ସର୍ଦାର ବଲ୍ଲଭ ଭାଇ ପଟେଲଙ୍କର ଜୟନ୍ତୀ ଏକତା ଦିବସ ଉପଲକ୍ଷେ ଏକ କାର୍ଯ୍ୟକ୍ରମରେ ସମାଜବାଦୀ ପାର୍ଟିର ମୁଖ୍ୟ ଅଖିଲେଶ ଯାଦବଙ୍କ ଦେଶକୁ ଭାଗ ଭାଗ କରିଥିବା ମୋହମ୍ମଦ ଅଲି ଜିନ୍ନାଙ୍କ ପ୍ରତି ପ୍ରେମ ଉଛୁଳିବା କାରଣରୁ ସେ ଏବେ ଚାରି ଆଡୁ ସମାଲୋଚନାର ଶୀକାର ହେଉଛନ୍ତି । ଅଖିଲେଶ ତାଙ୍କର ମୁସଲମାନ ଭୋଟବ୍ୟାଙ୍କକୁ ଖୁସି କରିବାକୁ ଏପରି ବକ୍ତବ୍ୟ ଦେଇଥିବା ଅନୁମାନ କରାଯାଇଥିବା ବେଳେ ଏହାକୁ ନେଇ ପ୍ରବଳ ବିବାଦ ଦେଖା ଦେଇଛି ଯାହା ଫଳରେ ସେ ବିବାଦରେ ଫସି ଯାଇଛନ୍ତି ।
ଉତ୍ତର ପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଅଖିଲେଶ ଯାଦବଙ୍କୁ କାଠଗଡାରେ ଠିଆ କରାଇଛନ୍ତି । ଏହି ଭାଷଣରେ ଅଖିଲେଶ ଯାଦବ ପାକିସ୍ତାନ ତିଆରି କରିଥିବା ମୋହମ୍ମଦ ଅଲି ଜିନ୍ନାଙ୍କ ତୁଳନା ମହାତ୍ମା ଗାନ୍ଧୀ, ଜବାହର ଲାଲ ନେହେରୁ ଓ ସର୍ଦାର ବଲ୍ଲଭ ଭାଇ ପଟେଲଙ୍କ ସହ କରିଥିଲେ ।
ଶୁଣନ୍ତୁ ଅଖିଲେଶ ଯାଦବ କଣ କହିଥିଲେ ।
ଏହି ବକ୍ତବ୍ୟ ଉପରେ ଉତ୍ତର ପ୍ରଦେଶର ରାଜନୀତିର ତାପମାତ୍ରା ବଢି ଯାଇଛି । ବିଭିନ୍ନ ରାଜନୈତିକ ଦଳ ବିଶେଷ ଭାବେ ବିଜେପିର ନେତା ମାନେ ତାଙ୍କୁ ଏହି ବକ୍ତବ୍ୟ ପାଇଁ ଟାର୍ଗେଟ କରିଥିବା ବେଳେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ତାଙ୍କୁ ଅତ୍ୟନ୍ତ କଡା ଭାଷାରେ ଟାର୍ଗେଟ କରିଛନ୍ତି ।
ସେ ଅଖିଲେଶଙ୍କ ଏହି ବକ୍ତବ୍ୟକୁ ଅତ୍ୟନ୍ତ ଲଜ୍ଜାଜନକ ଓ ତାଲିବାନୀ ମାନସିକତା ବିଶିଷ୍ଟ ବୋଲି କହିଛନ୍ତି ।
ଅଖିଳେଶ ଯାଦବଙ୍କ ଉପରେ ଆକ୍ରମଣ କରି ଯୋଗୀ ଆଦିତ୍ୟନାଥ କହିଛନ୍ତି ଯେ ଅଖିଲେଶଙ୍କର ବିଭାଜନକାରୀ ମାନସିକତା ପୁଣି ଥରେ ସାମନାକୁ ଆସି ଯାଇଥିଲା ଯେତେବେଳେ ସେ ସର୍ଦାର ପଟେଲଙ୍କୁ ଜିନ୍ନାଙ୍କ ସମକକ୍ଷ ଭାବେ ରଖି ଦେଶ ବିଭାଜନକାରୀ ଜିନ୍ନାଙ୍କର ମହିମାମଣ୍ଡନ କରିବାକୁ ଚେଷ୍ଟା କରିଥିଲେ । ଭାରତର ଜନସାଧାରଣ ଏ ଭଳି ଦେଶ ବିଭାଜନକାରୀ ମାନସିକତାକୁ କଦାପି ବର୍ଦାସ୍ତ କରିବ ନାହିଁ ବୋଲି ଯୋଗୀ ଆଦିତ୍ୟ ନାଥ କହିଛନ୍ତି ।
ଯୋଗୀ ଆଦିତ୍ୟନାଥ ଆହୁରି କହିଥିଲେ ଯେ ଏହା ହେଉଛି ତାଲିବାନୀ ମାନସିକତା । ଏପରି କରିବା କାରଣରୁ ଅଖିଲେଶଙ୍କୁ କ୍ଷମା ମାଗିବା ଆବଶ୍ୟକ ବୋଲି ସେ କହିଛନ୍ତି । ଭାରତର ଅଖଣ୍ଡତାର ଶିଳ୍ପୀ ସର୍ଦାର ପଟେଲଙ୍କ ଏହି ଅପମାନକୁ ଦେଶ ସହ୍ୟ କରିବ ନାହିଁ ବୋଲି ସେ କହିଛନ୍ତି ।