: ଅଯୋଧ୍ୟାର ଶ୍ରୀରାମ ଜନ୍ମଭୂମିରେ ଏକ ଭବ୍ୟ ବିଶ୍ୱ ସ୍ତରୀୟ ମନ୍ଦିର ନିର୍ମାଣ କରାଯିବ । ଗତବର୍ଷ ଏନେଇ ଭାରତର ସର୍ବୋଚ୍ଚ ନ୍ୟାୟାଳୟଙ୍କ ଏକ ୫ଜଣିଆ ଖଣ୍ଡପୀଠ ଚୁଡାନ୍ତ ନ୍ୟାୟ ଦେବାପରେ ମନ୍ଦିର ନିର୍ମାଣ ନିମନ୍ତେ ପଥ ସୁଗମ ହୋଇଛି । ଏଥିନିମନ୍ତେ ଗଠିତ ଶ୍ରୀରାମ ଜନ୍ମଭୂମି ତୀର୍ଥକ୍ଷେତ୍ର ନ୍ୟାସ(ଟ୍ରଷ୍ଟ) ଭାରତବର୍ଷର କୋଟି କୋଟି ରାମଭକ୍ତଙ୍କ ସହାୟତା ଲୋଡିଛି । ଏହି ମନ୍ଦିର ବିଶ୍ୱର ସମସ୍ତ ରାମଭକ୍ତଙ୍କୁ ଯୋଡିବା ପାଇଁ ଏକ ସେତୁ ପରି କାମ କରିବ । ଏଥି ପାଇଁ ମକର ସଂକ୍ରାନ୍ତି ଠାରୁ ମାଘ ପୂର୍ଣ୍ଣିମା ପର୍ଯ୍ୟନ୍ତ ସଂପୂର୍ଣ୍ଣ ଦେଶକୁ ଯୋଡିବା ପାଇଁ ଏକ ବ୍ୟାପକ ନିଧି ସମର୍ପଣ ଏବଂ ସଂପର୍କ ଅଭିଯାନ କରାଯିବ । ଏହା ୧୫ ଜାନୁୟାରୀରୁ ୨୭ ଫେବୃୟାରୀ ପର୍ଯ୍ୟନ୍ତ ଚାଲିବ । ଏଥିରେ ଆମେ ସମସ୍ତେ ସହଭାଗୀ ହେବା । ଶ୍ରୀରାମ ମନ୍ଦିରରୁ ରାମ ରାଜ୍ୟର ମାର୍ଗ ଏହି ଅଭିଯାନ ଦ୍ୱାରା ପ୍ରଶସ୍ତ ହେବ । ପ୍ରତି ରାଜ୍ୟରେ ଗଠିତ ଶ୍ରୀରାମ ଜନ୍ମ ମନ୍ଦିର ନିଧି ସମର୍ପଣ ସମିତି ଏଥିନିମନ୍ତେ ୧୫ଦିନ ବ୍ୟାପି ସ୍ୱତନ୍ତ୍ର ଅଭିଯାନ ଚଳାଇବ । ଏହି କ୍ରମରେ ପୂର୍ବ ଓଡିଶାରେ ଜାନୁୟାରୀ ୧୫ ତାରିଖରୁ ଜାନୁୟାରୀ ୩୦ ତାରିଖ ପର୍ଯ୍ୟନ୍ତ ଏହି ଅଭିଯାନ ଚାଲିବାକୁ ଥିବା ବେଳେ ପଶ୍ଚିମ ଓଡିଶାରେ ଜାନୁଆରୀ ୨୫ରୁ ଆରମ୍ଭ ହୋଇ ଫେବୃଆରୀ ୧୦ ତାରିଖ ପର୍ଯ୍ୟନ୍ତ ଚାଲିବ ବୋଲି ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ଶ୍ରୀରାମ ଜନ୍ମଭୂମି ମନ୍ଦିର ନିଧି ସମର୍ପଣ ସମିତି, ଓଡିଶାର ସମ୍ପାଦକ ଶ୍ରୀ ଗୋପାଳ ପ୍ରସାଦ ମହାପାତ୍ର ପ୍ରକାଶ କରିଛନ୍ତି ।
