-ଡ. ମୋହନରାଓ ଭାଗବତ-
ଅଗଷ୍ଟ ୧୫ ଦିନ ଭାରତର ସ୍ୱାଧୀନତାପ୍ରାପ୍ତିର ୭୫ ବର୍ଷ ପୂର୍ଣ୍ଣ ହେବ । ସ୍ୱାଧୀନତାର ଅମୃତ ମହୋତ୍ସବ ପାଳନ ନିମନ୍ତେ କିଛିଦିନ ହେଲା ଆରମ୍ଭ ହୋଇଥିବା କାର୍ଯ୍ୟକ୍ରମ ବର୍ଷସାରା ଚାଲିରହିବ । ଆମ ପାଖରେ ଆଉ କୌଣସି ସମସ୍ୟା ନାହିଁ, ଏକଥା ନୁହେଁ । କିଛି ପୁରୁଣା ସମସ୍ୟାର ସମାଧାନ ହୋଇଯାଇଛି, ଆଉ କିଛି ବାକି ରହିଛି; ଏହା ଭିତରେ ଅନେକ ନୂତନ ସମସ୍ୟା ମଧ୍ୟ ଉପୁଜିଛି; ଏହା ତ ଚାଲିଥିବ । ଏହାସତ୍ତ୍ୱେ ସ୍ୱତନ୍ତ୍ରତାର ଏହି ଅମୃତ ମହୋତ୍ସବର ଆନନ୍ଦ ବେଶ ସ୍ୱାଭାବିକ ଭାବେ ଅନୁଭୂତ ହେଉଛି । ଅନେକ ଶତାବ୍ଦୀର ସଂଘର୍ଷ ପରେ ୧୫ ଅଗଷ୍ଟ ୧୯୪୭ ଦିନ ଆମେ ଆମ ଦେଶର ଏକ ବଡ ଭୂଖଣ୍ଡ ଉପରେ ନିଜ ଇଚ୍ଛା ଅନୁସାରେ ଶାସନ କରିବା ଏବଂ ଅନ୍ୟ ବ୍ୟବସ୍ଥା ସ୍ଥାପନ କରିବାର ଅଧିକାର ପାଇ ପାରିଥିଲେ । ପରାଧୀନତାର ଏହି କାଳଖଣ୍ଡ ଯେତିକି କଷ୍ଟକର ଓ ଦୀର୍ଘ ଥିଲା, ସ୍ୱାଧୀନତା ପ୍ରାପ୍ତି ନିମିତ୍ତ ଭାରତୀୟମାନେ ସେତିକି ଦୀର୍ଘ ଓ କଠିନ ସଂଘର୍ଷ କରିଥିଲେ ।
ବିଦେଶୀ ଶାସନ ବିରୋଧରେ ଭାରତୀୟ ଜନସାଧାରଣଙ୍କର ସଂଘର୍ଷ ଭୌଗୋଳିକ ଦୃଷ୍ଟିକୋଣରୁ ସର୍ବବ୍ୟାପୀ ଥିଲା । ଏ ସଂଘର୍ଷରେ ସମାଜର ସମସ୍ତ ବର୍ଗଙ୍କର ଯୋଗଦାନ ରହିଥିଲା । ଯାହାର ଯେତିକି ଶକ୍ତି, ସେମାନେ ସେପରି ଯୋଗଦାନ କରିଥିଲେ । ସ୍ୱାଧୀନତା ପ୍ରାପ୍ତିର ମାର୍ଗରେ ବାଧା ସାଜିଥିବା ସମାଜର ବିଭିନ୍ନ ଦୋଷ ଦୁର୍ବଳତା ବିରୋଧରେ ଜାଗରଣ ସୃଷ୍ଟି ହୋଇଥିଲା । ସ୍ୱାଧୀନତା ପ୍ରାପ୍ତି