ସୌମେନ୍ଦ୍ର ଜେନା
ସେପ୍ଟେମ୍ବର ୨ ତାରିଖ ଦିନ କେରଳର କୋଚିଠାରେ ଭାରତର ସ୍ୱଦେଶୀ ଜ୍ଞାନ କୌଶଳରେ ନିର୍ମିତ ପ୍ରଥମ ବିମାନବାହୀ ଯୁଦ୍ଧପୋତ ବିକ୍ରାନ୍ତର ଜଳାବତରଣ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । କୋଚିନ ସିପୟାର୍ଡରେ ନିର୍ମିତ ଏହି ଯୁଦ୍ଧପୋତକୁ ଦେଶର ବର୍ତ୍ତମାନ ସମୟରେ ବଡ ପୋତ ବୋଲି କୁହାଯାଉଛି । ଏହା ୨୬୨ମିଟର ଦୀର୍ଘ, ୬୨ମିଟର ପ୍ରସ୍ଥ, ୫୯ମିଟର ଉଚ୍ଚତା ବିଶିଷ୍ଟ, ଯାହା ୩୦ଟି ଯୁଦ୍ଧ ବିମାନକୁ ବହନ କରିବାର କ୍ଷମତା ରଖିଛି । ପ୍ରାୟ ୧୦ବର୍ଷ ଧରି ଚାଲିଥିବା ଏହି ପୋତର ନିର୍ମାଣରେ ୨୩ହଜାର କୋଟି ଟଙ୍କା ବ୍ୟୟ କରାଯାଇଥିବା କୁହାଯାଉଛି । ଭାରତୀୟ ନୌସେନାରେ ଦୀର୍ଘଦିନ କାର୍ୟ୍ୟ କରିବା ପରେ ବାହାର ହୋଇଥିବା ପୁରୁଣା ବିମାନବାହୀ ଯୁଦ୍ଧପୋତ ବିକ୍ରାନ୍ତର ନାମାନୁସାରେ ନୂଆ ଯୁଦ୍ଧପୋତର ନାମକରଣ କରାଯାଇଛି । ପୃଥିବୀରେ ବିମାନବାହୀ ଯୁଦ୍ଧପୋତ ସମୁଦ୍ରରେ ଏକ ଭାସମାନ ସହର ସଦୃଶ କାର୍ୟ୍ୟ କରିବା ସହ ସମୁଦ୍ରପଥରେ ଦୃଷ୍ଟି ରଖିବା ପାଇଁ ସୁବିଧା ଯୋଗାଇ ଦେଇଥାଏ । କାରଣ ଏଥିରେ ଥିବା ବିମାନର ଷ୍ଟ୍ରିପରୁ ବିମାନ ଉଡିବା ସହ ଅବତରଣ କରିଥାଏ । ଯାହା ଫଳରେ ସମୁଦ୍ର ଭିତରେ ବହୁଦିନଧରି ରହିବା ସଙ୍ଗେ ସଙ୍ଗେ ଏକ ବଡ ଅଞ୍ଚଳକୁ କେନ୍ଦ୍ର କରି ପ୍ରତିରକ୍ଷା ଦୃଷ୍ଟିରୁ ନଜର ରଖିବା ସହଜ ହୋଇଥାଏ ।
ପୂର୍ବରୁ ଭାରତ ରୁଷିଆ ନିର୍ମିତ ପ୍ରଥମ ବିମାନବାହୀ ଯୁଦ୍ଧପୋତ ଆଇଏନ୍ଏସ୍ ବିକ୍ରମାଦିତ୍ୟକୁ ବ୍ୟବହାର କରିଆସୁଛି । ବିକ୍ରମାଦିତ୍ୟର ଡିଜାଇନ ଓ ନିର୍ମାଣ ଆଦି ରୁଷିଆ ହିଁ କରିଥିଲା । ଏହାର ଉଚ୍ଚତା ୬୦ମିଟର, ଓଜନ ୪୫ହଜାନ ଟନ୍, ସର୍ବାଧିକ ଗତି ୫୫ କି.