ପୌର ନିର୍ବାଚନରେ ଅଧିକାଂଶ ସ୍ଥାନରେ ବିଜେପି-ବିଜେଡି ମଧ୍ୟରେ ସିଧାସଳଖ ଲଢ଼େଇ ହେଉଥିବା ବେଳେ ଦୁଇ ଦଳ ଏବେ ଏହି ପ୍ରସଙ୍ଗକୁ ପ୍ରମୁଖ ବିଷୟ କରିଛନ୍ତି। ବିଜେଡି ଜାଗା ମିସନରେ ଜମି ଓ ଘର ଦେଉଛି ବୋଲି କହୁଥିବା ବେଳେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଘର ଦେଉଛି ବୋଲି ବିଜେପି କହୁଛି।
ଯାହାକୁ ମିଳିନି ସିଏ କ୍ଷମତାକୁ ଆସିଲେ ତୁରନ୍ତ ଦେବେ ବୋଲି ପ୍ରତିଶ୍ରୁତି ଦେଉଛନ୍ତି। ସହରରେ ପ୍ରଚାର ପାଇଁ ବହୁ ପ୍ରସଙ୍ଗ ଥିଲେ ବି ଦଳଠାରୁ ଆରମ୍ଭ କରି ନେତାଙ୍କ ପର୍ଯ୍ୟନ୍ତ ସମସ୍ତଙ୍କର ବ୍ରହ୍ମାସ୍ତ୍ର ସାଜିଛି ଏହି ଘର ଯୋଜନା। ବିଶେଷକରି ସହରାଞ୍ଚଳରେ ବାସହରା ଭୋଟରଙ୍କ ସଂଖ୍ୟା ଅଧିକ ଥିବାରୁ କିଏ କେତେ ଘର ଯୋଗାଇଛନ୍ତି, କେତେ ଘର ଦେଇପାରିବେ, ଘର ଯୋଗାଣରେ କ’ଣ ଅସୁବିଧା ରହିଛି ସେନେଇ ପ୍ରଚାର କରୁଛନ୍ତି।
ବିଜେଡିର ପ୍ରଚାରରେ ଜାଗା ମିସନ୍ରେ ଜମି ଓ ଘର ଯୋଗାଣକୁ ଅଗ୍ରାଧିକାର ଦିଆଯାଉଛି। ଏନ୍ଏସି, ମ୍ୟୁନିସପାଲଟି, ମହାନଗର ନିଗମରେ କେଉଁ ଅଞ୍ଚଳରେ କେତେ ଲୋକଙ୍କ ଜମି ଓ ଘର ମିଳିଛି ତାହା ବିଜେଡି ନେତା ପ୍ରଚାର କରୁଛନ୍ତି। କିଛି ସହରାଞ୍ଚଳରେ ଲୋକଙ୍କୁ ଜମି ପଟ୍ଟା ମିଳିଥିବା ବେଳେ ସେଥିରୁ କିଛି ଲୋକଙ୍କୁ ଘର ବି ମିଳିସାରିଲାଣି ତେଣୁ ଏହାକୁ ନେଇ ଦଳୀୟ ନେତା ପ୍ରଚାର କରୁଛନ୍ତି।
ବିଜେଡି କହିବାନୁଯାୟୀ ଜାଗା ମିସନ ଏବଂ ବିଭିନ୍ନ ଯୋଜନାରେ ବାସହରାଙ୍କୁ ୫୦ହଜାରରୁ ଅଧିକ ଲୋକଙ୍କୁ ଘର ଯୋଗାଇଲୁଣି। ସହରାଞ୍ଚଳରେ ଆସନ୍ତା ଦୁଇ ବର୍ଷରେ ସବୁ ବାସହରାଙ୍କୁ ଘର ମିଳିବ। ବସ୍ତିବାସିନ୍ଦାଙ୍କୁ ସ୍ଥାୟୀ ପଟ୍ଟା ପ୍ରଦାନ କରିବାରେ ଓଡ଼ିଶା ସାରା ଦେଶରେ ପ୍ରଥମ ରାଜ୍ୟ। କେବଳ ଏତିକି ନୁହେଁ, ଏବେ ସହରାଞ୍ଚଳରେ ସମସ୍ତଙ୍କୁ ବିଶୁଦ୍ଧ ପାନୀୟ ଜଳ ଯୋଗାଣ ପାଇଁ ବହୁ ପ୍ରକଳ୍ପ ହେଉଛି। ବର୍ଷକ ମଧ୍ୟରେ ସବୁ ଘରକୁ ପାଣି ଯୋଗାଣ ହେବ।
ଅପରପକ୍ଷେ ବିଜେପି ନେତାମାନେ ପ୍ରଚାରରେ କେନ୍ଦ୍ର ସରକାରଙ୍କ ବିଭିନ୍ନ ଯୋଜନା ବିଷୟରେ କହୁଥିଲେ ହେଁ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ କିପରି ଶୀଘ୍ର ଘର ମିଳିବ ସେନେଇ ପ୍ରତିଶ୍ରୁତି ଦେଉଛନ୍ତି। ବିଜେପିର କହିବାନୁଯାୟୀ, ରାଜ୍ୟ ସରକାରଙ୍କ ଅସହଯୋଗ ଯୋଗୁଁ ଏବେ ଲୋକଙ୍କୁ ଘର ମିଳିପାରୁନି। ରାଜ୍ୟର ବିଭିନ୍ନ ସହରାଞ୍ଚଳରେ ଲକ୍ଷ ଲକ୍ଷ ବାସହରା ଥିବାବେଳେ ରାଜ୍ୟ ସରକାର ୧,୮୫,୧୫୨ଜଣଙ୍କୁ ଘର ଦେବାକୁ ତାଲିକା ପ୍ରସ୍ତୁତ କରିଛନ୍ତି। ଏଥିରୁ ୪୯,୯୧୩ଜଣଙ୍କୁ ପିଏମ୍ଏୱାଇରେ ଘର କରିଥିବା କହୁଥିଲେ ହେଁ ବହୁ ଲୋକଙ୍କୁ ଘର ମିଳିନି। ଏବେବି ୧,୩୫,୨୩୯ ଜଣଙ୍କୁ କେବେ ଘର ମିଳିବ କହିପାରୁନାହାନ୍ତି।