The Independence:Har-Ghar-Tiranga--RSS

 ଦେଶ ହଜାର ବର୍ଷର ପରାଧୀନତାର ଶୃଙ୍ଖଳରୁ ମୁକ୍ତହେବାର ୭୫ବର୍ଷ ପୂର୍ତ୍ତି ପାଳନ କରୁଛି। ସ୍ୱାଭାବିକ ଭାବେ ସ୍ଵାଧୀନତାର ଏ ଅମୃତ ମହୋତ୍ସବ ଦେଶବାସୀଙ୍କ ମନରେ ଉତ୍ସବର ଭାବନା ସୃଷ୍ଟି କରିଛି। ଏ ଅବସରରେ ପ୍ରତ୍ୟେକ ନାଗରିକ, ସାମାଜିକ ଏବଂ ସରକାରୀ ଅନୁଷ୍ଠାନ ଅମୃତ ମହୋତ୍ସବକୁ ନିଜ ନିଜ ବାଟରେ ଭିନ୍ନ ଭିନ୍ନ ଢଙ୍ଗରେ ପାଳନ କରୁଛନ୍ତି ଏବଂ କେନ୍ଦ୍ର ସରକାର ଅନ୍ୟାନ୍ୟ ବହୁବିଧ କାର‌୍ୟ୍ୟକ୍ରମ ସହିତ ପ୍ରତିଘର ତ୍ରିରଙ୍ଗା କାର‌୍ୟ୍ୟକ୍ରମର ଘୋଷଣା କରିଛନ୍ତି।ଦେଶର ପ୍ରତ୍ୟେକ ପରିବାରକୁ ଏ ଅବସରରେ ପ୍ରତ୍ୟେକ୍ଷଭାବେ ଏ ଉତ୍ସବରେ ଯୋଡ଼ିବାପାଇଁ ଏହା ଏକ ଅନନ୍ୟ ଏବଂ ଚମତ୍କାର ଉପକ୍ରମ ଅଟେ।

ସମାନ୍ତରାଳ ଭାବେ ଯେହେତୁ ଏ ସମୟରେ ବିଜେପି କେନ୍ଦ୍ରରେ କ୍ଷମତାସୀନ ଅଛି, ବୈଚାରିକ ଦୃଷ୍ଟିରୁ ଏହାର ମାତୃ ସଙ୍ଗଠନ ରାଷ୍ଟ୍ରୀୟ ସ୍ବୟଂସେବକ ସଙ୍ଘର ତ୍ରିରଙ୍ଗା ପ୍ରତି ସମ୍ମାନକୁ ନେଇ ପ୍ରଶ୍ନ ଉଠେଇବା ସହିତ ପ୍ରତି ଘର ତ୍ରିରଙ୍ଗା ଅଭିଯାନକୁ ସମ୍ପୂର୍ଣ୍ଣ ସଫଳ ନ କରେଇ ଦେବା ପାଇଁ କିଛି ବିରୋଧୀ ରାଜନୈତିକ ଦଳ, ସଂଗଠନ ଏବଂ ହାତ ଗଣତି କିଛି ଆତ୍ମଘୋଷିତ ଓ ପରପୋଷିତ ବୁଦ୍ଧିଜୀବୀ ବିବାଦ ସୃଷ୍ଟି କରିବାକୁ ଅପଚେଷ୍ଟା କରୁଛନ୍ତି।

ଗଣତନ୍ତ୍ରରେ ରାଜନୈତିକ ବିରୋଧୀମାନଙ୍କର ଭୂମିକା ସ୍ପଷ୍ଟ ଏବଂ ଅତ୍ୟାବଶ୍ୟକ। ସରକାରର ନୀତି ଏବଂ କାର‌୍ୟ୍ୟକ୍ରମ ଉପରେ ପ୍ରଶ୍ନ ଠିଆ କରିବା ବିରୋଧୀ ଦଳର କର୍ତ୍ତବ୍ୟ ଅଟେ। କିନ୍ତୁ କିଛି ବିଷୟ ସବୁବେଳେ ବିବାଦରୁ ଊର୍ଦ୍ଧ୍ଵରେ ରହିବା ଗୋଟିଏ ଦେଶର ସ୍ୱାସ୍ଥ୍ୟ ଏବଂ ସଫଳତା ଦୃଷ୍ଟିରୁ ଜରୁରୀ। ଉଦାହରଣ ସ୍ୱରୂପ ଦେଶର ସେନାର ଦେଶପ୍ରେମ ବା ଉତ୍ସର୍ଗୀକୃତ ଭାବନାକୁ ନେଇ ପ୍ରଶ୍ନ ଠିଆ କରିବା ହେଉ ବା ଦେଶର ଅଖଣ୍ଡତା, ସମ୍ବିଧାନ, ସର୍ବୋଚ୍ଚ ନ୍ୟାୟାଳୟର ବିଚାର କିମ୍ବା ରାଷ୍ଟ୍ରଧ୍ଵଜ ତ୍ରିରଙ୍ଗାର ପ୍ରସଙ୍ଗ ହେଉ ଏସବୁ ଦେଶର ଆତ୍ମା ଏବଂ ସଂପ୍ରଭୁତା ଅଟେ। କିନ୍ତୁ ଦୁର୍ଭାଗ୍ୟପୂର୍ଣ୍ଣ ଭାବେ ଦୀର୍ଘଦିନର ଔପନିବେଶର ଛାୟାର ପ୍ରଭାବ ହେଉ ବା ବ୍ରିଟିଶ କାଳରୁ ଚାଲିଆସିଥିବା ଶିକ୍ଷା ବ୍ୟବସ୍ଥାର ପ୍ରଭାବ ହେଉ କିମ୍ବା ଅନ୍ତର୍ଜାତୀୟ ଷଡ଼ଯନ୍ତ୍ରର ଅଂଶ ଵିଶେଷ ଦେଶରେ ଚାଲୁଥିବା ଦେଶ ବିରୋଧୀ ସଂଗଠନମାନଙ୍କ ପ୍ରତ୍ୟକ୍ଷ ବା ପରୋକ୍ଷ ପ୍ରଭାବରେ ଦେଶର ଆତ୍ମା ଏବଂ ସଂପ୍ରଭୁତା ଉପରେ କିଛି ରାଜନୈତିକ ଦଳ, ସଂଗଠନ ବା ବ୍ୟକ୍ତି ବିଭିନ୍ନ ଆଳ ନେଇ ଆକ୍ରମଣ କରିଚାଲିଛନ୍ତି। 

