ରାଧେଶ୍ୟାମ ଖେମକାଙ୍କୁ ପଦ୍ମବିଭୂଷଣ ସମ୍ମାନ ମରଣୋତ୍ତର ପ୍ରଦାନ କରାଯିବ । ଏ ନେଇ ଘୋଷଣା ହୋଇ ସାରିଛି ।
ରାଧେଶ୍ୟାମ ଖେମକା ହେଉଛନ୍ତି ଜଣେ ନୀରବ ତପସ୍ୱୀ ଓ ମୌନ ସାଧକ । ଗୋରଖପୁରର ପ୍ରସିଦ୍ଧ ଗୀତା ପ୍ରେସ ସହିତ ସେ 40 ବର୍ଷ ଧରି ଜଡିତ ଥିଲେ ।
ରାଧେଶ୍ୟାମ ଖେମକା ଗୀତା ପ୍ରେସ ଟ୍ରଷ୍ଟର ଦୀର୍ଘ ଦିନ ଧରି ଅଧ୍ୟକ୍ଷ ଥିଲେ । କେବଳ ସେତିକି ନୁହେଁ ସନାତନ ସଂସ୍କୃତିର ବାର୍ତାବହ ତଥା ଗୀତା ପ୍ରେସ ଗୋରଖପୁରରୁ ପ୍ରକାଶିତ ହେଉଥିବା ପ୍ରସିଦ୍ଧ କଲ୍ୟାଣ ପତ୍ରିକାର ସେ ଦୀର୍ଘ ଦିନ ଧରି ସମ୍ପାଦନା କରିଥିଲେ ।
ରାଧେଶ୍ୟାମ ଖେମକା କଲ୍ୟାଣର 460ଟି ଅଙ୍କର ସମ୍ପାଦନ କରିଥିଲ । 38ଟି ବାର୍ଷିକ ବିଶେଷାଙ୍କର ସେ ସମ୍ପାଦନା କରିଥିଲେ । ତାଙ୍କର ସମ୍ପାଦନ କାଳରେ କଲ୍ୟାଣ ପତ୍ରିକାର 9 କୋଟି 54 ଲକ୍ଷରୁ ଉର୍ଧ ପତ୍ରିକା ପ୍ରକାଶିତ ହୋଇଥିଲେ ।
ସେ ବିହାରର ମୁଙ୍ଗେରର ନିବାସୀ ଥିଲେ । ପରେ ଯେତେବେଳେ ସେ ଉତ୍ତର ପ୍ରଦେଶର ମାଟିରେ ପହଂଚିଥିଲେ ତା ପରେ ସେ ସେଠାକାର ହୋଇ ରହି ଯାଇଥିଲେ । ପରବର୍ତୀ ସମୟରେ କାଶୀ ହିନ୍ଦୁ ବିଶ୍ୱବିଦ୍ୟାଳୟରେ ଶିକ୍ଷା ଗ୍ରହଣ କରିଥିଲେ । ସେ ଏହି ବିଶ୍ବବଦ୍ୟାଳୟରୁ ଏମଏ ଓ ସାହିତ୍ୟ ରତ୍ନ ଉପାଧି ହାସଲ କରିଥିଲେ ।
ରାଧେଶ୍ୟାମ ଖେମକା କେବଳ ଗଙ୍ଗାକୁ ନଦୀ ହିଁ ମନେ କରୁ ନ ଥିଲେ ବରଂ ତାକୁ ଦେବୀ ଓ ମା ବୋଲି ମନେ କରୁଥିଲେ । ସେ ଗଙ୍ଗାନଦୀକୁ ମା ର ମାନ୍ୟତା ଦେବା ପାଇଁ ଆଜୀବନ ପ୍ରୟାସରତ ଥିଲେ । ଗଙ୍ଗାଜଳକୁ ନେଇ ତାଙ୍କର ଏତେ ଆସ୍ଥା ଥିଲା ଯେ ସେ ଉତ୍ତର ପ୍ରଦେଶ ଆସିବା ପରେ କେବଳ ଗଙ୍ଗା ନଦୀର ଜଳକୁ ହିଁ ପାନ କରୁଥିଲେ। କୌଣସି ସ୍ଥାନକୁ ଗସ୍ତ କରିବାକୁ ଗଲେ ସେ ଗଙ୍ଗା ଜଳ ସାଙ୍ଗରେ ନେଇ ଯାଉଥିଲେ । ତାଙ୍କର ଲେଖନୀରେ ଓ କଲ୍ୟାଣ ପତ୍ରିକାରେ ଗଙ୍ଗା ନଦୀ ପ୍ରତି ଥିବା ତାଙ୍କର ଅଖଣ୍ଡ ଆସ୍ଥା ବାରମ୍ବାର ପ୍ରତିଫଳିତ ହେଉଥିଲା । ରାଧେଶ୍ୟାମ ଖେମକା ଅତ୍ୟନ୍ତ ଧାର୍ମିକ ଓ ସାତ୍ୱିକ ପ୍ରବୃତ୍ତିର ବ୍ୟକ୍ତି ଥିଲେ । ସେ ସବୁବେଳେ ଖଲିରେ ଭୋଜନ କରୁଥିଲେ ଓ ମାଟି ପାତ୍ରରେ ପାଣି ପିଉଥିଲେ । ସେ ତାଙ୍କ ଜୀବନରେ କେବେ ହେଲେ ଚମଡାରେ ତିଆରି ବସ୍ତୁକୁ ବ୍ୟବହାର କରୁ ନଥିଲେ । ସେ କପଡାରେ ତିଆରି ହୋଇଥିବା ଜୋତା ଜୀବନ ସାରା ପିନ୍ଧୁଥିଲେ ।
ଆସ୍ଥା ଓ ଧାର୍ମିକ ଭାବନା ପିଲା ଦିନକୁ ତାଙ୍କ ମଧ୍ୟରେ ଥିଲା । ଯେତେବେଳେ ସେ ଛୋଟ ଥିଲେ ସେତେବେଳ ଠାରୁ ସେ ଧାର୍ମିକ ଚର୍ଚାରେ ତାଙ୍କର ଗଭୀର ଆଗ୍ରହ ଥିଲା । ଯେତେବେଳେ କାଶୀରେ ମାଘ ମେଳା ଲାଗୁଥିଲା ସେତେବେଳେ ସେ ତାଙ୍କର ପିତା ସୀତାରାମ ଖେମକାଙ୍କ ସହିତ ଏକ ମାସ ଧରି ସେଠାରେ ରହୁଥିଲେ ଓ କଳ୍ପବାସ ରଖୁଥିଲେ । ସେ ଗତ ବର୍ଷ ଏପ୍ରିଲ ମାସରେ ଗଙ୍ଗା ନଦୀ କୂଳରେ କାଶୀ ଠାରେ ହିଁ ଶେଷ ନିଶ୍ବାସ ତ୍ୟାଗ କରିଥିଲେ ।
ବନ ପାହାଡରେ ରହି ସାଧନା କରୁଥିବା ଅନେକ ସାଧୁ ସନ୍ୟାସୀଙ୍କୁ ଆମେ ଦେଖିଛେ, ହେଲେ ରାଧେଶ୍ୟାମ ଖେମକା ଜଣେ ସାମାଜିକ ସନ୍ୟାସୀ ଥିଲେ ଯିଏ ସମାଜ ମଧ୍ୟରେ ରହି ସନ୍ୟାସୀ ଜୀବନ ବଂଚିଥିଲେ । ଭାରତୀୟ ସନାତନ ସଂସ୍କୃତି ଓ ସଭ୍ଯତାର ପ୍ରଚାର ପ୍ରସାର ପାଇଁ ନିଜର ସମ୍ପୂର୍ଣ ଜୀବନ ଲଗାଇ ଦେଇଥିବା ଏହି ନୀରବ ସାଧକଙ୍କୁ ପଦ୍ମ ବିଭୁଷଣ ପ୍ରଦାନ କରାଯିବା ନିଶ୍ଚିତ ଭାବେ ପ୍ରସନ୍ନତାର ବିଷୟ ।