ପାକିସ୍ତାନ ହେଉଛି ଏକ ଏପରି ଦେଶ ଓ ଏପରି ଅର୍ଥନୀତି ଯିଏ କେବଳ ବିଦେଶୀ ଋଣ ଉପରେ ହିଁ ଆଶ୍ରିତ । ଯଦି ବିଦେଶୀ ଋଣ ମିଳିବା ବନ୍ଦ ହୋଇଯିବ ତେବେ ପାକିସ୍ତାନର ଅସ୍ତିତ୍ୱ ହିଁ ଶେଷ ହୋଇଯିବ ।
ତେଣୁ ପାକିସ୍ତାନ ଋଣ ଅର୍ଥ ପାଇଁ ନିଜର ଆନୁଗତ୍ୟ ବଦଳାଇବାରେ ଗୋଟିଏ ମିନିଟ ମଧ୍ୟ ଲଗାଏ ନାହିଁ । ଗତ କିଛି ବର୍ଷ ହେଲା ପାକିସ୍ତାନର ସାଉଦୀ ଆରବର ସହ ସମ୍ପର୍କ ଖରାପ ହୋଇଯାଇଥିଲା । ତେଣୁ ପାକିସ୍ତାନ ତୁର୍କୀର ଶରଣକୁ ଚାଲି ଯାଇଥିଲା ।
ବିଶ୍ବର ଖଲିଫା ହେବାର ସ୍ୱପ୍ନ ଦେଖୁଥିବା ତୁର୍କୀ ଓ ମାଲେସିଆ ସହ ମିଶି ପାକିସ୍ତାନ ଏକ ଇସଲାମୀ ମେଂଟ ମଧ୍ୟ କରିଥିଲା । ତେବେ ଅଳ୍ପ ଦିନ ପରେ ମାଲେସିଆ ଆର୍ଥିକ କାରଣରୁ ଏହି ତଥାକଥିତ ମେଂଟରେ ଆଗ୍ରହ ଦେଖାଇ ନ ଥିଲା ଓ ସେ ଚୁପ ରହିଥିଲା । ହେଲେ ତୁର୍କୀ ଓ ପାକିସ୍ତାନ ମିଶି କାମ କରୁଥିଲେ ।
ତେବେ ବର୍ତମାନ ସମୟ ବଦଳି ଯାଇଛି । ତୁର୍କୀର ଆର୍ଥିକ ସ୍ଥିତି ମଧ୍ୟ ସେତେଟା ଭଲ ନାହିଁ । ତେଣୁ ପାକିସ୍ତାନକୁ ଲାଗିଛି ଯେ ଆଉ ତୁର୍କୀରୁ ତାକୁ ଆର୍ଥିକ ଋଣ ମିଳିବାର ସମ୍ଭାବନା କମ । ତେଣୁ ପାକିସ୍ତାନ ସାଉଦୀ ଆରବ ମୁହାଁ ହୋଇଛି ।
ପାକିସ୍ତାନରୁ ଖବର ଆସୁଛି ଯେ ପାକିସ୍ତାନର ପ୍ରଧାନମନ୍ତ୍ରୀ ଇମରାନ ଖାନ ସାଉଦୀ ଆରବ ପହଂଚି ସାରିଛନ୍ତି । ପାକିସ୍ତାନୀ ସରକାରଙ୍କ ପକ୍ଷରୁ ସରକାରୀ ଭାବେ କୁହାଯାଇଛି ଯେ ସେ ଗ୍ରିନ ମିଡିଲ ଇଷ୍ଟ ଇନିସିଏଟିଭ କାର୍ଯ୍ୟକ୍ରମରେ ଭାଗ ନେବେ। ତେବେ ବାସ୍ତବିକ ଉଦ୍ଦେଶ୍ୟ ଋଣ ହାସଲ କରିବାକୁ ଚେଷ୍ଟା କରିବା ବୋଲି ସମୀକ୍ଷକ ମାନେ କହିଛନ୍ତି ।