ମି ପ୍ରତିଘଣ୍ଟା, ଲମ୍ବ ୨୮୪ମିଟର,ପ୍ରସ୍ଥ ୬୧ମିଟର ରହିଛି । ଏହାର ରେଞ୍ଜ ୧୩ହଜାର କିଲୋମିଟର ଥିଲାବେଳେ ଏଥିରେ ୧୬୫୦ ରୁ ୧୭୦୦ ଯବାନ ରହିପାରିବେ । ୩୫ଟି ଯୁଦ୍ଧବିମାନକୁ ଏହା ବହନ କରିବାର କ୍ଷମତା ରଖିଛି । ୧୬ନଭେମ୍ବର ୨୦୧୩ରେ ଏହା ଭାରତୀୟ ନୌସେନାରେ ସାମିଲ ହୋଇଥିଲା । ମୂଳତଃ ରୁଷିଆର ନୌସେନା ପାଇଁ ବାକୁଠାରେ ୧୭ ଫେବୃଆରୀ ୧୯୭୮ରେ ଏହାର ନିର୍ମାଣ ଆରମ୍ଭ ହୋଇଥିଲା । ସୋଭିଏତ୍ ନୌସେନା ସହ ୧ ଏପ୍ରିଲ ୧୯୮୨ରେ ଏହା ଯୋଗ ଦେଇଥିଲା । ସେଭ୍ମାସ୍ (ରୁଷିଆ) ଏବଂ ବ୍ଲାକ ସି ସିପ୍ୟାର୍ଡର ମିଳିତ ଉଦ୍ୟମରେ ଏହା ନିର୍ମିତ ହୋଇଥିଲା । ଆଡମିରାଲ ଗୋର୍ସକୋଭ ନାମରେ ଏହା ପ୍ରଥମେ ପରିଚିତ ଥିଲା । ୧୯୯୬ରେ ଏହାକୁ କାର୍ୟ୍ୟରୁ ବାହାର କରାଯାଇଥିଲା । ପରେ ୨୦ ଜାନୁଆରୀ ୨୦୦୪ରେ ଏହାକୁ ଭାରତ କିଣିଥିଲା । ଭାରତ ୨.୩୫ ବିଲିଅନ ଡଲାର ଦେଇ ଏହାକୁ କିଣିବାପରେ ଏହାର ଆଧୁନିକୀକରଣ କାର୍ୟ୍ୟ ଆରମ୍ଭ ହୋଇଥିଲା ।
୧୪ ଜୁନ୍ ୨୦୧୪ରେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହାକୁ ଆଇଏନ୍ଏସ୍ ବିକ୍ରମାଦିତ୍ୟ ନାମରେ ଭାରତର ନୌସେନାକୁ ହସ୍ତାନ୍ତରଣ କରିଥିଲେ । ତେବେ ଏହାର ଆଧୁନିକୀକରଣ ଏବଂ ହସ୍ତାନ୍ତରଣରେ ବହୁ ବିଳମ୍ବ ହେବା ସଙ୍ଗେ ସଙ୍ଗେ ଭାରତକୁ ଅଧିକ ୧.୨ ବିଲିଅନ ଡଲାର ଦେବାକୁ ହୋଇଥିଲା । ରୁଷିଆର ସେଭେରୋଡଭିନକ୍ସଠାରେ ଏହାର ପୁନଃନିର୍ମାଣ କାର୍ୟ୍ୟ ହୋଇଥିଲା ।
ଆଇଏନ୍ଏସ୍ ବିକ୍ରମାଦିତ୍ୟକୁ ରୁଷିଆଠୁ କିଣିବା ପୂର୍ବରୁ ଭାରତର ନୌସେନା ପାଖରେ ଆଇଏନ୍ଏସ ବିରାଟ ନାମକ ସେଣ୍ଟାଉର ଶ୍ରେଣୀର ବିମାନବାହୀ ଯୁଦ୍ଧପୋତ ରହିଥିଲା, ଯାହାକୁ ବ୍ରିିଟେନ୍ଠାରୁ ଭାରତ ୧୯୮୭ରେ କିଣିଥିଲା । ଯାହାର ନିର୍ମାଣ ୨୧ଜୁନ୍ ୧୯୪୪ରେ ଭିକର୍ସ ଆର୍ମଷ୍ଟ୍ରଙ୍ଗ ଏବଂ ଭିକର୍ସ ସିପ୍ବିଲ୍ଡିଂ ଏଣ୍ଡ୍ ଇଞ୍ଜିନିୟରିଂ ଆରମ୍ଭ କରିଥିଲେ । ୧୬ ଫେବୃଆରୀ ୧୯୫୩ରେ ଏହା ନୌସେନାରେ ସାମିଲ ହୋଇ ୧୯୫୯ରେ ବ୍ରିଟେନର ରୟାଲ ନେଭିରେ ଏଚ୍ଏମ୍ଏସ୍ ହରମେସ୍ ନାମରେ ଯୋଗ ଦେଇଥିଲା । ୧୯୮୪ରେ ଏହା ନୌସେନାରୁ ବାହାରି ଯାଇଥିଲା । ପରେ ୧୨ମଇ ୧୯୮୭ରେ ଭାରତୀୟ ନୌସେନାରେ ଯୋଗ ଦେଇ ପ୍ରାୟ ୩୦ବର୍ଷ କାର୍ୟ୍ୟକରି ୨୩ ଜୁଲାଇ ୨୦୧୬ରେ ନୌସେନାରୁ ମୁକ୍ତ ହୋଇଥିଲା । ବିରାଟର ଓଜନ ୨୩୯୦୦ ଟନ୍, ଦୈର୍ଘ୍ୟ୨୨୬ ମିଟର, ପ୍ରସ୍ଥ ୪୮୭.୭୮ମିଟର, ଗତି ୫୨କିମି ପ୍ରତିଘଣ୍ଟା ରହିଥିଲା । ଏଥିରେ ୨୬ ବିମାନବହନ କରିବା କ୍ଷମତା ରହିଥିଲା ।
ଆଇଏନ୍ଏସ୍ ବିରାଟ ପୂର୍ବରୁ ଆଇଏନ୍ଏସ୍ ବିକ୍ରାନ୍ତ ନାମରେ ଭାରତୀୟ ନୌସେନା ନିକଟରେ ଏକ ଯୁଦ୍ଧପୋତ ଥିଲା ଯାହାକୁ ଭାରତ ୧୯୫୭ରେ ବ୍ରିଟେନ ନୌସେନାଠାରୁ କ୍ରୟ କରି ୪ ମାର୍ଚ୍ଚ ୧୯୬୧ରେ ନିଜ ନୌସେନାରେ ସାମିଲ କରିଥିଲା । ଏହାକୁ ୧୪ ଅକ୍ଟୋବର ୧୯୪୩ରେ ଭିକର୍ସ ଆର୍ମଷ୍ଟ୍ରଙ୍ଗ ନିର୍ମାଣ ଆରମ୍ଭ କରିଥିଲେ । ତେବେ ଦ୍ୱିତୀୟ ବିଶ୍ୱଯୁଦ୍ଧ ଯୁଦ୍ଧପରେ ନିର୍ମାଣ ୭୫ପ୍ରତିଶତ ଶେଷ ହୋଇଥିଲା ବେଳେ କାର୍ୟ୍ୟକୁ ବନ୍ଦ କରିଦିଆଯାଇଥିଲା । ଜାନୁଆରୀ ୧୯୫୭ରେ ଭାରତ ଏହାକୁ କିଣିଥିଲା । ହର୍ଲାଣ୍ଡ ଏଣ୍ଡ୍ ଉଲ୍ଫ ସଂସ୍ଥା ବିକ୍ରାନ୍ତର ଅବଶିଷ୍ଟ ନିର୍ମାଣ କାର୍ୟ୍ୟ ଶେଷ କରିଥିଲେ । ୧୯୭୧ରେ ପାକ୍-ଭାରତ ଯୁଦ୍ଧବେଳେ ବଙ୍ଗଳାଦେଶ ଜଳସୀମାକୁ ଅବରୋଧ କରିବାରେ ଏହାର ଭୂମିକା ଥିଲା ବହୁତ ଅଧିକ । ବ୍ରିଟିସ ରୟାଲ ନେଭି ପକ୍ଷରୁ ଏହାର ନାମ ଏଚ୍ଏମ୍ଏସ୍ ହର୍କୁଲେସ୍ ରଖାଯାଇଥିଲା ।
ବିମାନବାହୀ ଯୁଦ୍ଧପୋତର ନିର୍ମାଣ ଏବଂ ରକ୍ଷଣାବେକ୍ଷଣରେ ଅଧିକ ଅର୍ଥ ଖର୍ଚ୍ଚ ହେଉଥିବାରୁ ମାତ୍ର ୨୫ଟି ଏପରି ଯୁଦ୍ଧପୋତ ପୃଥିବୀରେ ରହିଛି । ତନ୍ମଧ୍ୟରୁ କେବଳ ୧୧ଟି ଆମେରିକାର, ୩ଟି ଚୀନର, ୨ଟି ଲେଖାଏଁ ଭାରତ, ବ୍ରିଟେନ ଓ ଇଟାଲୀ ହାତରେ ଥିଲାବେଳେ ଗୋଟିଏ ଲେଖାଏଁ ରୁଷିଆ, ଫ୍ରାନ୍ସ, ସ୍ପେନ ଓ ଥାଇଲାଣ୍ଡ ପାଖରେ ରହିଛି । ଆମେରିକାର ଗେରାଲଡ୍ ଆର୍ ଫୋର୍ଡ ଏସବୁ ମଧ୍ୟରେ ବଡ ଯୁଦ୍ଧପୋତ ଯାହା ୨ଟି ଆଣବିକ ରିଆକଟର ଦ୍ୱାରା ଚାଳିତ । ଏହାର ଓଜନ ୧ଲକ୍ଷ ଟନ୍, ସଦସ୍ୟ ୪୫୦୦, ୭୫ ବିମାନ ରହିବାର ବ୍ୟବସ୍ଥା ରହିଛି । ଏହା ପଛକୁ ବ୍ରିଟେନର କ୍ୱିନ ଏଲିଜାବେଥ ରହିିଛି ଯାହାର ଓଜନ ୫୯୦୦୦ ଟନ୍, ସଦସ୍ୟ ୧୬୦୦, ୫୦ ବିମାନ ବହନ କରିବା କ୍ଷମତା ରହିଛି । ଏହା ପଛକୁ ଚୀନର ଲିଓନିଙ୍ଗ ଯୁଦ୍ଧପୋତ ରହିଛି ଯାହାର ଓଜନ ୫୮୫୦୦ଟନ୍, ସଦସ୍ୟ ୨୭୦୦, ୫୦ ବିମାନ ବହନ କ୍ଷମତା ରହିଛି । ରୁଷିଆର ଆଡମିରାଲ କୁଜନେତ୍ସୋଭ ୫୮, ୫୦୦ଟନ ଓଜନ ବିଶିଷ୍ଟ,ସଦସ୍ୟ ରହିବା ସଂଖ୍ୟା ୧୬୯୦, ଯୁଦ୍ଧବିମାନ କ୍ଷମତା ୫୦ରହିଛି, ଫ୍ରାନ୍ସର ସାର୍ଲ ଦ ଗଲର ଓଜନ ୪୨୦୦୦ ଟନ୍,ସଦସ୍ୟ ୨୦୦୦, ବିମାନ ବହନ କ୍ଷମତା ୪୦ରହିଛି ।
ଭାରତୀୟ ନୌସେନାର ଦ୍ୱିତୀୟ ବିମାନବାହୀ ଯୁଦ୍ଧପୋତ ବିକ୍ରାନ୍ତର ଜଳାବତରଣ ପରେ ଆଇଏନ୍ଏସ୍ ବିଶାଳ ନିର୍ମାଣକୁ ତ୍ୱରାନ୍ୱୀତ କରାଯିବ ବୋଲି ଜଣାପଡିଛି । ୨୦୧୨ରେ ବିଶାଳର ଜିଡାଇନ କାର୍ୟ୍ୟ ଆରମ୍ଭ ହୋଇଥିଲା । ଚଳିତବର୍ଷ ଏପ୍ରିଲ ୨୦୨୨ରେ ଏଥିପାଇଁ ଭେଲ ପକ୍ଷରୁ ଜିଇପାୱାର ସହ ଇଲେକଟ୍ରିକ୍ ବ୍ୟବସ୍ଥା ପାଇବାକୁ ବୁଝାମଣା କରାଗଲା । ୨୦୩୦ସୁଦ୍ଧା ଏହାର ନିର୍ମାଣ ଶେଷ ହେବା ସମ୍ଭାବନା ରହିଛି । ଏହାର ଲ୍ୟାଣ୍ଡିଂ ବ୍ୟବସ୍ଥା ବିକ୍ରମାଦିତ୍ୟ ଏବଂ ବିକ୍ରାନ୍ତଠାରୁ ଭିନ୍ନ ରହିବ , ଯେଉଁଥିରେ କଟୋବର ବ୍ୟବସ୍ଥା ଉପଯୋଗ ହେବ । ବିକ୍ରାନ୍ତ ଏବଂ ବିକ୍ରମାଦିତ୍ୟରେ ବିମାନ ଉଡାଣ ଏବଂ ଅବତରଣ ପାଇଁ ୍ଷ୍ଟୋବାର ବ୍ୟବସ୍ଥା ରହିଛି, ଯାହାର ରନ୍ୱେ ଶେଷ ଭାଗ ଉପରକୁ ୧୨ରୁ ଡିଗ୍ରୀ ଉଠି ରହିଥାଏ । ବିଶାଳ ଯୁଦ୍ଧପୋତରେ କେଟାପୁଲଟ ଟେକ୍ ଅଫ୍ (ଉଡାଣ) ବ୍ୟବସ୍ଥା ରହିଛି । ଏଥିରେ ତୀର ମାରିଲା ପରି ବିମାନକୁ ଆଗକୁ ଠେଲିବାର ବ୍ୟବସ୍ଥା କରାଯାଇଥାଏ । ଏହି ବ୍ୟବସ୍ଥା ଆମେରିକାର ଯୁଦ୍ଧପୋତରେ ରହିଛି । ଏଥିପାଇଁ ଭାରତ ଆମେରିକାଠାରୁ ଏୟାରକ୍ରାଫ୍ଟ ଲଞ୍ଚ ସିଷ୍ଟମ ବା ଇମଲ୍ସ ଟେକ୍ନିକ୍ କ୍ରୟ କରିଛି । ଯାହା ଆଣବିକ ଶକ୍ତି ବଦଳରେ ଇଲେକ୍ଟ୍ରୋମ୍ୟାଗ୍ନେଟ୍ ଟେକ୍ନିକ୍ ଆଧାରରେ କାର୍ୟ୍ୟକରିବ । ବିଶାଳର ଟେକ୍ ଅଫ୍ ରନ୍ୱେ ବିକ୍ରାନ୍ତଠାରୁ ଲମ୍ବରେ କମ୍ ରଖାଯିବାକୁ ସ୍ଥିର ହୋଇଛି । ଯାହାଫଳରେ ଏହାର ନିର୍ମାଣ କାର୍ୟ୍ୟ ଶୀଘ୍ର ହୋଇପାରିବ । ଏଥିରେ ବ୍ୟବହାର ହେବାକୁ ଥିବା ବିମାନଗୁଡିକ ସ୍ୱତନ୍ତ୍ର ରହିବ ଯାହାପାଇଁ ଦୀର୍ଘ ଟେକ୍ ଅଫ୍ ଅଞ୍ଚଳ ଦରକାର ହେବ ନାହିଁ । ଏହାଦ୍ୱାରା କେବଳ ସମୟ ନୁହେଁ ନିର୍ମାଣ ଖର୍ଚ୍ଚ ଅନେକ ପରିମାଣରେ ହ୍ରାସ କରାଯାଇପାରିବ ।
ଚୀନ ନୌସେନା ନିକଟରେ ଲିଓନିଙ୍ଗ ଏବଂ ସେଡୋଙ୍ଗ ନାମରେ ଦୁଇଟି ବିମାନବାହୀ ଯୁଦ୍ଧପୋତ ପୂର୍ବରୁ ରହିଥିଲା । ଚଳିତବର୍ଷ ଜୁନ୍ ମାସରେ ତୃତୀୟ ଯୁଦ୍ଧପୋତ ଫୁଜିୟାନକୁ ଚୀନ ଜଳାବତରଣ କରାଇଛି । ଏଥିରେ କାଟୋବର ଟେକ୍ନିକ୍ର ଉପଯୋଗ ହୋଇଛି । ତେଣୁ ଭାରତର ନୌସେନା ହାତରେ ଅନ୍ତତଃ ତିନୋଟି ଏପରି ଯୁଦ୍ଧପୋତ ରହିବା ଦରକାର ବୋଲି କୁହାଯାଇଛି, ଯାହାକୁ ବଙ୍ଗୋପସାଗର, ଭାରତ ମହାସାଗର ଏବଂ ଆରବ ସାଗରରେ ମୁତୟନ କରାଯାଇପାରିବ । ଆଗାମୀ ଦିନରେ ସାମୁଦ୍ରିକ ସୁରକ୍ଷା ବଡ ବିଷୟ ହେବାକୁ ଯାଉଥିବା ସମୟରେ ଅଧିକ ବିମାନବାହୀ ଯୁଦ୍ଧପୋତ ଭାରତ ଦରକାର କରୁଛି । ଏକ ସମୟରେ ଚୀନ ଓ ପାକ୍ ପଟୁ ଜଳପଥରେ ଆକ୍ରମଣର ସମ୍ଭାବନାକୁ ଦୃଷ୍ଟିରେ ରଖି ଭାରତୀୟ ନୌସେନା ଏବେଠୁ ମୁକାବିଲା ପାଇଁ ପ୍ରସ୍ତୁତି ଆରମ୍ଭ କରିଦେଇଛି ।
ଭାରତୀୟ ସମ୍ବାଦ ସେବା (ଭାସ୍)
ଭୁବନେଶ୍ୱର-୭୫୧୦୦୩