 ତେବେ ବର୍ତ୍ତମାନ ସମୟରେ ରାଷ୍ଟ୍ରୀୟ ସ୍ବୟଂସେବକ ସଙ୍ଘ ଉପରେ ଆକ୍ଷେପ କରାଯାଉଛି ଯେ, ଏହା ତ୍ରିରଙ୍ଗାକୁ ସମ୍ମାନ ଦିଏ ନାହିଁ। ସ୍ୱାଧୀନତାପରେ ୫୨ ବର୍ଷ ପର‌୍ୟ୍ୟନ୍ତ ନିଜ ନାଗପୁର ସ୍ଥିତ ମୁଖ୍ୟାଳୟରେ ତ୍ରିରଙ୍ଗା ଉଡ଼ାଯାଉନଥିଲା। ପୁନଃ ଏହାର ପତ୍ରିକା \'ଅର୍ଗାନାଇଜର\'ରେ ଛପାଯାଇଥିବା ଏକ ପୁରୁଣା ଆର୍ଟିକିଲର ମଧ୍ୟ ଉଦାହରଣ ଦିଆଯାଉଛି, ଯେଉଁଥିରେ ଗୈରିକ ଧ୍ଵଜ ରାଷ୍ଟ୍ରୀୟ ପତାକା ହେବା ଉଚିତ ବୋଲି ଯୁକ୍ତି କରାଯାଇଥିଲା। ପୁଣି କୁହାଯାଉଛି ଯେ, ସଙ୍ଘ କାହିଁକି ଶାଖାରେ ଗୈରିକ ଧ୍ଵଜ ବଦଳରେ ତ୍ରିରଙ୍ଗା ବ୍ୟବହାର କରୁନାହିଁ ?

 ତେବେ ବର୍ତ୍ତମାନ ପ୍ରଶ୍ନ ଏ ତର୍କ ସବୁ କରୁଛି କିଏ ? ଏସବୁର ବାସ୍ତବତା କଣ ? ଏବଂ ଏ ତର୍କ ପଛରେ ଉଦ୍ଦେଶ୍ୟ କଣ ? 

   ବାସ୍ତବରେ ତ୍ରିରଙ୍ଗା ସମେତ ପ୍ରତ୍ୟେକ ରାଷ୍ଟ୍ରୀୟ ପ୍ରତୀକ ଯେଉଁମାନଙ୍କ ପାଇଁ ଆଲର୍ଜି, ଉଗ୍ର ବାମପନ୍ଥୀ ବିଚାର ଦ୍ୱାରା ପ୍ରେରିତ ନକ୍ସଲ ଏବଂ ସେମାନଙ୍କ ସପୋର୍ଟ ସିଷ୍ଟମ ଅର୍ବାନ ନକ୍ସଲମାନେ ସ୍ୱାଭାବିକ ଭାବେ ପ୍ରତି ଘର ତ୍ରିରଙ୍ଗା ଅଭିଯାନକୁ ହଜମ କରିପାରୁନାହାନ୍ତି।ପୁନଃ ସ୍ୱାଧୀନତାର ଅମୃତ ମହୋତ୍ସବ ପାଳନ ଆରମ୍ଭରୁ ଯେଉଁଭଳି ଭାବେ ସ୍ୱାଧୀନତା ସଂଗ୍ରାମରେ ନିଜର ସର୍ବୋଚ୍ଚ ବଳିଦାନ ଦେଇଥିବା ଅନେକ ଲୁକ୍କାୟିତ ସ୍ୱାଧୀନତା ସଂଗ୍ରାମୀ ଏବଂ ଅନାଲୋଚିତ ସ୍ୱାଧୀନତା ସଂଗ୍ରାମର ଇତିହାସ ସାମ୍ନାକୁ ଆସିବାରେ ଲାଗିଛି, ସ୍ୱାଧୀନତା ଆନ୍ଦୋଳନକୁ ନିଜ ପାଟେଣ୍ଟ ଭାବେ ବ୍ୟବହାର କରି, ସମସ୍ତ ସ୍ୱାଧୀନତା ସଂଗ୍ରାମୀଙ୍କ ଭୂମିକାକୁ ଗୌଣ କରି କେବଳ ଗୋଟିଏ ପରିବାର ଏବଂ ପାର୍ଟି ଦ୍ୱାରା ସ୍ୱାଧୀନତା ଆସିଥିଲା ବୋଲି ୭୦ବର୍ଷ ଧରି ଚାଲିଥିବା ମିଛର ଭାଣ୍ଡ ଆଜି ଫାଟିଯାଇଛି। ତେଣୁ ସେମାନେ ଏ ଅବସରରେ ଅସ୍ୱାଭାବିକ ବ୍ୟବହାର କାହିଁକି କରୁଛନ୍ତି ଆମେ ବୁଝିପାରିବା। 

