ସୌମେନ୍ଦ୍ର ଜେନା
ଦେଶର ଭିନ୍ନ ଭିନ୍ନ ପ୍ରଦେଶରେ ଇଡିର ଅଚାନକ ଚଢାଉ ରାଜନେତା, ଠକ ବ୍ୟବସାୟୀ, ଟଙ୍କା ଜମାଖୋର, ଦୁର୍ନୀତିଗ୍ରସ୍ତ ଅଧିକାରୀ ଏବଂ ସେମାନଙ୍କ ସଂପର୍କୀୟ ଗଣମାଧ୍ୟମର ପ୍ରତିନିଧି ଓ ସମର୍ଥକମାନଙ୍କୁ ନିରାଶ କରିଥିବା ସମୟରେ ସାଧାରଣ ଜନତାଙ୍କ ମନରେ ବ୍ୟବସ୍ଥା ପ୍ରତି ଅଧିକ ବିଶ୍ୱାସ ବୃଦ୍ଧି କରିଛି । ସାଧାରଣ ଜନତାଙ୍କ ଅର୍ଥକୁ ଭିନ୍ନ ଭିନ୍ନ ମାର୍ଗରେ କିଛି ଲୋକ ନିଜର ସଂପତ୍ତିରେ ପରିଣତ କରିବା ପ୍ରକ୍ରିୟାରେ ଇଡି ଅନେକ ସ୍ଥାନରେ ପ୍ରତିବନ୍ଧକ ହୋଇଛି । ତେଣୁ ଏପ୍ରକାର ଚଢାଉରେ ସେମାନଙ୍କ ଗାତ୍ରଦାହ ହେବା ସ୍ୱାଭାବିକ । ନିଜର ଅପକର୍ମକୁ ଲୁଚାଇବାକୁ ଯାଇ ସେମାନେ ଉତ୍କ୍ଷିପ୍ତ ହେବା, ଧାରଣାଦେବା, ସମର୍ଥକଙ୍କୁ ଧରି ବିକ୍ଷୋଭ କରିବାରେ କିଛି ନୂଆ କଥା ନାହିଁ । ଦେଶ ଓ ଜନତାଙ୍କ ସଂପତ୍ତିକୁ ଲୁଟୁଥିବା ଲୋକମାନଙ୍କ ମୁଖାଗୁଡିକୁ ମୁହଁରୁ ଖସାଇବାକୁ ଇଡି ଯେପରି ଦିନକୁ ଦିନ ଅଧିକରୁ ଅଧିକ ଚଢାଉ ଜାରିରଖି ସଂପତ୍ତି ଜବତ କରୁଛି ତାହା ସାଧାରଣରେ ପ୍ରଶଂସାର କାରଣ ହୋଇଛି ।
ମୁକ୍ତବଜାର ଅର୍ଥନୀତି ସମୟରେ ଆନ୍ତର୍ଜାତିକ ବାଣିଜ୍ୟିକ ସଂପର୍କ ବଢୁଥିବା ଯୋଗୁ ଦେଣନେଣ ଢେର ବଢିଯାଇଛି । ସେମିତି କମ୍ପାନୀ,ପେସାଦାର ଲୋକଙ୍କ ସଂଖ୍ୟା ମଧ୍ୟ ବଢିଛି । ରୋଜଗାର ଦିନକୁ ଦିନ ବଢୁଥିଲା ବେଳେ ସୁବିଧାକୁ ହାତେଇବା ପାଇଁ ପ୍ରୟାସ ମଧ୍ୟ ବଢିବାରେ ଲାଗିଛି । ଏହି ପରିସ୍ଥିତିରେ ବ୍ୟବସାୟୀଙ୍କ ନଗଦ ଟଙ୍କା ଜମାଖୋରୀ, ଅଧିକାରୀମାନଙ୍କ କଳାଟଙ୍କା ଜମାଖୋରୀ, ଦୁର୍ନୀତି ଗ୍ରସ୍ତ ନେତାମାନଙ୍କ ଜାଲିଆତି ଆଶାତୀତ ବୃଦ୍ଧି ପାଇଛି । ଏମାନଙ୍କ ଉପରେ ସବୁବେଳେ ଦୃଷ୍ଟିରଖି କଳାଧନ ଜବତ କରିବା ପାଇଁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ସର୍ତକତାର ସହ ପ୍ରୟାସ ଜାରିରଖିଛି ।
