ଭାରତର ଘରୋଇ ସଂଚୟର ମୂଲ୍ୟ ମୂଲ୍ୟ ପାଖା ପାଖି 25 ଲକ୍ଷ କୋଟି ଟଙ୍କା ଅର୍ଥାତ ପାଖାପାଖି 4 ଶହ ବିଲିୟନ ଡଲାର । ଏହା ହେଉଛି ଭାରତର ସଂଚୟ ମୂଲ୍ୟ ଓ ଏହି ଅର୍ଥ ଭାରତର ପର୍ବ ପର୍ବାଣୀରେ ବାହାରି ଥାଏ । ଲୋକ ମାନେ ଦୀପାବଳୀ ଭଳି ପର୍ବରେ କାର, ଦୁଇ ଚକିଆ ଯାନ, ବିଭିନ୍ନ ଜିନିଷ କିଣିଥାନ୍ତି । ତେଣୁ ବିଭିନ୍ନ ଦେଶ ଏହି ପର୍ବ ପର୍ବାଣୀ ସିଜିନ ଉପରେ ଆଖି ରଖିଥାନ୍ତି ।
ଭାରତରେ ଅଧିକ ବାଣିଜ୍ୟ କରୁଥିବା ଦେଶ ମାନଙ୍କ ମଧ୍ୟରେ ଚୀନ ଅନ୍ୟତମ । ଚୀନ ଦୀପାବଳୀ ଭଳି ପର୍ବ ପାଇଁ ତାର ସବୁ ଶକ୍ତି ଖଟାଇ ଦେଇଥାଏ ।
ଚୀନ ଏହି ଅର୍ଥ ଭାରତୀୟ ମାନଙ୍କ ଠାରୁ ଉପାର୍ଜନ କରି ଭାରତ ବିରୁଦ୍ଧରେ ଏହି ଅର୍ଥକୁ ବ୍ୟବହାର କରିଥାଏ । କିନ୍ତୁ ଏବେ ଏହି ସ୍ଥିତି ବଦଳିବାକୁ ଯାଉଛି ।
ଭାରତରେ ବ୍ୟବସାୟୀ ମାନଙ୍କର ପ୍ରମୁଖ ସଂସ୍ଥା କନଫଡେରେସନ ଅଫ ଇଣ୍ଡିଆନ ଇଣ୍ଡଷ୍ଟ୍ରିଜ (ସିଏଆଇଟି) ଗତ ବର୍ଷ ଭଳି ଏ ବର୍ଷ ମଧ୍ୟ ଚୀନର ଜିନିଷ ଗୁଡିକ ଉପରେ କଟକଣା ଲଗାଇବାକୁ ପ୍ରସ୍ତୁତ ଅଛି ।
ଏଠାରେ ଉଲ୍ଲେଖ କରାଯାଇ ପାରେ ଯେ ଗତ ବର୍ଷ ଗଲୱାନ ଘାଟି ଘଟଣା ପରେ ସିଏଆଇଟି ପକ୍ଷରୁ ଚୀନର ସାମଗ୍ରୀର ବହିଷ୍କାର କରାଯାଇଥିଲା । ଏ ବର୍ଷ ମଧ୍ୟ ସିଏଆଇଟି ପକ୍ଷରୁ ସେହି ସମାନ ପଦକ୍ଷେପ ଗ୍ରହଣ କରାଯାଇଛି ।
ଏହା ଦ୍ୱାରା ଚଳିତ ବର୍ଷ ପାଖା ପାଖି 50 ହଜାର କୋଟି ଟଙ୍କାର ଚୀନକୁ କ୍ଷତି ହେବ ବୋଲି ସିଏଆଇଟି ପକ୍ଷରୁ ଆକଳନ କରାଯାଇଛି ।
ଗତ ବର୍ଷ ସିଏଆଇଟି ପକ୍ଷରୁ ଚୀନର ସାମଗ୍ରୀ ଉପରେ ରୋକ ଲଗାଇବା ନେଇ ଯେଉଁ ନିଷ୍ପତି ନିଆଯାଇଥିଲା, ସେତେବେଳେ ଚୀନକୁ 40 ହଜାର କୋଟି ଟଙ୍କାର କ୍ଷତି ହେବାର ଅନୁମାନ କରାଯାଇଥିଲା । ହେଲେ ବାସ୍ତବରେ ଚୀନର କ୍ଷତି 72 ହଜାର କୋଟି ଟଙ୍କା ହୋଇଥିଲା ।
ସେହିପରି ଚଳିତ ବର୍ଷ ଯଦିଓ ଏହି ପଦକ୍ଷେପ ଦ୍ୱାରା 50 ହଜାର କୋଟି ଟଙ୍କା ଚୀନକୁ କ୍ଷତି ହେବାର ଲକ୍ଷ୍ୟ ରଖା ଯାଇଛି ତେବେ ବାସ୍ତବ କ୍ଷେତ୍ରରେ ଏହା 90 ହଜାର କୋଟିରୁ କମ ହେବ ନାହିଁ ବୋଲି ବିଶେଷଜ୍ଞ ମାନେ ମତ ଦେଇଛନ୍ତି ।
ସିଏଆଇଟିର ମହାସଚିବ ପ୍ରବୀଣ ଖଣ୍ଡେଲୱାଲ କହିଛନ୍ତି ଯେ ଦେଶର 20ଟି ବିତରଣ ସହରର ୟୁନିଟ ର ଅନୁସନ୍ଧାନ ଶାଖା ଦ୍ୱାରା ଏ ସମ୍ପର୍କରେ ଏକ ସର୍ଭେ କରାଯାଇଥିଲା । ଏହି ସର୍ବେକ୍ଷଣରୁ ଜଣା ପଡିଛି ଯେ ଏବେ ଯାଏ ଭାରତୀୟ ବ୍ୟବସାୟୀ ମାନେ ଚୀନର ରପ୍ତାନୀକାରୀ ମାନଙ୍କ ଠାରୁ ଦୀପାବଳୀର ସାମଗ୍ରୀ, ବାଣ ଓ ଅନ୍ୟ ବସ୍ତୁର କୌଣସି ଅର୍ଡର ଦେଇ ନାହାନ୍ତି ।
ଏହି 20ଟି ସହର ମଧ୍ୟରେ ନୂଆଦିଲ୍ଲୀ, ଅହମଦାବାଦ, ମୁମ୍ବାଇ, ନାଗପୁର, ଜୟପୁର, ଲକ୍ଷ୍ନୌ, ଚଣ୍ଡୀଗଡ, ରାୟପୁର, ଭୁବନେଶ୍ୱର, କୋଲକାତା, ରାଂଚି, ଗୌହାଟୀ, ପାଟନା, ଚେନ୍ନାଈ, ବେଙ୍ଗାଲୁରୁ, ହୈଦରାବାଦ, ମଦୁରୈ, ପୁଡୁଚେରୀ, ଭୋପାଳ ଓ ଜାମ୍ମୁ ସାମିଲ ରହିଛି ।
ସିଏଆଇଟିର ଏହି ନିଷ୍ପତି ଭାରତକୁ ଆତ୍ମନିର୍ଭର କରାଇବାରେ ସହାୟକ ହେବ ବୋଲି ଅନୁମାନ କରାଯାଉଛି ।