ଛତିଶଗଡ଼ ମୁଖ୍ୟମନ୍ତ୍ରୀ ଭୂପେଶ ବାଘେଲଙ୍କ ଗୋବର ତିଆରି ଆଟାଚି ଏବେ ଚର୍ଚ୍ଚାରେ। ସେ ରାଜ୍ୟ ବଜେଟ ଉପସ୍ଥାପନ ବେଳେ ଏହି ଆଟାଚିର ବ୍ୟବହାର କରିଛନ୍ତି। ଆଜି ସେ ବଜେଟ ଉପସ୍ଥାପନ ପୂର୍ବରୁ ଉକ୍ତ ଆଟାଚିକୁ ଧରି ବିଧାନସଭାରେ ପ୍ରବେଶ କରିଥିଲେ। ଏହାକୁ ଦେଖି ସମସ୍ତେ ଆଶ୍ଚର୍ଯ୍ୟ ହୋଇଛନ୍ତି। ବୁଧବାର ମୁଖ୍ୟମନ୍ତ୍ରୀ ବାଘେଲ ୨୦୨୨-୨୩ ଆର୍ଥିକ ବର୍ଷର ବଜେଟ ଉପସ୍ଥାପନ ପାଇଁ ଛତିଶଗଡ଼ ବିଧାନସଭାରେ ପହଞ୍ଚିଥିଲେ।
ଯେଉଁ ବ୍ୟାଗରେ ମୁଖ୍ୟମନ୍ତ୍ରୀ ବାଗେଲ ବଜେଟ୍ ଡକ୍ୟୁମେଣ୍ଟ୍ ସହିତ ବିଧାନସଭାରେ ପହଞ୍ଚିଥିଲେ ତାହା ଗାଈର ଗୋବରରେ ତିଆରି । ଏହା ଉପରେ 'ଗୋମାଇ ଭାସେଟ ଲକ୍ଷ୍ମୀ' ଲେଖା ଅଛି । ରାଜ୍ୟରେ ଗୋରୁ ପ୍ରୋତ୍ସାହନ ପାଇଁ ବିଭିନ୍ନ ଯୋଜନା ଚାଲିଛି।ଦେଶରେ ପ୍ରଥମ ରାଜ୍ୟ ଭାବରେ ଛତିଶଗଡ଼ ସରକାର ଚାଷି ଗାଈ ଚାଷୀମାନଙ୍କଠାରୁ ଗୋବର କ୍ରୟ କରିବାକୁ ନିଷ୍ପତି ନେଇଥିଲେ ।
ଆଟାଚି ବା ଚାରି କୋଣିଆ ବ୍ୟାଗଟି ଗୋବରରେ ତିଆରି ହୋଇଥିଲେ ମଧ୍ୟ ବେଶ ଆକର୍ଷଣୀୟ ଦିଶୁଛି। ଆଟାଚିର ଚାରିପାଖରେ ଗହମ ରଙ୍ଗର ଖୋଦେଇ ମଧ୍ୟ ହୋଇଛି। ସେହିପରି ଏହାକୁ ଧରିବା ପାଇଁ ହ୍ୟାଣ୍ଡେଲର ବ୍ୟବସ୍ଥା କରାଯାଇଛି। ବଜେଟକୁ ଗୋବର ତିଆରି ଆଟାଚିରେ ଉପସ୍ଥାପନ କରି ଛତିଶଡ଼ଗ ମୁଖ୍ୟମନ୍ତ୍ରୀ ବାଘେଲ ନୂଆ ଧାରା ଦୃଷ୍ଟି କରିଛନ୍ତି। ପୂର୍ବରୁ କୌଣସି ମୁଖ୍ୟମନ୍ତ୍ରୀ ଏପରି ଅଭିନବ ଢଙ୍ଗରେ ବଜେଟ ଉପସ୍ଥାପନ କରିଥିବା ଦେଖିବାକୁ ମିଳି ନଥିଲା।
ବାଘେଲ ସର୍ବଦା ଅର୍ଗାନିକ ଫାର୍ମିଂ ଓ ଗ୍ରାମୀଣ ଅର୍ଥନୀତିର ବିକାଶ ପାଇଁ ବିଭିନ୍ନ ପ୍ରକାରର ପଦକ୍ଷେପ ନେବାର ନିଜର ରହିଛି। ଏଥିପାଇଁ ସେ ଅନେକ ପ୍ରକାରର ଆର୍ଥିକ ପ୍ୟାକେଜ ମଧ୍ୟ ଘୋଷଣା କରିଥିଲେ। ଏବେ ଗୋବର ତିଆରି ଆଟାଚିରେ ସେ ବଜେଟ ଉପସ୍ଥାପନ କରି ଗ୍ରାମୀଣ ଅର୍ଥନୀତି ଉପରେ ଫୋକସ କରୁଥିବା ସଙ୍କେତ ଦେବାକୁ ଚେଷ୍ଟା କରିଛନ୍ତି।