କାର୍ଯ୍ୟାଳୟର ବାହାରେ ପହଞ୍ôଚଲାକ୍ଷଣି ସେ ନିଜକୁ ଉଡାଇ ଦେଇଥିଲା । ସେହି ଆକ୍ରମଣରେ ସହରର ମେୟର ଅବଦୁଲ୍ଲାହୀଙ୍କ ସମେତ ଅନ୍ୟ ୧୨ଜଣଙ୍କର ମୃତ୍ୟୁ ହୋଇଥିଲା । ସେମିତି ଦ୍ୱିତୀୟ ଆକ୍ରମଣ ଅଫଗୋୟ ସହରର ଏକ ବଜାରରେ ଦୁଇଥର ହୋଇଥିଲା । ରାସ୍ତାକଡରେ ହୋଇଥିବା ବିସ୍ଫୋରଣରେ ୭ଜଣ ଲୋକଙ୍କ ମୃତ୍ୟୁ ଏବଂ ୧୮ଜଣ ଆହତ ହୋଇଥିଲେ । ପ୍ରଥମ ଆକ୍ରମଣ ପରେ ଲୋକଙ୍କୁ ଉଦ୍ଧାର କରାଯିବା ପାଇଁ ପ୍ରୟାସ ଚାଲିଥିଲା ବେଳେ ଦ୍ୱିତୀୟ ବିସ୍ଫୋରଣ ଘଟିଥିଲା । ସେହି ଆକ୍ରମଣରେ ୨ଜଣ ଯବାନଙ୍କ ମୃତ୍ୟୁ ହୋଇଥିଲା । ସ୍ଥାନୀୟ ବୁଧବାରିଆ ବଜାରରେ ସବୁବେଳେ ଲୋକଙ୍କ ସାପ୍ତାହିକୀ କିଣାବିକା ପାଇଁ ଭିଡ ଜମି ରହୁଥିବା ହେତୁ ବଜାରକୁ ଟାର୍ଗେଟରେ ରଖାଯାଇଥିଲା । ଏହି ଆକ୍ରମଣ ଘଟଣାକୁ ଜାତିସଂଘ, ୟୁରୋପୀୟ ସଂଘ, ଭାରତ ସମେତ ଆମେରିକା ଆଦି ରାଷ୍ଟ୍ର ନିନ୍ଦା କରିଛନ୍ତି । ଚଳିତ ମାସ ୧୪ଅଗଷ୍ଟ ଦିନ ଆମେରିକାର ଆଫ୍ରିକୀୟ କମାଣ୍ଡ୍‌ର ବାୟୁସେନା ବୋମାମାଡରେ ପ୍ରାୟ ୧୩ଜଣ ସନ୍ତ୍ରାସବାଦୀ ସୋମାଲିଆରେ ମୃତ୍ୟୁବରଣ କରିଥିଲେ ।

