ଓଡିଶା ସରକାରଙ୍କୁ ଘାରିଛି ପ୍ରଥମ ହେବାର ନିଶା । ଆମେ ସବୁଥିରେ ପ୍ରଥମ ଏକଥା କହି ବାହାବା ସାଉଁଟିବାରେ ମସଗୁଲ ଅଛନ୍ତି ରାଜ୍ୟ ସରକାର । ସେଥିପାଇଁ ପ୍ରଥମ ହେବାର କୌଣସି ସୁଯୋଗକୁ ଛାଡୁ ନାହାନ୍ତି । ଏବେ ଆଉ ଗୋଟିଏ ପ୍ରଥମ ଘଟଣା ରାଜ୍ୟ ସରକାର କରିବାକୁ ଯାଉଛନ୍ତି । ଏକାଥରକେ ଲକଡାଉନକୁ ଆହୁରି ୧ମାସ ବଢାଇବା ପାଇଁ କେନ୍ଦ୍ର ସରକାରଙ୍କୁ ପ୍ରସ୍ତାବ ଦେଇଛନ୍ତି ରାଜ୍ୟ ସ୍ୱାସ୍ଥ୍ୟ ମନ୍ତ୍ରୀ ନବ ଦାସ । ହେଲେ ଏହି ୧ ମାସ ଲକଡାଉନ ବଢାଇବା ସତରେ ଆବଶ୍ୟକ ଅଛି କି ? ଯଦି ଅଛି ଏକାଥକେ ୧ ମାସ ବୋଲି ରାଜ୍ୟ ସରକାର କେମିତି ଜାଣିଲେ । ଆଉ ୧ ମାସ ବଢାଇଲେ ରାଜ୍ୟର ୮୦% ଲୋକ କେମିତି ଚଳିବେ ସେକଥା ଚିନ୍ତା କରିଛନ୍ତି କି ରାଜ୍ୟ ସରକାର ? ଆହୁରି ୧ ମାସ ଲକଡାଉନ ବଢାଇଲେ ରାଜ୍ୟର ଶ୍ରମିକ, ଖଟିଖିଆ ମଜୁରିଆ, ଉଠା ଦୋକାନି, କୃଷକ ଓ କୃଷି ଶ୍ରମିକ, ହସ୍ତଶିଳ୍ପ ଓ ହସ୍ତତନ୍ତ୍ର କାରିଗର ଏମାନଙ୍କ ଅବସ୍ଥା କଣ ହେବ ? କଣ ହେବ ରାଜ୍ୟର ଶିଳ୍ପର ଅବସ୍ଥା । କରୋନା ସଂକ୍ରମଣରେ ଆମଠାରୁ ଆହୁରି କେତେଗୁଣ ଅଧିକ ପ୍ରଭାବିତ ହୋଇଥିବା ରାଜ୍ୟର ସରକାର ମାନେ ଲକଡାଉନ ନବଢାଇ ବଂର ସାମାଜିକ ଦୂରତ୍ୱ ରଖି କେମିତି ସବୁକିଛି ଚଲାଯାଇପାରିବ ସେ ଦିଗରେ ଗୁରୁତ୍ୱ ଦେଉଛନ୍ତି । ହେଲେ ଓଡିଶା ସରକାର ଲକଡାଉନ ବଢାଇବା ସପକ୍ଷରେ ଅଛନ୍ତି । ଲକଡାଉନ ବଢାଇବା ପାଇଁ ମନା ନାହିଁ ହେଲେ ଏହାକୁ ପୁରା ଏକଥରକେ ୧ ମାସ ନକରାଯାଇ ୭ ଦିନ ୭ ଦିନ କରି ସ୍ଥିତିର ସମୀକ୍ଷା କରି ବଢାଯାଉ । କିଏ କାହିଁକି ବିରୋଧ କରିବ ? ହେଲେ ବାହାବା ପାଇଁ ଏକାଥରକେ ୧ ମାସ ବଢାଇବା କେଉଁ ବୁଦ୍ଧିମତାର ପରିଚୟ । ୧ ମାସ ଲକଡାଉନ ବଢାଇବାର ଅଙ୍କଟା କଣ ? ୧ ମାସ କାହିଁକି ୧୫ ଦିନ କାହିଁକି ନୁହେଁ ଏହାର ଉତର ରାଜ୍ୟ ସରକାର ସ୍ପଷ୍ଟ କରିବେ କି ?
