କେନ୍ଦ୍ର କ୍ୟାବିନେଟ ଚଳିତ ଡିସେମ୍ବର ୧୫ରେ ଏକ ଐତିହାସିକ ନିଷ୍ପତି ନେଇଛନ୍ତି ଯାହା ଆଗାମୀ ଦିନରେ ମହିଳା ସଶକ୍ତି କରଣକୁ ନେଇ ଦେଶରେ ଏକ ବଡ ଭୂମିକା ନିଭାଇବ । ଦେଶରେ ୧୯୫୫ ମସିହା ଠାରୁ ଚାଲିଆସିଥିବା ବିବାହ ବୟସର ସର୍ବନିମ୍ନ ବୟସ ସୀମାକୁ ଝିଅଙ୍କ କ୍ଷେତ୍ରରେ ଏହାକୁ ବଢାଇ ଦିଆଯାଇଛି । ଏନେଇ ବାଲ୍ୟ ବିବାହ ନିରୋଧ (ସଂଶୋଧନ) ଆଇନ ସଂସଦର ଆସନ୍ତା ଅଧିବେସନରେ ଆସିପାରେ ।
ଏହି ଆଇନ ଆସିଗଲେ ଏବେ ମହିଳା ଓ ପୁରୁଷ ଉଭୟଙ୍କ ପାଇଁ ବିବାହର ସର୍ବନିମ୍ନ ବୟସ ୨୧ ବର୍ଷ ହୋଇଯିବ । ଏବେ ଯେଉଁ ଆଇନ ରହିଛି ତାହାନୁସାରେ ପୁରୁଷମାନଙ୍କ ପାଇଁ ଏହା ୨୧ ବର୍ଷ ଥିବା ବେଳେ ମହିଳାମାନଙ୍କ କ୍ଷେତ୍ରରେ ଏହା ଥିଲା ୧୮ ବର୍ଷ । ଯେମିତି ଆମ ଦେଶରେ ପ୍ରାୟତଃ ହୁଏ, ଯେ କୌଣସି ସଂସ୍କାର ଆସିଲେ କିଛି ତଥାକଥିତ ବର୍ଗ ସଂସ୍କାରକୁ ଧର୍ମ, ଜାତି ଆଧାରରେ ଦେଖନ୍ତି ଓ ବିରୋଧ କରନ୍ତି, ତାର ପ୍ରକିୟା ଆରମ୍ଭ ହୋଇଯାଇଛି । ବିଶେଷ ଭାବରେ ମୁସଲମାନ ମୌଲବିମାନେ ଏହି ବୟସ ବୃଦ୍ଧିକୁ ବିରୋଧ କରିବା ସହିତ ସେମାନଙ୍କର ମୁସଲିମ ପର୍ସନାଲ ଆଇନରେ ଝିଅମାନଙ୍କ ପାଇଁ ବିବାହ କରିବାର ବୟସ ୧୫ ବର୍ଷକୁ ଯଥାର୍ଥ ବୋଲି କହୁଛନ୍ତି । ସେହିପରି ବିରୋଧୀମାନେ ଏହାକୁ ଏକ ରାଜନୈତିକ ପଦକ୍ଷେପ ବୋଲି ଅଭିଯୋଗ କରିବା ଆରମ୍ଭ କରିଛନ୍ତି । କିନ୍ତୁ ଏହି ସଂଶୋଧନ ଯେ ମହିଳାମାନଙ୍କର ସଶକ୍ତିକରଣ ନେଇ ଏକ ବଡ ପଦକ୍ଷେପ ତାହା ସେମାନେ ବୁଝି ମଧ୍ୟ ଅବୁଝା ଭଳି ହେଉଥିବାର ପ୍ରତିୟ ହେଉଛି ।
ପ୍ରଥମ ଗର୍ଭଧାରଣ ପାଇଁ ମହିଳାଙ୍କ ବୟସ ଅତି କମରେ ୨୧ ବର୍ଷ ହେବା ଦରକାର ବୋଲି ବିଭିନ୍ନ ପ୍ରକାରର ଗବେଷଣାତ୍ମକ ତଥ୍ୟରୁ ଜଣାପଡିଛି । ଏପରିକି ମିଳିତ ଜାତିସଙ୍ଘର ୟୁନିସେଫ ବାରମ୍ବାର କହିଆସିଛି ଯେ ପ୍ରଥମ ଗର୍ଭଧାରଣର ବୟସକୁ ୨୦+ କରିବା ପାଇଁ । ଏହା ପଛରେ ରହିଛି ସ୍ୱାସ୍ଥ୍ୟଗତ, ମାନସିକ ଓ ସାମାଜିକ କାରଣମାନ । ଯଦି ଆମ ଦେଶରେ ବର୍ତମାନ ଆସିଥିବା ସଂଶୋଧନ ଆଇନ ଲାଗୁହୋଇଯାଏ ତାହେଲେ ସେହି ସମସ୍ୟାର ସମାଧାନର ରାସ୍ତା ବାହାରଯିବ । ସେହିପରି ଏହି ନିୟମ ଲାଗୁହେଲେ ଗର୍ଭାବସ୍ଥାରେ ହେଉଥିବା ମୃତ୍ୟୁର ଭୟ ମଧ୍ୟ କମ ହୋଇଯିବ । ଜାତୀୟ ସ୍ୱାସ୍ଥ୍ୟ ସର୍ଭେକ୍ଷଣ ରିପୋର୍ଟ ଅନୁସାରେ ଦେଶରେ ୩୫% ଶିଶୁଙ୍କ ଅପପୁଷ୍ଟି ଶୀକାର ହୁଅନ୍ତି । ସେହିପରି ଶିଶୁ ମୃତ୍ୟୁ ହାର ହେଉଛି ୨୮/୧୦୦୦ ।
ଏହି ନିୟମ କରିବା ପୁର୍ବରୁ କେନ୍ଦ୍ର ସରକାର ନିତି ଆୟୋଗଙ୍କ ସୁପାରିଶ ଆଧାରରେ ସମତା ପାର୍ଟିର ସାଂସଦ ଜୟା ଜେଟଲିଙ୍କ ନେତୃତ୍ୱରେ ମହିଳା ଓ ଶିଶୁଙ୍କର ଅପପୁଷ୍ଟି, ମୃତ୍ୟୁ ଆଦିର ସମାଧାନ ପାଇଁ ଏକ ଟାସ୍କ ଫୋର୍ସ ଗଠନ କରିଥିଲେ । ସେହି ଟାସ୍କ ଫୋର୍ସର ସୁପାରିଶ ଆଧାରରେ ଏହି ନିୟମକୁ ବଦଳାଇ ଦିଆଯାଇଛି । ଏବେ ପୁରୁଷ ଏବଂ ମହିଳା ଉଭୟଙ୍କ ପାଇଁ ବିବାହ କରିବାର ନ୍ୟୁନତମ ବୟସ ସୀମା ହୋଇଯିବ ୨୧ ବର୍ଷ ।
ଯଦି ଆମେ ଅତୀତକୁ ଫେରିବା ତାହେଲେ ଦେଶରେ ୧୮୯୧ ମସିହା ପୁର୍ବରୁ ବିବାହ କରିବା ପାଇଁ ବୟସ ଦୃଷ୍ଟିରୁ କୌଣସି ନିୟମ ନଥିଲା । ପ୍ରଥମେ ବ୍ରିଟିସ ସରକାର ୧୮୯୧ରେ ବାଲ୍ୟ ବିବାହ ରୋକିବା ପାଇଁ ଆଇନ ଆଣିଥିଲେ ଯେଉଁଥିରେ ୧୨ ବର୍ଷରୁ କମ ବୟସରେ ବିବାହକୁ ବେଆଇନ କରାଗଲା । ପରେ ୧୯୩୧ରେ ଏହାକୁ ଝିଅମାନଙ୍କ ପାଇଁ ୧୬ ବର୍ଷ ଓ ପୁଅମାନଙ୍କ ପାଇଁ ୧୮ ବର୍ଷ କରାଗଲା । ୧୯୫୫ରେ ହିନ୍ଦୁ କୋଡ ବିଲ ଆସିଲା ଯେଉଁଥିରେ ପୁଅମାନଙ୍କ ସର୍ବନିମ୍ନ ବୟସ ୨୧ ବର୍ଷ ଓ ଝିଅମାନଙ୍କ ପାଇଁ ଏହା ୧୮ ବର୍ଷ ହେବାର ନିୟମ ରହିଲା । କିନ୍ତୁ ଏହି ଆଇନ ମୁସଲମାନ ଓ ଖ୍ରୀଷ୍ଟିଆନମାନଙ୍କ ପାଇଁ ଲାଗୁ ହୋଇ ପାରିନଥିଲା, କାରଣ ସମ୍ବିଧାନରେ ସେମାନଙ୍କର ଅଲଗା ନାଗରିକ ଆଇନ ଥିଲା ।