 ତେବେ ବାସ୍ତବରେ କଣ ସଙ୍ଘ ତ୍ରିରଙ୍ଗାକୁ ସମ୍ମାନ ଦିଏ ନାହିଁ ?

 ଦେଶ ସ୍ୱାଧୀନତା ପାଇବାର ଅଳ୍ପଦିନ ହୋଇଥାଏ, ଜନସଙ୍ଘର ନେତା ଶ୍ୟାମା ପ୍ରସାଦ ମୁଖାର୍ଜୀ କାଶ୍ମୀରର ପ୍ରସଙ୍ଗକୁ ନେଇ ଗୋଟିଏ ଦେଶରେ ଗୋଟିଏ ପତାକା(ତ୍ରିରଙ୍ଗା), ଗୋଟିଏ ସମ୍ବିଧାନ ଏବଂ ଜଣେ ପ୍ରଧାନମନ୍ତ୍ରୀ ରହିପାରିବେ ବୋଲି ନାରା ଦେଇ ହାତରେ ତ୍ରିରଙ୍ଗା ନେଇ ସାରା ଦେଶରେ ଜାଗରଣ ସୃଷ୍ଟି କଲେ ଏବଂ ତ୍ରିରଙ୍ଗାର ସମକକ୍ଷ ଅନ୍ୟ କୌଣସି ପତାକା ହୋଇପାରିବ ନାହିଁ ବୋଲି ଯୁକ୍ତି ବାଢ଼ି କାଶ୍ମୀରର ସ୍ୱତନ୍ତ୍ର ପତାକାକୁ ଅପସାରଣ କରିବା ପାଇଁ ଆନ୍ଦୋଳନ କରି ଶେଷରେ ନିଜ ପ୍ରାଣବଳୀ ମଧ୍ୟ ଦେଇଥିଲେ। ପ୍ରଶ୍ନ ଉଠେ ୫୨ ବର୍ଷ ଧରି କାହିଁକି ସଙ୍ଘ ନିଜ କାର‌୍ୟ୍ୟାଳୟରେ ତ୍ରିରଙ୍ଗା ଉଡ଼ାଉ ନଥିଲା। ବାସ୍ତବରେ ୨୦୦୨ ମସିହାରେ ଫ୍ଲାଗ କୋଡ଼ ସଂଶୋଧନ ହେବା ପୂର୍ବରୁ ନିର୍ଦ୍ଦିଷ୍ଟ ସରକାରୀ ସଂସ୍ଥା ଗୁଡ଼ିକରେ ହିଁ ତ୍ରିରଙ୍ଗା ଉଡ଼ି ପାରିବାର ନିୟମ ଥିଲା। ବ୍ୟକ୍ତିଗତ ଭାବେ ବା ବେସରକାରୀ ସଂସ୍ଥା ମଧ୍ୟରୁ କେହି ଏ ପତାକା ଉଡ଼ାଇପାରିବ ଏ ଅନୁମତି ନଥିଲା।୧୯୫୦ ମସିହାରେ ହାତରେ ତ୍ରିରଙ୍ଗା ନେଇ ସରକାର ବିରୁଦ୍ଧରେ ହେଉଥିବା ଆନ୍ଦୋଳନକୁ ସାମ୍ନା ନ କରିବା ପାଇଁ ନେହେରୁ ପ୍ରାରମ୍ଭିକ ନିୟମରେ ସଂଶୋଧନ କରି ଏ ପରିସ୍ଥିତି ତିଆରି କରିଥିଲେ।କୋର୍ଟଙ୍କ ରାୟ ପରେ ୨୦୦୨ ଜାନୁଆରୀ ୨୬ ତାରିଖରେ ଯାଇ ଏ ନିୟମରେ ସଂଶୋଧନ ହୋଇ କାର‌୍ୟ୍ୟକାରୀ ହେଲା  ଏବଂ ବେସରକାରୀ ସଂସ୍ଥାଙ୍କ ସମେତ ପ୍ରତ୍ୟେକ ବ୍ୟକ୍ତି ମଧ୍ୟ ନିଜ ଘର ବା ପରିସରରେ ତ୍ରିରଙ୍ଗା ଉଡ଼ାଇ ପାରିବା ପାଇଁ ଅନୁମତି ମିଳନ୍ତେ ସେହି ତାରିଖଠାରୁ ସଙ୍ଘର ମୁଖ୍ୟ କାର‌୍ୟ୍ୟାଳୟ ନାଗପୁର ଠାରେ ତ୍ରିରଙ୍ଗା ଉଡୁଛି। 

