ରାମାୟଣକୁ ଉପହାସ କରାଯାଇ ଥିବା ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି । ଏହି ଭିଡିଓରେ ରାମଙ୍କୁ ଛୋକରା ବୋଲି କୁହାଯାଇଥିବା ବେଳେ ଲକ୍ଷ୍ମଣକୁ ଲୌଣ୍ଡା ବୋଲି ସମ୍ବୋଧନ କରାଯାଇଛି । ସେହିପରି ଦଶରଥଙ୍କୁ ସରି ଡାର୍ଲିଂ ବୋଲି କହି ନୃତ୍ୟ କରୁଥିବା ଦେଖିବାକୁ ମିଳିଛି । ଏଥିରେ କୈକେୟୀ କହୁଛନ୍ତି – ଯଦି ତୁମେ ମୋର ଦୁଇଟି ବଚନ ନ ମାନିବ ତେବେ ମୋର ପ୍ରକୋଷ୍ଟରେ ତୁମର ନୋ ଏଂଟ୍ରି । କେବଳ ସେତିକି ନୁହେଁ ରାମଙ୍କୁ ଆମାଜନ ଜଙ୍ଗଲକୁ ପଠାଇବା କଥା କୁହା ଯାଉଛି । ଏହି ନାଟକ ବେଳେ ଲୋକ ମାନେ ଲଗାତାର ହସୁଥିବା ଦେଖିବାକୁ ମିଳିଛି ।
2020ରେ ନିଟ ପରୀକ୍ଷାରେ ପ୍ରଥମ ସ୍ଥାନ ହାସଲ କରିଥିବା ରାଉରକେଲାର ଶୋଏବ ଆଫତାବ ଏହି ଭିଡିଓର ହୋଷ୍ଟ ବୋଲି କୁହାଯାଉଛି । ଶିକ୍ଷା ସହ ଜଡିତ ଏକ ଅନଲାଇନ ପ୍ଲାଟଫର୍ମ ଅନଏକାଡେମୀ ସହ ମଧ୍ୟ ସେ ଜଡିତ ଥିବା ଓ ଏହି ଭିଡିଓକୁ ଦିଲ୍ଲୀ ଏମ୍ସର ଛାତ୍ର ଛାତ୍ରୀ ମାନେ ଶୁଟ କରିଥିବା କୁହାଯାଉଛି ।
ଏହି ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ଲୋକ ମାନଙ୍କ ମଧ୍ୟରେ ପ୍ରବଳ ପ୍ରତିକ୍ରିୟା ଦେଖା ଦେଇଥିଲା । ଲୋକ ମାନେ ଏଭଳି ତଳ ସ୍ତରର ଭାଷା ପ୍ରୟୋଗ ଓ ରାମାୟଣକୁ ଏପରି ଚିତ୍ରିତ କରିବାକୁ ନେଇ ଅସନ୍ତୋଷ ବ୍ୟକ୍ତ କରିବା ସହ ଏହା ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ଦାବି କରିଥିଲା ।
ବିବାଦ ବଢିବା ପରେ ଏମ୍ସ ଛାତ୍ର ସଂଘ ଏ ନେଇ କ୍ଷମା ମାଗିଛି । ଛାତ୍ର ସଂଘ ପକ୍ଷରୁ କୁହାଯାଇଛି ଯେ ଏମ୍ସର କିଛି ଛାତ୍ରଙ୍କର ରାମାୟଣ ଉପରେ ଆଧାରିତ ଏକ ପ୍ରହସନ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି । ଏହାକୁ ନେଇ ଛାତ୍ର ସଂଘ କ୍ଷମା ମାଗୁଛି । କାହାର ଧାର୍ମିକ ଭାବନାକୁ ଆଘାତ ପହଂଚାଇବା ଏହାର ଉଦ୍ଦେଶ୍ୟ ନ ଥିଲା । ଭବିଷ୍ୟତରେ ଏପରି ଘଟଣା ପୁନର୍ବାର ଯେପରି ନ ହେବ ସେ ନେଇ ଛାତ୍ର ସଂଘ ସୁନିଶ୍ଚିତ କରିବ ।
ବିଜେପି ପ୍ରବକ୍ତା ସୁରେଶ ନଖୁଆ ଏହି ଘଟଣା ଉପରେ ଟ୍ୱିଟ କରି ପ୍ରତିକ୍ରିୟା ଦେଇଛନ୍ତି । ସେ କହିଛନ୍ତି ଯେ – “ ପ୍ରଥମ ଥର ପାଇଁ ଶୋଏବ ଅଫତାବ ଯେ ଏପରି କରିଛନ୍ତି ତାହା ନୁହେଁ । ସେ ବାରମ୍ବାର ଏପରି କରି ଆସିଛନ୍ତି । ସେ ଅତୀତରେ ଅନେକ ଥର ହିନ୍ଦୁ ଦେବୀ ଦେବତାଙ୍କୁ ଅତ୍ୟନ୍ତ ଘୃଣ୍ୟ ରୁପେ ଉପହାସ କରିଛନ୍ତି । ଭଲ ହୋଇଛି ଯେ ଅନଏକାଡେମୀ ଏହି ଭିଡିଓକୁ ହଟାଇ ନେଇଛି । ଆଫତାବଙ୍କ ବିରୁଦ୍ଧରେ କଠୋର କାର୍ଯାନୁଷ୍ଠାନର ଆବଶ୍ୟକତା ରହିଛି । ”
ଏହି ଭିଡିଓ ପରେ ଏମ୍ସ ଦୋଷୀ ମାନଙ୍କୁ ଗିରଫ କର ଭଳି ଟ୍ରେଣ୍ଡ ମଧ୍ୟ ଚାଲିଛି । ଓଡିଶାର ସୋସିଆଲ ମିଡିଆ ବ୍ୟବହାର କାରୀ ମାନେ ମଧ୍ୟ କଡା ପ୍ରତିକ୍ରିୟା ଦେଇଛନ୍ତି। ଶୋଏବ ଅଫତାବ ଓଡିଶାକୁ ଲଜ୍ଜିତ କରିଥିବା ସେମାନେ ଉଲ୍ଲେଖ କରିଛନ୍ତି ।