ଆଜକୁ ଠିକ ୧୩ ବର୍ଷ ତଳେ, ୨୦୦୮ ମସିହାର ଜନ୍ମାଷ୍ଟମୀର ସଂଧ୍ୟାରେ ଓଡିଶାର କନ୍ଧମାଳ ଜିଲ୍ଲାରେ ଏକ କନ୍ୟାଶ୍ରମରେ ଜଣେ ୮୨ ବର୍ଷର ସାଧୁ, ଯିଏକି ଦଳିତ ସମାଜର ଉତଥାନ, ହିନ୍ଦୁ ସଂସ୍କୃତିର ସୁରକ୍ଷା, ମହିଳାମାନଙ୍କର ଶୀକ୍ଷା ଆଦି ପାଇଁ ନିଜ ଜିବନକୁ ସମର୍ପିତ କରିଦେଇଥିଲେ ତାଙ୍କୁ ୩୦ରୁ ୪୦ ଜଣ ଲୋକ ସଙ୍ଗବଦ୍ଧ ଭାବରେ ଆକ୍ରମଣ କରି ହତ୍ୟା କରିଥିଲେ । ଥରେ ଭାବନ୍ତୁ ଜଣେ ୮୨ ବର୍ଷର ସାଧୁ ମହାପୁରୁଷ ଯିଏ ଆଦିବାସୀ ଅଧ୍ୟୁଷିତ ଅଂଚଳରେ ଏକ କନ୍ୟାଶ୍ରମ ଚଲାଉଥିଲେ, ସେଠାରେ ଗରିବ ପରିବାରର ବାଳିକାମାନଙ୍କୁ ଶୀକ୍ଷାଦାନ ଦେଉଥିଲେ, ପୁରା କନ୍ଧମାଳ ଜିଲ୍ଲାରେ ଆଦିବାସୀମାନଙ୍କର କଲ୍ୟାଣ ପାଇଁ କାମ କରୁଥିଲେ ସେ ଏମିତି କାହାର କଣ ଅସୁବିଧା କରିଲେ ଯେ ତାଙ୍କୁ ମାରିବା ପାଇଁ ଏକ-୪୭ ଭଳି ମାରଣାସ୍ତ୍ରଧରି ଆକ୍ରମଣକାରିମାନେ ତାଙ୍କୁ ହତ୍ୟା କରିଲେ ।
ପୋଲିସ ତାର ତଦନ୍ତରେ ଯେଉଁମାନଙ୍କୁ ଧରିଲା ସେମାନେ ହୁଏତ ହତ୍ୟା କରିଥାଇପାରନ୍ତି । କିନ୍ତୁ କେବଳ କନ୍ଧମାଳ ( Kandhamal ) ନୁହେଁ ସମଗ୍ର ଦେଶରେ ମଧ୍ୟ ଆଜିବି ଲୋକଙ୍କ ମନରେ ସନ୍ଦେହ ଯେ ସେମାନେ ବାସ୍ତବରେ ହତ୍ୟାକାରୀ ନୁହନ୍ତି । ସେମାନଙ୍କ ଦ୍ୱାରା ହତ୍ୟା କରାଇଥିବା ଶକ୍ତି ଆଉ କିଏ । କାରଣ ସ୍ୱାମୀ ଲକ୍ଷଣାନନ୍ଦ ସରସ୍ୱତୀ ( Swami Laxmanananda Saraswati ) ଥିଲେ ବେଆଇନ ଭାବରେ ଧର୍ମାନ୍ତରିତ ( Illegal Conversion ) କରୁଥିବା ହିନ୍ଦୁ ବିରୋଧୀ ଶକ୍ତିମାନଙ୍କର ଶତ୍ରୁ । ସେହି ବେଆଇନ ମିଶନାରି ( Missionaries ) ସଂସ୍ଥାଗୁଡିକ ବିଭିନ୍ନ ପ୍ରକାରର ପ୍ରଲୋଭନ ଦେଖାଇ ସରଳ ଆଦିବାସୀ, ଦଳିତବର୍ଗର