କିଛି ଦିନ ତଳେ ଆମେ ଦେଖିଥିଲେ ଶୀକ୍ଷାନୁଷ୍ଠାନରେ ହିଜାବ ପିନ୍ଧିବାକୁ ନେଇ କର୍ଣ୍ଣାଟକରେ ଏକ ବିବାଦ ଆରମ୍ଭ ହୋଇଥିଲା । ମୁସଲିମ ଝିଅ ମାନେ ହିଜାବ ପିନ୍ଧି ସ୍କୁଲ ଆସିପାରିବେ କି ନାହିଁ ଏହାକୁ ନେଇ ହୋଇଥିବା ବିବାଦ କର୍ଣ୍ଣାଟକର ସୀମା ଡେଇଁ ଅନେକ ରାଜ୍ୟରେ ବ୍ୟାପିଥିଲା ଓ ଏକ ସାମ୍ପ୍ରଦାୟୀକ ଉତେଜନା ସୃଷ୍ଟି ହେଲା ଭଳି ପରିସ୍ଥିତି ସୃଷ୍ଟି ହୋଇଥିଲା । ହିଜାବ ପିନ୍ଧିବା ମୁସଲମାନମାନଙ୍କର ଧାର୍ମୀକ ସ୍ୱାଧୀନତା ବୋଲି କୁହାଯାଇ ଏହି ବିବାଦକୁ ଏକ ସାମ୍ପ୍ରଦାୟୀକ ରଙ୍ଗ ଦିଆଗଲା ।
ହେଲେ କର୍ଣ୍ଣାଟକ ହାଇକୋର୍ଟଙ୍କର ରାୟ ଏହି ବିବାଦରେ ପୁର୍ଣ୍ଣଛେଦ ପକାଇବା ସହିତ ହିଜାବ ପିନ୍ଧିବା ଏକ ଧାର୍ମୀକ ଅଧୀକାର ନୁହେଁ ବୋଲି ସ୍ପଷ୍ଟ କରିବା ସହିତ ବିଦ୍ୟାଳୟ ବା ମହାବିଦ୍ୟାଳୟରେ କେବଳ ନିର୍ଦ୍ଧାରିତ ୟୁନିଫର୍ମ ପୋଷାକ ହିଁ ପିନ୍ଧିବା ବାଧ୍ୟତାମୁଳକ ବୋଲି କହିଥିଲେ । ଏବେ ସେହିଭଳି ସମାନ ଢଙ୍ଗରେ ମସଜିଦରେ ଆଜାନ ସମୟରେ ଡାକବାଜି ଯନ୍ତ୍ରର ବ୍ୟବହାରକୁ ନେଇ ବିବାଦ ଉଠିଛି । ଅବଶ୍ୟ ଏହି ବିବାଦ ସେପରି କିଛି ନୁଆ ବିବାଦ ନୁହେଁ । ଦେଶରେ ଆଗରୁ ଅନେକ ସମୟରେ ଏହାକୁ ନେଇ ବିବାଦ ଦେଖାଯାଇଛି ।
ମୁସଲିମମାନେ ଏହାକୁ ସେମାନଙ୍କର ଧାର୍ମୀକ ସ୍ୱାଧୀନତା ବୋଲି ଦାବି କରୁଥିବା ବେଳେ ବିପକ୍ଷବାଦୀ ଗୋଷ୍ଠୀମାନେ ଏହାକୁ ଶବ୍ଦ ପ୍ରଦୁଷଣର ନିୟମର ବିରୋଧ ବୋଲି କହିବା ସହିତ ସୁପ୍ରିମକୋର୍ଟଙ୍କ ଗାଇଡ ଲାଇନର ବିରୋଧାଚରଣ କରୁଥିବା କଥା କହୁଛନ୍ତି । ମହାରାଷ୍ଟ୍ରର ବମ୍ବେରେ ମହାରାଷ୍ଟ୍ର ନବ ନିର୍ମାଣ ସେନାର ଅଧ୍ୟକ୍ଷ ରାଜ ଠାକରେ ମସଜିଦରେ ଲାଉଡ ସ୍ପିକର ବନ୍ଦ କରାଯିବା ପାଇଁ ଦାବି କରିବା ସହିତ ଏହାର ପ୍ରତିବାଦରେ ଲାଉଡ ସ୍ପିକରରେ ହନୁମାନ ଚାଳିଶା ବୋଲିବା ଆରମ୍ଭ କରିଥିଲେ । ସେହିପରି ମହାରାଷ୍ଟ୍ରରେ ଜଣେ ବିଧାୟକ ଓ ତାଙ୍କ ସାଂସଦ ପତ୍ନୀମଧ୍ୟ ଏହି ଲାଉଡ ସ୍ପିକରରେ ଆଜାନକୁ ବିରୋଧ କରିବା କାରଣରୁ ମହାରାଷ୍ଟ୍ର ସରକାରଙ୍କର ରୋଷର ଶୀକାର ହୋଇ ଜେଲ ଯିବାକୁ ପଡିଲା ।
