ଆନ୍ସିଏଣ୍ଟ ମନୁମେଣ୍ଟ ଆଣ୍ଡ ଆର୍କିଓଲୋଜିକାଲ ସାଇଟ୍ସ ଆଣ୍ଡ ରିମେନ୍ସ ଆକ୍ଟ ବା ଆମ୍ସାର ଆଇନ-୧୯୫୮ ଓ ଆମ୍ସାର ସଂଶୋଧନ ଆଇନ- ୨୦୧୦କୁ ଖୋଲା ଉଲ୍ଲଘଂନ କରି ଶ୍ରୀମନ୍ଦିରର ନିଷୋଧାଦେଶ (୧୦୦ ମିଟର) ଅଂଚଳ ଭିତରେ ଦୀର୍ଘଦିନ ଧରି ନିର୍ମାଣ କାର୍ଯ୍ୟ ଚାଲିଥିଲେ ମଧ୍ୟ ଭାରତୀୟ ପ୍ରତ୍ନତତ୍ତ୍ୱ ସର୍ବେକ୍ଷଣ ସଂସ୍ଥା (ଏଏସଆଇ) ଓ ନ୍ୟାସନାଲ ମନ୍ୟୁମେଣ୍ଟ ଅଥରିଟି (ଏନଏମଏ) ନିରବଦ୍ରଷ୍ଟା ସାଜିଥିବାରୁ ଏହି ଦୁଇ ଜାତୀୟ ସଂସ୍ଥାର ଭୂମିକା ଏବେ ସନ୍ଦେହ ଘେରକୁ ଆସିଛି।
ରାଜ୍ୟ ସରକାର ଓଡ଼ିଆଙ୍କ ଭାବର ଠାକୁର ଶ୍ରୀଜଗନ୍ନାଥ ମନ୍ଦିର ବେଢ଼ା ପରିକ୍ରମା ପ୍ରକଳ୍ପ ଆଳରେ ମନ୍ଦିରର ୧୦୦ ମିଟର ପରିଧି ମଧ୍ୟରେ ଏବେ ବୃହତ୍ ନିର୍ମାଣ କାର୍ଯ୍ୟ କରୁଛନ୍ତି। ଆମ୍ସାର ଆକ୍ଟ-୧୯୫୭ର ଧାରା-୨୦(କ) ଅନୁସାରେ ସଂରକ୍ଷିତ କୀର୍ତ୍ତିରାଜିର ୧୦୦ ମିଟର ପରିଧି (ନିଷେଧାଞ୍ଚଳ) ମଧ୍ୟରେ କୌଣସି ନିର୍ମାଣ, ପୁନଃନିର୍ମାଣ, ମରାମତି ଆଦି କାର୍ଯ୍ୟ କେବଳ ଏଏସଆଇ ହିଁ କରିପାରିବ। ସଂରକ୍ଷିତ କୀର୍ତ୍ତିରାଜିର ୧୦୦ରୁ ୨୦୦ ମିଟର ନିୟନ୍ତ୍ରିତ ଅଂଚଳରେ ନିର୍ମାଣ କାର୍ଯ୍ୟ ପାଇଁ ନ୍ୟାସନାଲ ମନ୍ୟୁମେଣ୍ଟ ଅଥରିଟି ଅନୁମତି ଦେଇପାରିବେ।
ଶ୍ରୀମନ୍ଦିରର ୧୦୦ ମିଟର ନିଷେଧାଞ୍ଚଳ ମଧ୍ୟରେ ନିର୍ମାଣ କାର୍ଯ୍ୟକୁ ବିରୋଧ କରି ୨୦୨୨ ଫେବୃୟାରୀ ୫ ତାରିଖରେ ପୁରୀସ୍ଥିତ ଏଏସଆଇ କାର୍ଯ୍ୟାଳୟ ପକ୍ଷରୁ ସେଠାରେ ନିର୍ମାଣ କାର୍ଯ୍ୟ କରୁଥିବା ଓଡ଼ିଶା ସରକାରଙ୍କ ଓବିସିସି ସଂସ୍ଥାକୁ ନୋଟିସ୍ ପଠାଇ ତୁରନ୍ତ କାମ ବନ୍ଦ ପାଇଁ ପରାମର୍ଶ ଦେଇଥିଲେ। ମାତ୍ର ଏହି ନୋଟିସ୍ ରାଜ୍ୟ ସରକାରଙ୍କୁ ସାମାନ୍ୟତମ ପ୍ରଭାବିତ କରିନଥିଲା ।
ଏହି ନୋଟିସର ୧୬ ଦିନ ପରେ ଏଏସଆଇ ଡିଜି ଭି. ବିଦ୍ୟାବତୀ ଓଡ଼ିଶା ଗସ୍ତରେ ଆସି ରାଜ୍ୟ ସରକାରଙ୍କ ବରିଷ୍ଠ ପ୍ରଶାସନିକ ଅଧିକାରୀମାନଙ୍କ ସହ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଉପରେ ବିସ୍ତୃତ ଆଲୋଚନା କରିଥିଲେ ମଧ୍ୟ ନିର୍ମାଣ କାର୍ଯ୍ୟ ବନ୍ଦ ନେଇ କୌଣସି ପ୍ରତିକ୍ରିୟା ଗଣମାଧ୍ୟମକୁ ଦେଇନଥିଲେ।