 ପୁନଃ ଅର୍ଗାନାଇଜର ମାଗାଜିନରେ ଛପିଥିବା ଆର୍ଟିକିଲଟି ତତ୍କାଳୀନ ସମୟରେ ସ୍ତମ୍ଭକାରଙ୍କର ବ୍ୟକ୍ତିଗତ ମତ ଅଟେ,ଏବଂ ସେତେବେଳେ ଆମ ରାଷ୍ଟ୍ରୀୟ ପତାକା ଭାବେ ତ୍ରିରଙ୍ଗା ଗୃହୀତ ହୋଇନଥିଲା। ପରାଧିନ ଭାରତରେ ଦେଶର ରାଷ୍ଟ୍ରୀୟ ପ୍ରତାକା ସ୍ଥିର କରିବାପାଇଁ ଏକ ଫ୍ଲାଗ କମିଟି ତିଆରି ହୋଇଥିଲା। ରାଜେନ୍ଦ୍ର ପ୍ରସାଦ ଏବଂ ମୌଲାନା ଆଜାଦଙ୍କ ଭଳି ନେତା ଏ କମିଟିର ନେତୃତ୍ୱ ନେଉଥିଲେ। କମିଟିର ପ୍ରସ୍ତାବ ଅନୁସାରେ ଗୈରିକ ପତାକା ଏକ ନମ୍ବର ପସନ୍ଦ ଭାବେ ଏବଂ ତ୍ରିରଙ୍ଗା (ଅଶୋକ ଚକ୍ର ବଦଳରେ ଚରଖା ମଝିରେ ଥିଲା)  ସେ ସୂଚୀର ୫ମରେ ଥିଲା।ପରବର୍ତ୍ତୀ ସମୟରେ ସ୍ୱାଧୀନ ଭାରତରେ ତ୍ରିରଙ୍ଗାକୁ ରାଷ୍ଟ୍ରୀୟ ପତାକା ଭାବେ ସ୍ୱୀକୃତୀ ମିଳିଲା ପୁନଃ ଚରଖା ବଦଳରେ ଅଶୋକଚକ୍ରକୁ ସ୍ଥାନୀତ କରାଗଲା।ଏହା ସ୍ପଷ୍ଟ ଯେ\',ତ୍ରିରଙ୍ଗା ରାଷ୍ଟ୍ରୀୟ ପତାକା ହେବା ଆଗରୁ ପତାକା କେଉଁଟି ହେବା ଉଚିତ ତାକୁ ନେଇ ଭିନ୍ନ ଭିନ୍ନ ମତ ଥିଲା ଏବଂ ନିଜେ ଗାନ୍ଧିଜୀ ଜାତୀୟ ପତାକାରେ ବ୍ରିଟିସର ୟୁନିଅନ ଜ୍ୟାକ ଓ ଚରଖା ରଖିବା ସପକ୍ଷରେ ଥିଲେ।

 ତେଣୁ ଜାତୀୟ ପତାକା ସ୍ଥିରୀକୃତ ହେବା ଆଗରୁ କେହି ଗୈରିକ ପତାକାକୁ ରାଷ୍ଟ୍ରୀୟ ପତାକା କରିବା ସପକ୍ଷରେ(ଯେଉଁଟି ଫ୍ଲାଗ କମିଟି ମଧ୍ୟ ନିଜ ସୂଚୀରେ ୧ନମ୍ବର କ୍ରମାଙ୍କରେ ରଖିଥିଲେ) ଆର୍ଟିକିଲ ଲେଖିବା ଏବଂ ତାକୁ ଅର୍ଗାନାଇଜରରେ ଛପିବା ପାଇଁ ସୁଯୋଗ ଦେବା କିପରି ସଙ୍ଘର ଜାତୀୟ ପତାକା ପ୍ରତି ସମ୍ମାନ ନାହିଁ ବୋଲି ପ୍ରମାଣିତ କରୁଛି ? ପରନ୍ତୁ ଯେବେଠାରୁ ତ୍ରିରଙ୍ଗା ଜାତୀୟ ପତାକା ଭାବେ ସ୍ୱୀକୃତ ହୋଇଛି, ତ୍ରିରଙ୍ଗା ପାଇଁ ବଳିଦାନ ଦେଇଥିବା ସଙ୍ଘର କାର‌୍ୟ୍ୟକର୍ତ୍ତା ମାନଙ୍କର ସଂଖ୍ୟା ଅନେକ। କେବଳ ଜନସଙ୍ଘର ସଭାପତି ଶ୍ୟାମା ପ୍ରସାଦ ମୁଖାର୍ଜୀ ନୁହନ୍ତି, କାଶ୍ମୀରରେ ଅନେକ ଦେଶଭକ୍ତ ସ୍ୱୟଂସେବକ ଆତଙ୍କବାଦୀଙ୍କ ଦ୍ଵାରା ହତ୍ୟା ହୋଇଛନ୍ତି ତ୍ରିରଙ୍ଗା ଉଡ଼େଇବା ପାଇଁ।୮୦ ଦଶକରେ ଆନ୍ଧ୍ରପ୍ରଦେଶର କାକତିଆ ବିଶ୍ୱବିଦ୍ୟାଳୟରେ ନକ୍ସଲମାନଙ୍କ ତ୍ରିରଙ୍ଗା ନ ଉତ୍ତୋଳନ କରିବାର ଧମକକୁ ଖାତିର ନକରି କ୍ୟାମ୍ପସ ପରିସରରେ ସ୍ବାଧୀନତା ଦିବସରେ ଜାତୀୟ ପତାକା ଉଡ଼ାଇ ସେମାନଙ୍କ ବନ୍ଧୁକ ଗୁଳିରେ ଏବିଭିପିର ଛାତ୍ରନେତା ଶ୍ୟାମା ଜଗନ୍ ମୋହନ ରେଡ୍ଡୀ ଘଟଣା ସ୍ଥଳରେ ଉଗ୍ରବାଦୀ ବାମପନ୍ଥୀ ନକ୍ସଲଙ୍କ ହାତରେ ନିଜ ପ୍ରାଣବଳୀ ଦେଇଛନ୍ତି। ଗୋଆ ମୁକ୍ତି ଆନ୍ଦୋଳନ ଠାରୁ ଉତ୍ତରପୂର୍ବରେ ଗୋଟିଏ ସମୟରେ ଶିଖରରେ ଥିବା ଇମର୍ଜେନସି ମୁଭମେଣ୍ଟ ବିରୁଦ୍ଧରେ ତ୍ରିରଙ୍ଗା ପାଇଁ ଲଢ଼େଇ କରି ନିଜ ପ୍ରାଣବଳୀ ଦେଇଥିବା ସଙ୍ଘର ସ୍ୱୟଂସେବକ ମାନଙ୍କର ଏ ଭଳି ଅନେକ ଉଦାହରଣ ସାରା ଦେଶରେ ଅଛି। ନବେ ଦଶକ ପ୍ରାରମ୍ଭରେ ଶ୍ରୀନଗର ଲାଲଚୌକଠାରେ ବିଚ୍ଛିନ୍ନତାବାଦୀମାନଙ୍କ ଦ୍ୱାରା ତ୍ରିରଙ୍ଗାକୁ ପୋଡ଼ାଯିବା ପରେ ନିଜ ଜୀବନକୁ ବାଜିଲଗାଇ ଏବିଭିପି ଏବଂ ବିଜେପିର \'ଯେଉଁଠି ହେଇଚି ତ୍ରିରଙ୍ଗାର ଅପମାନ ସେଇଠି କରିବୁ ତାହାର ସମ୍ମାନ\'ର ନାରା ଦେଇ ତ୍ରିରଙ୍ଗା ଯାତ୍ରା କରି ଅନେକ କାର‌୍ୟ୍ୟକର୍ତ୍ତା ଗିରଫ ମଧ୍ୟ ହୋଇଛନ୍ତି। ଆମ ଓଡ଼ିଶାରେ ମଧ୍ୟ ରାଷ୍ଟ୍ରୀୟ ସ୍ତରରେ ବାକ୍ ସ୍ବାଧୀନତାକୁ ନେଇ ୨୦୧୬ରେ ବିତର୍କ ସୃଷ୍ଟି ହେବା ପରେ ଉତ୍କଳ ୟୁନିଭରସିଟି ଆଇନ ମହାବିଦ୍ୟାଳୟ ଠାରୁ ଆରମ୍ଭ କରି ରେଭେନ୍ସା, କିଟ, ଉତ୍କଳ, ସମ୍ବଲପୁର ଆଦି ଅନେକ ବିଶ୍ୱବିଦ୍ୟାଳୟ ଏବଂ ମହାବିଦ୍ୟାଳୟମାନଙ୍କରେ ଏବିଭିପିର ଆନ୍ଦୋଳନ ଏବଂ ପ୍ରୟାସ ଦ୍ୱାରା ଆଜି ୨୪ ଘଣ୍ଟିଆ ତ୍ରିରଙ୍ଗା ଉଡୁଛି। ଆଉ ରାଷ୍ଟ୍ରୀୟ ସ୍ୱୟଂସେବକ ସଙ୍ଘ ଉପରେ ଆଜି ପ୍ରଶ୍ନ କିଏ ଉଠାଉଛି ? ସେହି ଗୋଷ୍ଠୀ ଉଠାଉଛନ୍ତି ଯେଉଁମାନେ ନକ୍ସଲମାନେ ଉପାନ୍ତଞ୍ଚଳରେ ତ୍ରିରଙ୍ଗା ବଦଳରେ କଳା ପତାକା ଉଡ଼ାଇଲେ ସହରରେ ବସି ତାକୁ ଭିନ୍ନ ଭିନ୍ନ ଯୁକ୍ତି ଉପସ୍ଥାପନ କରି ଠିକ୍ ସାବ୍ୟସ୍ତ କରିବାରେ ଲାଗି ପଡ଼ନ୍ତି। 

