ଆସନ୍ତା ୨୨ ତାରିଖରେ ବାରବାଟୀରେ ଖେଳାଯିବାକୁ ଥିବା ଏକ ଦିବସୀୟ ମ୍ୟାଚ୍ ପାଇଁ ଭାରତୀୟ କ୍ରିକେଟ୍ ଟିମ୍ ଏବଂ ୱେଷ୍ଟଇଣ୍ଡିଜ୍ କ୍ରିକେଟ୍ ଟିମ୍ ଗୁରୁବାର ଭୁବନେଶ୍ୱରରେ ପହଂଚିଛନ୍ତି । ଉଭୟ ଟିମ୍ ର ଖେଳାଳି ଓ ଅନ୍ୟାନ୍ୟ ଟିମ୍ ସଦସ୍ୟ ମାବେ ସ୍ୱତନ୍ତ୍ର ବିମାନ ଯୋଗେ ଆଜି ଅପରାହ୍ନ ପ୍ରାୟ ଗୋଟାଏ ସମୟରେ ଭୁବନେଶ୍ୱର ବିମାନ ବନ୍ଦରରେ ପହଂଚିଥିଲେ । ପରେ ସେମାନଙ୍କୁ ସ୍ୱତନ୍ତ୍ର ବସ୍ ଯୋଗେ କଡା ସୁରକ୍ଷା ଭିତରେ ଭୁବନେଶ୍ୱର ସ୍ଥିତ ଏକ ପଂଚତାରକା ହୋଟେଲକୁ ନିଆଯାଇଛି । ହୋଟେଲ ପକ୍ଷରୁ ଖେଳାଳି ମାନଙ୍କୁ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା ଜଣାଯାଇଛି ।
ଅନ୍ୟପକ୍ଷରେ ନିଜ ପ୍ରିୟ ଖେଳାଳି ମାନଙ୍କୁ ଦେଖିବାପାଇଁ ଏୟାରପୋର୍ଟ ସମେତ ହୋଟେଲ ବାହାରେ କ୍ରୀଡାପ୍ରେମୀଙ୍କ ପ୍ରବଳ ଭିଡ ପରିଲକ୍ଷିତ ହୋଇଥିଲା ।
ସୂଚନା ଅନୁଯାୟୀ ଖେଳାଳି ଓ ଅଫିସିଆଲମାନଙ୍କ ପାଇଁ ଉକ୍ତ ହୋଟେଲରେ ୯୦ଟି ରୁମ୍ ବୁକ୍ ହୋଇଛି । ହୋଟେଲକୁ ସ୍ୱତନ୍ତ୍ରଭାବେ ସଜା ଯାଇଛି । ଏହା ବ୍ୟତୀତ ହୋଟେଲ ଭିତରେ ଓ ବାହାରେ କଡା ସୁରକ୍ଷା ବନେ୍ଦାବସ୍ତ କରାଯାଇଛି ।
ସୂଚନାଯୋଗ୍ୟ, ଆସନ୍ତା ୨୨ ତାରିଖରେ କଟକର ବାରବାଟୀ ଷ୍ଟାଡିୟମରେ ଭାରତ ଓ ୱେଷ୍ଟଇଣ୍ଡିଜ ମଧ୍ୟରେ ତୃତୀୟ ତଥା ସିରିଜର ନିର୍ଣ୍ଣାୟକ ଦିନିକିଆ ଖେଳାଯିବ । ସିରିଜ ଏବେ ୧-୧ ସ୍ତରରେ ରହିଛି । ଯେଉଁ ଦଳ ଏଠାରେ ମ୍ୟାଚ୍ ଜିତିବ ସେହି ଦଳ ସିରିଜ କବଜା କରିବ । ସେଥିପାଇଁ ବାରବାଟୀ ମ୍ୟାଚ୍ ଅଧିକ ଗୁରୁତ୍ୱପୂର୍ଣ୍ଣ ରହିଛି ।