ଇଡିର ଚଢାଉ ଅକସ୍ମାତ ସନ୍ଦେହଯୁକ୍ତ ଲୋକର ଘର ଉପରେ ହୋଇଥାଏ । କର୍ମଚାରୀମାନେ ଚଢାଉ କରିବା ପୂର୍ବରୁ ଲୋକଙ୍କୁ ୱାରେଣ୍ଟ ଦେଖାଇ କାର୍ୟ୍ୟରେ ସହଯୋଗ କରିବାକୁ କହିଥାନ୍ତି । ଘର ଭିତରୁ ଫଟୋ କିମ୍ବା ତଥ୍ୟ ଯେପରି ତୁରନ୍ତ ବାହାରକୁ ପଠାନଯାଏ ସେଥିପାଇଁ ପ୍ରଥମେ ମୋବାଇଲଗୁଡିକୁ ଜବତ କରାଯାଇଥାଏ । ଚାଲୁଥିବା କମ୍ପ୍ୟୁଟରକୁ ବନ୍ଦ କରାଯାଏ । ଘରେ ଥିବା ଲୋକମାନଙ୍କୁ ତଦନ୍ତରେ ସହଯୋଗ କରିବାଲାଗି କୁହାଯାଇଥାଏ । ୨୦୦୨ର ଅର୍ଥ ଜାଲିଆତି ନିରୋଧୀ ଆଇନ (ପିଏମ୍ଏଲ୍ଏ), ୧୯୯୯ର ବିଦେଶୀ ମୁଦ୍ରା ପରିବର୍ତ୍ତନ ପରିଚାଳନା ଆଇନ (ଫେମା), ୨୦୧୮ର ଆରô୍ଥକ ଅପରାଧ ଆଇନ( ଫେଓଆ) ବଳରେ ଏହିସବୁ ଚଢାଉ ହୋଇଥାଏ । ଦେଖିବାକୁ ଗଲେ ସବୁଠୁ ଅଧିକ ଚଢାଉ ଅର୍ଥ ଜାଲିଆତିକୁ ନେଇ ହୋଇଥାଏ । ଏହା ଏକ ଅପରାଧିକ ଆଇନ । ବେଆଇନ ଭାବେ ଅର୍ଜନ କରାଯାଇଥିବା ଅର୍ଥକୁ ଏହି ଆଇନ ଅନୁଯାୟୀ ଇଡି ଜବତ କରେ । ସ୍ୱତନ୍ତ୍ର ଅଦାଲତରେ ଏହି ଜାତିଆତିକୁ ସାବ୍ୟସ୍ତ କରିବାକୁ ହୋଇଥାଏ । ଦ୍ୱିତୀୟ ଆଇନଟି ଏକ ସିଭିଲ ଆଇନ ।
ଏହି ଆଇନ ଅନୁଯାୟୀ ଇଡି ଚଢାଉ ଅର୍ଥ ଜବତ କରିବା ସହ ଜୋରିମାନା ଆଦାୟ କରିବାର ବ୍ୟବସ୍ଥା ରହିଛି । କିନ୍ତୁ ଏହି ଆଇନରେ ଗିରଫ କରାଯିବାର ବ୍ୟବସ୍ଥା ନାହିଁ । ତୃତୀୟ ଆଇନରେ ୧୦୦କୋଟିରୁ ଅଧିକ ମାମଲାର ତଦନ୍ତ ହୋଇଥାଏ । ଫେରାର ଅଭିଯୁକ୍ତର ସଂପତ୍ତିକୁ ଜବତ କରାଯିବା ଲାଗି ଏଥିରେ ବ୍ୟବସ୍ଥା ରହିଛି । ଦୁର୍ନୀତି ନିବାରଣ ବିଭାଗ, ପୁଲିସ, ସିବିଆଇ ପକ୍ଷରୁ ପ୍ରାଥମିକ ଅଭିଯୋଗପତ୍ର (ଏଫ୍ଆଇଆର୍) ଦାଖଲ ହୋଇଥିଲେ ଅର୍ଥ ଜାଲିଆତି ମାମଲାରେ ଅଭିଯୁକ୍ତ ବିରୋଧରେ କାର୍ୟ୍ୟାନୁଷ୍ଠାନ ଗ୍ରହଣ କରାଯାଏ । ପ୍ରାଥମିକ ସୂଚନା ପାଇବାପରେ ଆରô୍ଥକ ଯାଞ୍ଚ ଶାଖା କାର୍ୟ୍ୟ କରେ । ଏକ ନିଦ୍ଦିଷ୍ଟ ପରିମାଣର ଅର୍ଥର ସୀମାରୁ ଅଧିକ ଦେଣନେଣ ହୋଇଥିଲେ ବ୍ୟାଙ୍କଗୁଡିକରୁ ତଥ୍ୟ ପାଇବାଲାଗି ସଂସ୍ଥା ପକ୍ଷରୁ ଚିଠି ପଠାଯାଇଥାଏ । ସନ୍ଦେହଜନକ ଦେଣନେଣ ହୋଇଥିବା ଦୃଷ୍ଟିକୁ ଆସିଲେ ସେସବୁର ତଥ୍ୟ ସଂଗ୍ରହ କରାଯାଏ ।
ପ୍ରମାଣ ମିଳିବା ସ୍ଥଳେ ଅଭିଯୋଗ କରାଯାଇଥାଏ । ତେବେ ଅଭିଯୁକ୍ତ ତଥ୍ୟ ଲୁଚାଇପାରେ ବୋଲି ଆଶଙ୍କା କରାଯିବା ସ୍ଥଳେ ଚଢାଉ ହୋଇଥାଏ । କାରଣ କେତେକ ସ୍ଥଳରେ ନୋଟିସ ଦେବାପରେ ଅଭିଯୁକ୍ତ ପ୍ରମାଣ ନଷ୍ଟ କରିବା, କାଗଜପତ୍ର ବଦଳ କରିବାର ସମ୍ଭାବନା ରହିଥାଏ । କେତେକ କ୍ଷେତ୍ରରେ ପ୍ରଥମେ ଅଭିଯୁକ୍ତର ନିକଟ ସହଯୋଗୀଙ୍କ ଉପରେ ପ୍ରଥମେ ଚଢାଉ କରାଯାଇ ତଦନ୍ତ ହୋଇଥାଏ । ଏଥିପାଇଁ ରଣକୈାଶଳ ପ୍ରସ୍ତୁତି ବିଭାଗୀୟ ଅଧିକାରୀଙ୍କ ଉପରେ ହିଁ ରହିଥାଏ ।
ନରେନ୍ଦ୍ର ମୋଦିଙ୍କ ସରକାର କ୍ଷମତାକୁ ୨୦୧୪ରେ ଆସିବା ପରଠାରୁ ଇଡିର ସକ୍ରୀୟତା ବହୁତ ବଢିଛି । ଯଦି ବିଗତ ୮ବର୍ଷର ମାମଲାକୁ ତୁଳନା କରାଯାଏ ତେବେ ଜଣାପଡିବ ଯେ ୨୦୧୪-୧୫ବେଳକୁ ଇଡି ପାଖରେ ପିଏମ୍ଏଲ୍ଏ ମାମଲା ୧୭୮ଟି ରହିଥିଲା ବେଳେ ୨୦୨୧-୨୨ରେ ତାହା ବଢି ୧୧୮୦ରେ ପହଞô୍ଚଛି । ଠିକ୍ ସେମିତି ୯୧୫ଟି ଫେମା ମାମଲା ୨୦୧୪-୧୫ ସୁଦ୍ଧା ଥିଲା । ୨୦୨୧-୨୨ ବେଳକୁ ତାହା ୫୩୧୩ରେ ପହଞô୍ଚଛି । ସେମିତି ଗତ ୬ବର୍ଷର ହିସାବକୁ ଦେଖିଲେ ଜଣାପଡିବ ଯେ ୨୦୧୬-୧୭ରେ ଇଡିର ଚଢାଉ ୪୫୬୭, ନୋଟିସ ଜାରି ୨୨୬, ଗିରଫଦାରି ୩୧ ହୋଇଥିଲା । ୨୦୧୭-୧୮ରେ ଚଢାଉ ୫୮୩୭, ନୋଟିସ ଜାରି ୩୬୮ ଏବଂ ଗିରଫଦାରି ୩୮ହୋଇ ଥିଲା । ୨୦୧୮-୧୯ରେ ଚଢାଉ ୯୧୭୫, ନୋଟିସ୍ ଜାରି ୫୧୯, ଗିରଫଦାରି ୨୪ ହୋଇଥିଲା । ୨୦୧୯-୨୦ରେ ଚଢାଉ ୧୦୬୬୮, ନୋଟିସ ଜାରି ୩୩୫, ଗିରଫଦାରି ୪୧ ହୋଇଥିଲା ।