ପାଇଁ ସଶସ୍ତ୍ର ଓ ନିଃଶସ୍ତ୍ର ପ୍ରଚେଷ୍ଟା ସହିତ ସମାଜ ଜାଗରଣ ଏବଂ ସଂସ୍କାରର ଅନ୍ୟାନ୍ୟ କାର୍ଯ୍ୟକଳାପ ମଧ୍ୟ ସମାନ ରୂପେ ସମାଜର ସହଭାଗିତାରେ ଚାଲି ରହିଥିଲା । ଏ ସମସ୍ତ ପ୍ରଚେଷ୍ଟା ବଳରେ ୧୫ ଅଗଷ୍ଟ ୧୯୪୭ ଦିନ ଆମେ ଭାରତୀୟମାନେ ନିଜ ମନ ମୁତାବକ, ନିଜ ଇଚ୍ଛାରେ ଭାରତକୁ ଚଳାଇବାର ଅଧିକାର ପାଇଲୁ । ବ୍ରିଟିଶ୍ ଶାସକମାନଙ୍କୁ ଏଠାରୁ ବିତାଡିତ କରି ନିଜ ଦେଶ ଚଳାଇବାର ସୂତ୍ର ନିଜ ହାତକୁ ନେଲୁ ।
ଏଥିପାଇଁ ସ୍ୱାଧୀନତାର ୭୫ତମ ବର୍ଷ ପୂରଣ ଉପଲକ୍ଷେ ଆମ ସମସ୍ତଙ୍କ ମନରେ ଦେଖା ଦେଇଥିବା ଉତ୍ସାହ ଉଦ୍ଦୀପନା ସହ ସମଗ୍ର ଦେଶରେ ସୃଷ୍ଟି ହୋଇଥିବା ଉତ୍ସବର ବାତାବରଣ ଅତ୍ୟନ୍ତ ସ୍ୱାଭାବିକ ତଥା ଉଚିତ ମନେହୁଏ । ଏହି ଅବସରରେ ଏହି ସୁଦୀର୍ଘ ସଂଘର୍ଷରେ ଭାରତ ଭଳି ଏକ ବିଶାଳ ଦେଶରେ ପ୍ରତ୍ୟେକ ଛୋଟ ଛୋଟ ସ୍ଥାନରେ ପରାକ୍ରମ ପ୍ରଦର୍ଶିତ କରିଥିବା ବୀର ଓ ବୀରାଙ୍ଗନାମାନେ ଯେଉଁ ମହନୀୟ ତ୍ୟାଗ ତଥା କଠୋର ପରିଶ୍ରମ ପୂର୍ବକ ଆମ ପାଇଁ ସ୍ୱାଧୀନତା ଅର୍ଜିତ କରି ଯାଇଛନ୍ତି, ନିଜର ସର୍ବସ୍ୱ ଆହୁତି ଦେଇଛନ୍ତି, ହସି ହସି ନିଜର ପ୍ରାଣ ଦେଇଛନ୍ତି, ସେମାନଙ୍କୁ ଖୋଜି ବାହାର କରି ସେମାନଙ୍କର ତ୍ୟାଗ ଓ ବଳିଦାନର ଗାଥା ସଂପୂର୍ଣ୍ଣ ସମାଜ ମଧ୍ୟରେ ପ୍ରଚାରିତ କରିବା ଉଚିତ ହେବ । ମାତୃଭୂମି ତଥା ଦେଶବାସୀଙ୍କ ପ୍ରତି ସେମାନଙ୍କର ଭଲ ପାଇବା, ଦେଶହିତରେ ସେମାନଙ୍କର ସର୍ବସ୍ୱ ତ୍ୟାଗ କରିବାର ପ୍ରେରଣା, ତେଜସ୍ୱିତା ଓ ତ୍ୟାଗପୂତ ଚରିତ୍ରର ଆଦର୍ଶ ଆମ ପାଇଁ ସ୍ମରଣୀୟ ଓ ଗ୍ରହଣୀୟ ହୋଇ ରହିବ ।
