ଆମେ ଏକ ଏମିତି ସମୟ ଦେଇଯାଉଛେ ଯେ ଦେଶରେ ସବୁବେଳେ କିଛି ନା କିଛି ଏମିତି ପ୍ରସଙ୍ଗରେ ଚର୍ଚ୍ଚା, ବିବାଦ ହେଉଛି ଯାହାର କିଛି ପ୍ରାସଙ୍ଗିକତା ବା ଯର୍ଥାଥତା ନାହିଁ । ଅନାବଶ୍ୟକ ବିଷୟରେ ବିବାଦ ଏତେ ବଢିଯାଉଛି ଯେ ଏହା ଦେଶର ସଂହତି, ଏକତା, ସାମ୍ପ୍ରଦାୟୀକ ସଦଭାବନା ଉପରେ ପ୍ରଭାବ ପକାଉଛି ଯାହା ଭାରତ ଭଳି ବିବିଧତା ସର୍ମ୍ପନ୍ନ ଦେଶ ପାଇଁ ଆଦୌ ଶୁଭଙ୍କର ନୁହେଁ । କର୍ଣ୍ଣାଟକରେ ହିଜାବକୁ ନେଇ ସୃଷ୍ଟି ହୋଇଥିବା ବିବାଦ ଏବେ ଥମିବାର ନାଁ ଧରୁନି । ଏହି ପ୍ରସଙ୍ଗ ପ୍ରଥମେ ଗୋଟିଏ କଲେଜ କ୍ୟାମ୍ପସରୁ ଯାଇ ବିଭିନ୍ନ ରାଜ୍ୟରେ ପହଂଚିଗଲାଣି । କର୍ଣ୍ଣାଟକ ହାଇକୋର୍ଟରେ ଏନେଇ ଆଗତ ହୋଇଥିବା ମାମଲାର ଶୁଣାଣିରେ ମୁଖ୍ୟ ବିଚାରପତି ଏହି ମାମଲାରେ ଏକପ୍ରକାର ଯଥାସ୍ଥିତି ଲଗାଇ ଶୁଣାଣୀକୁ ଘୁଂଚାଇଛନ୍ତି ।
ହେଲେ ଏହା ଦ୍ୱାରା ଭାରତୀୟ ସମାଜର କଣ ଲାଭ ହେଉଛି, ଦେଶର ଜନତାଙ୍କର କଣ ଲାଭ ହେଉଛି? ଏଭଳି ଅଯଥା ବିବାଦରେ ଅଦାଲତର ସମୟ ନଷ୍ଟ ହେଉଛି, ଦେଶରେ ସଦଭାବନା ନଷ୍ଟ ହେଉଛି, ଛୋଟ ପିଲାମାନଙ୍କମନରେ ଅଯଥା ସାମ୍ପ୍ରଦାୟୀକ ଉନ୍ମାଦନା ବୃଦ୍ଧିପାଉଛି ଓ ସବୁଠାରୁ ବଡ କଷ୍ଟର କଥା ଯେ ପିଲାଙ୍କ ପଢାବି ନଷ୍ଟ ହେଉଛି ।
କର୍ଣ୍ଣାଟକରେ ସରକାର ତିନି ଦିନ ସ୍କୁଲ କଲେଜ ବନ୍ଦ କଲେ । କରୋନା ପାଇଁ ଯେତେବେଳେ ମାସ ମାସ ସ୍କୁଲ, କଲେଜ ବନ୍ଦ ରହିଲା, ପିଲାମାନେ ପାଠ ପଢିପାରିଲେ ନାହିଁ ସେହି ସମୟରେ ପରୀକ୍ଷାର ୨ ମାସ ଆଗରୁ ପୁଣି କୌଣସି ଅଯଥା ପ୍ରସଙ୍ଗରେ ସ୍କୁଲ ବନ୍ଦ ହେବା ଏକ ଅଭାବନୀୟ କଥା ।
