ଡ. ସମନ୍ୱୟ ନନ୍ଦ
ଇଂରେଜ ଖ୍ରୀଷ୍ଟିଆନ ଶାସନର ମୂଳଦୁଆକୁ ୧୮୫୭ ଖ୍ରୀଷ୍ଟାବ୍ଦରେ ହୋଇଥିବା ଏକ ଆନ୍ଦୋଳନ ଦୋହଲାଇ ଦେଇଥିଲା । ଯାହାକୁ ବିଦେଶୀ ଖ୍ରୀଷ୍ଟିଆନ ଇତିହାସକାର ମାନେ ସିପାହୀ ବିଦ୍ରୋହ ଓ ମ୍ୟୁଟିନି ଭଳି ସଂଜ୍ଞା ମାନ ଦେଇ ଆସୁଥିଲେ । ଇଂରେଜ ତଥା ଅନ୍ୟାନ୍ୟ ପାଶ୍ଚାତ୍ୟ ଖ୍ରୀଷ୍ଟିଆନ ଇତିହାସକାର ମାନେ ଏହି ସ୍ୱାଧିନତା ଆନ୍ଦୋଳନକୁ ଉତ୍ତର ଭାରତର ଏକ ଛୋଟ ଭାଗ ପର୍ଯନ୍ତ ସୀମିତ ଥିବା ଏକ ଆକସ୍ମିକ ଓ ନିରୁଦ୍ଦେଶ୍ୟ ସିପାହୀ ବିଦ୍ରୋହ ବୋଲି ପ୍ରମାଣିତ କରିବାକୁ ଚାହୁଁଥିଲେ କିନ୍ତୁ ଠିକ ଏତିକି ବେଳେ ଲଣ୍ଡନରେ ଏକ ୨୪ ବର୍ଷୀୟ ଭାରତୀୟ ଯୁବକ ବିନାୟକ ଦାମୋଦର ସାବରକର ଗବେଷଣାପୂର୍ବକ ଏକ ପୁସ୍ତକ ଲେଖି ଇଂରେଜ ତଥା ଅନ୍ୟାନ୍ୟ ପାଶ୍ଚାତ୍ୟ ଖ୍ରୀଷ୍ଟିଆନ ଇତିହାସକାର ମାନଙ୍କ ଏପରି ଦାବିକୁ ମିଥ୍ୟା ବୋଲି ପ୍ରମାଣିତ କରିଥିଲେ ।
ସେ କହିଥିଲେ, ଏହା କେବଳ କିଛି ଅଞ୍ଚଳରେ ସୀପାହୀ ମାନଙ୍କ ଦ୍ୱାରା ବିଦ୍ରୋହ ନଥିଲା ବରଂ ସମ୍ପୂର୍ଣ୍ଣ ଦେଶରେ ଅତ୍ୟାଚାରୀ ଖ୍ରୀଷ୍ଟିଆନ(ଇଂରେଜ) ମାନଙ୍କ ବିରୁଦ୍ଧରେ ଥିବା ଆକ୍ରୋଶର ପୁଞ୍ଜିଭୂତ ପରିଣାମ ଥିଲା । ଏହା ଦେଶର ଅଳ୍ପ କିଛି ଭାଗରେ ନ ହୋଇ ସମ୍ପୂର୍ଣ୍ଣ ଦେଶରେ ଯୋଜନାବଦ୍ଧ ଭାବରେ ହୋଇଥିଲା ।
ଏହି ପୁସ୍ତକ ପ୍ରକାଶିତ ହେବା ଦ୍ୱାରା ଇଂରେଜ ସରକାର ଅତ୍ୟନ୍ତ ଭୀତଗ୍ରସ୍ତ ହୋଇଯାଇଥିଲା । ଇଂରେଜ ସରକାର କେତେ ଭୀତଗ୍ରସ୍ତ ହୋଇଯାଇଥିଲା ତାହା ଗୋଟିଏ କଥାରୁ ଅନୁମାନ କରାଯାଇ ପାରେ ଯେ ଏହି ପୁସ୍ତକ ପ୍ରକାଶିତ ହେବା ପୂର୍ବରୁ ଗୋଟିଏ ନୁହେଁ ଇଂଲଣ୍ଡ ଓ ଭାରତ, ଦୁଇ- ଦୁଇଟି ସରକାର ଏହି ପୁସ୍ତକର ପ୍ରକାଶନ ଉପରେ ପ୍ରତିବନ୍ଧକ ଲଗାଇ ଦେଇଥିଲେ ।