ଏହି ଅବସରରେ ଆମେ ଆମର ଉଦ୍ଦେଶ୍ୟ, ସଂକଳ୍ପ ତଥା କର୍ତ୍ତବ୍ୟ ମନେ ପକାଇବା ସହ ଏଗୁଡ଼ିକ ସଂପୂର୍ଣ୍ଣ କରିବା ପାଇଁ ପୁଣି ଥରେ କଟିବଦ୍ଧ ହୋଇ ସକ୍ରିୟ ହେବାକୁ ପଡିବ । ଦେଶ ପାଇଁ ସ୍ୱରାଜ୍ୟ ଆବଶ୍ୟକ କାହିଁକି? କୌଣସି ବିଦେଶୀ ଶକ୍ତି ସଂଚାଳିତ ସୁରାଜ୍ୟ ଦ୍ୱାରା ଦେଶର ତଥା ଦେଶବାସୀଙ୍କର ଆକାଂକ୍ଷା ପୂର୍ଣ୍ଣ ହୋଇପାରିବ ତ? ଆମେ ସମସ୍ତେ ନିଃସନ୍ଦେହ ଭାବରେ ଜାଣନ୍ତି ଯେ, ଏପରି ଘଟିବା ଅସମ୍ଭବ । ‘ସ୍ୱ’ର ଅଭିବ୍ୟକ୍ତି ପ୍ରତ୍ୟେକ ବ୍ୟକ୍ତି ତଥା ସମାଜର ସ୍ୱାଭାବିକ ଆକାଂକ୍ଷା ଓ ସ୍ୱାଧୀନତାର ପ୍ରେରଣା ସ୍ରୋତ ଅଟେ । ମାନବ ମାତ୍ରକେ କେବଳ ସ୍ୱାଧୀନତାପ୍ରାପ୍ତିରେ ହିଁ ସୁରାଜ୍ୟର ଅନୁଭୂତି କରିପାରିବେ । ସ୍ୱାମୀ ବିବେକାନନ୍ଦ କହିଥିଲେ ଯେ, ବିଶ୍ୱ କଲ୍ୟାଣରେ କିଛି ଯୋଗଦାନ ପାଇଁ ପ୍ରତ୍ୟେକ ରାଷ୍ଟ୍ରର ଉଦୟ ହୋଇଥାଏ । ବିଶ୍ୱ କଲ୍ୟାଣ ପାଇଁ ଏପରି ଯୋଗଦାନ କରିବାକୁ ହେଲେ କୌଣସି ରାଷ୍ଟ୍ରକୁ ପ୍ରଥମେ ସ୍ୱାଧୀନ ହେବାକୁ ପଡିଥାଏ । ନିଜ ‘ସ୍ୱ’ର ଅଭିବ୍ୟକ୍ତି ଦ୍ୱାରା ହିଁ ସେହି ରାଷ୍ଟ୍ର ବୈଶ୍ୱିକ ପରିପ୍ରେକ୍ଷୀରେ ନିଜ କର୍ତ୍ତବ୍ୟ ସଂପାଦନ କରିଥାଏ । ଏପରି ଯୋଗଦାନ କରୁଥିବା ରାଷ୍ଟ୍ର ପାଇଁ ନିଜେ ସ୍ୱାଧୀନ ଓ ସମର୍ଥ ହେବା ହିଁ ଏହାର ପ୍ରଥମ ସର୍ତ୍ତ ।