ଲୋକମାନଙ୍କ ହିନ୍ଦୁ ଧର୍ମ ପ୍ରତି ଘୃଣା ଦେଖାଇ ସେମାନଙ୍କୁ ନିଜ ଧର୍ମରେ ଦିକ୍ଷୀତ କରାଉଥିଲେ । ସ୍ୱାମୀ ଲକ୍ଷଣାନନ୍ଦ କିନ୍ତୁ ସେମାନଙ୍କର ସେହି ବେଆଇନ କାମ ବିରୋଧରେ ପ୍ରାଚୀର ଭଳି ଦଣ୍ଡାୟମାନ ଥିଲେ । ସ୍ୱାମୀଜୀଙ୍କ ପ୍ରଚେଷ୍ଟାରେ ସେମାନଙ୍କର ଧର୍ମାନ୍ତିକରଣ କାମ ଉପରେ ରୋକ ଲାଗିଯାଇଥିଲା । ଯାହା ଫଳରେ ସେମାନେ ଲକ୍ଷଣାନନ୍ଦଙ୍କୁ ରାସ୍ତାରୁ ହଟାଇବା ପାଇଁ ଚାହୁଁଥିଲେ । ୨୦୦୮ ମସିହାରେ ସ୍ୱାମୀ ଲକ୍ଷଣାନନ୍ଦଙ୍କ ହତ୍ୟାର ପୁର୍ବରୁ ବହତ ଥର ସ୍ୱାମୀଜୀଙ୍କର ଉପରେ ଆକ୍ରମଣ ହୋଇଥିଲା । ସେଥିରୁ ଗୋଟିଏ ଅତ୍ୟନ୍ତ ଭୟଙ୍କର ଆକ୍ରମଣ ହୋଇଥିଲା ବ୍ରାହ୍ମଣୀ ଗାଁ ପାଖରେ । ସେହି ଆକ୍ରମଣରେ ଲକ୍ଷଣାନନ୍ଦ ତାଙ୍କ ଅଭିଯୋଗରେ କଂଗ୍ରେସ ନେତା ରାଧାକାନ୍ତ ନାୟକଙ୍କ ନାଁରେ ଅଭିଯୋଗ କରିଥିଲେ । ରାଧାକାନ୍ତ ନାୟକ ହେଉଛନ୍ତି ଧର୍ମାନ୍ତିକରଣ କରୁଥିବା ସଂସ୍ଥା ଓାଲର୍ଡ ଭିଜନର ( World Vision ) ମୁଖ୍ୟ । ଓାଲର୍ଡ ଭିଜନର ଓବସାଇଟ ସଂସ୍ଥାର ତଥ୍ୟନୁସାରେ ସେମାନେ ଧର୍ମାନ୍ତିକରଣ କରନ୍ତି, ଅଣଖ୍ରୀଷ୍ଟିଆନମାନଙ୍କୁ ପ୍ରୋସ୍ତ୍ରାହିତ କରନ୍ତି । ସେଭଳି ବିବାଦୀୟ ସଂସ୍ଥାର ମୁଖ୍ୟଙ୍କ ବିରୋଧରେ ସ୍ୱାମୀଜୀ ସେତେବେଳେ ଯେଉଁ ଅଭିଯୋଗ କରିଥିଲେ ତାହାର ଯଦି ସେତେବେଳେ ତଦନ୍ତ ହୋଇ କାର୍ଯ୍ୟାନୁଷ୍ଠାନ ନିଆଯାଇଥାନ୍ତା ତାହେଲେ ଲକ୍ଷଣାନନ୍ଦଙ୍କୁ ସେମାନେ ହତ୍ୟାକରିବାର ସାହାସ କରିପାରିନଥାନ୍ତେ । ସେତେବେଳେ ଫୁଲବାଣୀର ସାଂସଦ ଥିଲେ ସୁଗ୍ରିବ ସିଂ । ସିଏ ବି ଥିଲେ ଜଣେ ଖ୍ରୀଷ୍ଟିଆନ । ପୋଲିସ ସେହି ଘଟଣାରେ ପ୍ରଦେଶ କୁମାର ଦାଶଙ୍କୁ ଖଡଗପୁରରୁ ଗିରଫ କରିଥିଲା । ପ୍ରଦେଶ କୁମାର ଦାସ ଥିଲେ ସେହି ଓାଲର୍ଡ ଭିଜନ ସଂସ୍ଥାର କର୍ମଚାରୀ । ବିଚାର ପରେ ଅଦାଲତ ୨୦୧୩ରେ ଏହି ହତ୍ୟାକାଣ୍ଡରେ ମୋଟ ୭ ଜଣ ଲୋକଙ୍କୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଥିଲେ । ଏହି ୭ ଜଣ ଯାକ ଥିଲେ ସମସ୍ତେ ଖ୍ରୀଷ୍ଟିଆନ ।
ତେଣୁ ସ୍ୱାମୀ ଲକ୍ଷଣାନନ୍ଦଙ୍କୁ ନକ୍ସଲମାନେ ହତ୍ୟା କରିଥିଲେ ବୋଲି ଯାହା ଆଜିପର୍ଯ୍ୟନ୍ତ କୁହାଯାଇ ଆସିଛି ତାହା ଯେ ଅର୍ଦ୍ଧ ସତ୍ୟ ଏଥିରେ କୌଣସି ସନ୍ଦେହ ନାହିଁ । ନକ୍ସଲମାନେ ମାରିଥାଇ ପାରିଥାଆନ୍ତି କିନ୍ତୁ ସେମାନେ ଅର୍ଥ ବିନିମୟରେ ଏହି ହତ୍ୟାକାଣ୍ଡ କରିଥିଲେ । ସ୍ୱାମୀଜୀଙ୍କୁ ହତ୍ୟା କରିବା ପାଇଁ କେଉଁମାନେ ସେହି ନକ୍ସଲମାନଙ୍କୁ ବ୍ୟବହାର କରିଥିଲେ ସେମାନେ ସମସ୍ତେ ଆଇନର ଗଳାବାଟ, ରାଜନୈତିକ ପୃଷ୍ଠପୋଷକତା ଏବଂ ବିଶ୍ୱର ବିଭିନ୍ନ ଶକ୍ତିମାନଙ୍କର ଛତ୍ରଛାୟା କାରଣରୁ ଖସିଗଲେ । ହତ୍ୟାକାଣ୍ଡର ଷଡଯନ୍ତ୍ର ଏତେ ସୁଚିନ୍ତିତ ଥିଲା ଯେ ହତ୍ୟା ହେବାର ମାତ୍ର କେଇ ଘଂଟା ଭିତରେ ପୋଲିସ ବିନା ତଦନ୍ତରେ, ବିନା କେଉଁ ଅପରାଧୀକୁ ଧରି ମଧ୍ୟ ଘୋଷଣା କରିଦେଇଥିଲା ଯେ ଏହି ହତ୍ୟାକାଣ୍ଡ ନକ୍ସଲମାନେ କରିଛନ୍ତି । କିନ୍ତୁ ଘଟଣାର ୫ ଦିନ ପରେ କେନ୍ଦ୍ରୀୟ ମାଓବାଦୀ କମିଟିର ମୁଖ୍ୟ ଘୋଷଣା କରିଥିଲେ ଯେ ନକ୍ସଲମାନେ ଏହି ହତ୍ୟାକାଣ୍ଡ କରିନାହାନ୍ତି କି ନକ୍ସଲମାନଙ୍କର ସ୍ୱାମୀ ଲକ୍ଷଣାନନ୍ଦ ସରସ୍ୱତୀ ସହିତ କୌଣସି ଶତ୍ରୁତା ନଥିଲା । କିନ୍ତୁ ପୋଲିସ ସେତେବେଳେ ଏହି ବୟାନକୁ କୌଣସି ଗୁରୁତ୍ୱ ନଦେଇ ନକ୍ସଲ ମାରିଛନ୍ତି ବୋଲି ବାରମ୍ବାର କହିଲା ଯାହାଫଳରେ ପରଦାପଛର ଖଳନାୟକମାନେ ଖସିଗଲେ ଓ ସେମାନଙ୍କର ଖସିଯିବାଟା ପରବର୍ତୀ ସମୟରେ ହିନ୍ଦୁ ସମାଜର ଯେଉଁ କ୍ଷତି କରିଲା ତାହା ଅପୁରଣୀୟ ।