ହରକତ୍ ଅଲ୍‌-ଶବାବ ଅଲ୍‌-ମୁଜାହିଦ୍ଦୀନ (ଯୁବ ଯୋଦ୍ଧାଙ୍କ ସଂଘର୍ଷ) ସୋମାଲି ଭାଷାରେ ‘ଜାରାକଡା ମୁଜାହିଦନ୍ତା ଅଲଶବାବ’ ଭାବେ ପରିଚିତ । ସୋମାଲିଆର ଏହି ଗୋଷ୍ଠୀ ପୂର୍ବ ଆଫ୍ରିକାରେ ସକ୍ରିୟ ରହିଛି । ଇସଲାମିକ ମଘରେବର ଅଲ୍‌କାୟଦା ଏବଂ ବୋକୋ ହାରାମ ଗୋଷ୍ଠୀ ସହ ଏହି ଗୋଷ୍ଠୀର ସଂପର୍କ ରହିଥିବା କଥା କୁହାଯାଉଛି । ସୋମାଲିଆର ହାୱିୟେ ସଂପ୍ରଦାୟର ଲୋକେ ସାଧାରଣତଃ ଏହି ଗୋଷ୍ଠୀରେ ରହିଛନ୍ତି । ଏହି ସଂପ୍ରଦାୟଟି ସୋମାଲିଆରେ ସବୁଠୁ ବଡ ଗୋଷ୍ଠୀ । ଏହି ସନ୍ତ୍ରାସବାଦୀ ଗୋଷ୍ଠୀରେ ବ୍ରିଟେନର ସମାନ୍ଥା ଲିଥୱିଟେ ଏବଂ ଆମେରିକାର ଅବୁ ମନ୍‌ସୁର ଅଲ୍‌- ଆମ୍‌ରିକି ପରି ନେତା ମଧ୍ୟ ରହିଛନ୍ତି । ସୋମାଲିଆର ସୁଫି ସନ୍ତ୍ରାସବାଦୀ ଗୋଷ୍ଠୀ ଅହଲୁ ସୁନ୍ନା ୱାଲଜାମା ସହ ଅଲ-ଶବାବ ଗୋଷ୍ଠୀର ଅନେକ ସମୟରେ ସଂଘର୍ଷ ହୋଇଥାଏ । ଇସଲାମର ଶତ୍ରୁ ବିରୁଦ୍ଧରେ ଲଢିବା ଏହି ଗୋଷ୍ଠୀର ଉଦ୍ଦେଶ୍ୟ ବୋଲି କୁହାଯାଇଥାଏ । ସୋମାଲି ସରକାର ଏବଂ ସୋମାଲି ଆଫ୍ର୍‌ିକୀୟ ୟୁନିଅନ ବିରୁଦ୍ଧରେ ଏହି ଗୋଷ୍ଠୀ ଏବେ ଲଢୁଛି । ଅହମ୍ମଦ ଗୋଦାନେ ୨୦୦୭ରୁ ୨୦୧୪ ପର୍ଯ୍ୟନ୍ତ ଗୋଷ୍ଠୀର ମୁଖ୍ୟନେତା ଥିଲେ । ଅହମ୍ମଦ ଉମର ୨୦୧୪ରୁ ଏହାର ନେତୃତ୍ୱ ନେଉଛନ୍ତି । ଏହାର ମୁଖ୍ୟ କେନ୍ଦ୍ର କିସ୍‌ମାୟୋ (୨୦୦୮-୧୨), ବାରାୱେ (୨୦୧୨-୧୪), ଜିଲିବ (୨୦୧୪ରୁ ଏ ପର୍ଯ୍ୟନ୍ତ) ରହିଆସିଛିି । ଆଫ୍ରିକାର ସୋମାଲିଆ, କେନିୟା ଏବଂ ଇଥିଓପିଆରେ ଏହି ଗୋଷ୍ଠୀ ସକ୍ରୀୟ ରହିଛି । ଗୋଷ୍ଠୀରେ ୭ହଜାରରୁ ୧୨ହଜାର ପର୍ଯ୍ୟନ୍ତ ସନ୍ତ୍ରାସବାଦୀ ରହିଥିବା ଆକଳନ କରାଯାଉଛି । ବର୍ଷ ୨୦୦୦ବେଳକୁ ଆରମ୍ଭ ହୋଇଥିବା ଅଲ ଶବାବ ସୋମାଲିଆ ଯୁଦ୍ଧ (୨୦୦୬-୦୯) ସମୟରେ ଦୃଷ୍ଟିକୁ ଆସିଥିଲା । ସରିଫ ଶେଖ ଅହମ୍ମଦଙ୍କ ନେତୃତ୍ୱରେ ଅଗଷ୍ଟ ୨୦୧୧ରେ ମୋଗାଡିସୁକୁ ଅଲ-ଶବାବ ହାତରୁ ମୁକ୍ତ କରି ସରକାର ଗଠନ ହୋଇଥିଲା । ୨୦୧୨ରେ ଅଲ-କାୟଦାର ନେତା ଅଲ୍ ଜୱାହିରି ପ୍ରତି ଅଲ୍‌-ଶବାବ ସମ୍ମାନ ପ୍ରଦର୍ଶିତ କରିବା ଘଟଣାରୁ ଏହାର ୍‌ଅଲ-କାୟଦା ସଂପର୍କ ଦୃଷ୍ଟିକୁ ଆସିଥିଲା । ଫେବୃଆରୀ ୨୦୧୪ରେ ଅଲକାୟଦାର ନେତାମାନଙ୍କ ସହ ଅଲ-ଶବାବର ଶାସନକୁ ନେଇ ମତଭେଦ ସୃଷ୍ଟି ହୋଇଥିଲା । ଅଗଷ୍ଟ ୨୦୧୪ରେ ସୋମାଲିଆ ସରକାର ଭାରତ ମହାସାଗରରେ ସନ୍ତ୍ରାସବାଦୀ ଦମନ ଅଭିଯାନ ଚଳାଇଥିଲେ । ୧ ସେପ୍ଟେମ୍ବର ୨୦୧୪ରେ ଆମେରିକା ପକ୍ଷରୁ ଯେଉଁ ଡ୍ରୋନ ଆକ୍ରମଣ କରାଯାଇଥିଲା ସେଥିରେ ଅଲ-ଶବାବର ନେତା ମୁଖତାର ଅବୁ ଜୁବେରର ମୃତ୍ୟୁ ହୋଇଥିଲା ।