ଭାରତର ସ୍ୱତନ୍ତ୍ରତା ହେତୁ ଭାରତୀୟ ଜନମାନସର ଜାଗୃତି ପାଇଁ, ତଥା ସ୍ୱତନ୍ତ୍ରତା ସଂଗ୍ରାମରେ ପ୍ରତ୍ୟକ୍ଷ୍ୟ ରୂପେ ସଶସ୍ତ୍ର ଅଥବା ନିଃଶସ୍ତ୍ର ଆନ୍ଦୋଳନର ମାର୍ଗରେ ସକ୍ରିୟ ଅଂଶ ଗ୍ରହଣ କରିଥିବା, ସ୍ୱତନ୍ତ୍ରତା ପ୍ରାପ୍ତି ପରେ ଏହି ସ୍ୱତନ୍ତ୍ରତାକୁ ସମ୍ଭାଳି ରଖିବା ପାଇଁ ଭାରତୀୟ ସମାଜର ଯୋଗ୍ୟତା ବୃଦ୍ଧି କରିବାରେ ଅନେକ ପ୍ରଚେଷ୍ଟା କରିଥିବା ସମସ୍ତ ମହାପୁରୁଷ ଭିନ୍ନ ଭିନ୍ନ ଶବ୍ଦ ପ୍ରୟୋଗ କରି ସ୍ୱତନ୍ତ୍ରତାର ପ୍ରୟୋଜନ ସମ୍ବନ୍ଧରେ ବର୍ଣ୍ଣନା କରିଛନ୍ତି । ସ୍ୱର୍ଗୀୟ ରବୀନ୍ଦ୍ର ନାଥ ଠାକୁର ନିଜର ପ୍ରସିଦ୍ଧ କବିତା ‘ଚିତ୍ତ ଯେଥା ଭୟଶୂନ୍ୟ ଉନ୍ନତ ଯତୋ ଶିର’ରେ ସ୍ୱାଧୀନ ଭାରତର ଆଗାମୀ ବାତାବରଣର ବର୍ଣ୍ଣନା କରିଛନ୍ତି । ସ୍ୱାତନ୍ତ୍ର୍ୟବୀର ସାବରକର ନିଜର ପ୍ରସିଦ୍ଧ ‘ସ୍ୱତନ୍ତ୍ରତା ଦେବୀ କି ଆରତୀ’ କବିତାରେ ସେ ସ୍ୱତନ୍ତ୍ରତା ଦେବୀଙ୍କ ଆଗମନ ଉପଲକ୍ଷେ ଭାରତରେ ଉତ୍ତମତା, ଉଦ୍ଦାତ୍ତତା ଓ ଉନ୍ନତି ଆଦି ସହଚାରୀ ଭାବ ସ୍ୱାଭାବିକ ରୂପରେ ଅବତରିତ ହେବ ବୋଲିି ଆଶା ବ୍ୟକ୍ତ କରିଛନ୍ତି । ସ୍ୱର୍ଗୀୟ ମହାତ୍ମାଗାନ୍ଧୀ ‘ହିନ୍ଦ୍ ସ୍ୱରାଜ’ରେ ନିଜ କଳ୍ପନାର ସ୍ୱାଧୀନ ଭାରତର ଚିତ୍ର ବର୍ଣ୍ଣନା କରିଛନ୍ତି । ଡ. ବାବାସାହେବ ଆମ୍ବେଦକର ଦେଶର ସଂସଦରେ ସମ୍ବିଧାନର ପ୍ରସ୍ତାବନା ରଖିବା ସମୟରେ ଦେଇଥିବା ଦୁଇଟି ଭାଷଣରେ ଭାରତରେ ସ୍ୱାଧୀନତାର ପ୍ରୟୋଜନ ଏବଂ ଏହାର ସଫଳତା ପାଇଁ ଆବଶ୍ୟକ କର୍ତ୍ତବ୍ୟ ସମ୍ବନ୍ଧରେ ଉଲ୍ଲେଖ କରିଛନ୍ତି ।
