ଆସନ୍ତା୨୦୨୩ ପୁରୁଷ ହକି ବିଶ୍ୱକପ୍ ଓଡ଼ିଶାରେ ହେବ । ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ବୁଧବାର ଏହି ଘୋଷଣା କରିଛନ୍ତି । ଓଡ଼ିଶା ହକି ବିଶ୍ୱକପ-୨୦୧୮ର ପୂର୍ତି ଅବସରରେ କଳିଙ୍ଗ ଷ୍ଟାଡିୟମରେ ଆୟୋଜିତ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ୨୦୨୩ରେ ହେବାକୁଥିବା ପୁରୁଷ ବିଶ୍ୱକପ୍ କେବଳ ଭୁବନେଶ୍ୱରରେ ଖେଳାଯିବ ନାହିଁ । ବିଶ୍ୱକପର କିଛି ମ୍ୟାଚ ସୁନ୍ଦରଗଡ଼ ଜିଲ୍ଲାର ରାଉରକେଲାରେ ମଧ୍ୟ ଆୟୋଜିତ ହେବ ।
ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ଓଡିଶା ପ୍ରକୃତରେ ବିଶ୍ୱ ହକିର କେନ୍ଦ୍ର ହୋଇପାରିଛି । ଏହା ପୁଣି ଥରେ ପ୍ରମାଣିତ ହୋଇଛି । ବିଶ୍ୱକପ୍ ହକି ଆୟୋଜନ କରିବାପାଇଁ ଭାରତ ସମେତ ମାଲେସିଆ ଏବଂ ବେଲଜିୟମ୍ ମଧ୍ୟ ଦୌଡରେ ଥିଲେ । ମାତ୍ର ଭାରତ ବିଡ୍ ଜିତିବା ସହ ପୁଣି ଥରେ ବିଶ୍ୱକପ୍ ଆୟୋଜନ କରିବାକୁ ସୁଯୋଗ ପାଇଛି । ଏହାସହ ହକି ଇଣ୍ଡିଆ ଓଡିଶାକୁ ନିଜର ଭେନ୍ୟୁ ଭାବେ ବାଛିବା ସହ ଓଡିଶା ସରକାରଙ୍କ ସହଭାଗିତା ଲୋଡିଛନ୍ତି ।
ସେହିପରି ହକି ଇଣ୍ଡିଆ ଏବଂ ଅନ୍ତର୍ଜାତୀୟ ହକି ମହାସଂଘ (ଏଫଆଇଏଚ୍)ର ସଭାପତି ନରିନ୍ଦର ବାତ୍ରା କହିଛନ୍ତି ହକି ପାଇଁ ଓଡ଼ିଶା ବିକାଶମୂଳକ କାମ କରୁଛି । ଭୁବନେଶ୍ୱର ଏବେ ଭାରତର କ୍ରୀଡ଼ାର ରାଜଧାନୀ ପାଲଟିଛି । ଆମେ ଏଠାରେ ୨୦୧୮ ହକି ବିଶ୍ୱକପ ଆୟୋଜନ କରି ଅଦ୍ଭୁତ ସଫଳତା ପାଇଛୁ । ଏହା ବିଶ୍ୱସ୍ତରରେ ଆଦରଣୀୟ ହୋଇପାରିଛି । ସେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିକଟରେ ଋଣୀ । ଓଡ଼ିଶାବାସୀ ଯେଉଁ ଭଲ ପାଇବା ଦେଇଛନ୍ତି, ସେଥିପାଇଁ ଆମେ ଋଣୀ ।
ଏହି କାର୍ଯ୍ୟକ୍ରମରେ ରାଜ୍ୟ କ୍ରୀଡ଼ା ଓ ଯୁବ ବ୍ୟାପାର ମନ୍ତ୍ରୀ ତୁଷାରକାନ୍ତି ବେହେରା, କ୍ରୀଡ଼ା ସଚିବ ବିଶାଲ ଦେବ, କ୍ରୀଡ଼ା ନିଦେ୍ର୍ଧଶକ ଭିନୀଲ କ୍ରିଷ୍ଣା, ୫-ଟି ସଚିନ ଭିକେ ପାଣ୍ଡିଆନ୍ ଉପସ୍ଥିତ ଥିଲେ ।