ସେ ଥିଲେ ଅଦ୍ୟମ । ସେ ଥିଲେ ଅନନ୍ୟ । ସମସ୍ତଙ୍କ ଠାରୁ ଅଲଗା । ସାମ୍ବାଦିକତା ତାଙ୍କର ବୃତି ଭାବରେ ଥିଲା କମ, ବେଶି ଥିଲା ତାଙ୍କର ଆବେଗରେ । ଲୋକମାନଙ୍କ ପାଖରେ ଖବର ପହଂଚାଇବା ପାଇଁ ତାଙ୍କର ଯେଉଁ ଭାବନା ଥିଲା ତାହା ଅବର୍ଣ୍ଣନିୟ । ଖବର ପ୍ରସାରଣ କରିବାକୁ ଯାଇଥିବା ବେଳେ ଏକ ଦୁର୍ଘଟଣାରେ ମୃତ୍ୟୁ ବରଣ କରିଛନ୍ତି ଓଡିଶା ସାମ୍ବାଦିକତାର (Odisha Media) ଜଣେ ଜଣାଶୁଣା ଚେହେରା ଅରିନ୍ଦମ ଦାସ (Arindam Das)। ସେହି ଦୁର୍ଘଟଣାରେ ଯେ ଓଡିଶା କେବଳ ସାମ୍ବାଦିକତା ଦୁନିଆର ଜଣେ ଉଜ୍ଜଳ ତାରକାକୁ ହରାଇନି ବଂର ଆଉ ଜଣେ ଦେବଦୁତ ଓଡ୍ରାଫ (ODRAF) ଯବାନ ସୀତାରାମ ମୁର୍ମୁଙ୍କୁ ମଧ୍ୟ ହରାଇଛି । ସୀତାରାମ ତାଙ୍କ କର୍ମମୟ ଜୀବନରେ ପାଖାପାଖି ୫୦୦ ଲୋକଙ୍କୁ ବିଭିନ୍ନ ବିପତି ସମୟରେ ନିଜ ଜିବନକୁ ବାଜି ଲଗାଇ ମରଣ ମୁହଁରୁ ରକ୍ଷା କରିଛନ୍ତି । ଏହି ଦୁଇ ଜଣଙ୍କର ମୃତ୍ୟୁ କେବଳ ତାଙ୍କ ପରିବାରର କ୍ଷତି ନୁହେଁ, ବଂର ସାରା ଓଡିଶାର । ଏହି ଦୁଇ ଜଣଙ୍କର ମୃତ୍ୟୁ ଏବେ ଅନେକ ପ୍ରଶ୍ନ ଛାଡି ଦେଇଯାଇଛି । ଯାହା ଉପରେ ଆଲୋଚନା କରିବାର ଆବଶ୍ୟକତା ରହିଛି ।
ଯାହା ଘଟିଗଲା ତାହା ଏକ ଭୟଙ୍କର ବ୍ୟବସ୍ଥାଗତ ତ୍ରୁଟି ପାଇଁ ଘଟିଗଲା ଏକଥା ଆମକୁ ମାନିବାକୁ ପଡିବ । ଜଣେ ସାମ୍ବାଦିକ କାହିଁକି ଉଦ୍ଧାରକାରୀଙ୍କ ସହିତ ଗଲେ ବୋଲି କିଛି ଲୋକ ପ୍ରଶ୍ନ କରୁଛନ୍ତି, କିନ୍ତୁ ଓଡ୍ରାଫର ଜଣେ ଦକ୍ଷ ଯବାନ ବି ମରିଲେ ସେକଥା କାହିଁକି ଭାବୁନାହାନ୍ତି । ଜଣେ ସାମ୍ବାଦିକ, ସ୍ୱାଭାବିକ ଭାବରେ ଖବର ପ୍ରସାରଣ କରିବା ବେଳେ କିଛି ନୁଆ ଦେଖାଇବାର ମୋହରେ ପଡିଯାଇପାରନ୍ତି, ସେଥିପାଇଁ ସେ ଯିବାକୁ ଚାହିଁଥିବେ, କିନ୍ତୁ ତାଙ୍କୁ ବୋଟରେ ଯିବା ପାଇଁ ଅନୁମତି କିପରି ମିଳିଲା ତାହା ହେଉଛି ସବୁଠାରୁ ବଡ ପ୍ରଶ୍ନ । ସତରେ କଣ ଓଡ୍ରାଫର ବଡ ବଡିଆ ଅଧୀକାରି, ରାଜ୍ୟ ସରକାରଙ୍କୁ ପ୍ରଚାର ପ୍ରସାରର ନିଶା ବେଶି ଘାରିଛି କି ? ହାତୀ ଉଦ୍ଧାରରେ (Elephant Rescue) ବି ଆମେ ଦେଶରେ ପ୍ରଥମ, ଆମର ଉଦ୍ଧାର କରିବା ଶୈଳି ମଧ୍ୟ ବିଶ୍ୱ ସ୍ତରୀୟ ଏହାର ଚାକ୍ଷୁଶ ପ୍ରମାଣକୁ ସାଉଁଟିବା ପାଇଁ ଏପରି କିଛି ଅଘଟଣ ଘଟିନାହିଁ ତ? ଏପରି ପ୍ରଶ୍ନ କରିବା ପାଇଁ ଆମେ ଏଇଥି ପାଇଁ ବାଧ୍ୟ ହେଉଛୁ ଯେ କିପରି ସରକାରଙ୍କର ସମସ୍ତ ଗାଇଡ ଲାଇନକୁ ଅବମାନନା କରାଯାଇ ଦୁଇ ଜଣ ବିନା ଓଡ୍ରାଫ କର୍ମଚାରୀଙ୍କୁ ନିଆଗଲା? କିଛି କହୁଛନ୍ତି ଯେ ଗଣମାଧ୍ୟମର ପ୍ରତିନିଧିମାନେ ଏପରି ଯାଆନ୍ତି । ଏହା ସମ୍ପୃର୍ଣ୍ଣ ମିଥ୍ୟା । କେବଳ ରିଲିଫ ବାଂଟିଲା ବେଳେ, ବନ୍ୟାଂଚଳ ପରିଦର୍ଶନ ବେଳେ ଯାଇପାରିବେ, ଏପରି ବିପଦପୁର୍ଣ୍ଣ ଅପରେସନରେ ଯାଇପାରିବେ ନାହିଁ ।
ଏବେ ସୁଦ୍ଧା ଏହା ଅସ୍ପଷ୍ଟ ଯେ ହାତୀ ଘଉଡାଇବା ପାଇଁ ଅକାତ କାତ ପାଣିର ସୁଅ ମଝିକୁ ଯିବା ପାଇଁ ନିଷ୍ପତି କାହାର ଥିଲା ? ନିଷ୍ପତି ନେଲା ବେଳେ କେଉଁ ବିଶେଷଜ୍ଞ ମାନଙ୍କ ସହିତ ଆଲୋଚନା ହୋଇଥିଲା, ଏଥିପାଇଁ ରୋଡ ମ୍ୟାପ କିଏ ପ୍ରସ୍ତୁତ କରିଲେ, କିଏ ଏହାକୁ ଅନୁମତି ଦେଲେ ଏକଥା ମଧ୍ୟ ବିଭାଗ ଏପର୍ଯ୍ୟନ୍ତ ପ୍ରକାଶ କରୁନାହିଁ ? ସେମାନେ କଣ ଦୋଷୀ ନୁହନ୍ତି କି ? ସେମାନଙ୍କର ଉପରେ କାର୍ଯ୍ୟାନୁଷ୍ଠାନର ଆବଶ୍ୟକତା ନାହିଁକି ? ସେଠାକୁ ଯିବା ନିଷ୍ପତି ତ ଓଡ୍ରାଫର ସେହି ଯବାନମାନେ ନେଇନଥିବେ । ଯେଉଁ ଅଧୀକାରିମାନେ ସେହି ନିଷ୍ପତି ନେଇଥିଲେ ସେମାନେ ଉଦ୍ଧାରବେଳେ ଉପସ୍ଥିତ ଥିଲେ କି?