ସାରା ବିଶ୍ୱରେ ପ୍ରାୟ ସମସ୍ତ ଦେଶରେ ସ୍କୁଲ ଓ କଲେଜରେ ୟୁନିଫର୍ମ ପିନ୍ଧିବାର ନିୟମ ରହିଛି । ଭାରତରେ ବି ସମସ୍ତ ରାଜ୍ୟରେ ସ୍କୁଲ, କଲେଜରେ ୟୁନିଫର୍ମ ବାଧ୍ୟତାମୁଳକ କରାଯାଇଛି । ଏହାର ବହୁତ ଲାଭ ରହିଛି । ଧନୀ, ଗରିବ, ଜାତି, ଧର୍ମକୁ କୌଣସି ବାଛ ବିଚାର ଛାତ୍ରଛାତ୍ରୀଙ୍କ ମନରେ ନହେବା ପାଇଁ ଏପରି ପରିକଳ୍ପନା କରାଯାଇଛି । କୌଣସି ସର୍ବସାଧାରଣ ଶୀକ୍ଷାନୁଷ୍ଠାନରେ ଯଦି ଧର୍ମ ଆଧାରରେ ପୋଷାକ ପିନ୍ଧିବାକୁ ଅନୁମତି ଦିଆଯାଏ ତାହେଲେ ଥରେ ଭାବିବା ଆବଶ୍ୟକ ଏହାର ପ୍ରଭାବ ଶୀକ୍ଷାନୁଷ୍ଠାନ ଓ ଛାତ୍ରଛାତ୍ରୀଙ୍କ ଉପରେ କଣ ହେବ? ପିଲାମାନଙ୍କ ଭିତରେ ସମ୍ପ୍ରଦାୟକୁ ନେଇ ଏକ ନୁଆ ଗୋଷ୍ଠିବାଦ ତିଆରି ହେବ । ଗୋଟିଏ ସମ୍ପ୍ରଦାୟର ପିଲା ଅନ୍ୟ ସମ୍ପ୍ରଦାୟର ପିଲାଙ୍କୁ ଅଲଗା ବୋଲି ଭାବିବେ, କ୍ଲାସରେ ଅଲଗା ବସିବେ ଇତ୍ୟାଦି ଇତ୍ୟାଦି । ୟୁନିଫର୍ମ ପୋଷାକକୁ ଆପଣାବା ପଛରେ ଏହାହିଁ ଉଦ୍ଦେଶ ଥିଲା ଯେ ଶୀକ୍ଷାନୁଷ୍ଠାନରେ ଭେଦଭାବ ନରହୁ ।
ସ୍କୁଲରେ ପାଠପଢା ହେବ ନା ଧାର୍ମୀକ ଉନ୍ମାଦନା ଚାଲିବ? ହିଜାବକୁ ନେଇ ଯେଉଁ ବିବାଦ ଏବେ ଚାଲିଛି ତାହା କେଉଁ ପୋଷାକଗତ ଆବଶ୍ୟକତା ବା ମହିଳାଙ୍କ ଶାଳୀନତା ସମ୍ବଦ୍ଧୀୟ ସମସ୍ୟା ନୁହେଁ । କାରଣ ଯେଉଁ କଲେଜରେ ଏହି ବିବାଦ ଆରମ୍ଭ ହୋଇଛି ତାହା ଏକ ମହିଳା କଲେଜ, ସେଠାରେ କେବଳ ଝିଅମାନେ ପଢୁଛନ୍ତି । ଯେଉଁ ଆବେଦନ ଅଦଲାତରେ ହୋଇଛି ସେଥିରେ ଆବେଦନକାରୀମାନଙ୍କର ପ୍ରଥମ ବିନ୍ଦୁ ହେଉଛି ଯେଏହା ସେମାନଙ୍କର ଧାର୍ମୀକ ଅଧିକାର ।