ସେ ତାଙ୍କର ପୁରୀ ଗସ୍ତର ଯେଉଁ ‘ଭିଜିଟ୍ ନୋଟ୍’ ଦେଇଥିଲେ ସେଥିରେ ଶ୍ରୀମନ୍ଦିରର ସୁରକ୍ଷା ଦୃଷ୍ଟିରୁ ୧୦୦ ମିଟର ବାହାରେ ନିର୍ମାଣ କରିବାକୁ ପରାମର୍ଶ ଦେଇଥିଲେ। କିନ୍ତୁ ଶ୍ରୀମନ୍ଦିରର ୧୦୦ ମିଟର ଭିତରେ ଯେଉଁ ନିର୍ମାଣ ଓ ଖନନ କାର୍ଯ୍ୟ ଚାଲିଥିଲା ତାକୁ କାହିଁକି ବିରୋଧ କରିନଥିଲେ ଓ ଏଏସଆଇ ସ୍ଥାନୀୟ ଅଫିସ୍ ଦେଇଥିବା ନିର୍ଦ୍ଦେଶନାମାକୁ ରାଜ୍ୟ ସରକାର କିଭଳି ମାନୁନଥିଲେ ସେ ନେଇ ଚୁପ୍ ରହିବା ପରୋକ୍ଷରେ ଏଏସଆଇର ଭୂମିକାକୁ ସନ୍ଦେହ ଘେରକୁ ଟାଣିଛି।
ସେହିପରି ୨୦୨୧ ସେପ୍ଟେମ୍ବର ୪ ତାରିଖରେ ରାଜ୍ୟ ସଂସ୍କୃତି ନିର୍ଦ୍ଦେଶକଙ୍କୁ ଚିଠି ଲେଖି ଜାତୀୟ କୀର୍ତ୍ତିରାଜି ପ୍ରାଧିକରଣ(ଏନଏମଏ) ଯେଉଁ ଅନାପତ୍ତି ପ୍ରମାଣପତ୍ର ଦେଇଛନ୍ତି ସେଥିରେ ମନ୍ଦିରର ୧୦୦ ମିଟର ନିଷେଧାଞ୍ଚଳ ଭିତରେ ଯାତ୍ରୀଙ୍କ ପାଇଁ କ୍ଲୋକ୍ ରୁମ (ପାଇଖାନା ସହ ଯାତ୍ରୀଙ୍କ ବ୍ୟାଗ୍ ଆଦି ରଖିବା ସ୍ଥାନ), ମିନି କ୍ଲୋକ୍ ରୁମ, ସେଲଟର ପାଭିଲିଅନ୍, ମହିଳା ଓ ପୁରୁଷ ଶୌଚାଳୟ, ସେବାୟତ ଶୌଚାଳୟ, ଇଲେକ୍ଟ୍ରିକାଲ ରୁମ ସମେତ ଶୌଚାଳୟକୁ ଯିବା ପାଇଁ ଲମ୍ବା ଧାଡ଼ିରେ ଛିଡ଼ା ହେବା ନିମନ୍ତେ ସ୍ଥାନ ଆଦି ନିର୍ମାଣ କରିବାକୁ ଅନୁମତି ଦେଇଛନ୍ତି।
ଏହି ଅନାପତ୍ତି ପ୍ରମାଣ ପାଇଁ ରାଜ୍ୟର ସଂସ୍କୃତି ନିର୍ଦ୍ଦେଶାଳୟ ୨୦୨୧ ଜୁଲାଇ ୧୫ ତାରିଖ ଓ ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନ ୨୦୨୧ ଜୁଲାଇ ୩୦ ତାରିଖରେ ଆବେଦନ କରିଥିବା ଏନଏମଏ ନିର୍ଦ୍ଦେଶକ ଏନଟି ପାଇଟେଙ୍କ ଚିଠିରୁ ଜଣାପଡ଼ୁଛି। ଏପରିକି ୨୦୨୧ ଅଗଷ୍ଟ ୧୭ରେ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଏହି ପ୍ରକଳ୍ପ ପାଇଁ ଏକ ପାୱାର ପଏଣ୍ଟ ପ୍ରେଜେଣ୍ଟେସନ୍ ମଧ୍ୟ ହୋଇଥିବା ଚିଠିରେ ଉଲ୍ଲେଖ ଅଛି। ତେବେ ପ୍ରଶ୍ନ ଉଠୁଛି, ଶ୍ରୀମନ୍ଦିରର ୧୦୦ ମିଟର ନିଷୋଧାଞ୍ଚଳ ଭିତରେ ଏସବୁ ନିର୍ମାଣ କରିବାକୁ ଏନଏମଏ କର୍ତ୍ତୃପକ୍ଷ ଯେଉଁ ଅନୁମତି ଦେଇଥିଲେ ସେଥିପାଇଁ କ’ଣ ଏକ୍ସପର୍ଟ ଆଡଭାଇଜରି କମିଟି ସୁପାରିଶ କରିଥିଲେ କି?