୧୯୭୮ରେ ବାଲ୍ୟ ବିବାହ ଆଇନରେ ଅନେକ ସଂଶୋଧନ କରାଗଲା କିନ୍ତୁ ସେତେବେଳେ ମଧ୍ୟ ଏହି ଆଇନରେ ଜାଣିଶୁଣି ମୁସଲମାନ ଓ ଖ୍ରୀଷ୍ଟିଆନ ମାନଙ୍କ ପାଇଁ ଏହା ଲାଗୁ ହେବ କି ନାହିଁ ଏହା ସ୍ପଷ୍ଟତା ରଖାଗଲାନାହିଁ । ପରେ ୨୦୦୬ରେ ପୁଣି ଥରେ ବାଲ୍ୟ ବିବାହ ଆଇନରେ ସଂଶୋଧନ ହେଲା କିନ୍ତୁ ସମାନ ଭାବରେ ଏହା ମୁସଲିମ ବ୍ୟକ୍ତିଗତ ଆଇନ ଉପରେ ନିରବ ରହିଲା । ଯାହାଫଳରେ ଏବେ ବି ମୁସଲିମ ସମାଜରେ ୧୫ ବର୍ଷ ବୟସରେ ଝିଅମାନଙ୍କୁ ବିବାହ କରାଇ ଦିଆଯାଉଛି । ଅନେକ ଶିକ୍ଷିତ ପରିବାରମାନେ ଏହା କରୁନାହାନ୍ତି କିନ୍ତୁ ଯେଉଁଠି ମୌଳବାଦିମାନଙ୍କର ପ୍ରଭାବ ବେଶି ରହିଛି ସେଠାରେ ଆଜିବି ସେହି ମଧ୍ୟଯୁଗୀୟ ୭୦୦ ବର୍ଷ ତଳର ନିୟମ ଚାଲିଛି । ଏବେ ଏବେ ଫେବୃୟାରୀ ମାସରେ ଗୋଟିଏ ମୁସଲିମ ଝିଅର ବୟସ ୧୭ ବର୍ଷ ହୋଇଥିଲା ଓ ସେ ଜଣେ ୩୬ ବର୍ଷ ଯୁବକକୁ ବିବାହ କରିଥିଲେ । ଝିଅର ପିତାମାତା ଝିଅ ନାବାଳିକା ହୋଇଥିବାରୁ ଏହି ବିବାହକୁ ଖାରଜ କରିବା ସହିତ ନିଜ ଝିଅକୁ ଫେରିପାଇବା ପାଇଁ ହାଇକୋର୍ଟ ଯାଇଥିଲେ । ହେଲେ ହରିଆନ ହାଇକୋର୍ଟ ସେହି ପିତାମାତାଙ୍କୁ ନ୍ୟାୟ ଦେଇପାରିଲା ନାହିଁ କାରଣ ମୁସଲିମ ବ୍ୟକ୍ତିଗତ ଆଇନରେ ଏହି ବିବାହ ଆଇନସିଦ୍ଧ । ଏବେ ଏହି ଆଇନ ଆସିଗଲେ ଝିଅମାନଙ୍କ ସଶକ୍ତିକରଣ ଦୃଷ୍ଟିରୁ ଏକ ବଡ ଲାଘବ ହୋଇପାରିବ । କାରଣ ଏହି ନୂଆ ସଂଶୋଧନ ଦେଶରେ ଥିବା ବିଭିନ୍ନ ସମ୍ପ୍ରଦାୟର ଭିନ୍ନ ଭିନ୍ନ ବିବାହ ଆଇନରେ ମଧ୍ୟ ଲାଗୁହେବ ।
ବିଶ୍ୱରେ ପ୍ରାୟତଃ ଅଧିକାଶଂ ଦେଶରେ ବିବାହ ପାଇଁ ସର୍ବନିମ୍ନ ବୟସ ୧୮ ହିଁ ଅଛି । କିନ୍ତୁ ଗୋଟିଏ ଲଗାତର ଦାବି ଚାଲିଛି ଏହାକୁ ବଢାଇବା ପାଇଁ । ଚାଇନା ସରକାର ପ୍ରଥମ ଦେଶ ଭାବରେ ଏହାକୁ ଲାଗୁ କରିଥିଲେ । ବ୍ରିଟେନର ଜଣେ ମହିଳା ସାଂସଦ ପାଉଲିନ ଲାଥାମ ଏବେ ତାଙ୍କ ଦେଶରେ ବିବାହ ବୟସକୁ ବୃଦ୍ଧି କରିବା ପାଇଁ ଦାବି କରିଛନ୍ତି । ସେହିପରି ଦୁନିଆରେ ମାତ୍ର ୨୩ ଟି ଦେଶରେ ୧୮ ବର୍ଷରୁ କମ ବୟସରେ ଝିଅମାନେ ବିବାହ କରିପାରୁଛନ୍ତି । ସାଉଦି ଆରବ ଓ ୟେମେନରେ ବୟସ ନେଇ କୌଣସି ନିୟମ ନାହିଁ । ୟେମେନରେ ୪୦ ବର୍ଷର ପୁରୁଷ ୮ ବର୍ଷର ଝିଅକୁ ବିବାହ କରିପାରୁଛନ୍ତି । ଲେବାନନରେ ୯ ବର୍ଷ, ସୁଦାନରେ ୧୧ ବର୍ଷ, ଇରାନରେ ୧୩ ବର୍ଷ, କୁଏତରେ ୧୪ ବର୍ଷ ହୋଇଗଲେ ଝିଅ ପୁଅ ବିବାହ କରିପାରିବେ ଯାହା ବୈଜ୍ଞାନିକ ଦୃଷ୍ଟିକୋଣରୁ ଠିକ ନୁହେଁ ।