ଏପରି ଭାବରେ ସାବରକର ହେଉଛନ୍ତି ଜଣେ ଏପରି ବ୍ୟକ୍ତିତ୍ୱ ଯାହାଙ୍କର ପୁସ୍ତକ ପ୍ରକାଶିତ ହେବା ପୂର୍ବରୁ ଦୁଇ-ଦୁଇଟି ସରକାର ଏହି ପୁସ୍ତକର ପ୍ରକାଶନ ଉପରେ ପ୍ରତିବନ୍ଧ ଲଗାଇ ଦେଇଥିଲେ ।
ଏହା ସତ୍ତ୍ବେ ମଧ୍ୟ ଲାଲା ହରଦୟାଲ, ମ୍ୟାଡମ କାମାଙ୍କ ଭଳି ସ୍ୱାଧିନତା ସଂଗ୍ରାମୀ ମାନେ ନିଜ ମଧ୍ୟରେ ଧନ ସଂଗ୍ରହ କରି ଗୁପ୍ତ ଭାବରେ ଏହି ପୁସ୍ତକର ପ୍ରକାଶନ କରାଇଥିଲେ । ଏହି ପୁସ୍ତକ ପରେ ଭଗତ ସିଂହ ଏବଂ ଅନ୍ୟାନ୍ୟ ଅନେକ ସ୍ୱାଧିନତା ସଂଗ୍ରାମୀଙ୍କ ପାଇଁ ପ୍ରେରଣାର ଉତ୍ସ ସାଜିଥିଲା । ଏହି ଗ୍ରନ୍ଥ ଏତେ ଲୋକପ୍ରିୟ ହୋଇଥିଲା ଯେ ସ୍ୱାଧିନତା ସଂଗ୍ରାମୀ ମାନେ ଏହାକୁ ପୁନଃ ଗୁପ୍ତ ଭାବରେ ଛପାଇ ବାଣ୍ଟୁଥିଲେ ।
ଏହି ଗ୍ରନ୍ଥରୁ ପ୍ରେରଣା ଲାଭ କରି ଅନେକେ ସ୍ୱାଧିନତାର ଯଜ୍ଞ ବେଦୀରେ ନିଜକୁ ଆହୁତି ଦେଇଥିଲେ । ତେଣୁ ସ୍ୱାତନ୍ତ୍ରବୀର ସାବରକରଙ୍କ ଜୟନ୍ତୀ ଅବସରରେ ତାଙ୍କ ଦ୍ୱାରା କରାଯାଇଥିବା କାର୍ଯଗୁଡ଼ିକର ମୂଲ୍ୟାଙ୍କନ କରାଯିବାର ଆବଶ୍ୟକତା ରହିଛି, ଯାହା ଫଳରେ ଦେଶର ଆଗାମୀ ପୀଢ଼ି ଏହା ଦ୍ୱାରା ପ୍ରେରଣା ଲାଭ କରି ପାରିବେ ।
ମହାରାଷ୍ଟ୍ରର ନାସିକ ଜିଲ୍ଲାର ଭାଙ୍ଗୁର ନାମକ ଗ୍ରାମରେ ଜନ୍ମଗ୍ରହଣ କରିଥିବା ସାବରକର ବାଲ୍ୟକାଳରୁ ହିଁ ପ୍ରଚଣ୍ଡ ଦେଶଭକ୍ତ ଥିଲେ । ବିଦ୍ୟାଳୟରେ ପଢୁଥିବା ସମୟରେ ସେ ନିଜର ଗୃହଦେବୀଙ୍କ ସମ୍ମୁଖରେ ପ୍ରତିଜ୍ଞା କରିଥିଲେ ଯେ ଖ୍ରୀଷ୍ଟିଆନ ଇଂରେଜ ମାନଙ୍କ ଶିକୁଳିର ବେଡିରେ ଥିବା ଭାରତ ମାତାଙ୍କୁ ସେ ନିଶ୍ଚିତ ଭାବରେ ମୁକ୍ତ କରାଇବେ ।
ମେଟ୍ରିକ କରିବା ପରେ ୧୯୦୨ ଖ୍ରୀଷ୍ଟାବ୍ଦରେ ସେ ପୁଣେର ଫରଗୁସନ ମହାବିଦ୍ୟାଳୟରେ ନାମ ଲେଖାଇଥିଲେ ଏବଂ ସେଠାରେ ସେ ଛାତ୍ର ମାନଙ୍କ ମଧ୍ୟରେ ଦେଶପ୍ରେମ ଜାଗୃତ କରି "ଅଭିନବ ଭାରତ" ନାମକ ଏକ ସଙ୍ଗଠନର ସ୍ଥାପନା କରିଥିଲେ ।