 ସେହିପରି ସଙ୍ଘ ନିଜ ଶାଖାରେ ତ୍ରିରଙ୍ଗା ନ ଉଡ଼ାଇ କାହିଁକି ଗୈରିକ ଧ୍ଵଜ ଉଡ଼ାଉଛି ? କାରଣ ଗୈରିକ ଧ୍ଵଜ ସଙ୍ଘର ଚିହ୍ନ ମାତ୍ର ନୁହେଁ ପରନ୍ତୁ ଗୁରୁ ଅଟନ୍ତି। ସଙ୍ଘ ଗୈରିକ ଧ୍ଵଜକୁ ଗୁରୁ ଏଥିପାଇଁ ସ୍ବୀକାର କରିଛି କାରଣ ଆମ ଦେଶର ମହାଭାରତ କାଳରୁ ଆରମ୍ଭ କରି ଶିବାଜୀ ଗୁରୁ ଗୋବିନ୍ଦ ସିଂହଙ୍କ ଯୁଦ୍ଧ ପର‌୍ୟ୍ୟନ୍ତ ଏହି ପତାକା ହିଁ ଭାରତର ଇତିହାସକୁ ଦେଖିଛି। ଭଗତ ସିଂ ମଧ୍ୟ କାରାଗାରରେ ଫାଶୀ ଆଗରୁ \'ରଙ୍ଗ ଦେ ବସନ୍ତି(ଗୈରିକ ରଙ୍ଗ) ଚୋଲା\' ଗୀତ ଗାଉଥିଲେ। ଏଣୁ ନିଜ ଗୁରୁଙ୍କ ସାମ୍ନାରେ ସାଧନା କରିବା ସଂଗଠନର ନିଜସ୍ୱ ବିଶେଷତା।ସେଥିରେ ତ୍ରିରଙ୍ଗାକୁ ଅସମ୍ମାନର ପ୍ରସଙ୍ଗ ଆସିଲା କେଉଁଠୁ ? 

 ପୁନଃ ଏହା ମଧ୍ୟରେ ପ୍ରଧାନମନ୍ତ୍ରୀ ସୋସିଆଲ ମିଡ଼ିଆରେ ନିଜ ଡିପି ବା ପ୍ରୋଫାଇଲ ଫୋଟ ପରିବର୍ତ୍ତନ କରି ତ୍ରିରଙ୍ଗା ରଖିବାର ଅନ୍ୟ ଏକ ଆହ୍ୱାନ ଦେଇଥିଲେ। ଏହାକୁ ମଧ୍ୟ ଭିଡ଼ି ଟାଣି ବିବାଦ ଠିଆ କରିବାର ଏକ ପ୍ରୟାସ ଉକ୍ତ ଗୋଷ୍ଠୀଙ୍କଦ୍ୱାରା ଆରମ୍ଭ ହୋଇଯାଇଛି। ସଙ୍ଘର ଆନୁଷ୍ଠାନିକ ଟ୍ୱିଟର ହ୍ୟାଣ୍ଡେଲର ଡିପି କାହିଁକି ତ୍ରିରଙ୍ଗା ହେଲା ନାହିଁ ? ସରସଂଘଚାଳକ ମୋହନ ଭାଗବତଙ୍କର ଡିପି କାହିଁକି ବଦଳି ନାହିଁ ? ଇତ୍ୟାଦି ଇତ୍ୟାଦି। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ଏ ପ୍ରଶ୍ନ ଉଠାଉଥିବା ସଂଗଠନ ଏବଂ ବ୍ୟକ୍ତିମାନେ ନିଜ ଡିପି ପରିବର୍ତ୍ତନ କରି ତ୍ରିରଙ୍ଗା ରଖିନାହାନ୍ତି। କିନ୍ତୁ ସଙ୍ଘକୁ ଅଯଥା ପ୍ରଶ୍ନ କରି ଭ୍ରମ ତିଆରି କରିବା ନିଜର ଏକ ମାତ୍ର କର୍ତ୍ତବ୍ୟ ରୂପରେ ଗ୍ରହଣ କରିଛନ୍ତି।ସୁତରାଂ ସଙ୍ଘ ଏକ ବର୍ଷ ପୂର୍ବରୁ ଅମୃତ ମହୋତ୍ସବ ପାଇଁ ନିଜର ପ୍ରସ୍ତୁତି ଏବଂ କାର‌୍ୟ୍ୟକ୍ରମମାନ ସ୍ଥିର କରିଛି। ନିଜ ଯୋଜନା ଅନୁସାରେ ସଂଘ ଅନେକ କାର‌୍ୟ୍ୟକ୍ରମ ସମାନ୍ତରାଳ ଭାବେ ଜାରିରଖିଛି। ତେବେ ସଙ୍ଘର ଅନେକ ବରିଷ୍ଠ କାର‌୍ୟ୍ୟକର୍ତ୍ତା ମଧ୍ୟ ନିଜ ଡିପି ପରିବର୍ତ୍ତନ କରି ତ୍ରିରଙ୍ଗା ରଖିଛନ୍ତି।ତେବେ ଡିପି ପରିବର୍ତ୍ତନ କରିବା ଯେ, ପ୍ରଧାନମନ୍ତ୍ରୀଙ୍କର ଏକ ଆହ୍ୱାନ ମାତ୍ର କୌଣସି ସରକାରୀ ଫର୍ମାନ ନୁହେଁ।ତେଣୁ ଯିଏ ଏ ଆହ୍ୱାନ ସହ ଯୋଡ଼ି ହେବାକୁ ଚାହିଁବ ତାକୁ କାହାର ମଧ୍ୟ ଛିଗୁଳେଇବାର ନୈତିକ ଅଧିକାର ନାହିଁ କିମ୍ବା ଡିପି ପରିବର୍ତ୍ତନ ନ କଲେ ଜଣେ ଅପରାଧୀ ଭାବେ ପରିଗଣିତ ହେବନାହିଁ। ବାସ୍ତବରେ ଡିପି ପରିବର୍ତ୍ତନ ନ କରିବା ବା ତ୍ରିରଙ୍ଗା ନିଜ ଘରେ ନ ଉଡ଼େଇବା ଦ୍ୱାରା କେହି ଦେଶଦ୍ରୋହୀ ଭାବେ ପରିଗଣିତ ହେବେନି, କିନ୍ତୁ ପତାକା ଲଗାଇବା ଦ୍ୱାରା କ\'ଣ ଦେଶର ଏ ସମସ୍ୟା ଦୂର ହୋଇଯିବ!କ\'ଣ ସେ ସମସ୍ୟା ଦୂର ହୋଇଯିବ!ଆଦି ବିଭ୍ରାନ୍ତିକର ଯୁକ୍ତି ଉପସ୍ଥାପନ କରି ଘରେ ବା ଡିପିରେ ପତାକା ଲଗେଇବାକୁ ବାରଣ କରୁଥିବା ଲୋକ ତ ନିହାତି ଭାବେ ଦେଶଦ୍ରୋହୀ ଭାବେ ପରିଗଣିତ ହେବେ ଏଥିରେ ଦ୍ବିମତ ନାହିଁ।

