ରାକେଶ ପଣ୍ଡା
ବିବିଧତାରେ ପରିପୂର୍ଣ୍ଣ ଭାରତ,ଯେଉଁଠାରେ ବିଭିନ୍ନ ସଂସ୍କୃତି, ଜାତି, ଭାଷା ଏବଂ ଧର୍ମର ଲୋକ ବାସ କରନ୍ତି ।କିନ୍ତୁ କଥା ଯେତେବେଳେ ଟ୍ରାନ୍ସଜେଣ୍ଡର ବା ତୃତୀୟ ଲିଙ୍ଗୀ ସମ୍ପ୍ରଦାୟକୁ ଆସେ, ସେତେବେଳେ ଭାରତର ସଭ୍ୟତା ମଧ୍ୟରେ ସେମାନଙ୍କୁ ଗ୍ରହଣ କରିବାରେ ଅନେକ ଅସୁବିଧା ତଥା ବିବାଦ ଦେଖାଦେଇଥାଏ !ଭାରତୀୟ ସମାଜରେ ସେମାନଙ୍କର ଚେହେରା ଭାଗ୍ୟର ସଙ୍କେତ ଭାବରେ ବିବେଚନା କରାଯାଏ ।ସେମାନେ ପ୍ରାୟତଃ ରଙ୍ଗୀନ ଶାଢୀଅବା କପଡା ସହ ବଜାର, ବ୍ୟସ୍ତବହୁଳ ସ୍ଥାନ,ଚଳନ୍ତା ରେଳଗାଡି ମଧ୍ୟରେପୁରୁଷ ଓ ମହିଳା ମିଶ୍ରିତ ସ୍ଵର ଏବଂ ଏକ ଅଗ୍ରହଣୀୟ କରତାଳି ସହ ଚିତ୍କାର କରି ଟଙ୍କା ମାଗୁଥିବାର ଦୃଶ୍ୟପ୍ରତ୍ୟହ ପରିଲକ୍ଷିତ ହୁଏ । ଏତଦବ୍ୟତୀତ, ସାମାନ୍ୟ ମୁହଁ ଅନ୍ଧାର ହୋଇଗଲେ, ଚିକିମିକି ପୋଷାକଏବଂ ଦେହରେ ରଙ୍ଗ ଓ ଅତର ଭରି, ସହରଠାରୁ ଅନତି ଦୂରରେ, ଜାତୀୟ ରାଜପଥ କଡରେ ଅବା ପଥକର ଆଦାୟ ଫାଟକ ନିକଟରେ ଏକ ଭିନ୍ନ ଇଙ୍ଗିତ କରି ପୁରୁଷ ପଥଚାରୀ ତଥା ଯାତ୍ରୀମାନଙ୍କୁ ଆକର୍ଷିତ କରିଥାନ୍ତି । ଯାହାକି’ ଆଜିର ସଭ୍ୟ ଓ ଉନ୍ନତ ସମାଜର ଆଧୁନିକ ପ୍ରତିଛବିରେ ଏକ କଳା ଛିଟା ପରି ଅନୁଭବ ହୁଏ । ଏମାନେ ହେଉଛନ୍ତି ସେହି ବ୍ୟକ୍ତି, ଯାହାଙ୍କୁ ଆମେ ପ୍ରତିଦିନ ଅତିକ୍ରମ କରିଥାଉ, କିନ୍ତୁ ଅତି ସହଜରେ ସେମାନଙ୍କ ଉପରେ ହେଉଥିବା ଅବହେଳା ଓ ସେମାନେ ଅତିବାହିତ କରୁଥିବା ଦୁର୍ଦ୍ଦିନ ସମୟ ପ୍ରତି ଦୃଷ୍ଟି ଦେଇନ’ଥାଉ କିମ୍ବା ସେମାନଙ୍କ ପରିସ୍ଥିତି ଓ ଆଗାମୀ ସମୟର ଭାଗ୍ୟ ବିଷୟରେ ଚିନ୍ତା କରିବା ନିମନ୍ତେ ଆମ ନିକଟରେ ସମୟ ନ’ଥାଏ !
