ଗତକାଲି କର୍ଣ୍ଣାଟକର ଶିବାମୋଗା ଜିଲ୍ଲାରେ ୨୬ ବର୍ଷ ବୟସ୍କ ବଜରଙ୍ଗ ଦଳ ଜଣେ କର୍ମୀଙ୍କ ହତ୍ୟା ପରେ ଉତ୍ତେଜନା ବୃଦ୍ଧି ପାଇଛି । ମୃତକ ବଜରଙ୍ଗ ଦଳ କାର୍ଯ୍ୟକର୍ତ୍ତାଙ୍କ ନାମ ହର୍ଷ । ପୋଲିସ୍ ପ୍ରାରମ୍ଭିକ ଅନୁସନ୍ଧାନରେ ଏହା ହିଜାବ ବିବାଦ ସହ ଜଡିତ ଅଛି ବୋଲି ଅନୁମାନ କରାଯାଉଛି । ଅନୁସନ୍ଧାନ ସମୟରେ ଜଣାପଡିଛି ହର୍ଷ ତାଙ୍କ ଫେସବୁକ ପ୍ରୋଫାଇଲରେ ହିଜାବ ବିରୋଧରେ ତଥା ଗେରୁଆ ସାଲର ସମର୍ଥନ କରି ଏକ ପୋଷ୍ଟ ଲେଖିଥିଲେ ।
ତାଙ୍କ ହତ୍ୟା ପରେ ପୂରା ଜିଲ୍ଲାରେ ବିବାଦ ଦେଖିବାକୁ ମିଳିଛି । ଉତ୍ତେଜନାକୁ ଦୃଷ୍ଟିରେ ରଖି ଜିଲ୍ଲାରେ ୧୪୪ ଧାରା ଲାଗୁ କରାଯାଇଛି । ରାତି ପ୍ରାୟ ୯ଟାରେ ଏହି ଘଟଣା ଘଟିଛି ବୋଲି ଜଣାପଡ଼ିଛି । ବର୍ତ୍ତମାନ ଶିବାମୋଗାରେ ଆଇନ ଶୃଙ୍ଖଳା ପରିସ୍ଥିତିକୁ ନିୟନ୍ତ୍ରଣରେ ରଖିବା ପାଇଁ ସତର୍କତାମୂଳକ ପଦକ୍ଷେପ ଭାବରେ ସହରର ସମସ୍ତ ବିଦ୍ୟାଳୟ ଓ କଲେଜ ଦୁଇ ଦିନ ପାଇଁ ବନ୍ଦ ରହିଛି । ସ୍ଥିତିକୁ ଦେଖି ରିଜର୍ଭ ପୁଲିସ୍ ଶିବମୋଗାରେ ମୁତୟନ ହୋଇଛନ୍ତି । ତଦନ୍ତ ପାଇଁ ସ୍ୱତନ୍ତ୍ର ଟିମ ଗଠନ କରାଯାଇଛି । ରାପିଡ ଆକ୍ସନ ଫୋର୍ସ ମଧ୍ୟ କିଛି ସ୍ଥାନରେ ସୁରକ୍ଷା ବ୍ୟବସ୍ଥାକୁ ଯାଞ୍ଚ କରୁଛନ୍ତି।
କର୍ଣ୍ଣାଟକର ଗୃହମନ୍ତ୍ରୀ କହିଛନ୍ତି, ଏହି ହତ୍ୟା ପଛରେ କୌଣସି ସଂଗଠନ ଅଛି କି ନାହିଁ, ତାହା ସ୍ପଷ୍ଟ ହୋଇନାହିଁ। ତଦନ୍ତ ପରେ ପୂରା ଘଟଣା ସାମ୍ନାକୁ ଆସିବ ବୋଲି ସେ ସୂଚନା ଦେଇଛନ୍ତି । ତେଣୁ ସମସ୍ତଙ୍କୁ ଶାନ୍ତ ରହିବାକୁ ପରାମର୍ଶ ଦେଇଛନ୍ତି ଗୃହମନ୍ତ୍ରୀ ।
ସୂଚନାଯୋଗ୍ୟ କର୍ଣ୍ଣାଟକର ଉଡୁନିରୁ ହିଜାବ ବିବାଦ ଆରମ୍ଭ ହୋଇ ଏବେ ସାରା ଦେଶକୁ ବ୍ୟାପିଛି । ସୋସିଆଲ ମିଡିଆ ଠାରୁ ଆରମ୍ଭ କରି ରାଜରାସ୍ତା ପର୍ଯ୍ୟନ୍ତ, ବହୁ ବଡ ନେତାଙ୍କ ଠାରୁ ସାଧାରଣ ଜନତା ପର୍ଯ୍ୟନ୍ତ ସମସ୍ତେ ଏହି ବିବାଦ ଉପରେ ନିଜର ମତ ପ୍ରକାଶ କରୁଛନ୍ତି ।
ଅନ୍ୟପକ୍ଷରେ ହିଜାବ ବିବାଦ ଆରମ୍ଭ ହେବା ସହିତ ବଜରଙ୍ଗ ଦଳ ମଧ୍ୟ ଏହି ପ୍ରସଙ୍ଗରେ ସକ୍ରିୟ ହୋଇଉଠିଥିଲେ । ସୋସିଆଲ ମିଡିଆ ସମେତ ଶିକ୍ଷାନୁଷ୍ଠାନରେ ହିଜାବ ନପିନ୍ଧିବାକୁ ନିରନ୍ତର ସମର୍ଥନ କରୁଛନ୍ତି । ଏଭଳି ପରିସ୍ଥିତିରେ ହର୍ଷଙ୍କ ଦ୍ୱାରା ଲିଖିତ ପୋଷ୍ଟ ଏବଂ ଏହି ଘଟଣାକୁ ଏକତ୍ର ଯୋଡାଯାଉଛି । ତେବେ ପୋଲିସ ଏ ବିଷୟରେ କିଛି କହିବାକୁ ବାରଣ କରୁଛି ।