କଶ୍ମୀରୀ ପଣ୍ଡିତଙ୍କ ନରସଂହାରର ଏମିତି ଏକ ସତ୍ୟ ଘଟଣା ଯାହାକୁ ଏତେ ବର୍ଷ ପର୍ଯ୍ୟନ୍ତ କୌଣସି ନିର୍ଦ୍ଦେଶକ ପରଦାରେ ଦେଖାଇବାକୁ ସାହାସ କରି ପାରିନଥିଲେ। କିନ୍ତୁ ଏହା କରି ଦେଖାଇଛନ୍ତି ବିବେକ ଅଗ୍ନିହୋତ୍ରୀ। ଫିଲ୍ମରେ କଶ୍ମୀରର ସବୁଠୁ ଗମ୍ଭୀର ଏବଂ ସମ୍ବେଦନଶୀଳ ପ୍ରସଙ୍ଗକୁ ଦର୍ଶକଙ୍କ ସାମ୍ନାରେ ରଖିଛନ୍ତି ବିବେକ। ଯାହାକୁ ଦେଖିଲେ ଆଖିରୁ ଲୁହ ଆସିଯାଉଛି।
ଭୂସ୍ୱର୍ଗ କୁହାଯାଉଥିବା କାଶ୍ମୀରର ଏକ ସ୍ୱଳ୍ପ ଆଲୋଚିତ ଯନ୍ତ୍ରଣାର ଫର୍ଦ୍ଦକୁ ଏହି ଫିଲ୍ମ ଜରିଆରେ ରୂପେଲି ପରଦାରେ ଉତାରିବାକୁ ଚେଷ୍ଟା କରିଛନ୍ତି ନିର୍ମାତା । ତେବେ କିଛି ରାଜ୍ୟରେ ଏହାକୁ ଟିକସ ମୁକ୍ତ ଘୋଷଣା କରାଯାଇଥିବା ବେଳେ ଆଉ କିଛି ରାଜ୍ୟରେ ଏହାକୁ ରିଲିଜ ହେବାକୁ ଦିଆଯାଇନାହିଁ । ଭାରତର ଭୂସ୍ୱର୍ଗରେ ଯାହା ଘଟିଥିଲା ଅବକିଳ ଗୋଟିଏ ଗୋଟିଏ ଘଟଣା, ଅଘଟଣର ଦୃଶ୍ୟାୟନ ନିର୍ମାତା, କଳାକାରା ସମସ୍ତଙ୍କ ଶ୍ରମ, ଶ୍ରେୟ ଦର୍ଶକଙ୍କ ତାଳିରୁ ଅନୁମାନ କରାଯାଇଛି ।
୧୯୯୦ ମସିହାରେ ଜାମ୍ମୁ ଓ କାଶ୍ମୀରରେ ହିନ୍ଦୁଙ୍କ ଉପରେ ହୋଇଥିବା ମାନବୀୟ ଯାତନାର କଥା-ବ୍ୟଥା ଓ ଗାଥାକୁ ନେଇ ପ୍ରସ୍ତୁତ ହୋଇ ସିନେମାକୁ ମିଳିଛି ବିଶ୍ୱସ୍ତରୀୟ ସ୍ୱୀକୃତି ଓ ଦର୍ଶକୀୟ ଆଦୃତି । ୩୨ ବର୍ଷ ତଳର କଳା ଅଧ୍ୟାୟକୁ ବଡ଼ ପରଦାରେ ଦେଖି ଆସିବା ପରେ ଦି କାଶ୍ମୀର ଫାଇଲ୍ସ ଫିଲ୍ମ, ନିର୍ମାତା ଓ ଅଭିନେତାଙ୍କୁ ପ୍ରଶଂସାରେ ପୋତି ପକାଇବା ସହ ପୀଡ଼ିତଙ୍କ ସମର୍ଥନରେ ବାହାରିଛନ୍ତି ଶତାଧିକ ଦର୍ଶକ । ବନ୍ଦେ ମାତରମ୍ ସ୍ଲୋଗାନରେ ଫାଟି ପଡ଼ିଛି ମଲ୍ଟିପ୍ଲେକ୍ସ ପରିସର ।
ଏହି ଫିଲ୍ମଟି ପ୍ରଥମ ଦିନରେ ଭାରତରେ ୩.୫୫ କୋଟି ଟଙ୍କା ଆୟ କରିଥିବା ବେଳେ ଦ୍ଵିତୀୟ ଦିନରେ ୮.୫୦ କୋଟି ଆୟ କରିଛି। ଯାହାକି ପ୍ରଥମ ଦିନର ଆୟ ଠାରୁ ୧୩୯.୪୪ ପ୍ରତିଶତ ଅଧିକ। ସେହିପରି ତୃତୀୟ ଦିନର ଫିଲ୍ମର ଆୟ ଢ଼େର ବଢ଼ିଯାଇଛି। ରିପୋର୍ଟ ମୁତାବକ, ତୃତୀୟ ଦିନ ଫିଲ୍ମଟି ବକ୍ସ ଅଫିସରେ ପାଖାପାଖି ୧୫. ୧୦ କୋଟି ଟଙ୍କାର ଆୟ କରିଛି। ବର୍ତ୍ତମାନ ସୁଦ୍ଧା ଫିଲ୍ମଟି ମୋଟ ୨୭. ୧୫ କୋଟି ଟଙ୍କାର ବ୍ୟବସାୟ କରିଛି।