ଟ୍ରାନ୍ସଜେଣ୍ଡର ବା ତୃତୀୟ ଲିଙ୍ଗୀ ମାନେ ଶତାବ୍ଦୀ ଧରି ଭାରତୀୟ ସମାଜର ଏକ ଅଂଶ ହୋଇଆସୁଛନ୍ତି। ପ୍ରାଚୀନ ଭାରତର ବିଭିନ୍ନ ଲେଖା ମାନଙ୍କରେ ଏଥିପାଇଁ କିଛି ଐତିହାସିକ ପ୍ରମାଣ ରହିଅଛି। ଭାରତରେ ଟ୍ରାନ୍ସଜେଣ୍ଡର ସମ୍ପ୍ରଦାୟ ଏବେବି’ ସମାଜରୁ ବିଚ୍ଛିନ୍ନ ହୋଇ ରହିଛନ୍ତି। ଏଠାରେ ଏକ ପ୍ରଶ୍ନବାଚୀ ସୃଷ୍ଟି ହୁଏ ଯେ,ଶିକ୍ଷା କିମ୍ବା ରୋଜଗାରର କୌଣସି ସୁବିଧା ନଥିବା ଏହି ସଂଖ୍ୟାଲଘୁମାନେ କିପରି ରୋଜଗାର କରିବେ? ଓଡିଶା ଟ୍ରାନ୍ସଜେଣ୍ଡର ନୀତି ୨୦୧୭ର ବିବରଣୀ ଅନୁଯାୟୀ,ଓଡିଶାରେ ଅଧିକାଂଶ ଟ୍ରାନ୍ସଜେଣ୍ଡର ବେକାର ଅଟନ୍ତି । ଶିକ୍ଷାଗତ ଯୋଗ୍ୟତାର ଅଭାବ ହେଉଛି ସେମାନଙ୍କର ଅଣ-ନିଯୁକ୍ତି କ୍ଷେତ୍ରରେ ଏକ ପ୍ରମୁଖ କାରଣ ।ଶିକ୍ଷାକୁ ସୀମିତ ରଖିଥାଏ ସେମାନଙ୍କର ଭିନ୍ନ ପରିଚୟ । ସେମାନଙ୍କ ମଧ୍ୟରୁ ଅଧିକାଂଶ ବିଦ୍ୟାଳୟରେ ପଢୁଥିବା ସମୟରେ ନିଜର ଲିଙ୍ଗଗତ ପରିଚୟକୁ ବୁଝନ୍ତି ଏବଂ ସେହିଠାରୁ ଆରମ୍ଭ ହୋଇଯାଏ ବିଭିନ୍ନତା ଓ ଅତ୍ୟାଚାର । ଲିଙ୍ଗ ପରିଚୟ ଅନୁଯାୟୀ ପୋଷାକ ପିନ୍ଧିବାକୁ ବାରଣ, ଅଧିକ କଠୋର ଅନୁଶାସନ ଏବଂ ଅନେକ ମାନସିକ ନିର୍ଯ୍ୟାତନାର ସେମାନେ ଶିକାର ହୋଇଥାନ୍ତି ।ଯାହାକି’ ସେମାନଙ୍କ ଶିକ୍ଷା ତଥା ଉଚ ଶିକ୍ଷାରେ ଏକ ବଡ ବାଧକ ସାଜିଥାଏ ଏବଂ ଯେଉଁଠାରୁ ସେମାନଙ୍କର ସାମାଜିକ ବହିଷ୍କାରର ଆରମ୍ଭ ଘଟିଥାଏ । ଫଳସ୍ଵରୂପ,ସେମାନେ ଅନେକ ବେଆଇନ କାର୍ଯ୍ୟକଳାପରେ ଲିପ୍ତ ରହୁଛନ୍ତି ।