ସ୍ୱାତନ୍ତ୍ରବୀର ସାବରକରଙ୍କ ସମ୍ପର୍କରେ ଅନେକ ତଥ୍ୟ ରହିଛି ଯାହା ଆଜିର ଯୁବ ସମାଜ ଜାଣିବା ଆବଶ୍ୟକ । ସେ ଥିଲେ ଜଣେ ଇତିହାସ ପୁରୁଷ । ସେ ଅନେକ ମାମଲାରେ ପ୍ରଥମ ଭାରତୀୟ ଥିଲେ ।
ସାବରକର ବିଶ୍ୱ ରାଜନୈତିକ ଇତିହାସରେ ପ୍ରଥମ ନେତା ଥିଲେ ଯାହାଙ୍କୁ ଇଂରେଜ ଖ୍ରୀଷ୍ଟିଆନ ଶାସନ ଦୁଇ ଜନ୍ମ ( ୫୦ ବର୍ଷ) କାରାଦଣ୍ଡର ଆଦେଶ କରିଥିଲା । ଅତ୍ୟାଚାରୀ ଇଂରେଜ ସରକାର ବିରୁଦ୍ଧରେ ଷଡଯନ୍ତ୍ର କରିବା, ବିପ୍ଳବୀ ମାନଙ୍କୁ ସହଯୋଗ କରିବା ଭଳି ଅଭିଯୋଗରେ ସାବରକରଙ୍କୁ ୫୦ ବର୍ଷ କାରାବାସ ଘୋଷଣା କରାଯାଇଥିଲା ।
ଯେତେବେଳେ ଇଂରେଜ ବିଚାରପତି ନ୍ୟାୟାଳୟରେ ତାଙ୍କ ବିରୁଦ୍ଧରେ ଏହି ରାୟ ଶୁଣାଇଥିଲେ ସେତେବେଳେ ସାବରକର କହିଥିଲେ ଯେ ୫୦ ବର୍ଷର କାରାଦଣ୍ଡାଦେଶ ଦେଇ ଖ୍ରୀଷ୍ଟିଆନ ଇଂରେଜ ସରକାର ହିନ୍ଦୁ ମାନଙ୍କର ପୁନର୍ଜନ୍ମର ସିଦ୍ଧାନ୍ତକୁ ସ୍ୱୀକାର କରିନେଇଛନ୍ତି ।
କଳାପାଣିର ନାମ ଶୁଣିଲା ମାତ୍ରେ ଏବେ ମଧ୍ୟ ଶରୀର ଶିହରି ଉଠେ । ସେତେବେଳେ ସାବରକରଙ୍କୁ ଆଣ୍ଡାମାନର ସେଲ୍ୟୁଲାର ଜେଲ (କଳାପାଣି)ରେ କଏଦୀ ମାନଙ୍କ ସହ ଅତି ଅମାନବୀୟ ବ୍ୟବହାର କରାଯାଉଥିଲା ।
ବୀର ସାବରକର ହେଉଛନ୍ତି ଭାରତୀୟ ସ୍ୱାଧିନତା ଆନ୍ଦୋଳନର ପ୍ରଥମ ନେତା ଯେ ସର୍ବପ୍ରଥମେ ବିଦେଶୀ ବସ୍ତ୍ରକୁ ଜଳାଇଥିଲେ ।
ସାବରକର ସେତେବେଳେ ସ୍ୱାଧିନତାକୁ ନିଜର ଧ୍ୟେୟ ବୋଲି ଘୋଷଣା କରିଥିଲେ ଯେତେବେଳେ ସ୍ୱରାଜ ଶବ୍ଦର ଉଚ୍ଚାରଣ କରିବା ମହାବିନାଶକୁ ନିମନ୍ତ୍ରଣ ଦେବା ସହ ସମାନ ଥିଲା ।