ଲକଡାଉନ ବଢାଇବା ଛଡା ରାଜ୍ୟ ସରକାରଙ୍କ ପାଖେ ଆଉ କୌଣସି ବିକଳ୍ପ ନାହିଁ କି ? ଯେଉଁ ଯେଉଁ ଜିଲ୍ଲାରେ କରୋନା ପଜିଟିଭ ବାହାରିଛନ୍ତି ସେହି ସବୁ ଜିଲ୍ଲାରେ ଲକଡାଉନ ରଖି ବାକି ଅନ୍ୟସବୁ ଜିଲ୍ଲାରେ ଲକଡାଉନ ହଟାଇବାରେ ଅସୁବିଧା କଣ ଅଛି ? ପ୍ରଭାବିତ ଜିଲ୍ଲାମାନଙ୍କର ସୀମା ସିଲ କରିଲେ ସଂକ୍ରମଣର ଆଶଙ୍କା ରହିବ ନାହିଁ । ଲକଡାଉନ ନଲଗାଇ ସାମଜିକ ଦୁରତ୍ୱ ବଜାୟ ରଖିବା ପାଇଁ କଡାକଡି ଭାବେ ପୋଲିସ କଟକଣା ରହୁ । ଓଡିଶାରେ ବର୍ତମାନ ଚାରୋଟି ଜିଲ୍ଲା ଖୋର୍ଦ୍ଧା, ଯାଜପୁର, ବାଲେଶ୍ୱର ଓ ଭଦ୍ରକରେ ହିଁ ଏବେ କରୋନା ପଜିଟିଭ ବାହାରୁଛି । ସେହି ଚାରୋଟି ଜିଲ୍ଲାକୁ ଛାଡିଦେଲେ ବାକି ସବୁ ଜିଲ୍ଲାରେ ସ୍ଥିତି ସମ୍ପୃର୍ଣ୍ଣ ନିୟନ୍ତ୍ରଣରେ ଅଛି । ସୁନ୍ଦରଗଡରେ ସ୍ଥିତି ବିପଦ ଆଡକୁ ଯାଉଥିଲା ହେଲେ ସେଠାରେ ଏବେ ସ୍ଥିତି ଭଲ ଅଛି । ଏହି ଚାଟି ପାଂଚୋଟି ଜିଲ୍ଲାରେ ଲକଡାଉନକୁ ସରକାର ବଢାନ୍ତୁ । ବାକି ସବୁଆଡେ କାହିଁକି ? ହଁ ଲକଡାଉନକୁ ଉଠାଇବା ସହିତ ସାମାଜିକ ଦୂରତ୍ୱ ବଜାୟ ରଖିବା, ସାମାଜିକ ଓ ବ୍ୟକ୍ତିଗତ ଉସ୍ତ୍ରବ, ବାହାଘର, ଭୋଜିଭାତ, ମେଳା, ମହୋସ୍ତ୍ରବ, ଯାନି, ଯାତ୍ରା, ସଭା ଆଦି ସବୁକୁ ପରବର୍ତୀ ୩ ମାସ ପାଇଁ ସମ୍ପୃର୍ଣ୍ଣ ବନ୍ଦ କରାଯାଉ ।
ରାଜ୍ୟର ସ୍ୱାସ୍ଥ୍ୟ ମନ୍ତ୍ରୀ ନବ ଦାସ ଏହି ୧ ମାସ ବଢାଇବା କଥା ଗଣମାଧ୍ୟମରେ କହିଥିଲେ । ହେଲେ ଏହାକୁ ନେଇ ସୋସିଆଲ ମେଡିଆରେ ପ୍ରତିକ୍ରିୟା ହେବାରୁ ଏବେ ସେ ମହାଶୟ ବଲ ଫିଙ୍ଗିଛନ୍ତି ମୁଖ୍ୟମନ୍ତ୍ରୀଙ୍କ ଆଡେ ।
ସ୍ୱତନ୍ତ୍ର କୋଭିଡ ହସ୍ପିଟାଲ ସ୍ଥାପନାରେ ଓଡିଶା ଦେଶରେ ପ୍ରଥମ ବୋଲି କରୋନା ମୁଖପାତ୍ର ଘୋଷଣା କଲେ । ଭଲ କଥା । ରାଜ୍ୟ ପାଇଁ ଗୌରବର ବିଷୟ । ଦେଶରେ ଆଉ କୌଣସି ରାଜ୍ୟ ଘରୋଇ ଡାକ୍ତରଖାନା ସହିତ ଚୁକ୍ତିକରି ସରକାରୀ ଅର୍ଥକୁ ସେମାନଙ୍କୁ ଦେଇ ଏପରି ସ୍ୱତନ୍ତ୍ର କୋଭିଡ ହସ୍ପିଟାଲ ସ୍ଥାପନା କରିନାହାନ୍ତି । ସେମାନେ ନିଜର ସରକାରୀ ଡାକ୍ତରଖାନାର କ୍ଷମତାକୁ ବଢାଇଛନ୍ତି । ଖାଲି ସେତିକି ନୁହେଁ ଅନଲାଇନ ପଂଜିକରଣ, ଟୋଲ ଫ୍ରି ନମ୍ବର ଜାରି କରିବା, କେନ୍ଦ୍ର ସରକାରଙ୍କର ଯୋଜନାକୁ ଆଗୁଆ ଘୋଷଣା କରିବାରେ ଆଦି ଅନେକରେ ଓଡିଶା ଦେଶରେ ପ୍ରଥମ ହୋଇଛି ବୋଲି ରାଜ୍ୟ ସରକାର ଘୋଷଣା କରିଛନ୍ତି ।