କିଛି ଟ୍ରାନ୍ସଜେଣ୍ଡର ଯେଉଁମାନେ ଚାକିରୀ ପାଇଁ ଆବେଦନ କରନ୍ତି କିମ୍ବା କୌଣସି ଚାକିରିରେ ଅଛନ୍ତି ସେମାନେ ଅନେକ ସମୟରେ ଲିଙ୍ଗଗତ ପରିଚୟ ଓ ପ୍ରଭେଦ ହେତୁ ଶାରୀରିକ ଓ ମାନସିକ ନିର୍ଯାତନାର ସମ୍ମୁଖୀନ ହେଉଥିବାର ଅନେକ ଘଟଣା ନଜରକୁ ଆସୁଛି । କେତେକ କ୍ଷେତ୍ରରେ, ସେମାନେ ନିଜର ଲିଙ୍ଗ ପରିବର୍ତ୍ତନକୁ ଲୁଚାଇଥାନ୍ତି ।ସେମାନଙ୍କ ମଧ୍ୟରୁ ଅନେକ ନିଜ ପରିବାର ମଧ୍ୟରେ ବିଶୃଙ୍ଖଳା, ମତାନ୍ତର,ନିର୍ଯାତନା ତଥା ହିଂସା ହେତୁ ସାମାଜିକ ବିଚ୍ଛିନ୍ନତାର ସମ୍ମୁଖୀନ ହେବା ସହ, କମ ବୟସରୁ ପିତାମାତାଙ୍କ ଘର ପରିତ୍ୟାଗ କରୁଥିବାର କିଛି ଘଟଣା ନଜରକୁ ଆସୁଛି। ଅନେକ କ୍ଷେତ୍ରରେ ଏହା ପରିଲକ୍ଷିତ ହୁଏ ଯେ, ଟ୍ରାନ୍ସଜେଣ୍ଡର ହୋଇଥିବାରୁ ସେମାନଙ୍କୁ ଭଡା ବାସଗୃହରୁ ବଞ୍ଚିତ କରାଯାଏ ଏବଂ କେତେକ କ୍ଷେତ୍ରରେ ଯେତେବେଳେ ସେମାନେ ସେମାନଙ୍କର ଲିଙ୍ଗ ପରିଚୟ ପ୍ରକାଶ କରନ୍ତି, ସେତେବେଳେ ସେମାନଙ୍କୁ ଘରୁ ବାହାର କରିଦିଆଯାଏ ! ଏକ ଅନୁନ୍ନତ ଓ ଅସ୍ୱାସ୍ଥ୍ୟକର ପରିବେଶ ମଧ୍ୟରେ ଗୋଷ୍ଠୀବଦ୍ଧ ଭାବରେ ସେମାନେ ବାସକରିଥାନ୍ତି ।ଧୀରେଧୀରେ ପରିସ୍ଥିତି ଓ ସମୟ ବାଧ୍ୟ କରିଥାଏ ଖରାପ ଓ ବେଆଇନ କାର୍ଯ୍ୟରେ ଲିପ୍ତ ରହି ଏକ ଅନୁନ୍ନତ, ଜର୍ଜଜିତ ଓ ସଂଘର୍ଷମୟ ଜୀବନ ଯାପନ କରିବାକୁ !
ଏହିପରିପ୍ରେକ୍ଷୀରେ,ଏକ ଆଶାର କିରଣ ପରି,ଓଡିଶାର ‘ଭୁବନେଶ୍ଵର ପୌରପାଳିକା ନିଗମ’ଟ୍ରାନ୍ସଜେଣ୍ଡର ମାନଙ୍କର ରୋଜଗାରର ଉତ୍ସତଥା ଆର୍ଥିକ ସ୍ଥିତିରେ ସୁଧାର ଲାଗି ଅତୀତରେ ନେଇଥିବା ପଦକ୍ଷେପ ଉଲ୍ଲେଖନୀୟ ଏବଂ ସ୍ଵାଗତଯୋଗ୍ୟ ଅଟେ ।