ଆଉ ଗୋଟିଏ ମୁଖ୍ୟ ଲାଭ ଏହି ଆଇନରେ ମିଳିବ ଯେ ମହିଳାମାନଙ୍କ କ୍ଷେତ୍ରରେ ଉଚ୍ଚତର ଶୀକ୍ଷା ଦୃଷ୍ଟିରୁ ଏହି ଆଇନ ଏକ ଯୁଗାନ୍ତକାରୀ ପଦକ୍ଷେପ ହେବ । ଝିଅକୁ ୧୮ ବର୍ଷ ହେଉ ହେଉ ଏବେବି ଅନେକ ପରିବାରରେ ବାହାଘର ପାଇଁ ପରିବାରର ଚାପ ପଡିଥାଏ । ଖାଲି ଝିଅ ଉପରେ ନୁହେଁ ପରିବାରର ଅନ୍ୟ ସଦସ୍ୟମାନଙ୍କ ଉପରେ ମଧ୍ୟ ସମାଜର ଏକ ଅଦେଖା ଚାପ ଝୁଲୁଥାଏ । ଗ୍ରାମାଂଚଳରେ ଏଇଟା ଗୋଟିଏ ସାଧାରଣ ଧାରା ହୋଇଥାଏ ଝିଅକୁ ୧୮ ହେଲାମାନେ ପୁଅ ଖୋଜିବା ବିବାହ କରାଇ ଦେବା ପାଇଁ । କିନ୍ତୁ ୧୮ ବର୍ଷରେ ଜଣେ ଝିଅ ପଢି ପଢି ଖୁବ ବେଶୀରେ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ଯାଇଥିବ । କିନ୍ତୁ ଏହି ଆଇନ ଆସିଗଲେ ଏବେ ଝିଅମାନଙ୍କୁ ବିବାହ କରିବା ପୁର୍ବରୁ ଅତିକମରେ ସ୍ନାତକ ପର୍ଯ୍ୟନ୍ତ ପଢିବାର ଅଧୀକାର ସ୍ୱତଃ ମିଳିଯିବ । ଏହାର ପ୍ରଭାବରେ ଦେଶରେ ଶୀକ୍ଷା ଓ ସାମାଜିକ ସଂସ୍କାରରେ ଏକ ବଡ ପରିବର୍ତନ ଆସିପାରିବ । ଦେଶରେ ଏବେ କର୍ମଜୀବୀ ଓ ନିଯୁକ୍ତିରେ ମହିଳା ଓ ପୁରୁଷଙ୍କ ଭିତରେ ଯେଉଁ ଲିଙ୍ଗଗତ ପାର୍ଥ୍ୟକ ରହିଆସିଛି ଯାହା ଫଳରେ ସାମାଜିକ ଅଭିବୃଦ୍ଧି ଅସନ୍ତୁଳିତ ହେଉଛି ଆଗାମି କିଛି ବର୍ଷ ପରେ ଏହା ସମାନ ହୋଇଯିବ । ମାନବିକ ଅଧିକାର କମିଶନ କେବେ ଠାରୁ ଏହି ପ୍ରସଙ୍ଗ ଉଠାଇ ଆସିଛନ୍ତି ।
ଉଜ୍ଜଳା ଯୋଜନା, ସ୍ୱଛ ଭାରତ, ତିନି ତଲାକକୁ ବେଆଇନ, ସେନାରେ ମହିଳାମାନଙ୍କୁ ପ୍ରଥମକରି କମିଶନ ପଦବୀ ଦେବା, ପ୍ରସବ କାଳିନ ଛୁଟିକୁ ୨୬ ସପ୍ତାହକୁ ବଢାଇବା, ସୁକନ୍ୟା ସମୃଦ୍ଧି ଯୋଜନା ଆଦି ଅନେକ ନିଷ୍ପତି ମହିଳାଙ୍କ ଜୀବନରେ ସୁଧାର ଆଣିପାରିଛି । ଏହି ନୁଆ ଆଇନ ଏହି ଦିଗରେ ଆଉ ଏକ ପୃଷ୍ଠା ଯୋଡିବ ।