ଏଥିପାଇଁ ସ୍ୱାଧୀନତାର ଅମୃତ ମହୋତ୍ସବର ଏହି ଉତ୍ସାହ ଓ ଆନନ୍ଦଭରା ପର୍ବ ପାଳନ ସମୟରେ ହର୍ଷୋଲ୍ଲାସ ପୂର୍ବକ ବିଭିନ୍ନ ଆୟୋଜନ କରିବା ବେଳେ ଆମ ସମସ୍ତଙ୍କୁ ଅନ୍ତର୍ମୁଖୀ ହୋଇ ଏହା ବିଚାର କରିବାକୁ ହେବ ଯେ ସ୍ୱାଧୀନତାର ପ୍ରୟୋଜନ ଭାରତୀୟ ଜୀବନର ‘ସ୍ୱ’ର ଅନୁଭୂତି ଅଟେ । ତାହାହେଲେ ଭାରତର ସେହି ‘ସ୍ୱ’ଟି କଣ? ବିଶ୍ୱ କଲ୍ୟାଣ ନିମନ୍ତେ ଭାରତର ଯୋଗଦାନର ପ୍ରୟୋଜନକୁ ସିଦ୍ଧ କରିବା ନିମନ୍ତେ ରାଷ୍ଟ୍ରକୁ କିଭଳି ଶକ୍ତିଶାଳୀ କରିବାକୁ ହେବ? ଏଥି ନିମନ୍ତେ ଆମ କର୍ତ୍ତବ୍ୟ କଣ ହେବା ଉଚିତ? ଏହାର ସଫଳତା ପାଇଁ ସମାଜ କିଭଳି ପ୍ରସ୍ତୁତ ହେବା ଉଚିତ? ୧୯୪୭ ମସିହାରେ ଆମେ ପ୍ରଚେଷ୍ଟା ପୂର୍ବକ ନିଜର ପ୍ରାଣପ୍ରିୟ ମାତୃଭୂମି ଭାରତବର୍ଷର ଯେଉଁ ଆଦର୍ଶ ଓ ସ୍ୱରୂପ ବିଷୟରେ ଚିନ୍ତା କରି ତାହାକୁ ସ୍ୱାଧୀନ କରିଥିଲେ, ତାହା ପୂର୍ଣ୍ଣ କରିବା ନିମନ୍ତେ ଆମ ଚିନ୍ତନ ଓ କର୍ତ୍ତବ୍ୟ ପଥର ସ୍ପଷ୍ଟତା ନିହାତି ଆବଶ୍ୟକ ।
ଭାରତବର୍ଷର ସନାତନ ଦୃଷ୍ଟି, ଚିନ୍ତନ ଓ ସଂସ୍କୃତି ତଥା ସମଗ୍ର ବିଶ୍ୱ ପାଇଁ ଆଚରଣସିଦ୍ଧ ବାର୍ତ୍ତାର ବିଶେଷତା ହେଲା ଯେ, ଏହି ପ୍ରତ୍ୟକ୍ଷ ଅନୁଭୂତି ତଥା ବିଜ୍ଞାନସିଦ୍ଧ ସତ୍ୟତା ଉପରେ ଆଧାରିତ, ସମଗ୍ର, ଏକାତ୍ମଭାବ ସ୍ୱାଭାବିକ ରୂପରେ ସର୍ବସମାବେଶୀ । ଏହାର ବିବିଧତା ଭେଦଭାବ ନୁହେଁ ବରଂ ଏକାତ୍ମତାର ଅଭିବ୍ୟକ୍ତି ମାତ୍ର । ଏଠାରେ ଏକ ହେବା ନିମନ୍ତେ ଏକପ୍ରକାର ହେବା ଆବଶ୍ୟକ ନାହିଁ । ସେଥିପାଇଁ ସମସ୍ତଙ୍କୁ ଏକ ରଙ୍ଗରେ ରଙ୍ଗାଇବାର ପ୍ରଚେଷ୍ଟା ସେମାନଙ୍କୁ ନିଜ ନିଜ ଭିତ୍ତିିଭୂମିରୁ ଅଲଗା କରିଥାଏ, ଯାହା କଳହ ଓ ବିଭେଦକୁ ଜନ୍ମ ଦେଇଥାଏ । ନିଜସ୍ୱ ଭାବ ନେଇ, ନିଜର ବିଶିଷ୍ଟତା