ଲୌହ ମାନବ ଭାବେ ପରିଚିତ ତଥା ଦେଶୀୟ ରାଜ୍ୟ ମାନଙ୍କୁ ଭାରତରେ ମିଶାଇବାରେ ସବୁଠାରୁ ବଡ ଭୂମିକା ଥିଲା ସର୍ଦାର ବଲ୍ଲଭ ଭାଇ ପଟେଲଙ୍କର । ତାଙ୍କ ବିଷୟରେ ଅନେକ ରୋଚକ କଥା ରହିଛି ଯାହା ଲୋକଙ୍କୁ ଏବେ ମଧ୍ୟ ଜଣା ନାହିଁ ।
ସର୍ଦାର ପଟେଲ ଯେତେବେଳେ 1946 ମସିହାରେ ଅନ୍ତରୀଣ ସରକାରରେ ଗୃହ ମନ୍ତ୍ରୀ ହେଲେ ସେତେବେଳେ ସେ ବିନା ଘର ବିଶିଷ୍ଟ ଦେଶର ହୋମ ମିନିଷ୍ଟର ଥିଲେ । ତାଙ୍କର ନା ଦିଲ୍ଲୀରେ ଘର ଥିଲା ନା ଅହମଦାବାଦରେ ।
ସେ ଦିଲ୍ଲୀ ଆସିଲେ ବିରଲା ହାଉସରେ ରହୁଥିଲେ, ମୁମ୍ବାଇ ଗଲେ ତାଙ୍କର ରହିବାର ଅନେକ ଠିକଣା ଥିଲା ।
ଆଜି ଗୁଜରାତରେ ବିଶ୍ବର ସବୁଠାରୁ ବଡ ପ୍ରତିମୂର୍ତି ସର୍ଦାର ପଟେଲଙ୍କର ରହିଛି ସତ ହେଲେ ଦିଲ୍ଲୀରେ ତାଙ୍କର ଆଜି ଯାଏ କୌଣସି ସ୍ମାରକ ତିଆରି କରାଯାଇ ନାହିଁ।
ପଣ୍ଡିତ ଜବାହର ଲାଲ ନେହେରୁ ତିନ ମୂର୍ତି ଭବନରେ ରହୁଥିଲେ ଓ ତାଙ୍କର ମୃତ୍ୟୁ ପରେ ସେହି ବିଶାଳ ଭବନକୁ ନେହେରୁ ସ୍ମାରକ କରି ଦିଆଯାଇଛି ।
ହେଲେ ସର୍ଦାର ପଟେଲଙ୍କୁ ଦିଲ୍ଲୀରେ କୌଣସି ସରକାରୀ ଘର ମିଳି ନ ଥିଲା ଯାହାକୁ କି ପରେ ତୀନ ମୂର୍ତି ଭବନ ଭଳି ତାଙ୍କ ନାମରେ ସ୍ମାରକ କରି ଦିଆଯିବ ।
ଯେତେବେଳେ ସେ ଦେଶର ଗୃହ ମନ୍ତ୍ରୀ ହେଲେ ସେତେବେଳେ ତାଙ୍କର ଆଉ ବିରଲା ହାଉସରେ ରହିବା ଠିକ ନ ଥିଲା । ସରକାରୀ ଘରର ଆବଂଟନ ସେତେବେଳେ ଆରମ୍ଭ ହୋଇ ନ ଥିଲା ।
ଏଭଳି ପରିସ୍ଥିତିରେ ତାଙ୍କୁ ସାହାଯ୍ୟ କରିବାକୁ ଆଗେଇ ଆସିଲେ ଜଣେ ଶିଳ୍ପପତି ବନବାରୀ ଲାଲ । ସେ ଯେତେବେଳେ ସର୍ଦାର ପଟେଲଙ୍କ ସମସ୍ୟା ସମ୍ପର୍କରେ ଜାଣିଲେ ସେତେବେଳେ ସେ ତାଙ୍କର ଏକ ଖାଲି ପଡିଥିବା ବଙ୍ଗଳାରେ ରହିବାକୁ ତାଙ୍କୁ ପ୍ରସ୍ତାବ ଦେଲେ । ସେତେବେଳର ଐରଙ୍ଗଜେବ ରୋଡ ଓ ଏବେକାର ଏପିଜେ ଅବଦୁଲ କଲାମ ରୋଡରେ ଏହି ବଙ୍ଗଳା ଥିଲା । ସର୍ଦାର ପଟେଲ ମଧ୍ୟ ତାଙ୍କର ଏହି ପ୍ରସ୍ତାବକୁ ମାନି ନେଲେ ।
