ଓଡିଶା ବାହାରେ ମହାପ୍ରଭୁ ଜଗନ୍ନାଥ ସଂସ୍କୃତିର ପ୍ରଚାର ପ୍ରସାର ପାଇଁ ଉଦ୍ୟମ l ମାୟାନଗରୀ ମୁମ୍ବାଇରେ ଜଗନ୍ନାଥଙ୍କ ଜୟ ଜୟଗାନl ମୁମ୍ବାଇର ନିଲଜେ ସହର ଡୋମ୍ବିଭିଲି ଅଞ୍ଚଳରେ ସ୍ଥାନୀୟ ଓଡ଼ିଆ ସମାଜ ପକ୍ଷରୁ ଏକ ଭବ୍ୟ ଜଗନ୍ନାଥ ମନ୍ଦିର ନିର୍ମାଣ ପାଇଁ ଉଦ୍ୟମ ଆରମ୍ଭ ହୋଇଛିl ନିକଟରେ ମନ୍ଦିର ପ୍ରାଣ ପ୍ରତିଷ୍ଠା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛିl ଏଥିପାଇଁ ମନ୍ଦିର କମିଟି ପକ୍ଷରୁ ଯଜ୍ଞ ଉତ୍ସବ ଆୟୋଜନ କରାଯାଇଥିଲା l
ଶଙ୍ଖ, ହୁଳହୁଳି, ଘଣ୍ଟ, ବାଦ୍ୟ ଏବଂ ପୁରୋହିତଙ୍କ ମନ୍ତ୍ର ପାଠରେ ପରିବେଶ ପ୍ରକମ୍ପିତ ହୋଇଥିଲା l କାର୍ଯ୍ୟକ୍ରମରେ ବହୁ ପ୍ରବାସୀ ଓଡ଼ିଆ ଏବଂ ମୁମ୍ବାଇ ବାସିନ୍ଦା ସାମିଲ ହୋଇଥିଲେ l ମୁମ୍ବାଇର ଡୋମ୍ବିଭିଲି ଅଞ୍ଚଳରେ ପ୍ରାୟ 5000 ଓଡ଼ିଆ ବାସ କରନ୍ତିl ସ୍ଥାନୀୟ ଅଞ୍ଚଳରେ ଏକ ଜଗନ୍ନାଥ ମନ୍ଦିର ପାଇଁ ଓଡ଼ିଆ ସମାଜ ପକ୍ଷରୁ ଆଶା ଥିଲା। କିନ୍ତୁ ମନ୍ଦିର ପାଇଁ ଜମି ମିଳିପାରୁ ନ ଥିବାରୁ ସମସ୍ୟା ହେଉଥିଲା l ଅନେକ ଉଦ୍ୟମ ପରେ ସାଇ ସିଟି ସଂସ୍ଥା ପକ୍ଷରୁ ଜମି ଯୋଗାଇ ଦିଆ ଯାଇଥିଲା l ଏହା ପରେ ସେଠାରେ ଏକ ଅସ୍ଥାୟୀ ମନ୍ଦିର ନିର୍ମାଣ କରାଯାଇ ପୂଜା କରାଯାଉଥିଲା l ନିକଟରେ ସେଠାରେ ଏକ ଭବ୍ୟ ମନ୍ଦିର ନିର୍ମାଣ ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଛି l
ମନ୍ଦିର ନିର୍ମାଣ ପାଇଁ ପାଖାପାଖି 7ରୁ 8କୋଟି ଟଙ୍କା ବ୍ୟୟ ଅଟକଳ ଯୋଜନା ରହିଛି l ସ୍ଥାନୀୟ ଓଡ଼ିଆ ଲୋକଙ୍କ ଆର୍ଥିକ ସହାୟତାରେ ଏଇ ମନ୍ଦିର ନିର୍ମାଣ ହେଉଛି। ଜଗନ୍ନାଥ ମନ୍ଦିରକୁ ନେଇ ଓଡ଼ିଆମାନଙ୍କ ମଧ୍ୟରେ ଖୁସିର ଲହରୀ ଖେଳିଯାଇଛି l ଏହା ଫଳରେ ଓଡିଶା ବାହାରେ ଜଗନ୍ନାଥ ପରମ୍ପରା ଏବଂ ସଂସ୍କୃତିର ଅଧିକ ପ୍ରଚାର ପ୍ରସାର ହୋଇପାରିବ ବୋଲି ମୁମ୍ବାଇ ଓଡ଼ିଆ ସମାଜ ପକ୍ଷରୁ ଆଶା ପ୍ରକଟ କରାଯାଇଛି।