ଜମ୍ମୁ-କଶ୍ମୀରର ଡିଜିପି ଦିଲବାଗ ସିଂ କହିଛନ୍ତି ଯେ, ଜମ୍ମୁ-କଶ୍ମୀରରେ ଆତଙ୍କବାଦୀଙ୍କ ବିରୋଧରେ ପଞ୍ଜୀକୃତ ମାମଲାର ତଦନ୍ତ କରିବୁ। କୌଣସି ଆତଙ୍କବାଦୀଙ୍କୁ ଛଡ଼ାଯିବ ନାହିଁ। ତାଙ୍କର ଏଭଳି ବୟାନ ପରେ ପୁଣି ଥରେ ବିଟ୍ଟା ଜେଲ ଯାଇପାରେ ବୋଲି ଚର୍ଚ୍ଚା ଜୋର ଧରିଛି।
ଫିଲ୍ମ ‘ଦ କଶ୍ମୀର ଫାଇଲ୍ସ’ ରିଲିଜ୍ ପରେ ଅଡ଼ୁଆରେ ବିଟ୍ଟା କରାଟେ। ଫିଲ୍ମ ରିଲିଜ୍ ପରେ କଶ୍ମୀର ପଣ୍ଡିତଙ୍କୁ ନିର୍ମମ ଭାବେ ହତ୍ୟା କରିବା ଘଟଣାର ତଦନ୍ତ ପୁଣି ଥରେ କରାଯାଇପାରେ, ଜମ୍ମୁ-କଶ୍ମୀରର ଡିଜିପି ଦେଇଥିବା ବୟାନରୁ ଏହା ଜଣାପଡ଼ୁଛି।
ନିକଟରେ ରିଲିଜ୍ ହୋଇଥିବା ଫିଲ୍ମ ‘ଦ କଶ୍ମୀର ଫାଇଲ୍ସ’ ରିଲିଜ୍ ହେବା ପରେ ୟାସିନ୍ ମଲିକ୍ ଏବଂ ବିଟ୍ଟା କରାଟେ ଚର୍ଚ୍ଚାରେ ରହିଛନ୍ତି। ଏହି ସମୟରେ, ଯେତେବେଳେ ଡିଜିପି ଦିଲବାଗ ସିଂଙ୍କୁ ପଚରାଯାଇଥିଲା ଯେ ୟାସିନ ମଲିକ ଏବଂ ବିଟ୍ଟା କରାଟେଙ୍କ ବିରୋଧରେ ପଞ୍ଜୀକୃତ ମାମଲା ପୁନଃ ଖୋଲାଯିବ କି ନାହିଁ, ଦିଲବାଗ ସିଂ କହିଥିଲେ ଯେ କୌଣସି ଆତଙ୍କବାଦୀଙ୍କୁ ଛଡ଼ାଯିବ ନାହିଁ।
ନିରୀହ ଲୋକଙ୍କୁ ହତ୍ୟା ଅଭିଯୋଗରେ ବିଚ୍ଛିନ୍ନତାବାଦୀ ନେତା ବିଟ୍ଟା କରାଟେ କଶ୍ମୀର ଜେଲରେ ଥିଲା। ଏକ ସାକ୍ଷାତକାରରେ ବିଟ୍ଟା ନିଜେ ୨୦କଶ୍ମୀରୀ ପଣ୍ଡିତଙ୍କୁ ହତ୍ୟା କରିଥିବା ସ୍ୱୀକାର କରିଥିଲା। ବିଟ୍ଟା କରାଟେ କହିଥିଲା ଯେ ସେ ୨୦କଶ୍ମୀରୀ ପଣ୍ଡିତଙ୍କୁ ହତ୍ୟା କରିଛି। ଏହା ପରେ ଜନ ସୁରକ୍ଷା ଆଇନ ଅନୁଯାୟୀ ବିଟ୍ଟାକୁ ଗିରଫ କରାଯାଇଥିଲା। ୨୦୦୬ରେ ସେ ଜେଲରୁ ବାହାରିଥିବା ବେଳେ ୨୦୦୮ରେ ଅମରନାଥ ବିବାଦ ସମୟରେ ତାକୁ ପୁଣି ଗିରଫ କରାଯାଇଥିଲା।