୨୦୨୦-୨୧ରେ ଚଢାଉ ୧୨୧୭୩, ନୋଟିସ ଜାରି ୫୯୬, ଗିରଫଦାରି ୭୮ ହୋଇଥିଲା । ୨୦୨୧-୨୨ରେ ଚଢାଉ ୧୧୨୫୨,ନୋଟିସ ଜାରି ୫୭୨, ଗିରଫଦାରି ୫୪ ହୋଇଥିଲା । ବିଗତ ୧୭ବର୍ଷରେ ପିଏମ୍ଏଲ୍ଏ ମାମଲା ୫୪୨୨ଟି ହୋଇଥିଲା । ୧୭୩୯ଟିରେ ମାଲଜବତ, ୪୦୦ ଗିରଫଦାରି, ୧.୦୪ଲକ୍ଷ କୋଟି ସଂପତ୍ତି ଜବତ ହେବା ସହ ୨୫ଜଣ ଦୋଷୀ ସାବ୍ୟସ୍ତ ହୋଇଥିଲେ । ସେମିତି ବିଦେଶୀ ମୁଦ୍ରା କାରବାର (ଫେମା) ମାମଲା ୩୦୭୧୬ଟି ହୋଇଥିଲା ବେଳେ ୧୫୪୯୫ଟି ମାମଲାକୁ ବନ୍ଦ କରାଯାଇଥିଲା । ୮୧୦୯ ମାମଲାରେ ନୋଟିସ ହୋଇଥିଲା । ଆରô୍ଥକ ଜାଲିଆତି ମାମଲା (ଫେଓଆ)ରେ ୧୪ଜଣଙ୍କ ବିରୋଧରେ କାର୍ୟ୍ୟାନୁଷ୍ଠାନ ହୋଇଥିଲା । ୯ଜଣଙ୍କୁ ଫେରାର ଘୋଷଣା କରାଯାଇଥିଲା ଏବଂ ୪୩୩କୋଟି ସଂପତ୍ତିକୁ ଜବତ କରାଯାଇଥିଲା ।
ବିଗତ ଦିନରେ ଦେଶରେ ଆରô୍ଥକ ଜାଲିଆତି ଓ ଜମାଖୋରି ବଢିବା ଦେଖିବାକୁ ମିଳିଛି । କେବଳ ଗତ ୪ ବର୍ଷରେ ଇଡି ପକ୍ଷରୁ ୬୭ହଜାର କୋଟିର ସଂପତ୍ତିକୁ ଜବତ କରାଯାଇଛି । ୨୦୧୮-୧୯ରେ ୧୫୪୯୦, ୨୦୧୯-୨୦ରେ ୨୮୮୧୫, ୨୦୨୦-୨୧ରେ ୧୪୧୦୭, ୨୦୨୧-୨୨ରେ ୮୯୮୯କୋଟି ଟଙ୍କାର ସଂପତ୍ତିକୁ ଜବତ କରାଯାଇଛି । ଏହାର ପୂର୍ବ ବର୍ଷଗୁଡିକର ତାଲିକା ଦେଖିଲେ ଜଣାପଡିବ ଯେ ୨୦୧୭-୧୮ରେ ୭୪୩୨କୋଟି, ୨୦୧୬-୧୭ ରେ ୧୧୦୩୨ କୋଟି, ୨୦୧୫-୧୬ରେ ୨୦୦୦କୋଟି, ୨୦୧୪-୧୫ରେ ୩୬୫୭ କୋଟି, ୨୦୧୩-୧୪ରେ ୧୭୭୩ କୋଟି, ୨୦୧୨-୧୩ରେ ୨୩୫୮ କୋଟି ଟଙ୍କା ଇଡି ପକ୍ଷରୁ ଜବତ କରାଯାଇଥିଲା ।
ଇଡି ପକ୍ଷରୁ ତଦନ୍ତ ବେଳେ ଫୋନ୍ ଟ୍ୟାଫି, ଫୋନ ରେକର୍ଡ,. ମୋବାଇଲ କମ୍ପୁଟର ତଥ୍ୟ, ବ୍ୟାଙ୍କ ଜମା ଦେଣନେଣର ରେକର୍ଡ, ସେବିର ଫାଇଲିଂ, କେନ୍ଦ୍ର କର୍ପୋରେଟ ବ୍ୟାପାର ମନ୍ତ୍ରଣାଳୟ ରେକର୍ଡକୁ ଆଧାର ଭାବେ ଗ୍ରହଣ କରାଯାଇଥାଏ । ଅର୍ଥ ମନ୍ତ୍ରଣାଳୟର ରେଭିନ୍ୟୁ ବିଭାଗର ଅଧିନରେ ଏକ ଯାଞ୍ଚ ସଂସ୍ଥା ଭାବେ ଇଡି କାର୍ୟ୍ୟ କରୁଛି । ୧ ମଇ ୧୯୫୬ରେ ଏହା କାର୍ୟ୍ୟାରମ୍ଭ କରିଥିଲା । ସଂସ୍ଥାର ମୁଖ୍ୟ କାର୍ୟ୍ୟାଳୟ ନୂଆଦିଲ୍ଲୀରେ ରହିଛି ଏବଂ ଆଞ୍ଚଳିକ କାର୍ୟ୍ୟାଳୟ କୋଲକାତା, ଚେନ୍ନାଇ, ମୁମ୍ବାଇ, ଓ ଚଣ୍ଡିଗଡରେ ରହିଛି ।
ଆରô୍ଥକ ଅପରାଧ କ୍ଷେତ୍ରରେ କାର୍ୟ୍ୟାନୁଷ୍ଠାନ ଏବଂ ଆରô୍ଥକ ଆଇନ ଲାଗୁ କରାଇବା ହେଉଛି ଇଡିର କାର୍ୟ୍ୟ । ସଂପ୍ରତି ନେସନାଲ ହେରାଲ୍ଡ୍ ଖବରକାଗଜର ସଂପତ୍ତି ମାମଲାରେ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧି, ସାଂସଦ ରାହୁଳ ଗାନ୍ଧି, ସାଂସଦ ମଲ୍ଲିକାର୍ଜୁନ ଖଡଗେଙ୍କ ବିରୁଦ୍ଧରେ ଇଡି ପକ୍ଷରୁ ଯାଞ୍ଚ ଜାରିରହିଛି । ଅର୍ଥ ଜାଲିଆତି ମାମଲାରେ ମହାରାଷ୍ଟ୍ରର ପୂର୍ବତନ ମନ୍ତ୍ରୀ ଅନିଲ ଦେଶମୁଖ, ବେନାମି ସଂପତ୍ତି ମାମଲାରେ ପୂର୍ବତନ ସାଂସଦ ମୁଖତାର ଅନସାରୀ, ଆଇଏନ୍ଏକ୍ସ ମିଡିଆ ମାମଲାରେ ପୂର୍ବତନ କେନ୍ଦ୍ରୀୟମନ୍ତ୍ରୀ ପି.ଚିଦାମ୍ବରମ୍, ପାତ୍ର ଚଲ ମାମଲାରେ ଶିବସେନା ସାଂସଦ ସଞ୍ଜୟ ରାଉତ ଏବଂ ନିଯୁକ୍ତି ପାଇଁ ଅର୍ଥ ସଂଗ୍ରହ ମାମଲାରେ ପଶ୍ଚିମବଙ୍ଗ ରାଜ୍ୟର ତୃଣମୂଳ କଂଗ୍ରେସ ନେତା ପାର୍ଥ ଚାଟାର୍ଜୀଙ୍କ ସହଯୋଗୀ ଅର୍ପିତା ମୁଖାର୍ଜୀଙ୍କ ବିରୁଦ୍ଧରେ ଇଡି ପକ୍ଷରୁ ମାମଲା ଚାଲିଛି ।
ସୋନିଆ- ରାହୁଳ କିମ୍ବା ସଞ୍ଜୟଙ୍କୁ ଯାଞ୍ଚ ପାଇଁ ଡକାଯିବା ବେଳେ କଂଗ୍ରେସ ଏବଂ ଶିବସେନା ଦଳ ପକ୍ଷରୁ ପ୍ରବଳ ବିରୋଧ କରାଯାଇଥିଲା, ଗଣମାଧ୍ୟମରେ ଇଡି ବିରୋଧୀ ବୟାନବାଜି କରାଯାଇଥିଲା, ଲୋକଙ୍କୁ ମେଳ କରାଇ ନାଲିଆଖି ଦେଖାଇବାକୁ ଚେଷ୍ଟା ହୋଇଥିଲା । କଥାରେ ଅଛି ଚୋର ମୁହଁ ସବୁବେଳେ ଟାଣ । ଏକଥା ଇଡିକୁ ଜଣାଅଛି ଏବଂ ଦେଖୁଥିବା ସାଧାରଣ ଜନତାଙ୍କୁ ମଧ୍ୟ ।
ଭାରତୀୟ ସମ୍ବାଦ ସେବା (ଭାସ୍)
ଭୁବନେଶ୍ୱର-୭୫୧୦୦୩