ଉପରେ ଦୃଢ ରହି ଅନ୍ୟର ବିଶିଷ୍ଟତାକୁ ଆଦର ଦେଇ, ସମସ୍ତଙ୍କୁ ଏକ ସୂତ୍ରରେ ବାନ୍ଧି ଏକ ସଂଗଠିତ ସମାଜ ଗଢା ଯାଇପାରେ । ଭାରତମାତା ପ୍ରତି ଭକ୍ତିଭାବ ଆମ ସମସ୍ତଙ୍କୁ ତାର ସନ୍ତାନ ଭାବେ ଯୋଡି ରଖିଛି । ଆମ ସନାତନ ସଂସ୍କୃତି ଆମମାନଙ୍କୁ ସୁସଂସ୍କୃତ, ସଦ୍ଭାବନାଯୁକ୍ତ ଓ ଆତ୍ମୀୟତାପୂର୍ଣ୍ଣ ଆଚରଣୀୟ ଜ୍ଞାନ ପ୍ରଦାନ କରିଥାଏ । ମନର ପବିତ୍ରତା ଓ ପରିବେଶ ଶୁଦ୍ଧତା ବୃଦ୍ଧିର ଜ୍ଞାନ ମଧ୍ୟ ଦେଇଥାଏ । ପ୍ରାଚୀନ କାଳରୁ ଆମ ସ୍ମୃତିରେ ରହିଆସିଥିବା ପରାକ୍ରମୀ ତଥା ଶୀଳସମ୍ପନ୍ନ ବୀର ପୂର୍ବଜଙ୍କର ଆଦର୍ଶ ଆମର ପଥପ୍ରଦର୍ଶନ କରିଆସିଛି ।
ନିଜ ଐତିହ୍ୟ ଆଧାରିତ ବୈଶିଷ୍ଟ୍ୟ ପ୍ରଦର୍ଶନ ସହ ଦୃଢତାପୂର୍ବକ କ୍ଷୁଦ୍ର ସ୍ୱାର୍ଥ ଓ ଭେଦଭାବକୁ ପୂର୍ଣ୍ଣ ରୂପେ ତ୍ୟାଗ କରି ନିଜର ସମସ୍ତ କାର୍ଯ୍ୟକଳାପ ଦେଶହିତରେ ହେଉ, ଏହା ଆମର ଲକ୍ଷ୍ୟ ହେବା ଉଚିତ । ଆମେ ଏହି ଭାବରେ ସଂପୂର୍ଣ୍ଣ ସମାଜକୁ ଗଢିବା, ଏହା ହିଁ ହେଉଛି ସମୟର ଆବଶ୍ୟକତା ଏବଂ ସମାଜର ସ୍ୱାଭାବିକ ଅବସ୍ଥା ।
ପ୍ରାଚୀନ କାଳରୁ ଆମ ସମାଜରେ ପ୍ରଚଳିତ ଋଢିବାଦ ଓ କୁରୀତି ରୂପକ ରୋଗ, ଜାତି, ଧର୍ମ, ଭାଷା, ପ୍ରାନ୍ତ ଆଦିର ଭେଦଭାବ, ଯଶପ୍ରାପ୍ତି ଏବଂ ଧନପ୍ରାପ୍ତିର ଇଚ୍ଛାଯୋଗୁଁ ଉତ୍ପନ୍ନ ଛୋଟ ଛୋଟ ସ୍ୱାର୍ଥକୁ କାୟମନୋବାକ୍ୟରେ ତଥା କର୍ମ ମାଧ୍ୟମରେ ସମ୍ପୂର୍ଣ୍ଣ ମୂଳୋତ୍ପାଟନ କରି କଥା ଏବଂ କାର୍ଯ୍ୟରେ ପରିଣତ କରିବାକୁ ହେବ । ସ୍ୱାଧୀନତାକୁ ସୁରକ୍ଷିତ ରଖିବାର ଶକ୍ତି କେବଳ ସେହି ସମାଜରେ ରହିଛି ଯେଉଁ ସମାଜ ସମତାଯୁକ୍ତ ଓ ଶୋଷଣମୁକ୍ତ ହୋଇପାରେ ।