୨୦୧୫ରେ ସହରାଞ୍ଚଳରୁ ସନ୍ତ୍ରାସବାଦୀଙ୍କୁ ହଟାଇ ଦିଆଯାଇଥିଲେ ହେଁ ଗ୍ରାମାଞ୍ଚଳରେ ସେମାନେ ସକ୍ରିୟ ରହିଥିଲେ । ପରବର୍ତ୍ତୀ ସମୟରେ ସେମାନେ ସହରାଞ୍ଚଳରେ ପ୍ରବେଶ କରି ଆକ୍ରମଣ ଜାରି ରଖିଛନ୍ତି । ୧୫-୧୬ ଜାନୁଆରୀ ୨୦୧୯ରେ କେନିଆର ନାଇରୋବି ସ୍ଥିତ ହୋଟେଲ ଆକ୍ରମଣ, ଅକ୍ଟୋବର ୨୦୧୭ରେ ମୋଗାଡିସୁଠାରେ ଆତ୍ମଘାତୀ ଟ୍ରକବୋମା ବିସ୍ଫୋରଣରେ ପ୍ରାୟ ୫୦୦ଲୋକଙ୍କ ମୃତ୍ୟୁ ହୋଇଥିଲା । ୨ ଜାନୁଆରୀ ୨୦୨୦ରେ କେନିଆର ଲାମୁଠାରେ ଏକ ବସ୍ ଉପରେ ଆକ୍ରମଣ ହେବା ଯୋଗୁ ୩ଜଣ ଯାତ୍ରୀଙ୍କ ମୃତ୍ୟୁ ହୋଇଥିଲା । ୫ଜାନୁଆରୀ ୨୦୨୦ରେ କେନିଆ ସେନାବାହିନୀର ମାଣ୍ଡା ବୋସ୍ଥିତ କ୍ୟାମ୍ପ ସିମ୍ବାଠାରେ ସନ୍ତ୍ରାସବାଦୀଙ୍କ ଆକ୍ରମଣରେ ଜଣେ ଆମେରିକୀୟ ଏବଂ ଦୁଇଜଣ ଠିକାଦାରଙ୍କ ମୃତ୍ୟୁ ହୋଇଥିଲା । ଦୁଇଜଣ ଆମେରିକୀୟ ସୁରକ୍ଷା କର୍ମଚାରୀ ଆହତ ହୋଇଥିଲେ । ଦୁଇଟି ବିମାନ, ଦୁଇଟି ହେଲିକେପ୍‌ଟର,ଗୋଟିଏ ଆମେରିକୀୟ ବହୁମୁଖୀଯାନ ନଷ୍ଟ ହୋଇଥିଲା । ୧୩ଜାନୁଆରୀ ୨୦୨୦ରେ ଗାରିସାର କାମୁଥେଠାରେ ଅଲଶବାବ ଆକ୍ରମଣରେ ୩ ଶିକ୍ଷକଙ୍କ ମୃତ୍ୟୁ ହେବା ସହ ଜଣେ ଅପହୃତ ହୋଇଥିଲେ । ଗୋଟିଏ ପୁଲିସ ପୋଷ୍ଟ ମଧ୍ୟ ସେହି ଆକ୍ରମଣରେ ନଷ୍ଟ ହୋଇଥିଲା । ସଂଖ୍ୟାଲଘୁ ସୋମାଲିଆ ଖ୍ରୀଷ୍ଟିଆନମାନେ ଇଥିଓପିଆର ଗୋଇନ୍ଦାଙ୍କ ପାଇଁ ସୂଚନା ପ୍ରଦାନ କରିବା ଅଭିଯୋଗରେ ଅଲ୍‌-ଶବାବ ଗୋଷ୍ଠୀ ସେମାନଙ୍କୁ ଟାର୍ଗେଟ କରିଆସିଛନ୍ତି ।