ସେହିଭଳି ଉତର ପ୍ରଦେଶ, ମଧ୍ୟପ୍ରଦେଶ ଭଳି ରାଜ୍ୟରେ ମଧ୍ୟ ମସଜିଦରେ ଲାଉଡ ସ୍ପିକରରେ ବହୁ ଜୋରରେ ଆଜାନ କରିବାକୁ ନେଇ ବିବାଦ ହେବାରୁ ସେହି ରାଜ୍ୟରେ ସରକାର ଅନେକ ମସଜିଦରୁ ଲାଉଡ ସ୍ପିକର ହଟାଇ ଦେଇଛନ୍ତି । ପ୍ରସଙ୍ଗ ହେଉଛି ଯେ କାହିଁକି କିଛି ଲୋକଙ୍କୁ ଏକ ଧାର୍ମୀକ ନିଶା ଏତେ ଜୋରରେ ଲାଗିଛି ଯେ ତାଙ୍କ ପାର୍ଥନାକୁ ସାରା ସହର ଲୋକ ଦିନକୁ ୫ ଥର ଶୁଣିବା ପାଇଁ ବାଧ୍ୟ ସେମାନେ ଭାବୁଛନ୍ତି । କାହିଁକି ସେମାନେ ନିଜର ଆଜାନକୁ ଅନ୍ୟମାନଙ୍କ ଉପରେ ଏକ ପ୍ରକାର ଥୋପିବା ପାଇଁ ଚାହୁଁଛନ୍ତି ତାହା ପୁଣି ଦିନକୁ ଥରେ ନୁହେଁ ଦିନକୁ ୫ଥର । ଏହାକୁ ଏକ ପ୍ରକାର ଧାର୍ମୀକ ଉନ୍ମାଦନାରେ ଭରପୂର ଗୁଣ୍ଡାଗିରି କହିଲେ ଭୁଲ ହେବ ନାହିଁ ।
ଧର୍ମ ଏକ ଭାବନା, ଆବେଗ, ବିଶ୍ୱାସ, ପରମ୍ପରା ଓ ଆଧ୍ୟାତ୍ମକିତାର କଥା । ଏହାକୁ କଣ କେହି କାହା ଉପରେ ଥୋପି ପାରିବ ନା କାହାକୁ ଜୋର ଜବରଦସ୍ତି କରିପାରିବ । ହଁ ଭାରତରେ ଅତୀତରେ ଖଣ୍ଡାମୁନରେ ଅନେକ ଲୋକଙ୍କର ଧର୍ମାନ୍ତୀକରଣ ହୋଇଛି । ବୋଧହୁଏ ସେହି ସମାନ ମାନସିକତା ଆଜିବି କିଛି ଲୋକଙ୍କ ମନରେ ରହିଯାଇଛି ଯାହା ବିବାଦର ମୁଳ କାରଣ ।
ବଡ ଆଶ୍ଚର୍ଯ୍ୟର କଥା ହେଉଛି ଯେଉଁ ମୁମ୍ବାଇରେ ଏହାକୁ ନେଇ ବଡ ବିବାଦ ଆରମ୍ଭ ହୋଇଛି ସେହି ରାଜ୍ୟରେ ବମ୍ବେ ହାଇକୋର୍ଟଙ୍କ ୨୦୧୬ ମସିହାରେ ଏକ ମାମଲାରେ ସ୍ପଷ୍ଟ ଭାବରେ ରାୟ ରହିଛି ଯେ କୌଣସିବି ଧାର୍ମୀକ ସ୍ଥାନରେ ଲାଉଡ ସ୍ପିକରର ବ୍ୟବହାର କୌଣସି ବି ପରିସ୍ଥିତିରେ ଧାର୍ମୀକ ସ୍ୱାଧୀନତା ନୁହେଁ । ସେହି ରାୟରେ ସମସ୍ତ ଧାର୍ମୀକ ସ୍ଥାନରୁ ଲାଉଡ ସ୍ପିକରକୁ ହଟାଇବା ପାଇଁ ସ୍ପଷ୍ଟ ନିର୍ଦ୍ଧେଶ ରହିଛି । ହେଲେ ଏହି ଆଦେଶକୁ ସରକାର ଲାଗୁ କରିଲେ ନାହିଁ ।
ଏବେ ଏବେ ଆହ୍ଲାବାଦ ହାଇକୋର୍ଟ ଏକ ରାୟରେ ମସଜିଦରେ ଡାକବାଜି ଯନ୍ତ୍ରର ବ୍ୟବହାର ଉପରେ ରୋକ ଲଗାଇଛନ୍ତି । ଉତର ପ୍ରଦେଶର ବାଦାଉନ ଜିଲ୍ଲାରେ ଇରଫାନ ନାମକ ଜଣେ ଲୋକ ସ୍ଥାନୀୟ ପ୍ରଶାସନର ନିଷ୍ପତି ବିରୋଧରେ ଜିଲ୍ଲା ଅଦାଲତରେ ଆଜାନ ସମୟରେ ଡାକବାଜି ଯନ୍ତ୍ର ବ୍ୟବହାର କରିବା ପାଇଁ ଅନୁମତି ମାଗିଥିଲେ । ହେଲେ ଜିଲ୍ଲା ଅଦାଲତ ଏହାକୁ ଖାରଜ କରିଥିଲେ ଯାହା ବିରୋଧରେ ସେ ପୁଣି ହାଇକୋର୍ଟ ଯାଇଥିଲେ । ହାଇକୋର୍ଟ ମଧ୍ୟ ତାଙ୍କ ରାୟରେ ଜିଲ୍ଲା ଅଦାଲତର ରାୟକୁ କାୟମ ରଖି କହିଛନ୍ତି ଯେ ଡାକବାଜି ଯନ୍ତ୍ରର ବ୍ୟବହାର କୌଣସି ପ୍ରକାରର ଧାର୍ମୀକ ଅଧୀକାର ନୁହେଁ । ସେହିଭଳି ଶବ୍ଦ ପ୍ରଦୁଷଣକୁ ନେଇ ସର୍ବୋଚ୍ଚ ଅଦାଲତଙ୍କର ଗାଇଡ ଲାଇନ ପୁରା ସ୍ପଷ୍ଟ ରହିଛି ।
ଏତେ ସବୁ ଅଦାଲତଙ୍କର ରାୟ, ଗାଇଡ ଲାଇନ ଥିବା ସତ୍ୱେ କିପରି ମସଜିଦମାନଙ୍କରେ ଖୋଲା ଖୋଲି ଏତେ ଜୋରରେ ଶୃତିକଟୁ ହେଲା ଭଲି ଦିନକୁ ୫ ଥର ଲାଉଡ ସ୍ପିକରର ବ୍ୟବହାର ହେଉଛି ତାହା ବଡ ଆଶ୍ଚର୍ଯ୍ୟ ଜନକ । ହଁ ଖାଲି ମସଜିଦରେ ଯେ ସେମିତି ହେଉଛି ତାହା ନୁହେଁ କିଛି କିଛି ଅନ୍ୟ ଧର୍ମମାନଙ୍କର ଶୋଭାଯାତ୍ରାମାନଙ୍କରେ ବି ଲାଉଡ ସ୍ପିକରର ବ୍ୟବହାର ହେଉଛି ଯାହାବି ବନ୍ଦ ହେବା ଦରକାର । ନିଜର ଧାର୍ମୀକ କାରଣ ପାଇଁ ଆଉ କୌଣସି ବ୍ୟକ୍ତିର ବ୍ୟକ୍ତିଗତ ସ୍ୱାଧୀନତାକୁ ପ୍ରଭାବିତ କରିବାର ଅଧୀକାର ଦେଶର ସମ୍ବିଧାନ କାହାକୁ ଦେଇନାହିଁ ଏକଥା ସମସ୍ତେ ଜାଣିବା ଦରକାର ।