ସମାଜକୁ ଭ୍ରମିତ କରି ଅଥବା ଉତ୍ତେଜିତ କରି ନିଜ ନିଜ ମଧ୍ୟରେ ସଂଘର୍ଷ କରାଇ ସ୍ୱାର୍ଥସିଦ୍ଧ କରିବାକୁ ଚାହୁଁଥିବା ଏବଂ ପୂର୍ବାଗ୍ରହଯୁକ୍ତ ଷଡଯନ୍ତ୍ରକାରୀ ଶକ୍ତିମାନେ ଦେଶ ଭିତରେ ଓ ବାହାରେ ମଧ୍ୟ ସକ୍ରିୟ ରହିଛନ୍ତି । ଏପରି ହୀନ ପ୍ରଚେଷ୍ଟାକୁ କଦାପି ପ୍ରଶ୍ରୟ ଦେଉ ନଥିବା ଜାଗ୍ରତ, ସୁସଂଗଠିତ, ସମର୍ଥ ସମାଜକୁ ହିଁ ସୁସ୍ଥ ସମାଜ କୁହାଯାଏ । ନିଜ ନିଜ ଭିତରେ ସଦ୍ଭାବନା ସ୍ଥାପନ ପାଇଁ, ସମାଜ ମଧ୍ୟରେ ପୁଣି ଥରେ ନିତ୍ୟ ନିରନ୍ତର ସଂପର୍କ ଏବଂ ପରସ୍ପର ସହ ସମ୍ବାଦ ସ୍ଥାପିତ କରିବାକୁ ହେବ ।
ସ୍ୱାଧୀନ ଓ ଗଣତାନ୍ତ୍ରିକ ଦେଶରେ ନାଗରିକମାନେ ନିଜେ ନିଜର ପ୍ରତିନିଧି ନିର୍ବାଚିତ କରିଥା’ନ୍ତି । ଦେଶର ସାମଗ୍ରିକ ହିତ, ପ୍ରାର୍ଥୀଙ୍କ ଯୋଗ୍ୟତା ତଥା ରାଜନୈତିକ ଦଳଗୁଡିକର ବିଚାରଧାରା ମଧ୍ୟରେ ସମନ୍ୱୟ ସ୍ଥାପିତ କରିବାର ବିବେକ ରହିବା ଦରକାର । ଏଥି ସହିତ ସମ୍ବିଧାନ, ଆଇନ ତଥା ଅନୁଶାସନର ସମ୍ୟକ୍ ସୂଚନା ପ୍ରାପ୍ତ କରିବା ଏବଂ ସେଗୁଡିକ ବିଶ୍ୱାସର ସହ ପାଳନ କରିବାର ସ୍ୱଭାବ ଗଣତାନ୍ତ୍ରିକ ପ୍ରକ୍ରିୟାର ସଫଳତା ନିମନ୍ତେ ଅତ୍ୟାବଶ୍ୟକ ପୂର୍ବସର୍ତ୍ତ । ଏବେ ଆମକୁ ରାଜନୈତିକ ପାଖଣ୍ଡ କାରଣରୁ ଏସବୁର କ୍ଷରଣ ଦେଖିବାକୁ ମିଳୁଛି । ନିଜ ନିଜ ମଧ୍ୟରେ ବିବାଦକୁ ନେଇ ନିଜ ଶ୍ରେଷ୍ଠତ୍ୱ ସିଦ୍ଧ କରିବା ପାଇଁ ବାଣୀର ଅସଂଯମ, ଯାହା ବର୍ତ୍ତମାନ ସମାଜରେ ଏକ ଶିଷ୍ଟାଚାର ହୋଇଗଲାଣି, ତାହା