ଓଡିଶାରେ ଏବେ ହୋଇଥିବା ବନ୍ୟାରେ ଯଦିଓ ସୌଭାଗ୍ୟ ବସତଃ କୌଣସି ମାନବ ଜୀବନ ହାନି ହୋଇନାହିଁ ତଥାପି ଯେତିକି ସ୍ଥାନରେ ଲୋକଙ୍କର ଘର ଭାଙ୍ଗିଛି, ଚାଷ ଉଜୁଡିଛି, ନଦୀର ବନ୍ଧବାଡ ଭାଙ୍ଗିଛି ଏହା ଅମାପ । ମହାନଦୀ ଅବବାହିକାରେ ଆସିଥିବା ଏହି ବନ୍ୟା ରାଜ୍ୟର ୧୩ଟି ଜିଲ୍ଲାରେ ବ୍ୟାପକ କ୍ଷତି ଘଟାଇଛି । ପଶ୍ଚିମ ଓଡିଶା ଓ ଉପକୂଳ ଓଡିଶାର ଲକ୍ଷ ଲକ୍ଷ ଲୋକ ପ୍ରଭାବିତ ହୋଇଛନ୍ତି । ବନ୍ୟା କମିବାର ୧୦ ଦିନ ପରେ ଏବେ ବି ଅନେକ ଗାଁରେ ଲୋକମାନେ ପାଣି ଘେର ଭିତରେ ଅଛନ୍ତି । ପରିବା ଫସଲ ଭୟଙ୍କର ଭାବରେ ନଷ୍ଟ ହୋଇଯାଇଥିବା କାରଣରୁ ବଜାରରେ ଏବେ ପରିବା ଦର ଆକାଶ ଛୁଆଁ । ହେଲେ ଏହି ବନ୍ୟାକୁ ରୋକାଯାଇ ପାରିନଥାନ୍ତା କି, ଏହାକୁ ନେଇ ଏବେବି ବାଦବିବାଦ ଚାଲିଛି ।
ଅଗଷ୍ଟ ୧୬ରେ ଓଡିଶା ସରକାରଙ୍କର ଜଳ ବିଭାଗର ମୁଖ୍ୟଯନ୍ତ୍ରୀ କହିଲେ ହିରାକୁଦରେ ୪୦ଟି ଗେଟ ଖୋଲିବା ପାଇଁ ପଡିବ । ବନ୍ୟା ଆଶଙ୍କା ଆଦୌ ନାହିଁ । ସେ ଏକଥା ମଧ୍ୟ କହିଥିଲେ ଯେ ଏହି ୪୦ଟି ଗେଟ ଖୋଲିବା ପଛରେ ଛତିଶଗଡର କୌଣସି ଭୂମିକା ନାହିଁ । ଏହାର କିଛି ଦିନ ପୂର୍ବରୁ ରାଜ୍ୟର ପ୍ରାୟ ଅନେକ ଗଣମଧ୍ୟମରେ ଛତିଶଗଡ ପଟୁ ମହାନଦୀର ପାଣିକୁ ଅଟକାଇ ରଖିଥିବା କାରଣରୁ ଓଡିଶାରେ ଏକ ଅଚାନକ ବନ୍ୟା ଆଶଙ୍କାର ଭବିଷ୍ୟତ ବାଣି କରିସାରିଥିଲେ । ହେଲେ ଜଳ ସମ୍ପଦ ଯନ୍ତ୍ରୀ କିନ୍ତୁ ନିଜ ଆଡୁ ଛତିଶଗଡକୁ ଏକ ପ୍ରକାରର କ୍ଲିନଚିଟ ଦେଇଦେଲେ । ଅଗଷ୍ଟ ୧୭ରେ ରାଜ୍ୟର କଳସମ୍ପଦ ମନ୍ତ୍ରୀ ନିଜେ ଗଣମାଧ୍ୟମରେ କହିଲେ ମହାନଦୀରେ ମଧ୍ୟମ ଧରଣର ବନ୍ୟା ହେବ ଓ ବନ୍ୟା ଜଳ ନଦୀରେ ନଦୀରେ ହିଁ ସମୁଦ୍ରକୁ ବୋହିଯିବ । ହିରାକୁଦରେ ୩୦ଟି ଫାଟକ ଖୋଲିଲେ ତଳ ମୁଣ୍ଡରେ ବନ୍ୟା ହୋଇଯାଏ । ହେଲେ ୪୦ଟି ଫାଟକ ଖୋଲିବା ପରେ ବି ଜଳସମ୍ପଦ ମନ୍ତ୍ରୀଙ୍କର ମଧ୍ୟମ ଧରଣର ବନ୍ୟା ହେବାର ଆଶାସ୍ୱନା କେବଳ ଅପରିପକ୍ୱତାର ଏକ ନିଦର୍ଶନ ଥିଲା । ଅଗଷ୍ଟ ୧୮ରେ ସ୍ୱତନ୍ତ୍ର ରିଲିଫ କମିଶନର ମନ୍ତ୍ରୀ ଓ ଯନ୍ତ୍ରୀ କହିଥିବା କଥାକୁ ଖଣ୍ଡନ କରି କହିଲେ ଯେ ମହାନଦୀରେ ଭୟଙ୍କର ବନ୍ୟା ହୋଇପାରେ । ଏହାର ଅର୍ଥ ହେଉଛି ସରକାର କେଉଁଠି ନା କେଉଁଠି ନିଜର ହୋମଓାର୍କ କରିନଥିଲେ ବନ୍ୟାକୁ ନେଇ । ନହେଲେ ହିରାକୁଦର ପାଣି ୩୬ ଘଂଟା ପରେ ଯେତେବେଳେ ଆସି ନରାଜରେ ପଡୁଛି ସେତେବେଳେ ଯାଇ ସରକାରୀ ତତପର ହେଉଛନ୍ତି ବନ୍ୟାକୁ ନେଇ, ଏହା କେମିତି ହୋଇଥାନ୍ତା । ପୁରା ସରକାରଙ୍କର ସମସ୍ତ ଉଦ୍ଧାରକାରୀ ଦଳ ଯାଇ ନଦୀ କୁଳିଆ ଗାଁରେ ପହଂଚିଲା ବେଳକୁ ଗାଁ ସବୁ ପାଣୀ ଘେରରେ ।
ଅଗଷ୍ଟ ୧୯ରେ ଛତିଶଗଡ ପାଇଁ ଓଡିଶାରେ ବନ୍ୟା ହୋଇଗଲା ବୋଲି କୁହାଗଲା । ଅଗଷ୍ଟ ୨୧ରେ ଛତିଶଗଡ ସହିତ ଝାରଖଣ୍ଡ ସରକାରଙ୍କ ପାଇଁ ସୁବର୍ଣ୍ଣରେଖାରେ ବନ୍ୟା ହୋଇଗଲା ବୋଲି ବାହୁନି ପକାଗଲା । ପ୍ରଶ୍ନ ଉଠିବା ସ୍ୱାଭାବିକ ଯେ ଆମେ ଏମିତି କେତେ ଦିନ ପରକୁ ଦୋଷ ଦେଇ ଚାଲିଥିବା?
ଗୋଟିଏ ବଡ ଆଶ୍ଚର୍ଯ୍ୟ କଥା ହେଉଛି ଯେ ଅଗଷ୍ଟ ୧୭-୧୮ରେ ମହାନଦୀ ଓ ତାର ଶାଖା ନଦୀରେ ଏଭଳି ଅବସ୍ଥା ହୋଇଗଲା ଯେ ଅନେକ ସ୍ଥାନରେ ଘାଇ, ଗଳିଆ ହୋଇ ସ୍ଥିତି ସଙ୍କଟାପନ୍ନ । କିନ୍ତୁ ଅଗଷ୍ଟ ୨୦ ବେଳକୁ ମୁଖ୍ୟ ମହାନଦୀକୁ ଛାଡିଦେଲେ ଅନ୍ୟ ଶାଖାନଦୀରେ ପାଣି ନାହିଁ । ଏହାର ଅର୍ଥ ହେଉଛି ବନ୍ୟା ଜଳର ପରିମାଣ ବେଶୀ ନଥିଲା କିନ୍ତୁ ଏକା ଥରକେ ବହୁତ ଜୋରରେ ପାଣି ଆସିବା କାରଣରୁ ପୁରା ବଳରେ ବନ୍ଧ ବାଡ ଭାଙ୍ଗିଦେଲା ଓ ଗାଁଗଣ୍ଡାକୁ ପାଣି ଘେରକୁ ଠେଲିଦେଲା । ପୁଣି ପାଣି ମାତ୍ର ୨ ଦିନରେ କମିଗଲା । ଓଡିଶାରେ ଯେ ଆଗରୁ ବଡ ବନ୍ୟା ହୋଇନାହିଁ କି ବନ୍ୟାପାଣିରେ ଗାଁ ଗଣ୍ଡା ଦିନ ଦିନ ଧରି ପାଣି ଘେରରେ ରହି ନାହିଁ ତାହା ନୁହେଁ, କିନ୍ତୁ ଚଳିତ ବନ୍ୟାରେ ଯେଉଁଭଳି ପାଣି ତ୍ୱରିତ ଆସି ତ୍ୱରିତ ଖଲାସ ହୋଇଗଲା ଏକଥା କେବେ ଦେଖିବାକୁ ମିଳିନଥିଲା । ଉତରାଖଣ୍ଡ, ହିମାଚଳ ପ୍ରଦେଶ ଭଳି ଅଚାନକ ବନ୍ୟା ଓଡିଶାରେ ଦେଖାଗଲା । ଏହା ଏକ ପ୍ରକାରର ମାନବକୃତ ବନ୍ୟା କହିଲେ ଭୁଲ ହେବ ନାହିଁ । ମହାନଦୀର ଅବବାହିକାରେ ବନ୍ୟାର ପ୍ରକୋପ ମୁଣ୍ଡଳି ଆନିକଟରେ କେତେ ପାଣି ପ୍ରବାହିତ ହେଉଛି ତାହା ଉପରେ ନିର୍ଭର କରେ । ମୁଣ୍ଡଳିରେ ଜଳସ୍ତର ହଠାତ ମାତ୍ର ୩୬ ଘଂଟା ଭିତରେ ୧୨ ଲକ୍ଷ କ୍ୟୁସେକକୁ ଛୁଇଁବା, ଓଡିଶାର ବନ୍ୟା ସ୍ଥିତି ଅନିୟନ୍ତ୍ରିତ ହୋଇପଡିବା ଏବଂ ଏହାର ମାତ୍ର ୨ଦିନ ଭିତରେ ଜଳସ୍ତର ୯ ଲକ୍ଷକୁ ଖସିଆସିବା ଅନେକ ପ୍ରକାରର ପରିଚାଳନା ଗତ ତୃଟିକୁ ଆମ ଆଗରେ ଠିଆ କରୁଛି । ଏଠାରେ ବନ୍ୟା ପାଇଁ ପ୍ରକୃତି ଅପେକ୍ଷା ମାନବକୃତ ପରିଚାଳନା ତୃଟି ବେଶି ଦୃଶ୍ୟମାନ ହେଉଛି ।
ବନ୍ୟା ଛାଡିଥିଲେ ବି ଏବେ ବିପନ୍ନଙ୍କ ଦୁର୍ଦ୍ଦଶା କମିନି । ସରକାର ମଧ୍ୟ ବନ୍ୟା ମୁକାବିଲା ପାଇଁ କୌଣସି ସ୍ଥାୟୀ ପଦକ୍ଷେପ ନେଉ ନାହାନ୍ତି । ମହାନଦୀରେ ଛତିଶଗଡ ସରକାର ବହୁ ବ୍ୟାରେଜ ଓ ଆନିକଟ ନିର୍ମାଣ କରିବା ପରେ ଏହାର ମୁକାବିଲା କରିବା ପାଇଁ ସେତେବେଳେ ଓଡିଶା ରାଜ୍ୟ ସରକାର ନାନା ପ୍ରତିଶୃତି ନାନା ଯୋଜନା କରିଥିଲେ । ହିରାକୁଦର ତଳମୁଣ୍ଡରେ ୭ ଟି ବ୍ୟାରେଜ ସହିତ ୧୮ଟି ଛୋଟ ପ୍ରକଳ୍ପ ସହିତ ୯ଟି ବଡ ପ୍ରକଳ୍ପ ପାଇଁ ଅର୍ଥରାଶିର ଘୋଷଣା ମଧ୍ୟ ହୋଇଥିଲା । ଦେଓଗାଁ, ଗୋଧନେଶ୍ୱର, ସୁବଳୟା, କପାସିରା, ମଣିଭଦ୍ରା, ଖଇରମାଳ, ମୁଣ୍ଡଳିଠାରେ ସ୍ଥ୍ରାନ ମଧ୍ୟ ଚିହ୍ନଟ ହୋଇଥିଲା । ପ୍ରସ୍ତାବ ଘୋଷଣାକୁ ୫ ବର୍ଷ ବିତିସାରିଲାଣି । ପ୍ରକଳ୍ପ ଆରମ୍ଭ ହୋଇଥିଲେ ଏତେ ବେଳକୁ ସରିସାରନ୍ତାଣି ।