ରାଜ୍ୟ ସରକାରଙ୍କ ଅଧିନସ୍ଥ ଉକ୍ତ ସଂସ୍ଥା,ତୃତୀୟ ଲିଙ୍ଗର ସଦସ୍ୟମାନଙ୍କୁ ଟିକସ ଖିଲାପକାରୀମାନଙ୍କ ଠାରୁ ବକେୟା ଆଦାୟ ଏବଂ ବାଣିଜ୍ୟ ଲାଇସେନ୍ସ ପାଉଣା ସଂଗ୍ରହରେ ନିୟୋଜିତ କରିଥିଲା। ଦାୟିତ୍ଵ ଗ୍ରହଣ ପରେ,ଉଚ ପାରଦର୍ଶିତା ସହ ସେମାନେ ନିଜର କାର୍ଯ୍ୟ ନିର୍ବାହ କରି,ଅଳ୍ପ ସମୟ ମଧ୍ୟରେ ପ୍ରଚୁର ପରିମାଣରେ ପାଉଣା ସଂଗ୍ରହ କରି,ନିଜର ଦକ୍ଷତାର ପ୍ରମାଣ ଦେଇଥିଲେ । ଏହାପରେ,ସେମାନଙ୍କୁ ପାର୍କିଂ ଫିସ୍ ସଂଗ୍ରହ କରିବାକୁ ମଧ୍ୟ ସହରରେ ଦୁଇଟି ପାର୍କିଂ ସ୍ଥାନରେ ଦାୟିତ୍ଵ ଦିଆଯାଇଥିଲା ଏବଂ ସେମାନେ ତାହାକୁ ସଫଳତାର ସହ ସମ୍ପାଦନ କରିଥିଲେ । ଠିକ୍ ସେହିପରି, ଅତୀତରେସୁନ୍ଦରଗଡ ଜିଲ୍ଲାରେ, ଟ୍ରାନ୍ସଜେଣ୍ଡର ମାନଙ୍କୁ ଡାଟା ଅପରେଟର ଭାବରେକୋଭିଡ-୨୦୧୯ କାର୍ଯ୍ୟରେ ନିୟୋଜିତ କରଯାଇଥିଲା ଏବଂ ସେମାନେ ସଫଳତାର ସହ ଦାୟିତ୍ଵ ନିର୍ବାହ କରିଥିଲେ ।
ନିକଟ ଅତୀତରେ, କିଛି ଦୈନିକ ଖବରକାଗଜରେ ନିର୍ଦ୍ଧିଷ୍ଟ ଭାବରେ ଟ୍ରାନ୍ସଜେଣ୍ଡର ମାନଙ୍କ ନିମନ୍ତେ ଉଦ୍ଦିଷ୍ଟ ତଥା ସରଂକ୍ଷିତ ଖାଲି ପଦବୀ ପୂରଣ କରିବା ପାଇଁ ଗୋଟିଏ ପ୍ରତିଷ୍ଠିତ ଶିଳ୍ପାନୁଷ୍ଠାନ ଦ୍ଵାରା ଦିଆଯାଇଥିବା ନିଯୁକ୍ତି ବିଜ୍ଞ।ପନଟିକୁ ଦେଖି ମନରେ ଅନେକ ଆଶା ଓ ଖୁସି ଅନୁଭବ ହେଲା । ଲାଗିଲା, ଯେଉଁ ଟ୍ରାନ୍ସଜେଣ୍ଡର ମାନେ ଉକ୍ତସଂସ୍ଥାରେ ନିଯୁକ୍ତି ପାଇବେ, ସେମାନେ ସମ୍ମାନ ଏବଂ ସ୍ଵାଭିମାନର ସହ ସମାଜରେ ଜୀବନ ନିର୍ବାହ କରିବାର ସୁଯୋଗ ଲାଭ କରିବେ । ଆଗାମୀ ସମୟରେ,ଏହିପରି ପ୍ରତ୍ୟକ ସଂସ୍ଥା ନିଜର କୌଣସି ଏକ ଯୋଜନା ମାଧ୍ୟମରେ,ସେମାନଙ୍କର ସ୍ୱଳ୍ପ ଶିକ୍ଷାକୁ ଭିତ୍ତିକରି, ନିଯୁକ୍ତି ପ୍ରଦାନ କରିବା ସହ କିଛି ଆର୍ଥିକ ସାହାଯ୍ୟ ଅଥବା ବିନା ସୁଧରେ ଋଣ ପ୍ରଦାନ କରି ବିଭିନ୍ନ ଛୋଟ ଛୋଟ ବ୍ୟବସାୟ ଅଥବା କୁଟୀର ଶିଳ୍ପ ମାଧ୍ୟମରେ ଆତ୍ମନିର୍ଭରଶୀଳ କରାଇବାର ପଦକ୍ଷେପ ନେବା ଉଚିତ । ଏତଦବ୍ୟତୀତ,ବିଭିନ୍ନ ଅନୁଷ୍ଠାନ ମାନଙ୍କ ଦ୍ଵାରା ସେମାନଙ୍କୁ ବିଭିନ୍ନ ଧନ୍ଦାମୂଳକ ପ୍ରଶିକ୍ଷଣ ତଥା ତାଲିମ ପ୍ରଦାନ ନିମନ୍ତେ ବ୍ୟବସ୍ଥା କରାଯାଇପାରିବ ।