୧୯୦୫ ମସିହାରେ ବଙ୍ଗ ଭଙ୍ଗ ପରେ ସଂପୂର୍ଣ ଦେଶରେ ଯେଉଁ ଆନ୍ଦୋଳନ ବ୍ୟାପିଥିଲା ସେତେବେଳେ ପୁଣେ ଠାରେ ସାବରକର ସାର୍ବଜନିକ ଭାବେ ବିଦେଶୀ ବସ୍ତ୍ରରେ ଅଗ୍ନିସଂଯୋଗ କରିଥିଲେ । ଏହା ଫଳରେ ତାଙ୍କୁ ଇଂରେଜ ମାନଙ୍କ ବିରୁଦ୍ଧରେ ଚାଲିଥିବା କାର୍ଯକଳାପରେ ଭାଗ ନେବା ଅଭିଯୋଗରେ ମହାବିଦ୍ୟାଳୟରୁ ନିଲମ୍ବିତ କରାଯାଇଥିଲା କିନ୍ତୁ ପରେ ତାଙ୍କୁ ପରୀକ୍ଷାରେ ବସିବାକୁ ଅନୁମତି ଦିଆଯାଇଥିଲା ।
ସ୍ନାତକୋତ୍ତର ପରୀକ୍ଷାରେ ସଫଳତାର ସହ ଉତ୍ତୀର୍ଣ୍ଣ ହେବା ପରେ ସେ ସ୍ୱାଧିନତା ସଂଗ୍ରାମୀ ଶ୍ରୀ ଶ୍ୟାମଜୀକୃଷ୍ଣ ବର୍ମାଙ୍କ ସହଯୋଗରେ ଛାତ୍ର ବୃତ୍ତି ପ୍ରାପ୍ତ କରି ବାରିଷ୍ଟରୀ ଅଧ୍ୟୟନ କରିବା ପାଇଁ ଲଣ୍ଡନ ଯାଇଥିଲେ । ବାରିଷ୍ଟରୀ କରିବା ସହିତ ସେ ସେଠାରେ ଇଣ୍ଡିଆ ହାଉସରେ ରହି ଭାରତୀୟ ମାନଙ୍କୁ ଏକାଠି କରିଥିଲେ ।ଖୁବ କମ ସମୟରେ ଇଣ୍ଡିଆ ହାଉସ ଧିରେ ଧିରେ ଇଂରେଜ ବିରୋଧୀ କାର୍ଯକଳାପର କେନ୍ଦ୍ର ହେବାକୁ ଲାଗିଲା । ସେଠାରେ ସେ ଫ୍ରି ଇଣ୍ଡିୟା ସୋସାଇଟିର ସ୍ଥାପନା କରିଥିଲେ ।
ସାବରକର ସ୍ୱାଧିନତା ସଂଗ୍ରାମୀ ମଦନଲାଲ ଢିଙ୍ଗରାଙ୍କ ର ସେ ପ୍ରେରଣାର ଉତ୍ସ ଥିଲେ । ଏକ ସାର୍ବଜନିକ କାର୍ଯକ୍ରମରେ ଏକ ନିଷ୍ଠୁର ଇଂରେଜ ଅଧିକାରୀ କର୍ଜନ ୱାଇଲିଙ୍କୁ ଶ୍ରୀ ଢିଙ୍ଗରା ଗୁଳି ମାରି ହତ୍ୟା କରିଥିଲେ ।
ଇଂଲଣ୍ଡରେ ରହୁଥିବା ଇଂରେଜ ସମର୍ଥକ ଭାରତୀୟ ମାନଙ୍କ ଦ୍ୱାରା ଢିଙ୍ଗରାଙ୍କ କୃତ୍ୟର ନିନ୍ଦା କରିବା ପାଇଁ ଏକ ସଭା ଅୟୋଜିତ ହେଲା । ଏହି ସଭାରେ ବୀର ସାବରକର ଢିଙ୍ଗରାଙ୍କ କୃତ୍ୟର ନିନ୍ଦା କରିବା ପାଇଁ ମନା କରି ଦେଇଥିଲେ ।
କେବଳ ସେତିକି ନହେଁ ସେ ଢିଙ୍ଗରାଙ୍କ ସମର୍ଥନରେ ବ୍ରିଟେନରେ ଅନେକ ସମ୍ବାଦପତ୍ରରେ ଆଲେଖ୍ୟ ମାନ ଲେଖି ଥିଲେ । ତେବେ ଏହି କୃତ୍ୟ ପାଇଁ ଇଂରେଜ ମାନେ ଢିଙ୍ଗରାଙ୍କୁ ଫାଶୀ ଖୁଣ୍ଚରେ ଝୁଲାଇ ଦେଇଥିଲେ । ପ୍ରଚଣ୍ଡ ଦେଶଭକ୍ତି କାରଣରୁ ଇଂରେଜ ପୋଲିସ ତାଙ୍କ ପଛରେ ସର୍ବଦା ଲାଗିରହିଥିଲା । ଲଣ୍ଡନରେ ରହି ସେ ଇଂରେଜ ଖ୍ରୀଷ୍ଟିଆନ ସରକାରଙ୍କ ବିରୁଦ୍ଧରେ ଯୁଦ୍ଧ ଚଳାଇଥିଲେ । ଏହା ଫଳରେ ବୀର ସାବରକରଙ୍କୁ ବାରିଷ୍ଟରୀ ଉପାଧି ଦେବାପାଇଁ ଖ୍ରୀଷ୍ଟିଆନ ଇଂରେଜ ଶାସନ ଅସ୍ୱୀକାର କରିଦେଇଥିଲା ।