କିନ୍ତୁ ନିର୍ମାଣ କାର୍ଯ୍ୟ ସରିବାତ ଦୁରର କଥା ଏବେ ସୁଦ୍ଧା ଆରମ୍ଭ ମଧ୍ୟ ହୋଇନାହିଁ । ଏପଟେ ମହାନଦୀ ବିବାଦକୁ ନେଇ ହୋଇଥିବା ଟ୍ରାଇବ୍ୟୁନାଲ ଗଠନ ହେବାକୁ ୪ ବର୍ଷ ବିତିସାରିଲାଣି । ସମାଧାନର କୌଣସି ରାସ୍ତା ନିକଟ ଭବିଷ୍ୟତରେ ଦେଖାଯାଉନାହିଁ । ଓଡିଶାରେ ଏବେ ବନ୍ୟାଜଳ ନିୟନ୍ତ୍ରଣ ବିଶେଷ ଭାବରେ ପଡୋଶୀ ରାଜ୍ୟମାନଙ୍କ ହାତକୁ ଚାଲିଯାଇଛି । ଆମର କ୍ରମାଗତ ଅପାରଗତା କାରଣରୁ ଓଡିଶାରେ ପ୍ରବାହିତ ସମସ୍ତ ବଡ ବଡ ନଦୀର ଉପର ମୁଣ୍ଡରେ ଏବେ ପଡୋଶୀ ରାଜ୍ୟମାନେ ବନ୍ଧ, ବ୍ୟାରେଜ ବନେଇ ସାରିଲେଣି । ମହାନଦୀରେ ଛତିଶଗଡ, ସୁବର୍ଣ୍ଣରେଖାରେ ଝାରଖଣ୍ଡ ସରକାରଙ୍କର ଦଖଲ ଏବେ ଆମ ପାଇଁ କାଳ । ଏବେ କେତେବେଳେ ଓଡିଶାର ବନ୍ୟା ହେବ, କେତେବେଳେ ଓଡିଶାରେ ମରୁଡି ବେଳେ କେନାଲରେ ପାଣି ଛଡାଯିବ ସବୁର ରିମୋଟ କଂଟ୍ରୋଲ ଛତିଶଗଡ ହାତରେ । ଅସଲ କଥା ରାଜ୍ୟ ସରକାର ମହାନଦୀରେ ହିରାକୁଦକୁ ଆସୁଥିବା ପାଣିର ଆକଳନ କରିପାରୁ ନାହାନ୍ତି । ତିରିଶ ବର୍ଷ ତଳର ପୁରୁଣା ଜଳଭଣ୍ଡାର ରୁଲ କର୍ଭର ସଂଶୋଧନ ହେଉନାହିଁ । କେବଳ ବନ୍ୟା ଆସିଲେ ତୃଟି ବିଚ୍ୟୁତିକୁ ନେଇ ଆଲୋଚନା ହେଉଛି । ମାତ୍ର ବନ୍ୟା ଛାଡିଗଲା ପରେ ସ୍ଥାୟୀ ପ୍ରତିକାର ନେଇ କୌଣସି ଆନ୍ତରିକତା ନାହିଁ । ଦିନେ ଯେଉଁ ହିରାକୁଦ ବନ୍ଧ ଓଡିଶାକୁ ବନ୍ୟା ଦାଉରୁ ବଂଚାଉଥିଲା ଏବେ ସେହି ହିରାକୁଦ ପରିଚାଳନା ତୃଟିର ଶୀକାର ହୋଇ ଓଡିଆ ଲୋକଙ୍କ ପାଇଁ ବିପଦ ସାଜୁଛି ।