ସ୍ୱାମୀ ଲକ୍ଷଣାନନ୍ଦଙ୍କର ହତ୍ୟା ପରେ ମଧ୍ୟ ଯେଉଁ ଦଙ୍ଗା ହୋଇଥିଲା ତାହାବି ଆଗରୁ ଯୋଜନାବଦ୍ଧ ଥିଲା । କାରଣ ହତ୍ୟାକାରିମାନଙ୍କୁ ଜଣାଥିଲା କି ଲୋକମାନେ ଉତେଜନା କରିବେ ଓ ହିଂସା ବଢିବ । ସ୍ୱାମୀ ଲକ୍ଷଣାନନ୍ଦଙ୍କ ହତ୍ୟାପରର କନ୍ଧମାଳ ହିଂସାର ଗଣମାଧ୍ୟମ କଭରେଜ ମଧ୍ୟ ଏକ ପ୍ରକାର ଏକପାଖିଆ ଥିଲା । କନ୍ଧମାଳର କନ୍ଧମାନଙ୍କୁ ହତ୍ୟାକାରି, ହିଂସାକରୁଥିବା ବର୍ଗର ସମାଜ ଭାବରେ ଚିତ୍ରଣ କରାଗଲା । ହିଂସାରେ କେବଳ ହିନ୍ଦୁ ସଙ୍ଗଠନମାନଙ୍କୁ ଦାୟୀ କରି ଜାତୀୟ ଓ ଅର୍ନ୍ତଜାତୀୟ ଗଣମାଧ୍ୟମମାନେ ଦେଖାଇଲେ । କିନ୍ତୁ ସେତେବେଳେ ଓଡିଶାର ସ୍ଥାନୀୟ ଗଣମାଧ୍ୟମମାନେ ହିଁ ଠିକ ଖବର ଦେଖାଇଥିଲେ । ଦଙ୍ଗାର ଉଭୟପକ୍ଷର ଖବର ଓ ଅସଲ ହତ୍ୟାକାରୀଙ୍କୁ ଖୋଜିବା ନେଇ ପ୍ରଶ୍ନ ଉଠାଇଥିଲେ । ଆଜି ତାଲିବାନରେ ଯେଉଁ ଭଳି ନରହତ୍ୟା ଓ ବନ୍ଧୁକମୁନରେ ଶାସନ ଚାଲୁଛି ତାକୁ ଦେଖି ଆଖି ବନ୍ଦ କରିଦେଇଥିବା ମିଳିତ ଜାତିସଘଂ ସମେତ ବ୍ରିଟିସ, ଆମେରିକା, ଇଟାଲି ଆଦି ଦେଶମାନେ କନ୍ଧମାଳ ଦଙ୍ଗାକୁ ନେଇ ଆଗେଇ ଆସିଥିଲେ । ଭାରତ ସରକାରଙ୍କ ଉପରେ ଚାପ ପକାଇଲେ ଓ ଏକ ଅବଧାରଣା ତିଆରି କରିଲେ ଯେ କନ୍ଧମାଳରେ ଖ୍ରୀଷ୍ଟିଆନମାନଙ୍କ ଉପରେ ଆକ୍ରମଣ ହେଉଛି ବୋଲି । ସ୍ୱାମୀ ଲକ୍ଷଣାନନ୍ଦଙ୍କ ଅସଲ ହତ୍ୟାକାରୀମାନଙ୍କର ସବୁ ଦିଗରୁ ସୁଚିନ୍ତିତ ଯୋଜନା ସଫଳ ହେବା କାରଣରୁ ସେମାନେ ଖସିଗଲେ । ବାସ୍ତବରେ ଯଦି ଓଡିଶାର ଗଣମାଧ୍ୟମମାନେ ସାହାସ ଦେଖାଇ ଖବର ଦେଖାଇ ନଥାନ୍ତେ ତାହେଲେ ହୁଏତ ଆଜି ଯେଉଁମାନେ ଦୋଷୀ ସାବ୍ୟସ୍ତ ହୋଇଛନ୍ତି ସେମାନେ ବି ଖଲାସ ହୋଇଯାଇଥାନ୍ତେ ।
