ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ବାଜପେୟୀ ଜୟନ୍ତୀ ୨୫ ଡିସେମ୍ବର ଶୁକ୍ରବାର ଦିନ ମଧ୍ୟାହ୍ନ ୧୨ ଟା ସମୟରେ ଭିଡିଓ କନଫରେନ୍ସିଂ ମାଧ୍ୟମରେ ପ୍ରଧାନ ମନ୍ତ୍ରୀ କିଷାନ ସମ୍ମାନ ନିଧି (ପିଏମ-କିଷାନ) ଯୋଜନା ଅଧୀନରେ ପରବର୍ତୀ କିସ୍ତି ସହାୟତା ରାଶି ଜାରି କରିବେ । ଏହି ଅବସରରେ ପ୍ରଧାନମନ୍ତ୍ରୀ ୯ କୋଟିରୁ ଅଧିକ ହିତାଧିକାରୀ କୃଷକ ପରିବାରଙ୍କୁ ୧୮,୦୦୦ କୋଟିରୁ ଅଧିକ ଟଙ୍କା ହସ୍ତାନ୍ତର କରିବେ ।
ଏହି କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ଛଅଟି ବିଭିନ୍ନ ରାଜ୍ୟର ଚାଷୀଙ୍କ ସହ ମଧ୍ୟ ଆଲୋଚନା କରିବେ । ଉକ୍ତ କାର୍ଯ୍ୟକ୍ରମରେ ପିଏମ-କିଷାନ ଏବଂ କୃଷକଙ୍କ କଲ୍ୟାଣ ପାଇଁ ସରକାର ଗ୍ରହଣ କରିଥିବା ବିଭିନ୍ନ ପଦକ୍ଷେପ ଉପରେ କୃଷକମାନେ ସେମାନଙ୍କର ଅଭିଜ୍ଞତା ବାଂଟିବେ । ଏହି ଅବସରରେ କେନ୍ଦ୍ର କୃଷି ମନ୍ତ୍ରୀ ମଧ୍ୟ ଉପସ୍ଥିତ ରହିବେ ।
ଉଲ୍ଲେଖନୀୟ ଯେ ପିଏମ-କିଷାନ ଯୋଜନା ଅଧୀନରେ, ଯୋଗ୍ୟ ହିତାଧିକାରୀ ଚାଷୀଙ୍କୁ ବାର୍ଷିକ ୬୦୦୦ ଟଙ୍କାର ଆôର୍ଥକ ସହାୟତା ପ୍ରଦାନ କରାଯାଇଥାଏ, ଯାହା ପ୍ରତ୍ୟେକ ଚାରି ମାସରେ ୨୦୦୦ ଟଙ୍କାର କିସ୍ତି ଆକାରରେ ଦିଆଯାଇଥାଏ । ଏହି ପାଣ୍ଠି ହିତାଧିକାରୀଙ୍କ ବ୍ୟାଙ୍କ ଆକାଉଣ୍ଟକୁ ସିଧାସଳଖ ସ୍ଥାନାନ୍ତରିତ ହୋଇଥାଏ ।