ଶ୍ରୀଜୀଉଙ୍କ ଜରୁଆ ଶ୍ରୀଅଙ୍ଗରୁ ଓହ୍ଲାଉଛି ତାତି। ଅଣସର ପଞ୍ଚମୀ ତିଥିରେ ଫୁଲୁରୀ ତେଲ ଓ ଷଷ୍ଠୀ ତିଥିଠାରୁ ଓଷ ଲାଗି ପରେ ଦଶମୀ ତିଥିରେ ଆଜି ଚକାବିଜେ କରିବେ ଶ୍ରୀଜୀଉ । ସ୍ନାନପୂର୍ଣ୍ଣିମା ଦିନଠାରୁ ପ୍ରତ୍ୟେକ୍ଷ ସ୍ନାନ କରି ଅସୁସ୍ଥ ହୋଇପଡିଥିବା ଶ୍ରୀବିଗ୍ରହ ଏବେ ଦଇତାପତିଙ୍କ ଗୁପ୍ତ ଉପଚାର ପରେ ଧୀରେ ଧୀରେ ସୁସ୍ଥ ହୋଇ ଶୋଇବା ଅବସ୍ଥାରୁ ଉଠି ବସିବେ। ଶ୍ରୀମନ୍ଦିରରେ ମଧ୍ୟାନ୍ନ ଧୂପ ଓ ଭୋଗମଣ୍ଡପ ନୀତି ପରେ ଜୟବିଜୟ ଦ୍ୱାର ବନ୍ଦ କରାଯାଇ ବେହେରଣ ଦ୍ୱାର ଫିଟାଯିବା ସହ ଅନବସର ନୀତି ଅନୁଷ୍ଠିତ ହେବ ।
ଶ୍ରୀଜିଉମାନଙ୍କୁ ଚକା ଉପରେ ଦଇତାପତି ମାନେ ଚକା ବିଜେ କରାଇବେ । ଏହାପରେ ଚକଟା ଓ ପଣା ଭୋଗ ଲାଗି କରାଯିବ। ସେପଟେ ମହାପ୍ରଭୁଙ୍କ ଦେହରୁ ତାତି ଓହ୍ଲାଇଥିଲେ ବି ସମ୍ପୂର୍ଣ୍ଣ ସୁସ୍ଥତା ପାଇଁ ଗଜପତିଙ୍କ ନିର୍ଦେଶରେ ରାଜବୈଦ୍ୟ ମାନଙ୍କ ଦ୍ୱାରା ଦଶମୂଳମୋଦକ ପ୍ରସ୍ତୁତ ହୋଇଛି । ରାଜବୈଦ୍ୟମାନେ ଶାଳପର୍ଣ୍ଣି, ଗମ୍ଭାରୀ, ଫଣଫଣା, କୃଷ୍ଣପର୍ଣ୍ଣି, ବେଲ ଛେଲି, ଅଗବଧୂ, ଗୋଖରା, ନବାଙ୍କଡି, ଆଦିକୁ ଚୂର୍ଣ୍ଣ କରି ସେଥିରେ ଖୁଆ, ଘିଅ, ମହୁ, ଭାଙ୍ଗ, ନବାତରେ ଗୋଳେଇ ମୋଦକ ପ୍ରସ୍ତୁତ କରିଛନ୍ତି । ଯାହା ଶ୍ରୀବିଗ୍ରହଙ୍କ ପାଖରେ ଆସନ୍ତାକାଲିର ଏକାଦଶୀ ତିଥିରେ ଲାଗିହେବା ପରେ ସମ୍ପୂର୍ଣ୍ଣ ସୁସ୍ଥ ହେବେ ଶ୍ରୀବିଗ୍ରହ ।
ସେପଟେ ଏକାବନ ଦିନରେ ଚଳଚଞ୍ଚଳ ରହିଛି ରଥଖଳା। ହାତରେ ଆଉ 6 ଟି ଦିନ ବାକି ଥିବାବେଳେ ରଥନିର୍ମାଣ ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ତିନିରଥ ପାଇଁ ଚାରୋଟି ଦୁଆରବେଢା କାମ ଶେଷ ହୋଇଥିବା ବେଳେ ଏହାର ରଙ୍ଗ କାମ ସରିଛି । ଆସନ୍ତାକାଲି ଭୋଇ ସେବାୟତ ମାନେ ସପ୍ତମ ହରିବୋଲ ପକାଇ ରଥ ଉପରକୁ ଏହାକୁ ଉଠାଇବେ।ଏବେ ତିନିରଥ ଉପରକୁ ଜଗତପୃଷ୍ଠ ଶେଣୀ ଉଠିଛି ଓ ଏହାସହ ମହାପ୍ରଭୁଙ୍କ ଆସ୍ଥାନ ପାଇଁ ଚକା ମଧ୍ୟ ରଥ ଉପରେ ଲାଗି ସାରିଛି। ଏହାସହ ଚାରି ପାର୍ଶ୍ଵରେ ପଟା ପଡୁଛି, ରୂପକାରମାନଙ୍କ ଦ୍ୱାରା ପ୍ରଭା ଖୋଦେଇ ଜାରି ରହିବା ସହ ଘୋଡା ଇଶର ମରାମତି କାମ ଶେଷ ହୋଇଛି।
ରଥ ପାଇଁ ସମସ୍ତ ନିର୍ମାଣ କାର୍ଯ୍ୟ ସରିଥିବାରୁ ଆସନ୍ତାକାଲି ରଥଚାଳିକୁ ଭଙ୍ଗାଯାଇ ସେଥିରୁ ବାହାରିଥିବା ବାଉଁଶରେ କଇଁଚି ପ୍ରସ୍ତୁତ କରି ଦୁଆରବେଢା ଉଠାଇବେ ଭୋଇ ସେବାୟତ । ପରେ ରଥ ଉପରକୁ କଳସ ଓ ଓଲଟ ଶୁଆ ଉଠିବ । ଏବଂ ପ୍ରଭାର ସଂଯୋଗ ସହ ଶେଷ ହରିବୋଲ ପରେ ସମ୍ପୂର୍ଣ୍ଣ ପ୍ରତ୍ସୁତି ଶେଷ ହେବ ।