ଓଡ଼ିଶାରେ ଶାସକ ଦଳ ନେତା ପୋଲିସ ଓ ସ୍ଥାନୀୟ ପ୍ରଶାସନର ପୃଷ୍ଠପୋଷକତାରେ ଐତିହାସିକ ସ୍ଥାଳୀରେ ଚାଲିଛି ଖନନ କାର୍ଯ୍ୟ । ପ୍ରତିବନ୍ଧକ ସତ୍ତ୍ବେ ଐତିହାସିକ ସ୍ଥଳ ଓ ନିକଟବର୍ତ୍ତୀ ଅଞ୍ଚଳରେ ଚାଲିଥିବା ବେଆଇନ୍ ଖନନ କାର୍ଯ୍ୟକୁ ଜିଲ୍ଲା ପ୍ରଶାସନ ଓ ପୋଲିସ କରୁଛି ଅଣଦେଖା । ଏନେଇ ଉଦବେଗ ପ୍ରକାଶ କରିବା ସହ କେନ୍ଦ୍ର ସଂସ୍କୃତି ମନ୍ତ୍ରୀଙ୍କ ହସ୍ତକ୍ଷେପ ଲୋଡିଛନ୍ତି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ସଂସ୍କୃତି ମନ୍ତ୍ରୀ ଜିକିଶାନ ରେଡ୍ଡିଙ୍କୁ ଦୁଇଟି ପତ୍ର ଲେଖି ଖୋର୍ଦ୍ଧା ଶିଶୁପାଳଗଡ ଓ ଯାଜପୁରର ଲଳିତଗିରି ନିକଟରେ ହେଉଥିବା ବେଆଇନ ଖନନ ବନ୍ଦ ପାଇଁ ରାଜ୍ୟ ସରକାର ଓ ଏଏସଆଇକୁ ନିର୍ଦ୍ଦେଶ ଦେବାକୁ ପତ୍ରରେ ଅନୁରୋଧ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।
ଜମି ମାଫିଆଙ୍କ ଦ୍ବାରା ଶିଶୁପାଳଗଡ଼ର ନିଶିଦ୍ଧାଞ୍ଚଳରେ ଚାଲିଛି ବେଆଇନ ଖନନ । ଆନସିଏଣ୍ଟ ମନୁମେଣ୍ଟ ଆଣ୍ଡ୍ ଆର୍କେଲୋଜିଓକାଲ ସାଇଟ ଆଣ୍ଡ୍ ରିମେନ୍ସ ଆକ୍ଟ ୧୯୫୮ ଅନୁଯାୟୀ ସଂରକ୍ଷିତ କୀର୍ତ୍ତିରାଜିର ୧୦୦ ମିଟର ପିରିଧିରେ କୌଣସି ନିର୍ମାଣ ଓ ଖନନ କାର୍ଯ୍ୟ ହୋଇପାରିବନି । କିନ୍ତୁ ରାଜଧାନୀ ଉପକଣ୍ଠରେ ଥିବା ଏହି ଐତିହ୍ୟ ସ୍ଥଳୀରେ ସବୁ ନିୟମ ଉଡିଛି ଧଜିୟା । ପୋଲିସ, ପ୍ରଶାସନ ଓ ଶାସକ ଦଳ ନେତାଙ୍କୁ ପୃଷ୍ଠପୋଷକତାରେ ଏସବୁ ଚାଲିଥିବା ଅଭିଯୋଗ କରିଛନ୍ତି ସ୍ଥାନୀୟ ଲୋକେ ।
ଯାଜପୁର ଲଳିତଗରି ନିକଟ ପାରାଭାଡିରେ ଓଡ଼ିଶା ମାଇନିଂ କର୍ପୋରେସନ ଓଏମସି ପକ୍ଷରୁ ଖଣ୍ଡୋଲାଇଟ୍ ଖଣି ଖନନ ବେଳେ ଏକ ୧୩୦୦ ବର୍ଷ ପୁରୁଣା ବୌଦ୍ଧସ୍ତୂପ ଆବିଷ୍କୃତ ହୋଇଥିଲା । ତେବେ ଖନନରେ ଅସାବଧାନତା ଯୋଗୁଁ ଏକ ଛୋଟ ସ୍ତୁପ ନଷ୍ଟ ହୋଇଯାଇଥିଲା । ରାଜ୍ୟ ସରକାର ଏହି ସ୍ଥାନରେ ଥିବା ଐତିହ୍ୟର ମୂଲ୍ୟାଙ୍କନ ନକରି ଖନନ ପାଇଁ ଦେଇଥିଲେ ଅନୁମତି । ଏବେ କେନ୍ଦ୍ର ସଂସ୍କୃତି ମନ୍ତ୍ରୀଙ୍କୁ ଧର୍ମେନ୍ଦ୍ରଙ୍କ ଚିଠି ପରେ ଐତିହାସିକ ଲଳିତଗିରିର ସୁରକ୍ଷା ନେଇ ଆଶାବାଦୀ ସ୍ଥାନୀୟ ଲୋକେ ।
ପୂର୍ବରୁ ଭୁବନେଶ୍ବର ଲିଙ୍ଗରାଜ ମନ୍ଦିର ନିକଟରେ ରାଜ୍ୟ ସରକାରଙ୍କ ପକ୍ଷରୁ ବେଆଇନ ଖନନକୁ ନେଇ କେନ୍ଦ୍ରମନ୍ତ୍ରୀଙ୍କୁ ଚିଠି ଲେଖି ହସ୍ତକ୍ଷେପ ପାଇଁ ଅନୁରୋଧ କରିଥିଲେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଏହାପରେ ଏଏସଆଇ ପକ୍ଷରୁ ବେଆଇନ ଖନନ ଉପରେ ରୋକ୍ ଲଗାଯାଇଥିଲା । ପ୍ରଶ୍ନ ଉଠୁଛି ଯେଉଁ ଐତିହ୍ୟ କୀର୍ତ୍ତିରାଜିର ସୁରକ୍ଷା ପାଇଁ ନିଜେ ରାଜ୍ୟ ସରକାର ନେତୃତ୍ବ ନେବା କଥା ସେଗୁଡ଼ିକର ଧ୍ବଂସ ପାଇଁ କିପରି ସାଜିପାରୁଛନ୍ତି ପୃଷ୍ଠପୋଷକ ।