ଏଠାରେ ଉଲ୍ଲେଖ କରାଯାଇ ପାରେ ଯେ ତୁର୍କୀ ସହ ପାକିସ୍ତାନର ସମ୍ପର୍କ ଭଲ ଥିବା ବେଳେ ସାଉଦୀ ଆରବ ସହ ପାକିସ୍ତାନର ସମ୍ପର୍କ ଖରାପ ହୋଇଯାଇଥିଲା । କାଶ୍ମୀର ମାମଲାରେ ଭାରତ ବିରୁଦ୍ଧରେ ବକ୍ତବ୍ୟ ଦେବାକୁ ପାକିସ୍ତାନ ବାରମ୍ବାର ସାଉଦୀ ଆରବକୁ କହିବା ପରେ ସାଉଦୀ ଆରବ ଓ ପାକିସ୍ତାନ ମଧ୍ୟରେ ସମ୍ପର୍କ ତିକ୍ତ ହୋଇଯାଇଥିଲା । ସାଉଦୀ ଆରବ ପାକିସ୍ତାନ ଉପରେ ରାଗି ଯାଇଥିଲା ଓ ପାକିସ୍ତାନକୁ ଦଣ୍ଡିତ କରିବାକୁ ଯାଇ ସେ ଦେଇଥିବା 3.4 ବିଲିୟନ ଡଲାରର ଋଣକୁ ଫେରାଇବାକୁ କହିଥିଲା ଓ ସାଉଦୀ ଆରବରେ କାମ କରୁଥିବା ପାକିସ୍ତାନୀ କମ୍ପାନୀ ମାନଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲା ।
ଏହା ପରେ ତୁର୍କୀ ସହ ଘନିଷ୍ଠ ସମ୍ପର୍କ ରଖିଥିବା ପାକିସ୍ତାନ ଏବେ ତୁର୍କୀର ଆର୍ଥିକ ସ୍ଥିତି ଖରାପ ହେବା କାରଣରୁ ତାକୁ ଛାଡି ଦେଇଛି। ଇମରାନ ଭଲ ଭାବେ ଜାଣି ସାରିଲେଣି ଯେ ତୁର୍କୀ ତାଙ୍କ ଦେଶକୁ ଆଉ ଅର୍ଥ ଦେବା ସ୍ଥିତିରେ ନାହିଁ । ତେଣୁ ସେ ସଙ୍ଗେ ସଙ୍ଗେ ଆନୁଗତ୍ୟ ପରିବର୍ତନ କରି ଭିକ୍ଷା ଥାଳ ଧରି ସାଉଦୀ ପହଂଚି ଯାଇଛନ୍ତି।
ସୋସିଆଲ ମିଡିଆରେ ଇମରାନ ଖାନଙ୍କ ଭିକ୍ଷା ଥାଳ ବିଶିଷ୍ଟ ଫଟୋର ମେମେ ମଧ୍ୟ ଭାଇରାଲ ହେବାରେ ଲାଗିଛି ।
ତେବେ ଆନ୍ତର୍ଜାତିକ ସମୀକ୍ଷକ ମାନଙ୍କ କହିବା କଥା ଯେ ସାଉଦୀ ଆରବରୁ ପାକିସ୍ତାନକୁ ଟଙ୍କା ଟିଏ ମଧ୍ୟ ମିଳିବ ନାହିଁ । କାରଣ ଭାରତ, ସମେତ ଅନ୍ୟ ବଡ ଦେଶ ସହିତ ସାଉଦୀ ଆରବର ଭଲ କୂଟନୈତିକ ସମ୍ପର୍କ ରହିଛି, ପାକିସ୍ତାନକୁ ଅର୍ଥ ପ୍ରଦାନ କରି ସେ ଏହି ସମ୍ପର୍କକୁ ଖରାପ କରିବାକୁ ଚାହିଁବ ନାହିଁ।
ଆଉ ଗୋଟିଏ କଥା ହେଲା ବିଶ୍ବ ବ୍ୟାଙ୍କର ଏକ ରିପୋର୍ଟ ଅନୁସାରେ ସବୁଠାରୁ ଅଧିକ ଋଣ ନେବାର ପ୍ରଥମ ଦଶଟି ଦେଶ ମଧ୍ୟରେ ପାକିସ୍ତାନ ସାମିଲ ହୋଇ ସାରିଛି । ଜୁନ ମାସ ଯାଏ ତଥ୍ୟ ଅନୁସାରେ ଇମରାନ ସରକାର 442 ମିଲିୟନ ଡଲାର ଋଣ ନେଇ ସାରିଛି । ଏଭଳି ପରିସ୍ଥିତିରେ ସାଉଦୀ ଆରବ ପାକିସ୍ତାନକୁ ଅର୍ଥ ପ୍ରଦାନ କରି ନିଜ ଗୋ଼ଡରେ ନିଜେ କୁରାଢୀ ମାରିବା କାମ ବିଲକୁଲ କରିବ ନାହିଁ ।