ମହାଭାରତ ସିରିଏଲ ଦ୍ରୌପଦୀ ତଥା ବିଜେପି ସାଂସଦ ରୂପା ଗାଙ୍ଗୁଲି ଆଜି ରାଜ୍ୟସଭାରେ କାନ୍ଦି ପକାଇଛନ୍ତି । ପଶ୍ଚିମବଙ୍ଗର ବୀରଭୂମିରେ ୮ ଜଣଙ୍କୁ ଜୀବନ୍ତ ଜାଳି ହତ୍ୟା କରିବା ଘଟଣା ଆଜି ରାଜ୍ୟସଭାରେ ଉଠିଥିଲା। ସେ ଏହି ପ୍ରସଙ୍ଗରେ ମତ ରଖିବା ବେଳେ ସର୍ବସମ୍ମୁଖରେ କାନ୍ଦି ପକାଇଥିଲେ।
ପଶ୍ଚିମବଙ୍ଗର କ୍ଷମତାସୀନ ଟିଏମସି ସରକାରଙ୍କ ଅପାରଗତା ପାଇଁ ଏତେ ବଡ଼ ଘଟଣା ଘଟିଲା ବୋଲି ମଧ୍ୟ ସେ କହିଛନ୍ତି। ରାଜ୍ୟରେ ରହିବା ଆଉ ସମ୍ଭବ ନୁହେଁ। ବୀରଭୂମି ନରସଂହାର ପରେ ଅନେକ ଲୋକ ଭୟରେ ରାଜ୍ୟ ଛାଡ଼ିବାକୁ ବାଧ୍ୟ ହୋଇଛନ୍ତି। ତେଣୁ ପଶ୍ଚିମବଙ୍ଗରେ ତୁରନ୍ତ ରାଷ୍ଟ୍ରପତି ଶାସନ ଲାଗୁ କରାଯାଉ ବୋଲି ଶ୍ରୀମତୀ ଗାଙ୍ଗୁଲି ରାଜ୍ୟସଭାରେ ଦାବି କରିଛନ୍ତି। ସେ ନିଜର ମତ ରଖିବା ବେଳେ ଅଧାରୁ କାନ୍ଦି ପକାଇଥିଲେ।
ଏହାପରେ ଗୃହ ବାହାରେ ସେ କହିଛନ୍ତି, “ପଶ୍ଚିମବଙ୍ଗରେ ଲୋକମାନେ ଭୟରେ ମୁହଁ ଖୋଲୁ ନାହାନ୍ତି। ସରକାର ହତ୍ୟାକାରୀମାନଙ୍କୁ ସୁରକ୍ଷା ଯୋଗାଇ ଦେଉଛନ୍ତି। ନିର୍ବାଚନ ଜିତିବା ପରେ କୌଣସି ରାଜ୍ୟର ସରକାର ଲୋକମାନଙ୍କୁ ହତ୍ୟା କରିବା କେବେ ହେଲେ ଘଟିନାହିଁ। ଆମେ ସମସ୍ତେ ମଣିଷ। ଆମେ କେବେ ହେଲେ ନିଷ୍ଠୁର ରାଜନୀତି କରୁନୁ।”
ହାଇକୋର୍ଟ ବୀରଭୂମି ନରସଂହାର ଘଟଣାର ସିବିଆଇ ତଦନ୍ତ ପାଇଁ କହିଛନ୍ତି। ମାର୍ଚ୍ଚ ୨୨ରେ ରାଜନୀତିକ ହିଂସାକାଣ୍ଡରୁ ବୀରଭୂମିର ରାମପୁରହାଟରେ କିଛି ଦୁର୍ବୃତ୍ତ ୫ରୁ ଅଧିକ ଘରେ ନିଆଁ ଲଗାଇ ଦେଇଥିଲେ। ଏଥିରେ ପୋଡ଼ି ହୋଇ ୮ ଜଣ ପ୍ରାଣ ହରାଇଥିଲେ।