 ପୁନଃ କୁହାଯାଉଛି ଦେଶ ସ୍ୱାଧୀନ ହେବାର ୭୫ ବର୍ଷରେ ଦେଶର ବିକାଶ, ଗରିବି ଆଦି ଅନେକ ପ୍ରସଙ୍ଗକୁ ଆଲୋଚନା କରାଯିବା କଣ ଉଚିତ ନୁହେଁ ? କିଏ ମନା କରିଛି ବା ରୋକିଛି ସେ ସମାଲୋଚନା ବା ସମୀକ୍ଷା ପାଇଁ ?କିନ୍ତୁ ସେ ସମୀକ୍ଷା ପାଇଁ ଯେ ତ୍ରିରଙ୍ଗା ଅଭିଯାନକୁ ବିରୋଧ କରିବା ଆବଶ୍ୟକ, ଏହା କି ପ୍ରକାର ମାନସିକତା ?

 ଅଭିଳାଷ ପଣ୍ଡା

ଆଇନଜୀବି , କଣ୍ଟିଲୋ, ନୟାଗଡ଼

୯୮୬୧୫୧୮୦୩୭

Author Image

Abhilash Panda

Recent Posts

The Independence:If-the-BJP-government-is-formed-in-Odisha-drinking-water-problem-will-be-solved-as-a-priority-Bhatrahari-Mahatab

ଓଡ଼ିଶାରେ ବିଜେପି ସରକାର ଗଠନ କଲେ ଅଗ୍ରାଧିକାର ଭିତିରେ ପାନୀୟ ଜଳ ସମସ୍ୟାର ସମାଧାନ କରାଯିବ: ଭତୃହରି ମହତାବ

The Independence:Odisha-Cow-Slaughtering

Odisha : ଗୋ ମାଂସ ବୋଝେଇ ଟ୍ରକ ଜବତ

The Independence:Jagannath-Temple-Odisha-Mumbai

ଓଡିଶା ବାହାରେ ମହାପ୍ରଭୁ ଜଗନ୍ନାଥ ସଂସ୍କୃତିର ପ୍ରଚାର ପ୍ରସାର

The Independence:Modi-Government-9-Years-Seva-Susasan-Garib-Kalyana

ନ’ ବର୍ଷର ସୁଶାସନ

The Independence:Rath-Yatra-2023-Lakhs-of-devotees-witness-Suna-Besha-of-Holy-Trinity-in-Puri

ଶ୍ରୀକ୍ଷେତ୍ରରେ ରଥାରୁଢ଼ ଶ୍ରୀଜୀଉଙ୍କ ସୁନାବେଶ, ମହଣ ମହଣ ସୁନା ଅଳଙ୍କାରରେ ସଜ୍ଜିତ ତିନି ଠାକୁର

The Independence:Puri-Ratha-Jatra-2023-Jay-Jagannath

ଶରଧାବାଲିରେ ଲାଗିଲା ତିନି ଠାକୁରଙ୍କ ତିନି ରଥ

The Independence:Ratha-Jatra-2023-ନୀଳାଦ୍ରିବିଜେରେ-ନୀଳକନ୍ଦରକୁ-ଫେରନ୍ତି-ନୀଳାଦ୍ରିନାଥ-ସରେ-ଜନ୍ମବେଦି-ଲୀଳା

Ratha Jatra 2023: ନୀଳାଦ୍ରିବିଜେରେ ନୀଳକନ୍ଦରକୁ ଫେରନ୍ତି ନୀଳାଦ୍ରିନାଥ; ସରେ ଜନ୍ମବେଦି ଲୀଳା

The Independence:Jagannath-Temple-Rath-Jatra

ଏକାବନ ଦିନରେ ଚଳଚଞ୍ଚଳ ରଥଖଳା

The Independence:ପ୍ରେମିକାକୁ-ଛୁରୀ-ଭୁଷିଲା-ପଥରରେ-ଛେଚି-ମୁହଁ-ନଷ୍ଟ-କଲା-ଜହ୍ଲାଦ-ପ୍ରେମିକ-ସାହିଲ-ଖାଁ

ପ୍ରେମିକାକୁ ଛୁରୀ ଭୁଷିଲା, ପଥରରେ ଛେଚି ମୁହଁ ନଷ୍ଟ କଲା ଜହ୍ଲାଦ ପ୍ରେମିକ ସାହିଲ ଖାଁ

The Independence:Land-Jihad-Dwarka

ଜମି ଜିହାଦର ଅନ୍ୟନାମ ଦ୍ୱାରକା

The Independence:Odisha-cant-make-progress-with-Shashikala-syndrome-Dharmendra

‘ଶଶୀକଳା ସିଣ୍ଡ୍ରୋମ’ କହିବାରୁ ସରକାରଙ୍କୁ ବାଧିଲା: ଧର୍ମେନ୍ଦ୍ର

The Independence:Land-Jihad-Love-Jihad-Jameen-Jihad-in-Odisha

ରାଜ୍ୟରେ ବଢ଼ୁଛି ଜିହାଦୀଙ୍କ ସଂଖ୍ୟା !

The Independence:The-Kerala-Story-Official-Trailer--Vipul-Amrutlal-Shah--Sudipto-Sen--Adah-Sharma--Aashin-A-Shah

The Kerala Story Official Trailer | Vipul Amrutlal Shah | Sudipto Sen | Adah Sharma | Aashin A Shah

The Independence:Guddu-Muslim-Odisha-Link-BJD

ଗୁଡ୍ଡୁ ମୁସଲମାନର ଖାସ୍, ବିଜେଡି ବିଧାୟକଙ୍କ ରାଇଟହାଣ୍ଡ

The Independence:important-files-of-the-jagannath-temple-administration-have-gone-missing

ଗାଏବ ହେଲା ଜଗନ୍ନାଥ ମନ୍ଦିର ପ୍ରଶାସନର ଗୁରୁତ୍ଵପୂର୍ଣ୍ଣ ଫାଇଲ

The Independence:Debacle-in-American-Banking-System

ଆମେରିକାର ବ୍ୟାଙ୍କିଂ ବ୍ୟବସ୍ଥାରେ ବିପର୍ଯ୍ୟୟ

The Independence:palghar-sadhu-lynching-case-to-be-investigated-by-cbi

ପାଲଘର ସାଧୁହତ୍ୟା ମାମଲାର ହେବ ସିବିଆଇ ତଦନ୍ତ

The Independence:Mix-Mandate-in-USA-Joe-Biden

ଆମେରିକାରେ ମିଶ୍ରିତ ଜନମତ

The Independence:Jayshankar-in-Fiji

ଫିଜିରେ ବିଜି ଜୟଶଙ୍କର

The Independence:Women-Freedom-Fighters-of-India-Name-List-and-Their-Roles

ଭାରତର ମହାନ ମହିଳା ସ୍ୱାଧୀନତା ସଂଗ୍ରାମୀମାନେ ଯାହାଙ୍କୁ ଇତିହାସକାରମାନେ ଭୁଲି ଯାଇଥିଲେ

The Independence:Dharmendra-Seeks-Centres-Intervention-For-Protection-Of-Archaeological-Assets-In-Odisha

ଓଡ଼ିଶାରେ ଅସୁରକ୍ଷିତ ଶିଶୁପାଳ ଗଡ଼ ଓ ଲଳିତଗିରି ପରି ଐତିହ୍ୟ କୀର୍ତ୍ତିରାଜି

The Independence:ଶ୍ରୀମନ୍ଦିରର-ପ୍ରସିଦ୍ଧ-ଦୋଳଯାତ୍ରା

ଶ୍ରୀମନ୍ଦିରର ପ୍ରସିଦ୍ଧ ଦୋଳଯାତ୍ରା

The Independence:Young-writer-Om-Priyadarshis-book-on-Paika-movement-released

ଉନ୍ମୋଚିତ ହେଲା ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ଚୟନିତ ଓମ୍ ପ୍ରିୟଦର୍ଶୀଙ୍କ ପୁସ୍ତକ "ପାଇକ: ଜନ, ଆଖ୍ୟାନ ଓ ଆନ୍ଦୋଳନ"

The Independence:Baijayanta-Panda-listens-Man-Ki-Baat-Programme-at-Bhawanipatna

ଭବାନୀପାଟଣା “ମନ୍‌ କି ବାତ୍‌” କାର୍ଯ୍ୟକ୍ରମରେ ବୈଜୟନ୍ତ ପଣ୍ଡା

The Independence:ଜର୍ଜ-ସୋରୋସଙ୍କ--ନେଟୱର୍କ-ଓ-କଣ୍ଢେଇ-ମାନଙ୍କୁ-ଚିହ୍ନଟ--ଜରୁରୀ

ଜର୍ଜ ସୋରୋସଙ୍କ ନେଟୱର୍କ ଓ କଣ୍ଢେଇ ମାନଙ୍କୁ ଚିହ୍ନଟ ଜରୁରୀ