ଏହା ବ୍ୟତୀତ ସାବରକର ପ୍ରଥମ ରାଜନୈତିକ ବ୍ୟକ୍ତି ଥିଲେ ଯାହାଙ୍କର ମକଦ୍ଦମା ହେଗ ଠାରେ ଥିବା ଆନ୍ତ୍ରଜାର୍ତିକ ନ୍ୟାୟାଳୟରେ ଚଳା ଯାଇଥିଲା । କାରଣ ସେ ବ୍ରିଟିଶ ନ୍ୟୟାଳୟକୁ ମାନ୍ୟତା ପ୍ରଦାନ କରିବାକୁ ଅସ୍ୱୀକାର କରି ଦେଇଥିଲେ ।
ଏହା ବ୍ୟତୀତ ବୀର ସାବରକର ବିଶ୍ୱର ପ୍ରଥମ କବି ଥିଲେ ଯାହାଙ୍କୁ ଅଣ୍ଡାମାନର ସେଲ୍ୟୁଲାର ( କଳାପାଣି) ଜେଲରେ କାଗଜ କଲମରୁ ବଞ୍ଚିତ ରଖା ଯାଇଥିଲେ ସୁଦ୍ଧା ସେ କାରାଗୃହର ପ୍ରାଚୀରରେ ନିଜ ନଖ ଓ କଣ୍ଚା ଦ୍ୱାରା କବିତା ମାନ ଲେଖିଥିଲେ । ସେ ତାଙ୍କ ଦ୍ୱାରା ଲିଖିତ ଦଶ ହଜାର ପଦକୁ କଣ୍ଠସ୍ଥ କରି ବା ଅନ୍ୟ ମାନଙ୍କ ଦ୍ୱାରା କଣ୍ଠସ୍ଥ କରାଇ ନିଜ ଦେଶ ପର୍ଯ୍ୟନ୍ତ ପହଞ୍ଚାଇ ଥିଲେ । ଏହା ପୂର୍ବରୁ ଯେପରି ଉଲ୍ଲେଖ କରାଯାଇଛି ଯେ ସେ ବିଶ୍ୱର ପ୍ରଥମ ଲେଖକ ଥିଲେ ଯାହାଙ୍କ ପୁସ୍ତକର ପ୍ରକାଶନ ଓ ମୁଦ୍ରଣ ପୂର୍ବରୁ ହିଁ ଦୁଇଟି ଦେଶର ସରକାର ପ୍ରତିବନ୍ଧ ଲଗାଇ ଦେଇଥିଲେ ।
ସ୍ୱାତନ୍ତ୍ର ବୀର ସାବରକର କେତେ ସାହାସୀ ଓ ଆତ୍ମବିଶ୍ୱାସୀ ଥିଲେ ତାହା ଜାଣିବା ପାଇଁ ତାଙ୍କ ଜୀବନର ଗୋଟିଏ ଘଟଣାର ଉଲ୍ଲେଖ କରିବା ଉଚିତ ହେବ ।
ଲଣ୍ଡନରେ ରହୁଥିବା ସମୟରେ ଇଂରେଜ ମାନଙ୍କ ବିରୁଦ୍ଧରେ ଷଡଯନ୍ତ୍ର କରିବା ଅଭିଯୋଗରେ ତାଙ୍କୁ ୧୯୧୦ ଖ୍ରୀଷ୍ଟାବ୍ଦ ମାର୍ଚ୍ଚ ମାସ ୧୩ ତାରିଖ ଦିନ ଗିରଫ କରାଯାଇଥିଲା । ତାଙ୍କୁ ପାଣି ଜାହାଜରେ ଭାରତ ଅଣାଯାଉଥିଲା । ଜୁଲାଇ ମାସ ୮ ତାରିଖର କଥା । ସାବରକର ଏହି ଦିନ ସମୁଦ୍ର ମଧ୍ୟରେ ପାଣି ଜାହାଜରୁ ଡିଆଁ ମାରି ଦେଲେ । ତା ପରେ ସମୁଦ୍ରରେ ପହଁରି-ପହଁରି ସମୁଦ୍ର ପାର କରି ସାରସେଲ୍ସର ଉପକୂଳରେ ପହଞ୍ଚିଥିଲେ ।
