ୟେସ୍ ବ୍ୟାଙ୍କର କାରବାରକୁ ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ ରୋକ୍ ଲଗାଇବା ପରେ ଶ୍ରୀମନ୍ଦିର ସ୍ଥାୟୀ ଜମା, ପ୍ରଭୁ ଜଗନ୍ନାଥଙ୍କ ଭକ୍ତଙ୍କ ଦାନରୁ ସୃଷ୍ଟି ହୋଇଥିବା ପାଣ୍ଠି ୫୪୫ କୋଟି ଟଙ୍କା । ଏବେ ସଂକଟରେ । ଶ୍ରୀମନ୍ଦିର ପରିଚାଳନା, ଆର୍ଥିକ ବ୍ୟାପାର ଏବଂ ଦୈନନ୍ଦିନ ରୀତିକାନ୍ତି ସିଧା ସିଳଖ ଓଡିଶା ସରକାରଙ୍କ ଆଇନ୍ ବିଭାଗ ଅଧିନରେ ଥିବାବେଳେ ଏଥିପାଇଁ ଆଇନ୍ ବିଭାଗ ଓ ବିଭାଗୀୟ ମନ୍ତ୍ରୀ ପ୍ରତାପ ଜେନା ଦାୟୀ ବୋଲି ଅଭିଯୋଗ କରିଛି କଂଗ୍ରେସ । ଏ ସମସ୍ତ ଘଟଣାର ଉଚ୍ଚସ୍ତରୀୟ ତଦନ୍ତ କରାଯିବା ସହିତ ଆଇନ୍ ମନ୍ତ୍ରୀ ଶ୍ରୀ ପ୍ରତାପ ଜେନାଙ୍କୁ ତଦନ୍ତ ପରିସରଭୁକ୍ତ କରାଯାଉ ଏବଂ ତଦନ୍ତ ନସରିବା ପର୍ଯ୍ୟନ୍ତ ତାଙ୍କୁ ମନ୍ତ୍ରୀ ମଣ୍ଡଳରୁ ବହିଷ୍କାର କରାଯାଉ ବୋଲି କଂଗ୍ରେସ ମୁଖପାତ୍ର ନିଶିକାନ୍ତ ମିଶ୍ର ଦାବି କରିଛନ୍ତି ।
ସେ କହିଛନ୍ତି ଯେ ଫାଉଣ୍ଡେସନ ଫଣ୍ଡର କାର୍ଯ୍ୟକାରୀ ଅଧ୍ୟକ୍ଷ ହେଉଛନ୍ତି ଆଇନ୍ ମନ୍ତ୍ରୀ । ଶ୍ରୀଜଗନ୍ନାଥ ଟେମ୍ପୁଲ୍ ଆକ୍ଟ ୧୯୯୫ ର ଧାରା ୨୮-ସି ର ସବ୍ ସେକ୍ସନ ୩ ଅନୁଯାୟୀ କେଉଁ ବ୍ୟାଙ୍କରେ ଶ୍ରୀମନ୍ଦିର ଟଙ୍କା ରଖାଯିବ ତାହା ରାଜ୍ୟ ସରକାର ଅର୍ଥାତ୍ ଆଇନ୍ ବିଭାଗ ଅନୁମୋଦନ କରିବେ । କିନ୍ତୁ ଶ୍ରୀମନ୍ଦିର ପ୍ରଶାସନ ଜାତୀୟ ବ୍ୟାଙ୍କ ପରିବର୍ତେ ୨୦୦୪ ରେ ଗଠନ ହୋଇଥିବା ଏକ ଘରୋଇ ବ୍ୟାଙ୍କରେ ପାଖାପାଖି ୬୦୦ କୋଟି ଟଙ୍କା ରଖିବା ପଛରେ ଓଡିଶା ସରକାରଙ୍କର ଘରୋଇ ବ୍ୟାଙ୍କ ପ୍ରୀତିକୁ ପଦାରେ ପକାଇଛି । ଯାହାର ପରିଣାମ ସ୍ୱରୂପ ଶ୍ରୀମନ୍ଦିର ପ୍ରଶାସନ ଅନେକ ଜାତୀୟକରଣ ବ୍ୟାଙ୍କକୁ ହେୟଜ୍ଞାନ କରି ୟେସ୍ ବ୍ୟାଙ୍କ ଭଳି ଏକ ଘରୋଇ ବ୍ୟାଙ୍କରେ ପ୍ରଭୁ ଶ୍ରୀଜଗନ୍ନାଥଙ୍କର ୬୦୦ କୋଟି ଟଙ୍କାକୁ ଜମା କରି ଦିଆଗଲା, ଯାହାକୁ ଫେରି ପାଇବା ଅତ୍ୟନ୍ତ ଦୂରୁହ ବ୍ୟାପାର । ଆଜି ଓଡିଶା ପରିପ୍ରେକ୍ଷୀରେ ୟେସ୍ ବ୍ୟାଙ୍କରେ ଜମାଥିବା ସମୁଦାୟ ୩୨୦୦ କୋଟି ଟଙ୍କାର ଭାଗ୍ୟ ଓ ଭବିଷ୍ୟତ ଅନ୍ଧକାର ଭିତରେ ।
ଖାଲି ସେତିକି ନୁହେଁ, ବିଗତ ଦିନରେ ଜଣେ ବରିଷ୍ଠ ଆଇଏଏସ୍ ଅଫିସରଙ୍କୁ ଭିଜିଲାନ୍ସ ଗିରଫ କରିବା ପରେ କାହା ସ୍ୱାର୍ଥରେ ଘରୋଇ ବ୍ୟାଙ୍କରେ ଏତେ ପରିମାଣର ଅର୍ଥ ରଖାଯାଇଥିଲା ବୋଲି ପ୍ରଶ୍ନ କରିବା ସହିତ ଆଗାମୀ ତିନି ଦିନ ଭିତରେ ପ୍ରଭୁ ଶ୍ରୀଜଗନ୍ନାଥଙ୍କର ଜମା ପୁଞ୍ଜିକୁ ତୁରନ୍ତ ଏକ ଜାତୀୟକରଣ ବ୍ୟାଙ୍କକୁ ସ୍ଥାନାନ୍ତର କରିବାକୁ ଦାବି କରିଛି କଂଗ୍ରେସ ।