ଭାରତରେ ପ୍ରାୟତଃ ଦେଖାଯାଉଛି ଯେ ସବୁବେଳେ କିଛି ନା କିଛି ଏମିତି ପ୍ରସଙ୍ଗରେ ଚର୍ଚ୍ଚା, ବିବାଦ ହେଉଛି ଯାହାର କିଛି ପ୍ରାସଙ୍ଗିକତା ବା ଯର୍ଥାଥତା ନାହିଁ । ଅନାବଶ୍ୟକ ବିଷୟମାନଙ୍କରେ ବିବାଦ ଏତେ ବଢିଯାଉଛି ଯେ ଏହା ଦେଶର ସଂହତି, ଏକତା, ସାମ୍ପ୍ରଦାୟୀକ ସଦଭାବନା ଉପରେ ପ୍ରଭାବ ପକାଉଛି ଯାହା ଭାରତ ଭଳି ବିବିଧତା ସର୍ମ୍ପନ୍ନ ଦେଶ ପାଇଁ ଆଦୌ ଶୁଭଙ୍କର ନୁହେଁ । ଦେଶର ଅର୍ଥ ବ୍ୟବସ୍ଥା, ନିଯୁକ୍ତି, ବିଜ୍ଞାନ, ଶୀକ୍ଷା, ସ୍ୱାସ୍ଥ୍ୟସେବା ଭଳି ପ୍ରସଙ୍ଗ ସହିତ ସମ୍ବଳିତ ବିଷୟ ଗୁଡିକରେ ଦେଶର ଖବର ଚ୍ୟାନେଲର ପ୍ରାଇମ ଟାଇମ ସମୟରେ ଯେତିକି ବିତର୍କ ହେଉନାହିଁ ତାଠାରୁ କେଇ ଗୁଣରେ ଅଧିକ ବିତର୍କ ହେଉଛି ଏହି ଭଳି ବିବାଦକୁ ନେଇ । ହେଲେ ଏହା ଦ୍ୱାରା ଭାରତୀୟ ସମାଜର କଣ ଲାଭ ହେଉଛି, ଦେଶର ଜନତାଙ୍କର କଣ ଲାଭ ହେଉଛି? ଏଭଳି ଅଯଥା ବିବାଦରେ ଅଦାଲତର ସମୟ ନଷ୍ଟ ହେଉଛି, ଦେଶରେ ସଦଭାବନା ନଷ୍ଟ ହେଉଛି ।
ଆଗରୁ ପ୍ରସିଦ୍ଧ କଣ୍ଠଶିଳ୍ପି ଅନୁରାଧା ପୌଡଓାଲ, ଭାରତରେ କେବଳ ଆଜାନ ସମୟରେ ଡାକବାଜି ଯନ୍ତ୍ରର ବ୍ୟବହାର କରାଯାଉଥିବା କହିଥିଲେ । ସେ ବିଶ୍ୱର ଅନ୍ୟ କୌଣସି ମୁସଲମାନ ଦେଶରେ ଆଜାନ ସମୟରେ ଡାକବାଜି ଯନ୍ତ୍ରର ବ୍ୟବହାର ହେଉନଥିବା କଥା କହିଥିଲେ । ସେହିଭଳି ସୋନୁ ନିଗମ ମଧ୍ୟ ଆଗରୁ ଆଉ ଥରେ ଲାଉଡ ସ୍ପିକରରେ ଆଜାନକୁ ବିରୋଧ କରିଥିଲେ । ଏବେ ଯେତେବେଳେ ଉତର ପ୍ରଦେଶ, ମଧ୍ୟପ୍ରଦେଶ, ମହାରାଷ୍ଟ୍ର ଭଳି ରାଜ୍ୟରେ କିଛି କିଛି ସ୍ଥାନରେ ମସଜିଦରୁ ଲାଉଡ ସ୍ପିକରକୁ ସରକାର ହଟାଉଛନ୍ତି ସେତିକିବେଳେ ଆଉ ଏକ ମିଥ୍ୟା ଖବର ଚାଲୁଛି ଯେ ଭାରତରେ ଆଜାନ ନିଷିଦ୍ଧ ହୋଇଗଲା ବୋଲି । ଯେଉଁମାନେ ଦିନେ ପ୍ରଚାର କରୁଥିଲେ ନାଗରିକ ସଂଶୋଧନ ଆଇନ ଆସିଗଲେ ଭାରତରୁ ମୁସଲମାନମାନଙ୍କର ନାଗରିକତା ପଳେଇବ ବୋଲି ସେହିମାନେ ଏବେ ଏହି ମିଥ୍ୟା ପ୍ରଚାରରେ ଲାଗିଛନ୍ତି । ହେଲେ ବାସ୍ତବରେ କେବଳ ଡାକବାଜି ଯନ୍ତ୍ରରେ ଆଜାନ ବୋଲିବା ଉପରେ ରୋକ ଲାଗିଛି । ଆଜାନ ବୋଲିବା ଉପରେ ରୋକ ଲାଗିନାହିଁ ।