ତାଙ୍କର ଝିଅ ମଣିବେନଙ୍କୁ ସେ ଯେତେବେଳେ ପଚାରିଲେ ଏତେ ଅଧିକ ରୁମ ବିଶିଷ୍ଟ ବଙ୍ଗଳାକୁ କଣ ସମ୍ଭାଳି ପାରିବୁ ବୋଲି ପଚାରିଲେ ସେତେବେଳେ ମଣିବେନ ଚିନ୍ତାଗ୍ରସ୍ତ ହୋଇଯାଇଥିଲେ । କାରଣ ତାଙ୍କୁ ଲାଗୁଥିଲା ଯେ ପାଂଚ- ଛଅ ଟି ରୁମ ତାଙ୍କ ପାଇଁ ଯଥେଷ୍ଟ ଥିଲା । ବେଡ ରୁମ ପାଇଁ , ଗୋଟିଏ ଅଫିସ ପାଇଁ, ଗୋଟିଏ ସହାୟକଙ୍କ ପାଇଁ, ଗୋଟିଏ ଦେଖା କରିବାକୁ ଆସୁଥିବା ଲୋକଙ୍କ ସହ ବସି ବୈଠକ ପାଇଁ, ଗୋଟିଏ ଅତିଥି ମାନଙ୍କ ପାଇଁ । ମଣିବେନ କହିଲେ ଯେ 5-6ଟି ରୁମରେ ଆମର କାମ ହୋଇଯିବ । ତେଣୁ ସର୍ଦାର ପଟେଲ ଅନ୍ୟ ରୁମ ଗୁଡିକୁ ତାଲା ପକାଇ ଦେଇଥିଲେ ।
ଦିନକର ଜୋଶୀ ତାଙ୍କର ପ୍ରସିଦ୍ଧ ପୁସ୍ତକ ‘ ସର୍ଦାର ଦି ସୋଭରନ ସେଂଟ ’ ପୁସ୍ତକରେ ଲେଖିଛନ୍ତି ଯେ ଏହି ଘରକୁ ଆସିବାର ପ୍ରଥମ ରାତ୍ରୀରେ ମଣିବେନ ବଡ କଷ୍ଟ ପାଇଲେ ଓ ଶୋଇ ପାରି ନ ଥିଲେ । କାରଣ ବଙ୍ଗଳାରେ ଥିବା ଗାର୍ଡେନ ଯାହା ସାରା ରାତି ରଙ୍ଗ ବିରଙ୍ଗ ଆଲୁଅରେ ଚମକୁଥିଲା । ତା ପର ଦିନ ସେ ଚୌକିଦାରଙ୍କୁ ଏ ବିଷୟରେ ସେ ପଚାରିଲେ । ଚୌକିଦାର ଜବାବ ଦେଲା –ମ୍ୟାଡମ ଗଛ –ଲତା ରଙ୍ଗିନ ଆଲୁଅରେ ବଢିଆ ଦେଖାଯାଆନ୍ତି । କିନ୍ତୁ ମଣିବେନ ଏହି ଉତ୍ତର ଶୁଣି ଆଶ୍ଚର୍ଯ୍ୟ ହୋଇ ଯାଇଥିଲେ । ସେ କହିଥିଲେ, ଏହା ଠିକ ଯେ, ରାତିରେ ତାକୁ କିଏ ଦେଖିବ, ବିଜୁଳି ରାତିରେ ଖାଲି ଟାରେ କାହିଁକି ନଷ୍ଟ କରୁଛ ।
ଏହି ଘରେ ହିଁ ସର୍ଦାର ପଟେଲ ଶେଷ ନିଶ୍ବାସ ତ୍ୟାଗ କରିବା ଯାଏ ରହିଥିଲେ । ସର୍ଦାର ପଟେଲ ଫାଉଣ୍ଡେସନ ସେତେବେଳ ଠାରୁ ସେଠାରେ ତାଙ୍କର ସ୍ମାରକ ତିଆରି କରିବାକୁ ଚେଷ୍ଚା କରି ଆସୁଛି । ଗାନ୍ଧୀ, ନେହରୁ ଏପରିକି ଇନ୍ଦିରା ଗାନ୍ଧୀଙ୍କ ପରି ଦିଲ୍ଲୀରେ ତାଙ୍କର ସ୍ମାରକୀ ହେବା ଆବଶ୍ୟକ ବୋଲି ମନେ କରୁଛି । ମାତ୍ର ତାହା ହୋଇ ପାରି ନାହିଁ । 2002 ମସିହାରେ ବାଜପେୟୀ ସରକାର ଏହାକୁ ନେଇ ଗମ୍ଭୀର ପ୍ରୟାସ କରିଥିଲେ । କିନ୍ତୁ ସେତେବେଳେ ବନୱାରୀଲାଲଙ୍କ ନାତି ବିପୁଳ ଏହି ଘର ପାଇଁ ଶହେ କୋଟି ଟଙ୍କା ମାଗିଥିଲେ । ଫଳରେ ଏହା ହୋଇ ପାରି ନ ଥିଲା।
ତେଣୁ ଦିଲ୍ଲୀରେ ଆଜି ଯାଏ ପଟେଲଙ୍କ ନାମରେ କୌଣସି ସ୍ମାରକ ହୋଇପାରି ନାହିଁ।