୨୦ ଜୁଲାଇ ୨୦୨୦ରେ ଏଟୋ ଏବଂ ୟେଡ ସହରରେ ଇଥିଓପିଆର ଓରୋମୋ ଲିବରେସନ ଆଲିଆନ୍ସ ଗୋଷ୍ଠୀର ପ୍ରବେଶ ପାଇଁଁ ବାଟ ଖୋଲିବା ଲକ୍ଷ୍ୟରେ ଅଲ-ଶବାବ ଆକ୍ରମଣ କରିଥିଲା । ତେବେ ୨୦୧୯ରେ ଜାତିସଂଘ ସୁରକ୍ଷା ପରିଷଦର ରିପୋର୍ଟରେ ସୋମାଲିଆ ସରକାରଙ୍କୁ ପ୍ରଦତ୍ତ ଅସ୍ତ୍ରଶସ୍ତ୍ର ଚୋରା ବେପାରୀଙ୍କ ଦ୍ୱାରା ଅଲ ଶବାବ ହାତକୁ ଯାଇଥିବା ପ୍ରକାଶ ପାଇଥିଲା । ମୋଗାଡିସୁ ଏବଂ ବାଇଡୋଆର ଚୋରାବେପାରୀଙ୍କ ମାଧ୍ୟମରେ ୩୮ଟି ଅସ୍ତ୍ର ସେନାହାତରୁ ସନ୍ତ୍ରାସବାଦୀଙ୍କ ନିକଟରେ ପହଞ୍ôଚଥିଲା । ଗତବର୍ଷ ୭ମଇ ୨୦୨୧ରେ ଆମେରିକାର ମୋଣ୍ଟେରେ (ସିଜି ୬୧) ଉତ୍ତର ଆରବ ସାଗରରେ ପତାକାବିହୀନ ଏକ ପୋତରୁ ଟ୍ୟାଙ୍କ ବିରୋଧୀ କ୍ଷେପଣାସ୍ତ୍ର, ହଜାର ହଜାର ସଂଖ୍ୟକ ୫୬ ଆସଲାଟ ରାଇଫଲ୍‌, ମେସିନଗନ୍‌, ସ୍ନିପର ରାଇଫଲ, ରକେଟ- ପ୍ରେପେଲ୍‌ଡ ଗ୍ରେନେଡ ଲଞ୍ଚର ଆଦି ଜବତ କରିଥିଲା । ଏସବୁ ସନ୍ତ୍ରାସବାଦୀଙ୍କ ପାଖକୁ ଯାଉଥିବା ସନ୍ଦେହ କରାଯାଇଥିଲା । ଚଳିତ ମାସ ୨ ଅଗଷ୍ଟ ୨୦୨୨ରେ ସୋମାଲିଆ ସରକାର ମୁଖତାର ରୋବୋଙ୍କୁ ଧାର୍ମିକ ବ୍ୟାପାର ମନ୍ତ୍ରୀ ଭାବେ ନିଯୁକ୍ତ କରିଛନ୍ତି, ଯିଏକି ପୂର୍ବରୁ ଅଲ-କାୟଦା ସନ୍ତ୍ରାସବାଦୀ ରହିଥିଲେ ଏବଂ ଆମେରିକା ତାଙ୍କ ବିରୁଦ୍ଧରେ କଟକଣା ଜାରି କରିଛି । ସୋମାଲିଆ ରାଜ୍ୟ ପୁଣ୍ଟଲାଣ୍ଡର ପୂର୍ବତନ ରାଷ୍ଟ୍ରପତି ଆବ୍‌ଦିୱେଲି ଗାସ୍ ଆନ୍ତର୍ଜାତିକ ସନ୍ତ୍ରାସବାଦୀ ମହମ୍ମଦ- ଅହମ୍ମଦ ଓରଫ କ୍ୱାହିୟେକୁ ରାଜକ୍ଷମା ପ୍ରଦାନ କରିଛନ୍ତି ।