ଯେଉଁଥିଲାଗି, ରାଜ୍ୟ ସରକାରଙ୍କ ଅଧିନସ୍ଥ ଏକ ସଂସ୍ଥା ‘ ବିଶ୍ଵ ଦକ୍ଷତା କେନ୍ଦ୍ର’ଏକ ସକ୍ରିୟ ଏବଂ ଗୁରୁତ୍ଵପୂର୍ଣ୍ଣ ଭୂମିକା ଗ୍ରହଣ କରିପାରିବ । ଯାହାଦ୍ୱାରା, ସେମାନେ ନିଜର ରୁଚି ଏବଂ ଦକ୍ଷତା ମୁତାବକ ବିଭିନ୍ନ ବୃତ୍ତି ଭିତ୍ତିକ କାର୍ଯ୍ୟରେ ନିୟୋଜିତ ହୋଇ ଆତ୍ମନିର୍ଭରଶୀଳ ହୋଇପାରିବେ ଏବଂ ସମାଜର ପ୍ରମୁଖ ସ୍ରୋତକୁ ଆସି ଆତ୍ମସମ୍ମାନର ସହ ବାସ କରିପାରିବେ । ନିଜର ଲିଙ୍ଗଗତ ସମସ୍ୟାକୁ ଲୁଚାଇ ଏକ ସଂଘର୍ଷମୟ ଜୀବନ ନିର୍ବାହ କରୁଥିବା ଅନ୍ୟ ଟ୍ରାନ୍ସଜେଣ୍ଡର ମାନେ ମଧ୍ୟ ସମାଜରେ ଏକ ସ୍ଵତନ୍ତ୍ର ପରିଚୟ ପାଇବା ନିମନ୍ତେ ଆଗେଇ ଆସିବେ ଏବଂ ନିଜର ବଞ୍ଚିବା ଶୈଳୀ ଓ ମାନରେ ଏକ ଗୁଣାତ୍ମକ ପରିବର୍ତ୍ତନ ଆଣିବା ସହ ଦେଶର ଉନ୍ନତି ଓ ପ୍ରଗତିରେ ପରୋକ୍ଷ ଓ ପ୍ରତ୍ୟକ୍ଷ ଭାବରେ ନିଜର ଅବଦାନ ଦେଇପାରିବେ । ଯାହାକି’,ପ୍ରତ୍ୟକ ନାଗରିକ ମାନଙ୍କର ସାମାଜିକ ଦାୟିତ୍ଵବୋଧତାର ଏକ ଅଂଶ ହେବା ଉଚିତ । ସେମାନେ ବଞ୍ଚୁଥିବା ଉକ୍ତ ଜୀବନ ନର୍ଦ୍ଦମା ମଧ୍ୟରୁ ଉଦ୍ଧାର କରିବା ନିମନ୍ତେ ଆମେ ସମସ୍ତେ ବ୍ୟକ୍ତିଗତ ଭାବରେ ଆଗେଇ ଆସିବା ଉଚିତ । କାରଣ ସେମାନେ ଅଛୁଆଁ ନୁହଁନ୍ତି! ଆମ ପରି ସାଧାରଣ ମଣିଷ ଅଟନ୍ତି ଏବଂ ସଭ୍ୟ ସମାଜରେ ସମ୍ମାନର ସହ ବଞ୍ଚିବାର ସମାନ ଅଧିକାର ସେମାନଙ୍କର ମଧ୍ୟରହିଅଛି ।
***
ବନ୍ଦାଳୋ, ଟାଙ୍ଗୀ, କଟକ-୭୫୪୦୨୨
ମୋ: ୯୩୩୭୮୯୭୬୫୦