ଉତ୍ତରାଖଣ୍ଡରେ ବିଜେପି ପୁଣି ଥରେ କ୍ଷମତାକୁ ପ୍ରତ୍ୟାବର୍ତନ କରି ଇତିହାସ ସୃଷ୍ଟି କରିଛି । ହେଲେ ଏହି ବିଜୟ ପରେ ବିଜେପି ଆଉ ଏକ ବଡ ପ୍ରତିଶ୍ରୁତିକୁ ପୂରଣ କରିବାକୁ ଯାଉଛି । ଦଳ ନିର୍ବାଚନ ପୂର୍ବରୁ କହିଥିଲା ଯେ ପୁଣି ଥରେ କ୍ଷମତାକୁ ଫେରିଲେ ବିଜେପି ରାଜ୍ୟରେ ୟୁନିଫର୍ମ ସିଭିଲ କୋଡ ଲାଗୁ କରିବ । ଏବେ କ୍ଷମତାକୁ ଫେରିବା ସୁନିଶ୍ଚିତ ହେବା ପରେ ଦଳ କହିଛି ଯେ ଉତ୍ତରାଖଣ୍ଡବାସୀଙ୍କୁ ଦେଇଥିବା ପ୍ରତିଶ୍ରୁତିକୁ ପାର୍ଟୀ ପୂରଣ କରିବ ଓ ଶୀଘ୍ର ୟୁନିଫର୍ମ ସିଭିଲ କୋଡ ଲାଗୁ କରିବ ।
ଉତ୍ତରାଖଣ୍ଡର ମୁଖ୍ୟମନ୍ତ୍ରୀ ପୁଷ୍କର ସିଂହ ଧାମୀ ନିଜେ ତାଙ୍କ ବିଧାନସଭା ଆସନରୁ ନିର୍ବାଚନ ହାରି ଯାଇଛନ୍ତି । ଏହା ସତ୍ୱେ ସେ ୟୁନିଫର୍ମ ସିଭିଲ କୋଡକୁ ନେଇ ତାଙ୍କର ପ୍ରତିବଦ୍ଧତାକୁ ଦୋହରାଇଛନ୍ତି ।
ବିଜେପିର ବିପୁଳ ବିଜୟ ପରେ ଶ୍ରୀ ଧାମୀ ରାଜ୍ୟର ଜନସାଧାରଣଙ୍କୁ ପ୍ରତି କୃତଜ୍ଞତା ଜ୍ଞାପନ କରି ସେ କହିଛନ୍ତି ଯେ – ସରକାର ଗଠନ କରିବା ପରେ ଆମେ ୟୁନିଫର୍ମ ସିଭିଲ କୋଡ ପାଇଁ ଏକ ଉଚ୍ଚ ସ୍ତରୀୟ କମିଟି ଗଠନ କରିବୁ । ଏହି କମିଟି ୟୁନିଫର୍ମ ସିଭିଲ କୋଡର ଡ୍ରାଫ୍ଟ ତିଆରି କରିବ । ଏହାକୁ ରାଜ୍ୟରେ ଲାଗୁ କରାଯିବ । ନିର୍ବାଚନ ପୂର୍ବରୁ ଆମେ ଲୋକ ମାନଙ୍କୁ ଏପରି କରିବାକୁ ପ୍ରତିଶ୍ରୁତି ଦେଇଥିଲୁ ।
ଉତ୍ତରାଖଣ୍ଡରେ ବିଧାନସଭା ନିର୍ବାଚନର କିଛି ଦିନ ପୂର୍ବରୁ ଶ୍ରୀ ଧାମୀ ଏ ସମ୍ପର୍କରେ ଘୋଷଣା କରିଥିଲେ ।