କ୍ୱାହିୟେ କେନ୍ଦ୍ର ଏବଂ ପୂର୍ବ ଆଫ୍ରିକାରେ ପୂର୍ବରୁ ଅନେକ ଆକ୍ରମଣର ନେତୃତ୍ୱ ନେଇସାରିଛି । ପୁଣ୍ଟଲାଣ୍ଡର ଉତ୍ତର ପୂର୍ବର ବାରି ଅଞ୍ଚଳରେ ଇସଲାମିକ ଷ୍ଟେଟ ଇରାକ-ଲେଭାଣ୍ଟର ସନ୍ତ୍ରାସବାଦୀମାନେ ସଂପ୍ରତି ଏକତ୍ରିତ ହେବା ଖବର ମିିଳିଛି । ପୁଣ୍ଟଲାଣ୍ଡର ଉତ୍ତରରେ ଥିବା କ୍ୱାଣ୍ଡାଲା ସହରକୁ ନିଜ ନିୟନ୍ତ୍ରଣକୁ ନେବା ସହ ବୋସାସୋଠାରେ ପ୍ରଥମଥର ପାଇଁ ଆତ୍ମଘାତୀ ଆକ୍ରମଣ କରିଛନ୍ତି । ସୋମାଲିଆକୁ ପୁଣ୍ଟଲାଣ୍ଡ ଦେଇ ଅସ୍ତ୍ରଶସ୍ତ୍ର ପ୍ରବେଶ କରୁଥିବା ଜାତିସଂଘର ବିବରଣୀରୁ ଜଣାପଡେ । ୟେମେନରୁ ଏହି ଅସ୍ତ୍ରଶସ୍ତ୍ର ସ୍ପିଡବୋଟ ସାହାଯ୍ୟରେ ପୁଣ୍ଟଲାଣ୍ଡର କ୍ୱାଣ୍ଡଲା ଏବଂ ବୋସାସୋ ବନ୍ଦର ଦେଇ ପ୍ରବେଶ କରୁଛି । ୟେମେନର ଅଲକାୟଦା ସନ୍ତ୍ରାସବାଦୀମାନେ ପୁଣ୍ଟଲାଣ୍ଡର ଚୋରା ଅସ୍ତ୍ରଚାଲାଣକାରୀଙ୍କୁ ଏହିସବୁ ଅସ୍ତ୍ରଶସ୍ତ୍ର ଯୋଗାଇ ଦେଉଛନ୍ତି । ସାମୁଦ୍ରିକ ତସ୍କରୀ, ଅପହରଣ, ଚାନ୍ଦା ଆଦାୟ, ର‌୍ୟାକେଟ ପରିଚାଳନା ମାଧ୍ୟମରେ ଅଲ ଶବାବ ଅର୍ଥ ସଂଗ୍ରହ କରୁଛି । କହିବାକୁ ଗଲେ ଅଲ-ଶବାବ ଏବେ ଆଫ୍ରିକା ମହାଦେଶ ପାଇଁ ଚିନ୍ତାର ବଡ କାରଣ ହୋଇଛି ।