ମଧ୍ୟ ଏକ ପ୍ରମୁଖ କାରଣ । ନେତୃବର୍ଗଙ୍କ ସହ ଆମ ସମସ୍ତଙ୍କୁ ଏଭଳି ଆଚରଣରୁ ଦୂରେଇ ରହି ନାଗରିକ ଅନୁଶାସନ ଏବଂ ଆଇନର ମର୍ଯ୍ୟାଦା ପାଳନ କରିବା ସହିତ ସମ୍ମାନର ବାତାବରଣ ନିର୍ମାଣ କରିବାକୁ ହେବ ।
ନିଜକୁ ତଥା ସମ୍ପୂର୍ଣ୍ଣ ସମାଜକୁ ଏପରି ଯୋଗ୍ୟ ଭାବେ ପ୍ରସ୍ତୁତ ନ କରି ସମଗ୍ର ବିଶ୍ୱରେ କେହି କୌଣସି ପରିବର୍ତ୍ତନ ତଥା ପ୍ରସିଦ୍ଧି ଲାଭ କରିନାହିଁ । ‘ସ୍ୱ’ ଆଧାରରେ ନିଜ ସ୍ୱାଧୀନ ଦେଶର ଯୁଗାନୁକୂଳ ତନ୍ତ୍ର ତଥା ପ୍ରଚଳିତ ତନ୍ତ୍ରର ଉପଯୋଗିତାକୁ ଦେଶାନୁକୂଳ କରି ସ୍ୱୀକାର କରିବାକୁ ହେଲେ ସମାଜରେ ‘ସ୍ୱ’ ବିଷୟରେ ସ୍ପଷ୍ଟଜ୍ଞାନ, ବିଶୁଦ୍ଧ ଦେଶଭକ୍ତି, ବ୍ୟକ୍ତିଗତ ତଥା ରାଷ୍ଟ୍ରୀୟ ଅନୁଶାସନ ଏବଂ ଏକାତ୍ମତାର ଚତୁର୍ବିଧ ସାମର୍ଥ୍ୟ ଦରକାର । ତେବେ ଯାଇ ଭୌତିକ ଜ୍ଞାନକୌଶଳ ଓ ଗୁଣବତ୍ତା, ପ୍ରଶାସନ ଏବଂ ଶାସନର ଅନୁକୂଳତା ଆଦି ଏଥିପାଇଁ ସହାୟକ ଭୂମିକା ନେଇପାରିବ ।
ସ୍ୱତନ୍ତ୍ରତାର ଅମୃତ ମହୋତ୍ସବ ଆମପାଇଁ କଠିନ ତଥା ଅବିରତ ପରିଶ୍ରମ ଦ୍ୱାରା ପ୍ରାପ୍ତ ଏପରି ଏକ ଅବସ୍ଥାର ଉତ୍ସବ, ଯଦ୍ୱାରା ସଂକଳ୍ପବଦ୍ଧ ହୋଇ ଅନୁରୂପ ତ୍ୟାଗ ଓ ପରିଶ୍ରମ ଦ୍ୱାରା ‘ସ୍ୱ’ ଆଧାରିତ ଯୁଗାନୁକୂଳ ତନ୍ତ୍ର ନିର୍ମାଣ କରି ଭାରତକୁ ପରମବୈଭବ ସମ୍ପନ୍ନ କରାଯାଇ ପାରିବ । ଆସନ୍ତୁ, ଆମେ ସେହି ତପଯୁକ୍ତ ପଥରେ ହର୍ଷ ଏବଂ ଉଲ୍ଲାସର ସହ ସଂଗଠିତ, ସ୍ପଷ୍ଟ ତଥା ଦୃଢଭାବରେ ଗତିଶୀଳ ହେବା ।
ସରସଂଘଚାଳକ
ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