ଶ୍ରୀ ମହାପାତ୍ର କହିଲେ ଯେ,ପବିତ୍ର ମକର ସଂକ୍ରାନ୍ତି ଅବସରରେ ଏହି ଅଭିଯାନର ଶୁଭ ଉଦଘାଟନ ହୋଇଯାଇଛି । ଓଡିଶାର ଏକାବନ ହଜାର ଗାଁର ଲୋକମାନେ ଯେପରି ଅଯୋଧ୍ୟାର ଶ୍ରୀରାମ ଜନ୍ମଭୂମିରେ ହେବାକୁଥିବା ଭବ୍ୟ ମନ୍ଦିର ନିର୍ମାଣ କାର୍ଯ୍ୟରେ ସାମିଲ ହୋଇ ପାରିବେ ସେଥିପାଇଁ ସମିତି ତରଫରୁ ବ୍ୟାପକ ଯୋଜନା କରାଯାଇଛି । ସମିତି ତରଫରୁ ଜିଲ୍ଲା, ତହସିଲ, ପଂଚାୟତ ଏପରିକି ଅନେକ ଗାଁରେ ମଧ୍ୟ ସମିତି ଗଠନ କରାଯାଇଛି । ପୂର୍ବ ଓଡିଶାରେ କାର୍ଯ୍ୟକର୍ତାମାନଙ୍କ ମାଧ୍ୟମରେ ୧୬ଟି ଜିଲ୍ଲାର ୩୨,୦୦୦ ଗାଁକୁ ସଂପର୍କ କରାଯିବ । ସେହିପରି ପଶ୍ଚିମ ଓଡିଶାରେ ୧୪ଟି ଜିଲ୍ଲାରେ କାର୍ଯ୍ୟକର୍ତାମାନଙ୍କ ମାଧ୍ୟମରେ ୧୯,୦୦୭ ଗାଁକୁ ସଂପର୍କ କରାଯିବ ବୋଲି ଯୋଜନା କରାଯାଇଛି । ଓଡିଶାରେ ତିନି କୋଟିରୁ ଉର୍ଦ୍ଧ୍ୱ ଲୋକଙ୍କୁ ସଂପର୍କ କରାଯାଇ ନିଧି ସଂଗ୍ରହ କରାଯିବ ବୋଲି ସ୍ଥିର କରାଯାଇଛି । ସମିତିର କର୍ମକର୍ତାମାନେ ଘରକୁ ଘର ଯାଇ ସଂପର୍କ କରିବା ସହିତ ନିଧି ସଂଗ୍ରହ କରିବେ । ଏଥିପାଇଁ ୧୦,୧୦୦ ଓ ୧୦୦୦ ଟଂକା ପରିମାଣର କୁପନ ତିଆରି କରାଯାଇଛି । ଏତଦ୍ ବ୍ୟତୀତ ନିର୍ଦ୍ଧାରିତ କୁପନ ପରିମାଣରୁ ଅଧିକ ରାଶି ସମର୍ପଣ ପାଇଁ ରସିଦର ବ୍ୟବସ୍ଥା ମଧ୍ୟ କରାଯାଇଅଛି ।
ଏହି ଭବ୍ୟ କାର୍ଯ୍ୟକ୍ରମକୁ ପରିଚାଳନା କରିବା ପାଇଁ ସ୍ୱାମୀ ବ୍ରହ୍ମାନନ୍ଦ ସରସ୍ୱତୀ, ସ୍ୱାମୀ ଅସୀମାନନ୍ଦ ସରସ୍ୱତୀ, ସ୍ୱାମୀ ପ୍ରଜ୍ଞନାନନ୍ଦ, ସ୍ୱାମୀ ଶଙ୍କରାନନ୍ଦ ଗିରି, ସନ୍ଥ ନିତ୍ୟାନନ୍ଦ ଦାସ, ଅବିନାଶ ବାବା, ସ୍ୱାମୀ ଜୀବନମୁକ୍ତାନନ୍ଦ ପୁରୀ, ସ୍ୱାମୀ ତେଜୋମୟାନନ୍ଦ, ସ୍ୱାମୀ ସନ୍ଥ ଗିରି ପ୍ରମୁଖ ସନ୍ଥମାନଙ୍କୁ ନେଇ ଗଠିତ ମାର୍ଗ -ଦର୍ଶକ ମଣ୍ଡଳୀଙ୍କ ଦ୍ୱାରା ଶ୍ରୀରାମ ଜନ୍ମଭୂମି ମନ୍ଦିର ନିଧି ସମର୍ପଣ ସମିତି ଗଠନ କରାଯାଇଛି । ଯେଉଁଥିରେ ପ୍ରଫେସର ଡଃ.ପ୍ରଫୁଲ୍ଲ କୁମାର ମିଶ୍ର ଅଧ୍ୟକ୍ଷ, ମନସୁଖଲାଲା ସେଠିଆ ଓ ହରିଶ୍ଚନ୍ଦ୍ର ପରିଡା ଉପାଧ୍ୟକ୍ଷ, ପ୍ରାଧ୍ୟାପକ ଗୋପାଳ ପ୍ରସାଦ ମହାପାତ୍ର ସଂପାଦକ ଏବଂ ମହେଶ ସାହୁ ଓ ସୁଧିର ରଂଜନ ବହିଦାର ସହ ସଂପାଦକ ଅଛନ୍ତି । ଏଥି ସହିତ ସମାଜର ୨୧ଜଣ ମାନ୍ୟଗଣ୍ୟ ବ୍ୟକ୍ତିମାନେ ଏହି ସମିତିରେ ସଦସ୍ୟ ଅଛନ୍ତି ।
ଶ୍ରୀରାମଙ୍କ ଜନ୍ମଭୂମିରେ ଭବ୍ୟ ମନ୍ଦିର ନିର୍ମାଣରେ ସମସ୍ତେ ସମର୍ପିତ ଭାବନାର ସହ କାର୍ଯ୍ୟକଲେ ହିଁ ଏହା ଗତ ୪୯୨ବର୍ଷ (୧୫୨୮ମସିହାରୁ - ୨୦୨୦)ମଧ୍ୟରେ ବଳିଦାନ ଦେଇଥିବା ୪ଲକ୍ଷରୁ ଉର୍ଦ୍ଧ୍ୱ ରାମଭକ୍ତମାନଙ୍କ ନିମନ୍ତେ ପ୍ରକୃତ ଶ୍ରଦ୍ଧାଞ୍ଜଳି ହୋଇପାରିବ । ଏଥିପାଇଁ ଶ୍ରୀରାମ ଜନ୍ମଭୂମି ମନ୍ଦିର ନିଧି ସମର୍ପଣ ସମିତି ସମସ୍ତ ସମାଜକୁ ଶ୍ରୀରାମ ମନ୍ଦିର ନିର୍ମାଣ ନିମନ୍ତେ ସାତ୍ୱି୍ୱିକ ଦାନ ଦେବା ଏବଂ ସହଯୋଗ କରିବା ପାଇଁ ଆବାହନ କରୁଅଛି । ସମୁଦ୍ର ଉପରେ ସେତୁବନ୍ଧ ବନ୍ଧାଯିବା ସମୟରେ ଗୁଣ୍ଡୁଚିମୁଷା ଭଳି ଏହି ପବିତ୍ର କାର୍ଯ୍ୟରେ ଯଥାଶକ୍ତି ଯୋଗଦାନ କରି ଆପଣାନେ ପୁଣ୍ୟକାର୍ଯ୍ୟରେ ସହଭାଗୀ ହୁଅନ୍ତୁ ବୋଲି ସମିତି ନିବେଦନ କରିଛି ।
ସାମ୍ବାଦିକ ସମ୍ମିଳନୀରେ ସମିତିର ସଭାପତି ପ୍ରଫେସର ଡଃ.ପ୍ରଫୁଲ ମିଶ୍ର ଓ ଉପାଧ୍ୟକ୍ଷ ଶ୍ରୀ ମନସୁଖଲାଲା ସେଠିଆ ପ୍ରମୁଖ ଉପସ୍ଥିତ ଥିଲେ ।