ଶ୍ରୀମନ୍ଦିର ନାଟମଣ୍ଡପରେ ଅଢ଼େଇ ଫୁଟର ଫାଟ । ନାଟମଣ୍ଡପରେ ଯେଉଁଠି ଠାକୁରଙ୍କ ଫଟୋ ଲଗାଇବା ସ୍ଥାନ ରହିଛି, ସେହି ସ୍ଥାନରେ ଏଭଳି ବିରାଟ ଫାଟ ସୃଷ୍ଟି ହୋଇଛି। ଏହା ପୁରୁଣା ଫାଟ ନା ଶ୍ରୀମନ୍ଦିର ଚତୁଃପାର୍ଶ୍ବ ଖନନ ପରେ ଏଭଳି ଫାଟ ସୃଷ୍ଟି ହୋଇଛି, ତାକୁ ନେଇ ଶଙ୍କା ।
ଦେଖିବାକୁ ମିଳିଛି କି ଜୟ-ବିଜୟ ଦ୍ବାର ପ୍ରବେଶ ପୂର୍ବରୁ ଜୟ-ବିଜୟ ଦ୍ବାର ଓ ଦାନ ହୁଣ୍ଡି ମଝିରେ ନାଟମଣ୍ଡପ ଛାତରେ ପାର୍ଶ୍ବ ଦେବାବେଦୀଙ୍କ ପ୍ରତିମୂର୍ତ୍ତି ରହିବା ପାଇଁ ତିନି କୋଣିଆ କୋଠରୀ ଭଳି ଯେଉଁ ଆସ୍ଥାନ ରହିଛି, ସେହି ସ୍ଥାନରେ ଏଭଳି ଫାଟ ସୃଷ୍ଟି ହୋଇଛି। ଫାଟ ପ୍ରାୟ ଅଢ଼େଇ ଫୁଟ ଲମ୍ବ ହୋଇଥିବାବେଳେ ଓସାର ପ୍ରାୟ ଦେଢ଼ ଇଞ୍ଚ ହେବ। ଏହି ଫାଟ ତିନିକୋଣିଆ କୋଠରୀର ତଳଭାଗରୁ ଉପରପାର୍ଶ୍ବକୁ ଲମ୍ବିଥିବା ଦେଖିବାକୁ ମିଳିଛି। ଏହି ଫାଟ କ୍ରମେ ବଢ଼ୁଥିବା ଅନୁମାନ କରାଯାଉଛି ।
ଶ୍ରୀମନ୍ଦିର ଚତୁଃପାର୍ଶ୍ବ ଖନନ ଓ ନିର୍ମାଣ ଶ୍ରୀମନ୍ଦିର ପାଇଁ ବିପଦ ଥିବା ପ୍ରତ୍ନତତ୍ତ୍ବ ବିଭାଗ ସତର୍କ କରି ସାରିଥିବାବେଳେ ଜିଲ୍ଲା ପ୍ରଶାସନ ଏହାକୁ ହେୟଜ୍ଞାନ କରି ଖନନ ଓ ନିର୍ମାଣ କାର୍ଯ୍ୟ ଜାରି ରଖିଛି। ଏଭଳି ସ୍ଥିତିରେ ଶ୍ରୀମନ୍ଦିର ନାଟମଣ୍ଡପରେ ଏତେ ବଡ଼ ଫାଟ ଦେଖାଯିବା, ସାଧାରଣରେ ବି ସନ୍ଦେହ ସୃଷ୍ଟି କରିଛି ।
ଶ୍ରୀମନ୍ଦିର ଐତିହ୍ୟ କରିଡର ପ୍ରକଳ୍ପ ଆଳରେ ଚତୁଃପାର୍ଶ୍ବରେ ଖନନ ଓ ନିର୍ମାଣ କାର୍ଯ୍ୟ ଜୋରଦାର ଚାଲିଛି। ଜେସିବି, ଏସ୍କାଭେଟର ଲଗାଇ ଶ୍ରୀମନ୍ଦିର ଚତୁଃପାର୍ଶ୍ବରେ ବିରାଟ ବିରାଟ ଗର୍ତ୍ତ ସୃଷ୍ଟି କରାଯାଇଛି। ଯାହାର କମ୍ପନ ଶ୍ରୀମନ୍ଦିର ପାଇଁ ବିପଦ ସୃଷ୍ଟି କରିବ ବୋଲି ପ୍ରତ୍ନତତ୍ତ୍ବ ବିଭାଗ ସତର୍କ କରାଇ ସାରିଛି। ଏଭଳି ସ୍ଥିତିରେ ଶ୍ରୀମନ୍ଦିର ନାଟମଣ୍ଡପରେ ଫାଟ ଦେଖାଦେବା ଶ୍ରୀମନ୍ଦିର ସୁରକ୍ଷା ବ୍ୟବସ୍ଥାକୁ ନେଇ ଏହା ବିରାଟ ପ୍ରଶ୍ନ ଠିଆ କରିଛି ।