ପ୍ରତି ସେକେଣ୍ଡକୁ ଦୁଇ ଲକ୍ଷ ଘନଫୁଟର ପାଣି (Mahanadi Munduli Barage) । ଏତେ ପ୍ରଖର ସୁଅଯେ ହାତୀ ବି ଟଳମଳ । ପାଖରେ ୪୦ ଫୁଟର ଗଣ୍ଡ । ବ୍ୟାରେଜ ମୁଣ୍ଡରେ କଂକ୍ରିଟ ଖସଡା ଯୋଗୁଁ ପାଣି ଝରଣା ଭଳି ଖସୁଛି । ଅଥଚ ସବୁ ଜାଣି ବି ଗୋଟିଏ ମାମୁଲି ରବର ବୋଟରେ ସେଠାକୁ ଯିବା କେତେ ଦୂର ଠିକ ନିଷ୍ପତି ଥିଲା ? ଓଡିଶାରେ ଓଡ୍ରାଫ କେବେ ଏପରି ବନ୍ୟ ଜନ୍ତୁ ଉଦ୍ଧାର କରିନଥିଲା । ଯଦିବି କରିବା ପାଇଁ ନିଷ୍ପତି ହେଲା ତାହାଲେ ସେଥିପାଇଁ ପ୍ରସ୍ତୁତି କେତେ ମାତ୍ରାରେ ହୋଇଥିଲା ? ନଦୀର ଜଳ ଭିତରେ ଥିବା ଯେଉଁ ବ୍ରିଟିସ ଅମଳର କଂକ୍ରିଟ ବନ୍ଧରେ ବୋଟର ଫ୍ୟାନ ବାଜି ବୋଟ ଅଚଳ ହୋଇଗଲା ସେହି ବିଷୟରେ ଉଦ୍ଧାରକାରୀ ଦଳ ଜାଣିନଥିଲେ । ସବୁବେଳେ ଆଉ ଗୋଟିଏ ଦଳ ବୋଟ ସହିତ ନଦୀ ବାହାରେ ସଜାଗ ହୋଇ ରହିବା କଥା । ହେଲେ ତାହା କାହିଁକି ନଥିଲା ? ଘଟଣା ସ୍ଥଳରେ ଅଗ୍ନିଶ୍ରମ ବିଭାଗ (Fire Safety Department) ଥିଲେ ବି ସେମାନେ ବି ଥିଲେ ଅପ୍ରସ୍ତୁତ । ଉଦ୍ଧାରରେ ଲାଗିଥିଲା ଓଡ୍ରାଫର ଟିମ –ବି, ଯାହା ଆଉ ଏକ ଅପରିପକ୍ୱ ନିଷ୍ପତି । ଏମିତି କିଛି କାରଣ ବି ନଥିଲା ବିପଦ ମୁହଁକୁ ଯିବାର । ହାତୀକୁ ପାଣିରୁ ଅଲଗା ଉପାୟରେ ବାହାର କରାଯାଇପାରିଥାନ୍ତା । ହାତୀ ପାଣିରେ ପହଁରି ପାରେ । ଆଉ ଗୋଟିଏ ବଡ ପ୍ରସଙ୍ଗ ହେଲା ସାଧାରଣ ଜନତାଙ୍କର ଅତ୍ୟଧିକ ଆଗ୍ରହ ସବୁ ଜିନିଷକୁ ଦେଖିବାକୁ । ଯଦି ଲୋକମାନେ ସେହି ବ୍ରିଜ ଉପରେ ଦୁଇ ଦିନ ଧରି ଭିଡ ଲଗାଇ ନଥାନ୍ତେ ତାହେଲେ ହୁଏତ ହାତୀ ତାର ମନକୁ ମନ ପାଣିରୁ ବାହାରି ପାରିଥାନ୍ତା ।
ଆମେ ବିପଦ କାଳୀନ ପରିସ୍ଥିତି ମୁକାବିଲାରେ (Odisha Disaster Response) ଦେଶରେ ପ୍ରଥମ, ଆମର ଉଦ୍ଧାର କାର୍ଯ୍ୟ ବିଶ୍ୱସ୍ତରୀୟ ବୋଲି ଯେତେ ଜୋରରେ ଆମେ କହିଲେ ବି ଆମକୁ ଚିନ୍ତା କରିବା ପାଇଁ ଏବେ ପଡିବ ସତରେ ଆମେ କେତେ ପ୍ରସ୍ତୁତ ଏହି ଦିଗରେ । କୌଣସି ଅପରେସନରେ ସବୁଠାରୁ ଗୁରୁତ୍ୱପୁର୍ଣ୍ଣ ହେଉଛି ବିଭିନ୍ନ ବିଭାଗ ମଧ୍ୟରେ ସମନ୍ୱୟ । ଯାହା ଏହି ଘଟଣାରେ ପୁରା ଫେଲ ମାରିଛି । ହାତୀ ଘଉଡାଇବା କାମ ବନ ବିଭାଗର ଓ ସେଥିରେ ସେମାନେ ଦକ୍ଷ । ହେଲେ ବନ ବିଭାଗର କୌଣସି କର୍ମଚାରୀ ସେ ବୋଟରେ ଥିଲେ କି ? ବିଭିନ୍ନ ଗଣମାଧ୍ୟମରେ ପ୍ରକାଶିତ ଖବର ଅନୁସାରେ ବନ ବିଭାଗ ହାତୀ ଘଉଡାଇବା ପାଇଁ ଏପରି ନଦୀ ମଧ୍ୟକୁ ଯିବା ପାଇଁ ଓଡ୍ରାଫ ଟିମକୁ କହିନଥିଲା । ସେଠାରେ ବ୍ରିଜ ଉପରେ ପୋଲିସ ଥିଲା ହେଲେ ଲୋକମାନଙ୍କ ଗହଳି ରୋକିପାରିଲା ନାହିଁ ।
ଆଉ ଶେଷରେ ଆମକୁ ବି ଖବର ପ୍ରସାରଣ କରିଲା ବେଳେ, ବିଶେଷ ଭାବରେ ଟେଲିଭିଜନ ଚ୍ୟାନେଲର ସାମ୍ବାଦିକମାନଙ୍କ (TV Journalist) କ୍ଷେତ୍ରରେ ସତର୍କ ହେବାକୁ ପଡିବ । ଖବର ପ୍ରସାରଣ କରୁଥିବା ଚ୍ୟାନେଲ, ନ୍ୟାସନାଲ ଜିଓଗ୍ରାଫି କି ଡିସକଭରି ଚ୍ୟାନେଲ ନୁହେଁ କି ହଲିଉଡର ଆକ୍ସନ ମୁଭି ନୁହେଁ । ଏକ୍ସକ୍ଲୁଜିଭ, ସୁପର ଏକ୍ସକ୍ଲୁଜିଭ, ଫାଷ୍ଟ ଭିଜୁଆଲର ମୋହରେ ଜୀବନକୁ ଆମେ ବାଜି ଲଗାଇ ପାରିବା ନାହିଁ । ଆମର ଦାୟୀତ୍ୱ ସମାଜ ପ୍ରତି ଏହାଠାରୁ କେତେ ଅଧୀକ । ଆଗରୁ ବାତ୍ୟା ଖବର ପ୍ରସାରଣ ବେଳେ ଅନେକ ପୁରା ୧୬୦ କିମି ପବନ ଆଗରେ ଠିଆ ହୋଇ ପ୍ରତିକ୍ରିୟା ଦେଉଥିବା ବେଳେ ପବନରେ ହଲଚଲ ହୋଇଯିବାର ଚିତ୍ର ଆମେ ଦେଖିଛେ । ସେଗୁଡିକ ଲୋକଙ୍କୁ କିଛି ସମୟ ପାଇଁ ଭଲ ଲାଗୁଥାଇପାରେ, ସେଥିପାଇଁ ଆମେ ନିଜ ଜୀବନକୁ ବାଜି ଲଗାଇ ଏହାକୁ ଦେଖାଇ ଥାଇପାରେ କିନ୍ତୁ ଲମ୍ବା ସମୟ ପାଇଁ ଏହା ସାମ୍ବାଦିକ ଦୃଷ୍ଟିକୋଣରୁ ଆଦୌ ଭଲ ନୁହେଁ । ଆମର କାମ ଲୋକଙ୍କୁ ଖବର ପ୍ରସାରଣ କରିବା । ଲୋକ ଦେଖିବା ପାଇଁ ସବୁ ଚାହାନ୍ତି । ଲାଗିଥିବା ନିଆଁରେ ପୋଡି ହୋଇକି କେମିତି ମରିଲେ ସେକଥା ବି ଲୋକ ଦେଖିବାକୁ ଚାହିଁବେ । ତାବୋଲି କଣ ଆମେ ନିଆଁରେ ପଶିବା କି? ସାହାସିକ ସାମ୍ବାଦିକ, ନିର୍ଭିକ ସାମ୍ବାଦିକ ସିଏ ତମାମ ପ୍ରତିକୁଳ ପରିସ୍ଥିତିରେ ସରକାରଙ୍କର ଦୁର୍ନୀତି, ଭ୍ରଷ୍ଟାଚାର, ଲୋକଙ୍କ ସମସ୍ୟାକୁ ଦେଖାଇ ପାରୁଛି । ତେଣୁ ସେଦିଗରେ ମଧ୍ୟ ଚିନ୍ତା କରିବାର ଆବଶ୍ୟକତା ରହିଛି ।