ଏବେ କେନ୍ଦ୍ର ସରକାର ଆଣୁଥିବା ଆଇଏସ କ୍ୟାଡର ନିୟମରେ ସଂଶୋଧନକୁ ନେଇ ଦେଶରେ ଅନେକ ଅଣବିଜେପି ଶାସିତ ରାଜ୍ୟମାନେ ଏହା ବିରୋଧରେ ଅସନ୍ତୋଷ ଦେଖାଇଲେଣି । ଏବେ ଏବେ ଓଡିଶା ସରକାର ସେହି ନିଷ୍ପତି ବିରୋଧରେ ସାମିଲ ହୋଇଛନ୍ତି । ଅବଶ୍ୟ ମୁଖ୍ୟ ଶାସନ ସଚିବ କହିଛନ୍ତି ଯେ ସେମାନେ କେନ୍ଦ୍ର ସରକାରଙ୍କୁ ଚିଠି ଲେଖିଛନ୍ତି ବୋଲି କିନ୍ତୁ ଗଣମାଧ୍ୟମକୁ ଚିଠି ଦେଲେନାହିଁ । ଯେଉଁ ଅଣବିଜେପି ରାଜ୍ୟରେ ସରକାରମାନେ ଏହା ବିରୋଧରେ ମୋର୍ଚ୍ଚା ଖୋଲିଛନ୍ତି ସେମାନେ ମୁଖ୍ୟତଃ ଚିନ୍ତାରେ ଯେ ସେମାନଙ୍କର ପସନ୍ଦର ଆଇଏସ ଅଧୀକାରିମାନଙ୍କୁ କେନ୍ଦ୍ର ସରକାର ଡେପୁଟେସନରେ ନେଇଯିବେ ।
ଓଡିଶା ସରକାରଙ୍କର ବି ସେହି ଚିନ୍ତା । ସାଧାରଣରେ ଓଡିଶା ସରକାରଙ୍କ ବିରୋଧରେ ଅଭିଯୋଗ ଆସେ ଯେ ଆଇଏସ ଅଫିସରମାନେ ହେଉଛନ୍ତି ମୁଖ୍ୟମନ୍ତ୍ରୀଙ୍କର ବେଶି ବିଶ୍ୱାସଯୋଗ୍ୟ । ମୁଖ୍ୟମନ୍ତ୍ରୀ ସରକାର ଚଲାନ୍ତି ଅଫିସରମାନଙ୍କୁ ନେଇ । ମନ୍ତ୍ରୀମାନଙ୍କୁ ଗୁରୁତ୍ୱ ଦିଅନ୍ତି ନାହିଁ । ମୁଖ୍ୟମନ୍ତ୍ରୀଙ୍କର ସମସ୍ତ ସଭାରେ ତାଙ୍କର ବ୍ୟକ୍ତିଗତ ଅଫିସର ଭିକେ ପାଣ୍ଡିଆନଙ୍କୁ ଦେଖିବାକୁ ମିଳେ ତାଙ୍କର ଅତି ନିକଟରେ ।
ବିଜେଡିର ଅନେକ ପୁର୍ବତନ ମନ୍ତ୍ରୀ ଖୋଲାଖୋଲି ଗଣମାଧ୍ୟମରେ କହିଛନ୍ତି ଯେ ଭିକେ ପାଣ୍ଡିଆନ ସରକାର ଚଲାନ୍ତି ବୋଲି । ଏଭଳି ସ୍ଥିତିରେ ଯଦି କେନ୍ଦ୍ର ସରକାର ନୁଆ ନିୟମ ଆଣନ୍ତି ସେଭଳି ସ୍ଥିତିରେ ଯଦି ଭିକେ ପାଣ୍ଡିଆନଙ୍କୁ କେନ୍ଦ୍ର ସରକାର ଡେପୁଟେସନରେ ନେଇଯିବେ ତାହାଲେ ମୁଖ୍ୟମନ୍ତ୍ରୀ ସରକାର ଚଲାଇବେ କେମିତି ? କିନ୍ତୁ କେନ୍ଦ୍ର ସରକାରଙ୍କର ସେହି ନିୟମରେ ବିଜେଡିର କିଛି ବରିଷ୍ଠ ନେତାମାନେ ଭାରି ଖୁସି । ସେମାନେ ଭାବୁଛନ୍ତି ଯେ ଏହି ନିୟମ ଲାଗୁହୋଇଗଲେ ରାଜ୍ୟରେ ଅଫିସର ରାଜ ସରିଯିବ । କିଛି ଅଫିସରଙ୍କ ମନମାନୀ ଉପରେ ଅଙ୍କୁଶ ଲାଗିପାରିବ ।
ଦେଖାଯାଉ ଆଗକୁ କଣ ହେଉଛି, ନିୟମ ଲାଗୁ ହୋଇପାରୁଛି ନା କେନ୍ଦ୍ର ସରକାର ଚାପରେ ଏହାକୁ ସ୍ଥଗିତ କରୁଛନ୍ତି ।