ଭାରତୀୟ ସମ୍ବାଦ ସେବା (ଭାସ୍‌)

ଭୁବନେଶ୍ୱର-୭୫୧୦୦୩

Author Image

Soumendra Jena

Recent Posts

The Independence:If-the-BJP-government-is-formed-in-Odisha-drinking-water-problem-will-be-solved-as-a-priority-Bhatrahari-Mahatab

ଓଡ଼ିଶାରେ ବିଜେପି ସରକାର ଗଠନ କଲେ ଅଗ୍ରାଧିକାର ଭିତିରେ ପାନୀୟ ଜଳ ସମସ୍ୟାର ସମାଧାନ କରାଯିବ: ଭତୃହରି ମହତାବ

The Independence:Odisha-Cow-Slaughtering

Odisha : ଗୋ ମାଂସ ବୋଝେଇ ଟ୍ରକ ଜବତ

The Independence:Jagannath-Temple-Odisha-Mumbai

ଓଡିଶା ବାହାରେ ମହାପ୍ରଭୁ ଜଗନ୍ନାଥ ସଂସ୍କୃତିର ପ୍ରଚାର ପ୍ରସାର

The Independence:Modi-Government-9-Years-Seva-Susasan-Garib-Kalyana

ନ’ ବର୍ଷର ସୁଶାସନ

The Independence:Rath-Yatra-2023-Lakhs-of-devotees-witness-Suna-Besha-of-Holy-Trinity-in-Puri

ଶ୍ରୀକ୍ଷେତ୍ରରେ ରଥାରୁଢ଼ ଶ୍ରୀଜୀଉଙ୍କ ସୁନାବେଶ, ମହଣ ମହଣ ସୁନା ଅଳଙ୍କାରରେ ସଜ୍ଜିତ ତିନି ଠାକୁର

The Independence:Puri-Ratha-Jatra-2023-Jay-Jagannath

ଶରଧାବାଲିରେ ଲାଗିଲା ତିନି ଠାକୁରଙ୍କ ତିନି ରଥ

The Independence:Ratha-Jatra-2023-ନୀଳାଦ୍ରିବିଜେରେ-ନୀଳକନ୍ଦରକୁ-ଫେରନ୍ତି-ନୀଳାଦ୍ରିନାଥ-ସରେ-ଜନ୍ମବେଦି-ଲୀଳା

Ratha Jatra 2023: ନୀଳାଦ୍ରିବିଜେରେ ନୀଳକନ୍ଦରକୁ ଫେରନ୍ତି ନୀଳାଦ୍ରିନାଥ; ସରେ ଜନ୍ମବେଦି ଲୀଳା

The Independence:Jagannath-Temple-Rath-Jatra

ଏକାବନ ଦିନରେ ଚଳଚଞ୍ଚଳ ରଥଖଳା

The Independence:ପ୍ରେମିକାକୁ-ଛୁରୀ-ଭୁଷିଲା-ପଥରରେ-ଛେଚି-ମୁହଁ-ନଷ୍ଟ-କଲା-ଜହ୍ଲାଦ-ପ୍ରେମିକ-ସାହିଲ-ଖାଁ

ପ୍ରେମିକାକୁ ଛୁରୀ ଭୁଷିଲା, ପଥରରେ ଛେଚି ମୁହଁ ନଷ୍ଟ କଲା ଜହ୍ଲାଦ ପ୍ରେମିକ ସାହିଲ ଖାଁ

The Independence:Land-Jihad-Dwarka

ଜମି ଜିହାଦର ଅନ୍ୟନାମ ଦ୍ୱାରକା

The Independence:Odisha-cant-make-progress-with-Shashikala-syndrome-Dharmendra

‘ଶଶୀକଳା ସିଣ୍ଡ୍ରୋମ’ କହିବାରୁ ସରକାରଙ୍କୁ ବାଧିଲା: ଧର୍ମେନ୍ଦ୍ର

The Independence:Land-Jihad-Love-Jihad-Jameen-Jihad-in-Odisha

ରାଜ୍ୟରେ ବଢ଼ୁଛି ଜିହାଦୀଙ୍କ ସଂଖ୍ୟା !