ସ୍ୱାମୀ ଲକ୍ଷଣାନନ୍ଦଙ୍କ ହତ୍ୟା ପରେ ସେହି ଶକ୍ତିମାନଙ୍କର ଶକ୍ତି ବଢିଲା । ୨୦୧୧ ଜନଗଣନାରେ ( Census 2011 ) କନ୍ଧମାଳର ଯେଉଁ ଚିତ୍ର ଆସିଲା ତାହା ଅତ୍ୟନ୍ତ ଚିନ୍ତାଜନକ ଥିଲା । କେବଳ ସେତିକି ନୁହେଁ ପାଖାପାଖି ୩୦୦ ବେସରକାରୀ ଅନୁଷ୍ଠାନମାନେ ଶୀକ୍ଷା, ସ୍ୱାସ୍ଥ୍ୟ ସେବା ନାଁରେ ଧର୍ମାନ୍ତିକରଣର ଦୋକାନ ଚଲାଇଲେ । ଏପରିକି ଦଙ୍ଗା କ୍ଷତିଗ୍ରସ୍ତଙ୍କୁ ସାହାଯ୍ୟ ଦେବା ନାଁରେ ଅନେକ ବିଦେଶୀ ଅନୁଷ୍ଠାନମାନେ ଅର୍ଥର ବର୍ଷା କରାଇଲେ ଯାହା ଲାଗିଲା ସେମାନଙ୍କର ଧର୍ମାନ୍ତିକରଣ କାମରେ । କନ୍ଧମାଳ ଦଙ୍ଗାରେ ବାସ୍ତବ କ୍ଷତିଗ୍ରସ୍ତ କିଏ ହୋଇଥିଲା ଓ କିଏ ପୀଡିତ ବୋଲି ଚିତ୍କାର କରୁଥିଲା ତାହାର ଏକ ପ୍ରମାଣ ହେଉଛି ଦଙ୍ଗାର କିଛି ଦିନ ପରେ କଟକର ଆର୍କ ବିଶପ ଏକ ତାଲିକା ଜାରି କରିଥିଲେ ୨୦୦ ଜଣ ଲୋକଙ୍କର ଯେଉଁମାନେ ଦଙ୍ଗାରେ ମୃତ୍ୟୁ ବରଣ କରିଛନ୍ତି ବୋଲି କହି । ହେଲେ ଜିଲ୍ଲା ପ୍ରଶାସନ ଏହି ଅଭିଯୋଗ ଉପରେ ତଦନ୍ତ କରି ରିପୋର୍ଟ ଦେଲେ ଯେ ସେଥିରୁ ଅଧୀକାଶଂ ଲୋକ ଦଙ୍ଗା ଆଗରୁ ମରିଯାଇଥିଲେ, କିଛି ଜୀବିତାବସ୍ଥାରେ ଭୁବନେଶ୍ୱରର କି କଟକରେ ରହୁଥିଲେ । ଏହି ଘଟଣାକୁ ନେଇ ହୋଇଥିବା ନାଇଡୁ କମିଶନଙ୍କର ( AS Naidu Commission ) ରିପୋର୍ଟ ୨୦୧୫ରେ ଓଡିଶା ସରକାରଙ୍କୁ ମିଳିଥିଲେ ବି ସରକାର ଏହାକୁ ସର୍ବସାଧାରଣରେ ପ୍ରକାଶ କରୁନାହାନ୍ତି । ଏହା ପ୍ରକାଶ ପାଇଲେ ହୁଏତ ଆଉ କିଛି କଥା ବାହାରନ୍ତା ଯେ ବାସ୍ତବରେ କାହିଁକି ସ୍ୱାମୀ ଲକ୍ଷଣାନନ୍ଦଙ୍କର ହତ୍ୟା ହୋଇଥିଲା ଓ କିଏ ବାସ୍ତବରେ ଦଙ୍ଗା କରୁଥିଲେ ।