ସେ ଭାବି ଥିଲେ ଯେ ପୂର୍ବ ଯୋଜନା ଅନୁସାରେ ତାଙ୍କର ମିତ୍ର ମାନେ ସମୁଦ୍ର ତଟରେ ପହଞ୍ଚିଥିବେ । ତେବେ ତାଙ୍କର ମିତ୍ର ମାନଙ୍କର ସେଠାରେ ପହଞ୍ଚିବାରେ କିଛି ବିଳମ୍ବ ହୋଇଯାଇଥିଲା । ତେଣୁ ପୋଲିସ ତାଙ୍କୁ ପୁଣି ଗିରଫ କରି ନେଇଥିଲା । ତାଙ୍କ ଜୀବନର ଏହି ଘଟଣା ତାଙ୍କର ଅଦମ୍ୟ ସାହସର ପରିଚୟ ଦିଏ ।
ବୀର ସାବରକର ଅନେକ ସ୍ୱାଧିନତା ସଂଗ୍ରାମୀ ଓ ବିପ୍ଳବୀ ମାନଙ୍କର ପ୍ରେରଣାର ଉତ୍ସ ଥିଲେ । ତେଣୁ ଖ୍ରୀଷ୍ଟିଆନ ଇଂରେଜ ସରକାର ତାଙ୍କ ଠାରୁ ଖୁବ ଭୟଭୀତ ଥିଲେ । ସେମାନେ କେତେ ଭୟଭୀତ ଥିଲେ, ତାହା ତତ୍କାଳୀନ ଇଂରେଜ ସରକାରଙ୍କ ପତ୍ରରୁ ସ୍ପଷ୍ଟ ହୋଇଯାଏ ।
କଳାପାଣିରେ କାରାବାସ ଭୋଗ କରୁଥିବା ସାବରକର ଓ ତାଙ୍କ ଭାଇଙ୍କୁ ଯେତେବେଳେ ମହାରାଷ୍ଟ୍ରର କୌଣସି ଜେଲକୁ ସ୍ଥାନାନ୍ତରିତ କରିବା ପାଇଁ ଦାବି କରାଯାଉଥିଲା ସେତେବେଳେ ବମ୍ବେ ସରକାରଙ୍କର ଗୃହ ବିଭାଗ ପକ୍ଷରୁ ବିରୋଧ କରାଯାଇଥିଲା । ବମ୍ବେ ସରକାର ପକ୍ଷରୁ ଏକ ପତ୍ର ଲେଖି କୁହାଯାଇଥିଲା ଯେ ଏପରି କରିବା ଦ୍ୱାରା ଆନ୍ଦୋଳନ ପୁନର୍ବାର ଜୋରଦାର ହୋଇ ପାରେ ।
ବୀର ସାବରକର ଜଣେ ଦୂର ଦ୍ରଷ୍ଟା ଥିଲେ । ସେ କାଳଜୟୀ ଥିଲେ । ଅତ୍ୟାଚାରୀ ଖ୍ରୀଷ୍ଟିଆନ ଇଂରେଜ ମାନଙ୍କ ଦ୍ୱାରା ପ୍ରଚାର କରାଯାଉଥିବା ମିଥ୍ୟାକୁ ସେ ମାତ୍ର ୨୪ ବର୍ଷ ବୟସରେ ଭୁଲ ବୋଲି ପ୍ରମାଣିତ କରିଥିଲେ । ଏହା ସହ ଲକ୍ଷ ଲକ୍ଷ ବିପ୍ଲବୀଙ୍କର ସେ ଥିଲେ ପ୍ରେରଣାର ଉତ୍ସ । ଆଜି ତାଙ୍କର ଏହି ପୁଣ୍ୟ ଜୟନ୍ତୀ ଅବସରରେ ଏପରି ବ୍ୟକ୍ତିତ୍ୱଙ୍କ ଜୀବନରୁ ଯୁବ ସମାଜକୁ ପ୍ରେରଣା ଗ୍ରହଣ କରିବା ଉଚିତ ।