The Independence:The-Kerala-Story-Official-Trailer--Vipul-Amrutlal-Shah--Sudipto-Sen--Adah-Sharma--Aashin-A-Shah

The Kerala Story Official Trailer | Vipul Amrutlal Shah | Sudipto Sen | Adah Sharma | Aashin A Shah

The Independence:Guddu-Muslim-Odisha-Link-BJD

ଗୁଡ୍ଡୁ ମୁସଲମାନର ଖାସ୍, ବିଜେଡି ବିଧାୟକଙ୍କ ରାଇଟହାଣ୍ଡ

The Independence:important-files-of-the-jagannath-temple-administration-have-gone-missing

ଗାଏବ ହେଲା ଜଗନ୍ନାଥ ମନ୍ଦିର ପ୍ରଶାସନର ଗୁରୁତ୍ଵପୂର୍ଣ୍ଣ ଫାଇଲ

The Independence:Debacle-in-American-Banking-System

ଆମେରିକାର ବ୍ୟାଙ୍କିଂ ବ୍ୟବସ୍ଥାରେ ବିପର୍ଯ୍ୟୟ

The Independence:palghar-sadhu-lynching-case-to-be-investigated-by-cbi

ପାଲଘର ସାଧୁହତ୍ୟା ମାମଲାର ହେବ ସିବିଆଇ ତଦନ୍ତ

The Independence:Mix-Mandate-in-USA-Joe-Biden

ଆମେରିକାରେ ମିଶ୍ରିତ ଜନମତ

The Independence:Jayshankar-in-Fiji

ଫିଜିରେ ବିଜି ଜୟଶଙ୍କର

The Independence:Women-Freedom-Fighters-of-India-Name-List-and-Their-Roles

ଭାରତର ମହାନ ମହିଳା ସ୍ୱାଧୀନତା ସଂଗ୍ରାମୀମାନେ ଯାହାଙ୍କୁ ଇତିହାସକାରମାନେ ଭୁଲି ଯାଇଥିଲେ

The Independence:Dharmendra-Seeks-Centres-Intervention-For-Protection-Of-Archaeological-Assets-In-Odisha

ଓଡ଼ିଶାରେ ଅସୁରକ୍ଷିତ ଶିଶୁପାଳ ଗଡ଼ ଓ ଲଳିତଗିରି ପରି ଐତିହ୍ୟ କୀର୍ତ୍ତିରାଜି

The Independence:ଶ୍ରୀମନ୍ଦିରର-ପ୍ରସିଦ୍ଧ-ଦୋଳଯାତ୍ରା

ଶ୍ରୀମନ୍ଦିରର ପ୍ରସିଦ୍ଧ ଦୋଳଯାତ୍ରା

The Independence:Young-writer-Om-Priyadarshis-book-on-Paika-movement-released

ଉନ୍ମୋଚିତ ହେଲା ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ଚୟନିତ ଓମ୍ ପ୍ରିୟଦର୍ଶୀଙ୍କ ପୁସ୍ତକ "ପାଇକ: ଜନ, ଆଖ୍ୟାନ ଓ ଆନ୍ଦୋଳନ"

The Independence:Baijayanta-Panda-listens-Man-Ki-Baat-Programme-at-Bhawanipatna

ଭବାନୀପାଟଣା “ମନ୍‌ କି ବାତ୍‌” କାର୍ଯ୍ୟକ୍ରମରେ ବୈଜୟନ୍ତ ପଣ୍ଡା

The Independence:ଜର୍ଜ-ସୋରୋସଙ୍କ--ନେଟୱର୍କ-ଓ-କଣ୍ଢେଇ-ମାନଙ୍କୁ-ଚିହ୍ନଟ--ଜରୁରୀ

ଜର୍ଜ ସୋରୋସଙ୍କ ନେଟୱର୍କ ଓ କଣ୍ଢେଇ ମାନଙ୍କୁ ଚିହ୍ନଟ ଜରୁରୀ